Unknown

 

 

 

 

 

 

 

 

 

 

 

ଆଖିର ଲୁହ ମନର କୋହ

ଶ୍ରୀମତୀ ଅପର୍ଣ୍ଣା ମହାନ୍ତି

 

-ପ୍ରାରମ୍ଭ-

 

ମନଗହ୍ୱରରେ ଅନୁଭୂତିର ଅସଂଖ୍ୟ କୀଟ ଲୁଚି ରହିଛନ୍ତି । ସ୍ମୃତିର ଖାଦ୍ୟରେ ଆତ୍ମପ୍ରକାଶ କରନ୍ତି ସେମାନେ; ନିର୍ଜନତାର ସୁଯୋଗରେ ଆକ୍ରମଣ କରନ୍ତି । ସେମାନଙ୍କ ଉପଦ୍ରବରୁ ମୁକ୍ତି ପାଇବା ଭୀଷଣ କଷ୍ଟହେଲେ ମଧ୍ୟ ନିଜକୁ ରକ୍ଷା କରିବା ଅସମ୍ଭବ ହୋଇପଡ଼େ ।

 

ତଥାପି ନିର୍ଜନରେ ଭାବିବାକୁ ମଣିଷ ଭଲପାଏ । ପଛରେ ଛାଡ଼ିଆସିଥିବା ଅତୀତକୁ ମନେପକାଇ ଆଖିରୁ ଲୁହ ଝରାଏ । ପୁଣି ଓଠରେ ହସର ପ୍ଳାବନ ଖେଳାଏ । ଅନୁତାପ କରେ । ଅତୀତରେ କରିଥିବା ସୁକର୍ମକୁ ବାରମ୍ଵାର ମନେପକାଇ ଆନନ୍ଦିତ ହୁଏ ।

 

ମନେ ପକାଉଥିଲା ଭୂମିକା । ଫେରି ଚାହୁଁଥିଲା ତା’ର ଅତୀତକୁ । ତିଳତଣ୍ଡୁଳିତ ଜୀବନର ଅତୀତ ଭୂମିକା ମନରେ ବିଶେଷ ପ୍ରଭାବ ପକାଇପାରୁ ନଥିଲା ।

 

କିନ୍ତୁ ସେଦିନର ଘଟଣା ?

 

ଚେଷ୍ଟାକରି ମଧ୍ୟ ଭୂମିକା ଭୁଲି ପାରିନି । ସେଦିନର ଦୃଶ୍ୟ ରହି ରହି ତା’ ଆଖି ଆଗରେ ନାଚିଉଠୁଛି । ଭୂମିକା ଅନେକଥର ଭାବିଛି ସେଦିନର ଘଟଣାକୁ ମନେପକାଇବନି । ନିଜ ଉପରେ ବିରକ୍ତି ହେବନି । ସେଥିପାଇଁ କାର୍ଯ୍ୟକ୍ଷମ ରହି ନିଜର ସ୍ଥିତିକୁ ଭୁଲିଯିବାକୁ ଚେଷ୍ଟା କରିଛି । ମନେପଡ଼ିବାର ଆଶଙ୍କା କରି ପରିବାରଠାରୁ ଦୂରେଇ ରହିଛି । ତଥାପି…. ।

 

ବିସ୍ମୃତି ଭିତରେ ସ୍ମୃତି ଆତ୍ମପ୍ରକାଶ କରୁଛି । ଅବସର ସମୟରେ ଜୀବନ-ପୁସ୍ତକରେ ସେଇ ପୃଷ୍ଟାଟି ବାରମ୍ଵାର ଆଖିରେ ପଡ଼ୁଛି । ସେଦିନର ଦୃଶ୍ୟ ମନେପଡ଼ିଲେ ଦେହରେ କରେଣ୍ଟ ଲାଗିଲା ଭଳି ମନେହେଉଛି ।

 

ମନେ ମନେ ବିରକ୍ତି ହୁଏ ଭୂମିକା । ବାପା ତା’ ଉପରେ କାହିଁକି ତା’ ନାରୀ ଏତେବଡ଼ ଦାୟିତ୍ଵ କାହିଁକି ଛାଡ଼ିଦେଲେ ? ଜୀବନକୁ ହାହୁତାଶମୟ କଲେ ? କାହିଁକି ତା’ ମନକଥା ବୁଝିବାକୁ ଥରେ ଚେଷ୍ଟା କଲେନି ?

 

ଭୂମିକା ବହୁତଥର କହିବାକୁ ଭାବିଛି । ଏତେ କମ୍ ବୟସରୁ ପରିବାରର ଦାୟିତ୍ଵ ସେ ବହନ କରିପାରିବନି । ଯୌବନର ସୀମିତ ବୟସ ନେଇ କୌଣସି ଅଫିସରେ ସେ କାମକରି ପାରିବ ନାହିଁ । ଅନେକ ସାହାସ ସଞ୍ଚୟକରି ସେ ବୋଉ ନିକଟକୁ ଯାଇଛି । ମନର କଥାକୁ ପ୍ରକାଶ କରିବାକୁ ଚେଷ୍ଟା କରିଛି । କିନ୍ତୁ…. । ବୋଉର ମୁହଁକୁ ଚାହିଁଦେଲେ ଭୂମିକାର ସବୁ ଦମ୍ଭ, ସାହାସ ବୁଦ୍‌ ବୁଦ୍ ଭଳି ଉଭେଇ ଯାଏ । ପେଟର କଥା ତଣ୍ଟି ପାଖେ ଅଟକି ରହେ । ସେ ନୀରବରେ ଫେରିଆସେ ।

 

ବ୍ୟର୍ଥତାରେ ଆତ୍ମା ତା’ର ଚିତ୍କାରକରି ଉଠେ । ଅବଶ ଦେହକୁ ବିଛଣାରେ ଲୋଟାଇ ଦେଇ ନିଜକୁ ଭୁଲିଯିବାକୁ ଚେଷ୍ଟାକରେ । ଅଧାଥିବା ଉପନ୍ୟାସକୁ ଶେଷ କରିବାକୁ ଧରିବସେ ।

 

ଉପନ୍ୟାସ ଶେଷ ହୁଏ । ଆଖିରେ ନିଦ ଆସେ । କିନ୍ତୁ ଭୂମିକା ନିଜକୁ ଭୁଲିପାରେ ନାହିଁ-। ସ୍ୱପ୍ନ ଦେଖେ ନିଜକୁ, ପରିବାରକୁ । ଛୋଟ ଛୋଟ ଭାଇ ଭଉଣୀଙ୍କ ଅଳିଅଝଟ ବାରମ୍ୱାର ପ୍ରତିଧ୍ୱନିତ୍ଵ ହୁଏ । ଭୂମିକାର ସ୍ଵପ୍ନ ତୁଟେ । ଆଖିରୁ ନିଦ କ୍ରମେ କ୍ରମେ ଦୂରେଇ ଯାଏ । ମନେହୁଏ, ରାତ୍ରିର ଅନ୍ଧକାର ଗର୍ଭରୁ ବାପାଙ୍କ ଆତ୍ମା ତାକୁ ପ୍ରେରଣା ଦେଉଛି । ଧୈର୍ଯ୍ୟଧରି ଆଗେଇ ଯିବାକୁ ସାହାସ ଦେଉଛି ।

 

ଭୟରେ ଭୂମିକା ଆଖି ବନ୍ଦକରେ । ବାପାଙ୍କ ପ୍ରତିଛବି ସେଇ ଅନ୍ଧକାର ଭିତରେ ଆତ୍ମଗୋପନ କରେ; କିନ୍ତୁ ଭାବନା ?

 

ମୁଦ୍ରିତ ଆଖିତଳେ ଶୁପ୍ତ ମନ ଜାଗ୍ରତ ହୋଇଉଠେ । ଭାବନାର ସୁଅରେ ଭୂମିକା ଭାସିଯାଏ ଦୂରରୁ ଦୂରକୁ…ବହୁତ ଦୂରକୁ ।

 

ଅତୀତର ଅଭିଜ୍ଞତାକୁ ପାଥେୟକରି ଭବିଷ୍ୟତର ଅନ୍ଧକାର ଗଳି ଭିତରେ ଆଗେଇବାକୁ ହୁଏ । ଭୟ, ଦ୍ଵନ୍ଦ୍ୱ, ସନ୍ଦେହ ମଣିଷକୁ ସେ ପଥରୁ ନିବୃତ୍ତ କରାଇ ପାରେନି । ଆଶାର ପରିପୂର୍ଣ୍ଣିତା ହିଁ ତା’ର କାମ୍ୟ, ତା’ ଜୀବନର ଏକମାତ୍ର ଲକ୍ଷ୍ୟ ।

 

ଅତୀତ ଅନୁଭୂତିର ମୂଳଦୁଆକୁ ଭରସାକରି ଭୂମିକା ଭବିଷ୍ୟତର ସୌଧ ନିର୍ମାଣର କଳ୍ପନା କରିପାରୁ ନଥିଲା । ନିଜକୁ ଚିହ୍ନିବାର ବୟସ ହୋଇଛି । କିନ୍ତୁ ଦୁନିଆକୁ ଚିହ୍ନିବାକୁ ହେଲେ ତା’ ତରୁଣୀ ଦେହର ବାଇଶି ବର୍ଷ ଯଥେଷ୍ଟ ନୁହେଁ । ଏଥିପାଇଁ ଦରକାର ବୟସ ବୃଦ୍ଧି, ଜୀବନର ଅନୁଭୂତି ।

 

କିରାନୀ ଚାକିରିର ଅନୁଭୂତି ଭିତରେ ଭୂମିକା ଦୁନିଆକୁ ଚିହ୍ନିବାକୁ ଚେଷ୍ଟା କରୁଥିଲା । ଏଇ ଅଫିସରେ କାମକରିବା ତା’ର ଦୁଇ ବର୍ଷ ହୋଇଗଲାଣି । ବାପାଙ୍କ ମୃତ୍ୟୁ ପରେ ସେ ଏଇ ଚାକିରିରେ ଯୋଗ ଦେଇଛି ।

 

ଟେବୁଲ ଉପରେ ଅନେକ ଫାଇଲ୍ ରହିଛି । ଅନେକ କାମ ବାକି ପଡ଼ିଛି । ଦୁଇଦିନ ଭିତରେ ସବୁକାମ ସାରିବାକୁ ପଡ଼ିବ । ଭୂମିକା ନିଜକୁ ଚଞ୍ଚଳ କରିନେଲା । ନା, ଆଜି ଆଉ କାମକରି ହେବନି । ରହି ରହି ବାପାଙ୍କ ମୁହଁ ଦିଶିଯାଉଛି । ବାପା ଆଜି ନାହାଁନ୍ତି । ଡାକିଲେ ଶୁଣିବେନି କିମ୍ବା ମନେପକାଇଲେ ମନକଥା ଜାଣି ପାଖକୁ ଧାଇଁ ଆସିବେନି ।

 

ବାପାଙ୍କ ମୃତ୍ୟୁକାଳୀନ ଦୃଶ୍ୟ ଏବେ ମଧ୍ୟ ଭୂମିକା ଆଗରେ ଚଳଚିତ୍ର ପରି ଝଲସି ଉଠେ । କି ରୋଗରେ ବାପା ପୀଡ଼ିତ ହୋଇଥିଲେ ସେ କଥା ଭୂମିକା ଜାଣେନି । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ରୋଗ ବିଷୟରେ ଅନେକ ଚିନ୍ତାକରିଛି ସେ । ବୋଉକୁ ଅନେକ ଥର ପଚାରିଛି ମଧ୍ୟ-। ସନ୍ତୁଷ୍ଟ ହେଲାଭଳି କୌଣସି ଉତ୍ତର ବୋଉ ଦେଇପାରିନି । ଏପର୍ଯ୍ୟନ୍ତ ବାପାଙ୍କ ରୋଗ ବିଷୟରେ ଭୂମିକା ସନ୍ଦିହାନ । ଜୀବତାବସ୍ଥାରେ ଦେହ ବିଷୟରେ ବାପା କେବେ କିଛି କହିଥିବାର ମନେହୁଏନି । ସେ ଦେଖିଛି ଅନେକ ସମୟରେ ବାପା ବିଛଣାରେ ଶୋଇରହି ଉପରକୁ ଚାହିଁଥାନ୍ତି-। ସମୟ ସମୟରେ ବାମପଟ ଛାତିରେ ହାତରଖି ଗୋଡ଼ହାତ ଛାଟନ୍ତି । ଚେଷ୍ଟପେନ୍ (ଛାତିଯନ୍ତ୍ରଣା) ହେଉଛି ମନେକରି ସେ ବାପାଙ୍କ ନିକଟକୁ ଯାଏ । ଗୋଡ଼ ହାତ ଆଉଁସି ଦେଇ ପଚାରେ–ଆପଣଙ୍କର କ’ଣ ହେଉଛି ବାପା ? ଏମିତି ଛାଟିପିଟି ହେଉଛନ୍ତି କାହିଁକି ? କ’ଣ ଦେହ ଭଲ ଲାଗୁନି ?

 

ଝିଅ ମୁହଁକୁ ଚାହିଁ ହସିଦିଅନ୍ତି ରାଜୀବବାବୁ । ଛାତି ଉପରୁ ହାତ ଘୁଞ୍ଚାଇ ଆଣି କୁହନ୍ତି–ନାଁରେ ମା’ ! ମୋର କିଛି ହେଉନି । ତୁ ଏପରି ବ୍ୟସ୍ତ ହେଉଛୁ କାହିଁକି ? ଯା’ ପଢ଼ିବୁ ।

 

ବେଶି କଥା କହିଲେ ବାପା ବିରକ୍ତି ହୁଅନ୍ତି । ଅଧିକ ନ ପଚାରି ନୀରବରେ ଉଠିଆସେ ଭୂମିକା । ବାପା ଜାଣନ୍ତି ସେ ବେଶି ସମୟ ପଢ଼ାପାଖରେ ବସିପାରେନି । ଭୂମିକା ଭଲ ପଢ଼େ । କଲେଜର ଜଣେ କୃତିଛାତ୍ରୀ । ଘରେ ବହିପାଖରେ ନ ବସିଲେ ମଧ୍ୟ ସେ ପରୀକ୍ଷାରେ ପାସ୍‍ କରିବ ଏ ବିଶ୍ଵାସ ବାପାଙ୍କର ଅଛି । ସେଥିପାଇଁ ରାଜୀବବାବୁ କୌଣସି ଦିନ ଭୂମିକାକୁ ଘରେ ପଢ଼ିବାକୁ ବାଧ୍ୟ କରିନାହାଁନ୍ତି । ନ ପଢ଼ିଲେ ଆକଟ କରିନାହାଁନ୍ତି । ବୋଉ ବହୁତଥର ତାକୁ ଗାଳି ଦେଇଛି । ନ ପଢ଼ିଲେ ବାହାଘର କରିଦେବ ବୋଲି ଧମକ ଦେଇଛି । ବାପାଙ୍କ ଆଗରେ ବୋଉ ଅଭିଯୋଗ କରିଛି ।

 

ସ୍ତ୍ରୀଙ୍କ କଥା ଶୁଣି ରାଜୀବବାବୁ ହସି ଦିଅନ୍ତି । କୁହନ୍ତି—ବୁଝିଲ ଭୂମିକା ବୋଉ ! ପାଠପଢ଼ାରେ ଶାରୀରିକ ପରିଶ୍ରମ ଦରକାର ହୁଏନି । ବହିକୁ ଘଣ୍ଟା ଘଣ୍ଟା ଧରି ଚାହିଁ ରହି ଅନ୍ୟକଥା ଚିନ୍ତାକଲେ ତାକୁ ପାଠପଢ଼ା କୁହାଯାଏନି । ପାଠ ପଢ଼ିବାକୁ ହେଲେ ମୁଣ୍ଡରେ କିଛି ମସଲା ଦରକାର । ଘରେ ବହି ନ ଖୋଲି କ୍ଲାସରେ ମନଦେଇ ଶୁଣି ମନେରଖିପାରିଲେ ପାଠ ପଢ଼ିହୁଏ । ଯେଉଁମାନେ ଭଲ ପଢ଼ନ୍ତି ସେମାନେ ବେଶି ସମୟ ବହି ପାଖରେ ବସନ୍ତି ନାହିଁ । ତେଣୁ ତମେ ମୋ ଝିଅ ବିଷୟରେ ଏତେ ଭାବିବା ଉଚିତ ନୁହେଁ ।

 

ଶିକ୍ଷା ବିଷୟରେ ବୋଉର କି ଅଭିଜ୍ଞତା ଅଛି ତାହା ସେ ଜାଣେନା । କିନ୍ତୁ ସେ ଦେଖିଛି ବାପାଙ୍କର ଏଇ ମନ୍ତବ୍ୟ ଶୁଣି ବୋଉର ମୁହଁ ଝାଉଁଳି ପଡ଼େ । ନୀରବରେ ସେ ଚୁଲି ନିକଟକୁ ଫେରିଆସେ । ମନେ ମନେ ଉଲ୍ଲସି ଉଠେ ଭୂମିକା । ଭଲ ପଢ଼େ ବୋଲି କିମ୍ଵା ବାପା ତାକୁ ତାରିଫ୍ କରନ୍ତି ବୋଲି ନୁହେଁ—ବୋଉର ଅଭିଯୋଗକୁ ବାପା ଗ୍ରହଣ କରିପାରନ୍ତି ନାହିଁ ବୋଲି ସେ ଆନନ୍ଦ ପାଏ ।

 

ଭୂମିକା ଜାଣେ ବାପା ତା’ ଉପରେ କେବେ ବିରକ୍ତ ହୁଅନ୍ତି ନାହିଁ । ପିଲାମାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ । ବିଶେଷତଃ ଭୂମିକାକୁ କୌଣସି ଦିନ ସେ ସନ୍ଦେହ ଚକ୍ଷୁରେ ଦେଖି ନାହାଁନ୍ତି ।

 

ଦିନକର ଘଟଣା—

 

ସେ ଦିନ ଶନିବାର । କୌଣସି ଏକ କାରଣବଶତଃ କ୍ଲାସ ସସ୍‍ପେଣ୍ଡେଡ୍‍ ହୋଇ ଯାଇଥାଏ । ଭୂମିକା ଘରକୁ ଫେରିଆସିବାକୁ ଭାବିଛି । ଏହି ସମୟରେ ବାନ୍ଧବୀ ଅରୁନ୍ଧତୀ କହିଲା–ଭୂମିକା ! ଗ୍ରାଣ୍ଡସିନେମାରେ ଗୋଟେ ଭଲ ପିକ୍‌ଚର ପଡ଼ିଛି । ଗଲେ କେମିତି ହୁଅନ୍ତା-?

 

କିଛି ନ ଭାବ ଭୂମିକା ହସିଲା ! କହିଲା—କଥା କହିବାରେ ଏତେ ଷ୍ଟାଇଲ୍ କେବେଠାରୁ ଶିଖିଲୁ କିଲୋ ? ଡାଇରେକ୍ଟ ନ ଡାକି କେମିତି ହୁଅନ୍ତା ବୋଲି କ’ଣ ପଚାରୁଛୁ ?

 

ଓଠରେ ହସ ଖେଳାଇ ଅରୁନ୍ଧତୀ କହିଲା—ମୋ କଥାର ଅର୍ଥ ବୁଝିଲୁଣି ଯେତେବେଳେ ଯିବାରେ କିଛି ଆପତ୍ତି ନାହିଁ ନିଶ୍ଚୟ ।

 

ଅରୁନ୍ଧତୀର ଆଗ୍ରହରେ ବାଧା ଦେବାକୁ ଭୂମିକାର ଇଚ୍ଛା ନଥିଲା । ଅଥଚ ଏଣେ ଘରେ ନ ଜଣାଇ ସିନେମା ଯିବାକୁ ଚାହୁଁ ନଥିଲା । ରହି ରହି କହିଲା—ଯିବାରେ କିଛି ଆପତ୍ତି ନାହିଁ, କିନ୍ତୁ ଘରେ ନ ଜଣାଇ…….

 

ଭୂମିକା କଥାକୁ ଶେଷ କରିବାକୁ ନ ଦେଇ ଅରୁନ୍ଧତୀ ହସି ଉଠିଲା, କହିଲା—ବାପା ମା’ଙ୍କୁ ଜଣାଇ ତୁ କ’ଣ ସବୁକାମ କରୁଛୁ ? ପିକ୍‌ଚର ଗଲେ ହଜିଯିବୁନି ମ !

 

ମନରେ ଭୟ ଥିଲେ ମଧ୍ୟ ଅରୁନ୍ଧତୀ ସହିତ ଯୁକ୍ତି କରିବାର ଆଗ୍ରହ ସେଦିନ ଭୂମିକାର ନଥିଲା । ମ୍ୟାଟିନ୍ ସୋ’ରୁ ଫେରୁ ଫେରୁ ଡେରି ହୋଇଗଲା । ଡରିଡରି ଘରକୁ ଆସି ଭୂମିକା ଶୁଣିଲା ଆରଘରେ ବୋଉ କହୁଛି—ଏତେ ରାତି ହେଲାଣି । ଭୂମି ଏପର୍ଯ୍ୟନ୍ତ ଫେରିଲାନି । ତମେ ଟିକେ ତା’ ସାଙ୍ଗଘରକୁ ଯାଇ ବୁଝି ଆସନ୍ତନି । ଝିଅ ପିଲାଟା, ଏତେ ରାତିଯାଏ ବାହାରେ ରହିବା କ’ଣ ସୁନ୍ଦର ଦିଶୁଛି ?

 

ଭୂମିକା ଭୟରେ ଥରି ଉଠିଲା । ବାପା କ’ଣ କହୁଛନ୍ତି ଶୁଣିବାକୁ କାନ ଡେରିଲା । ବୋଧହୁଏ ବାପା ବିରକ୍ତ ହେଲେ ।

 

କିଛି ସମୟପରେ ବାପାଙ୍କ ସ୍ଵର ଶୁଣାଗଲା । ବର୍ତ୍ତମାନ ତ ସାଢ଼େ ଛ’ଟା ବାଜିଛି । ଏତେ ରାତି ହେଲା କେତେବେଳେ ? ହୁଏତ କେଉଁ ସାଙ୍ଗଘରେ ରହିଯାଇଥିବ କିମ୍ବା କଲେଜରେ କିଛି ଫଙ୍କସନ୍‌ ଥିବ । ଝିଅ ଆସିନି ବୋଲି ମୁଁ ଯିବି ଘର ଘର ବୁଲି ଖୋଜିବାକୁ ? ବୁଝିଲ ! ଜନ୍ମକରି ତମେ ସିନା ତାକୁ ଚିହ୍ନିପାରିଲନି । ମୁଁ କିନ୍ତୁ ତାକୁ ଠିକ୍ ଚିହ୍ନିଛି । ରାତିରେ ବାହାରେ ରହିବା ପିଲା ସେ ନୁହେଁ । ହୁଏତ କିଛି କାମ ପଡ଼ିଛି । ଜଣାଇବାକୁ ସମୟ ପାଇନି ।

 

ଭୂମିକା ଆଉ କିଛି ଶୁଣିପାରିଲାନି । ଆଖିରେ ଲୁହ ଜକେଇ ଆସିଲା । ଏ ବୟସରେ ବାପା ତାକୁ ଏତେ ବିଶ୍ୱାସ କରୁଛନ୍ତି କିପରି ? ଆଜିକାଲି ତା’ ବୟସର ଏକ ଝିଅ ସନ୍ଧ୍ୟା ପରେ ବାହାରେ ରହିବା କେତେ ବିପଦ ଓ ଭୟପ୍ରଦ ତା’ କ’ଣ ବାପା ଜାଣନ୍ତିନି ? କେତେ ସରଳ ସତେ ତା’ର ବାପା ! ଭକ୍ତିରେ ମୁଣ୍ଡ ନୋଇଁଲା ଭୂମିକା ।

 

ଧୀର ପଦକ୍ଷେପରେ ଘର ଭିତରକୁ ସେ ପ୍ରବେଶ କଲା । ମନରେ ଭୟ ଥିଲା ହୁଏତ ବାପା କିଛି ପଚାରିବେ । ବୋଉ ବିରକ୍ତ ହେବ । କିନ୍ତୁ କେହି କିଛି କୈଫିୟତ୍ ଦାବି କଲେନି । ଖାଇଲାବେଳେ ବୋଉ ବାପାଙ୍କୁ କହିଲା, ତାକୁ ତ କିଛି ପଚାରିଲନି ?

 

ରାଜୀବବାବୁଙ୍କ ମନରେ କିଛି ପ୍ରତିକ୍ରିୟା ସୃଷ୍ଟି ହେଲାନି । ସେହିପରି ତଳକୁ ମୁହଁ ପୋତି କହିଲେ, ପଚାରିବାର ଆବଶ୍ୟକତା ନାହିଁ । ତାକୁ ମୁଁ ରକ୍ତଦେଇ ସୃଷ୍ଟି କରିଛି । ମୋ ରକ୍ତକୁ କ’ଣ ମୁଁ ଚିହ୍ନିନି ବୋଲି ଭାବୁଛ ? ବାପ ମନରେ ସନ୍ଦେହ ନଥିଲେ କୌଣସି ପ୍ରଶ୍ନ ଝିଅକୁ ପଚରା ଯାଏନି-

 

ଖାଦ୍ୟ ପର୍ବ ସରି ଯାଇଥିଲା । ଭୂମିକା ଉଠିଆସି ହାତ ଧୋଇଲା ।

 

ଦିଦି ! ପାଞ୍ଚଟା ବାଜିଲାଣି । ଅଫିସ୍‍ରୁ ସମସ୍ତେ ଚାଲିଗଲେଣି ।

 

ପିଅନର ଡାକରେ ଭୂମିକା ବାସ୍ତବ ଜଗତକୁ ଫେରିଆସିଲା । ଟେବୁଲ ଉପରୁ ମୁଣ୍ଡଉଠାଇ ଦେଖିଲା ପ୍ରକୃତରେ ସମସ୍ତେ ଚାଲିଗଲେଣି । ଫାଇଲଗୁଡ଼ିକୁ ସଜାଡ଼ିରଖି ଅଫିସ୍‍ ରୁମ୍‌ରୁ ସେ ବାହାରି ଆସିଲା ।

 

ଶୂନ୍ୟ ଆକାଶକୁ ଚାହିଁ ଭୂମିକା ଭାବୁଥିଲା ।

 

ପରିବାର ବିଷୟରେ ଚିନ୍ତା କଲାବେଳେ ବାପାଙ୍କ କଥା ବାରମ୍ବାର ମନେପଡ଼େ । ଆଖିରେ ଲୁହ ଆସେ । କେତେବଡ଼ ଦାୟିତ୍ଵ ବାପା ଦେଇଗଲେ ସତେ ? ତାଙ୍କର ଏତେ ବିଶ୍ୱାସ ଆସିଲା କିପରି ? ସେଦିନ ବାପାଙ୍କର କ’ଣ ହୋଇଥିଲା ଭୂମିକା ଜାଣେନି । କଲେଜରୁ ଫେରି ଦେଖିଲା ବାପାଙ୍କ ବିଛଣା ନିକଟରେ ବୋଉ ବସି କାନ୍ଦୁଛି । ପିଲାମାନେ ସ୍କୁଲରୁ ଫେରି ନାହାଁନ୍ତି । ବୋଉର କାନ୍ଦ ଦେଖି ସେ ଆଶ୍ଚର୍ଯ୍ୟ ହେଲା । ପାଖକୁ ଯାଇ କାନ୍ଦିବାର କାରଣ ପଚାରିଲା । ବୋଉ ଉତ୍ତର ଦେବା ପୂର୍ବରୁ ବାପା ଆଖିଖୋଲି ଭୂମିକାକୁ ଚାହିଁଲେ । ପାଖରେ ବସାଇ କହିଲେ–ମା’ ! ଯଦି ମୋର କିଛି ହୋଇଯାଏ ଘରର ଦାୟିତ୍ୱ ତୋର । ମନି, ଟୁଟୁ, ମୁଟୁ ତୋର ସାନଭାଇ ଭଉଣୀ ନୁହଁନ୍ତି, ସେମାନେ ତୋର ପୁଅ ଝିଅ । ଇଚ୍ଛାଥିଲେ ମଧ୍ୟ ତତେ ମୁଁ ଉପଯୁକ୍ତ କରି ଗଢ଼ି ପାରିଲିନି । ତଥାପି ମୋର ବିଶ୍ୱାସ ତୁ ସେମାନଙ୍କୁ ମଣିଷ କରିବୁ । ମୋର ଅଭାବ ସେମାନେ ଯେପରି ଅନୁଭବ ନ କରନ୍ତି ।

 

ବାପା ନୀରବ ହେଲେ । ଭୂମିକା ଦେଖିଲା ବାପା ଆଉ କିଛି କହିବାକୁ ଚାହିଁଲେ ମଧ୍ୟ କହିପାରୁ ନାହାଁନ୍ତି । ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

 

ବାପା ଏପରି କାହିଁକି କହୁଛନ୍ତି ? ତାଙ୍କର କ’ଣ ହୋଇଛି ? ନିଜକୁ ନିଜେ ପ୍ରଶ୍ନ କଲା ଭୂମିକା । କିନ୍ତୁ ନିଜ ପ୍ରଶ୍ନର ଉତ୍ତର ନିଜେ ପାଇବା ଆଗରୁ ତା’ର ଦୁଇଆଖି ଲୁଣି ଲୁହର ସ୍ରୋତରେ ଭାସି ଯାଇଥିଲା । ଏକ ନିସଙ୍ଗ ନିଃସହାୟ ବୋଧରେ ଭୂମିକା ଥର ଥର ହୋଇ ପ୍ରକମ୍ପିତ ହୋଇ ଉଠିଲା । ଅବରୁଦ୍ଧ ଆବେଗରେ ଶିହରି ଉଠି କହିଲା, ମୁଁ ପାରିବି ନାହିଁ…ପାରିବି ନାହିଁ ବାପା । ଏତେବଡ଼ ଦାୟିତ୍ଵ ବହନ କରିପାରିବି ନାହିଁ ।

 

ସେଦିନ ବାପା କ’ଣ ଅନୁଭବ କରିଥିଲେ ସେ କଥା ଭୂମିକା ଜାଣେନି । ଡାହାଣ ହାତରେ ତା’ର ଅଲରା ବାଳକୁ ସାଉଁଳି ଦେଇ ଯନ୍ତ୍ରଣା ଜର୍ଜରିତ କଣ୍ଠରେ କହିଲେ—ତୁ ପାରିବୁ ମା’…ପାରିବୁ । ମୋର ସେ ବିଶ୍ୱାସ ତୋ ଉପରେ ଅଛି ।

 

ଦୁଇଦିନ ପରେ ଭୂମିକା ଦେଖିଲା ତାଙ୍କ ପାରିବାରିକ ଜୀବନରେ କିପରି ଏକ ଶୋକାଚ୍ଛନ୍ନ ପରିବେଶ ଆଚ୍ଛନ୍ନ ହୋଇ ଆସିଥିଲା । ବୋଉର ସୀମାନ୍ତରୁ ସିନ୍ଦୂରଗାର ଲିଭିଗଲା । ହାତରୁ ଶଙ୍ଖା କାଢ଼ି ନିଆଗଲା ।

 

ଭୂମିକା ମନକୁ ଟାଣକଲା । ଶାଢ଼ିକାନିରେ ଆଖି ଲୁହକୁ ଭଲକରି ପୋଛିଦେଇ ତଳକୁ ଓହ୍ଲାଇ ଆସିଲା । ବୋଉ ରୋଷେଇ ଘରେ କାମ କରୁଛି । ମନିକା ପାଠପଢ଼ାରେ ମନ ଦେଇଛି । ସେ ରୋଷେଇ ଘର ଅତିକ୍ରମ କରି ମନିକା ନିକଟକୁ ଆସିଲା । ତାକୁ ପଢ଼ାଇବାକୁ ହେବ । ଏ ବର୍ଷ ମନିକାର ମାଟ୍ରିକ ପରୀକ୍ଷା ।

 

ଭୂମିକାକୁ ପଢ଼ା ଘରକୁ ଆସୁଥିବାର ଦେଖି ମନିକା ଆଶ୍ଚର୍ଯ୍ୟ ହେଲାନି । ବାପାଙ୍କ ମୃତ୍ୟୁ ପରଠାରୁ ଅପା ସେମାନଙ୍କ ଭଲମନ୍ଦ ଖବର ବୁଝାବୁଝି କରୁଛି ।

 

ଅପା କଥା ଭାବିଲେ ମନିକା ଆଶ୍ଚର୍ଯ୍ୟ ହୁଏ । ପିଲାଟିଦିନୁ ଅପା ସହିତ ମିଶିଛି । ଅଥଚ…ଅପାର ଏତେ ପରିବର୍ତ୍ତନ ହେଲା କିପରି ? ଘରକାମ କରେନି । ପଚାରିଲେ ମଧ୍ୟ ଭାଇଭଉଣୀଙ୍କୁ ପାଠ ବୁଝାଇ ଦିଏନି । କିନ୍ତୁ ମନିକା ଲକ୍ଷ୍ୟ କରିଛି, ଚାକିରି କରିବା ପରଠାରୁ ଅପା ଅସମ୍ଭବ ଭାବେ ଗମ୍ଭୀର ହୋଇ ଉଠିଛି । ବିଶେଷ କଥାବାର୍ତ୍ତା କରୁନି । ଘରକାମରେ ବୋଉକୁ ସାହାଯ୍ୟ କରିବା ସାଥେ ସାଥେ ସେମାନଙ୍କର ମଧ୍ୟ ଯତ୍ନ ନେଉଛି ।

 

ପଢ଼ା ଟେବୁଲ ପାଖରେ ଭୂମିକାକୁ ଦେଖି ମନିକା ଭାବୁଥିଲା—ସେଇ ଅପା, ସେଇ ରୂପ, ଅଥଚ ଏତେ ପରିବର୍ତ୍ତନ ହେଲା କିପରି ?

 

କେତେଥର ମନିକା ଭାବିଛି ଅପାକୁ ଏ ବିଷୟରେ ପଚାରିବ । କ’ଣ ଏତେ ଭାବୁଛି ଜାଣିବ । କିନ୍ତୁ ଅପାର ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ମୁହଁକୁ ଚାହିଁଦେଲେ ତା’ର ସାହସ, ଦମ୍ଭ ଉଭେଇଯାଏ । ଆଶଙ୍କା ହୁଏ, ଅପା ହୁଏତ ମନଦୁଃଖ କରିବ ବିରକ୍ତ ହେବ ।

 

ସେଇ ଅପା ଆଜି ପଢ଼ାଘରକୁ ଆସୁଛି ତାକୁ ପଢ଼ାଇବାକୁ । ମନିକା ସଂଯତ ହୋଇ ଉଠିଲା ।

 

ଟାଇପିଷ୍ଟ ସୁଜାତା, ହେଡ୍‍କ୍ଲର୍କ ଅଭୟବାବୁ, କ୍ଲର୍କ ଅରୁଣବାବୁ ଓ ଦେବେନ୍ଦ୍ରବାବୁ, ଭୂମିକା ସହକର୍ମୀଗଣ ଅଫିସ୍‍ରୁ ଚାଲିଗଲେଣି ।

 

ବହୁତବେଳୁ ଚାରିଟା ବାଜିଗଲାଣି । ଭୂମିକା ଏପର୍ଯ୍ୟନ୍ତ କାମକରି ଚାଲିଛି । ଦୁଇଦିନର କାମ ବାକି ରହିଯାଇଛି । ମନର ଅବସ୍ଥା ଭଲନଥିବାରୁ ଅଫିସ୍‍କୁ ଆସିଲେ ମଧ୍ୟ ଫାଇଲରେ ମନଯୋଗ ଦେଇପାରିନଥିଲା । ବାକିଥିବା କାମକୁ ଆଜି ସାରିବାକୁ ହେବ । କାମ ବାକିଥିଲେ କିମ୍ବା ବହୁତ କାମ ଥିଲେ ସେ ଏହିପରି କରିଥାଏ । ଅଫିସ୍ ଛୁଟି ପରେ ଏକା ରହି ସବୁକାମ ସାରିଦେଇ ଘରକୁ ଫେରେ । ଭୂମିକା ଦେଖିଲା ଆଉ ପାଞ୍ଚଟି ଫାଇଲର କାମ ବାକିଅଛି । ସେତକ ଶେଷକରି ଘରକୁ ଫେରିଯିବ ।

 

ବାହାରେ ପିଅନ ଅପେକ୍ଷା କରିଛି । ଭୂମିକା ଯିବାପରେ ଅଫିସ୍ ରୁମରେ ତାଲାଦେଇ ସେ ଘରକୁ ଯିବ । ଆହା ! ସମସ୍ତେ ଚାଲିଗଲା ପରେ ମଧ୍ୟ ଏଇ ପିଅନଟି ଅପେକ୍ଷା କରିଛି । ଭୂମିକା ଲକ୍ଷ୍ୟ କରିଛି ସବୁଥର ଏଇ ପିଅନଟି ତାକୁ ଜଗିରହେ । ସମସ୍ତେ ଯିବାପରେ ଏକା ଏକା ବସିଥାଏ । ଇଚ୍ଛାଥିଲେ ମଧ୍ୟ ତାକୁ ବାରଣ କରି ହୁଏନି । ବାରଣ କରିବା ନିରର୍ଥକ । ରୁମ୍ ବନ୍ଦ କରିବା ଦାୟିତ୍ଵ ତା’ର । ତେଣୁ ମନାକଲେ ସେ ଯିବାକୁ ରାଜି ହେବକି ନା ସନ୍ଦେହ । ଜାଣି ଜାଣି ହୁଏତ ତା କର୍ତ୍ତବ୍ୟରେ ହେଳା କରିବନି ।

 

ଆଜି ସୁଜାତା ଚେୟାର ଛାଡ଼ି ଉଠିବାବେଳେ ଭୂମିକା ତାକୁ ଅନୁରୋଧ କରିଥିଲା ଅଳ୍ପ ସମୟ ଅପେକ୍ଷା କରିବାକୁ । ନିର୍ଜନରେ ବସି ବସି ଏକା କାମ କରିବା ଅପେକ୍ଷା ଜଣେ ସମବୟସୀ ବାନ୍ଧବୀ ସହିତ କଥାବାର୍ତ୍ତା ଭିତରେ କାମକଲେ ଅଧିକ ଖୁସିଲାଗେ ଏବଂ ସମୟର ଦୀର୍ଘତା ଜଣାଯାଏନି ବୋଲି ଜଣାଇଥିଲା । ଭୂମିକାର ବକ୍ତବ୍ୟ ଶୁଣି ସୁଜାତା ଗମ୍ଭୀର ହୋଇଗଲା । କହିଲା, ଅର୍ଥ ଉପାର୍ଜନ ନ କଲେ ତମ ପରିବାର ଉପାସରେ ଛଟପଟ ହେବେ । ସେଥିପାଇଁ ତମେ ଚାକିରି କରୁଛ । ଅଫିସ୍‍ ଛୁଟି ପରେ କାମକରି ଅଧିକ ଟଙ୍କା ପାଇବାର ଆଶା ରଖିଛ । ମୁଁ ତମଭଳି ପେଟ ପୋଷିବାକୁ ଚାକିରି କରିନି । ଏଇଟା ମୋର ସଉକ । ଇଚ୍ଛା ହୋଇଛି ଚାକିରି କରିଛି, ଇଚ୍ଛା ହେଲେ ଛାଡ଼ିଦେବି । ସେଥିପାଇଁ ମତେ କେହି ବାଧା ଦେବେନି । ଅଫିସ୍ ଛୁଟି ପରେ ଅଫିସରେ ରହିବି କାହିଁକି ?

 

କଲମ ବନ୍ଦକରି ଭୂମିକା ଫେରି ଚାହିଁଲା । ହାଇହିଲ୍ ଚଟିରେ ଠକ ଠକ ଶବ୍ଦ ସୃଷ୍ଟିକରି ସୁଜାତା ଚାଲିଯାଉଛି । ଭୂମିକା ଆଖିରେ ଜକେଇ ଆସିଲା ଲୁହ । ମନେ ମନେ ସ୍ୱଗତୋକ୍ତି କରିଉଠିଲା—ଏତେ ବଡ଼ ଅପ୍ରିୟ ସତ୍ୟକୁ ପ୍ରକାଶ କରିନଥିଲେ କ’ଣ ଚଳି ନଥାନ୍ତା ? ଜାଣି ଜାଣି ମତେ କାହିଁକି ଆଘାତ କଲ ସୁଜାତା…କାହିଁକି ?

 

ଭୂମିକା ଆଖିବନ୍ଦ କରି ଚେୟାରକୁ ଆଉଜି ବସିଲା । କାମ କରିବାର ସ୍ପୃହା ମନରୁ ମରିଯାଇଛି । ତା’ର ଅନୁରୋଧ ସୁଜାତାକୁ ଅପ୍ରାସଙ୍ଗିକ ମନେହେଲା କି ନାହିଁ ସେ କଥା ସେ ଜାଣେନି, କିନ୍ତୁ ସୁଜାତାର ମନ୍ତବ୍ୟକୁ ସେ ଗ୍ରହଣ କରିପାରୁ ନଥିଲା । ପରିବାରକୁ ଚଳାଇବାକୁ ଯାଇ ସେ ଚାକିରି କରିଛି ସତ, ତା’ବୋଲି ବାକି କାମକୁ ଅଫିସ୍‍ ସମୟ ପରେ ଶେଷ କରିବା କ’ଣ ଅଧିକ ପଇସା ରୋଜଗାର କରିବାର ପନ୍ଥା ?

 

ଅନିଚ୍ଛାସତ୍ତ୍ୱେ ସେ ଚାକିରି କରିଛି । ପରିସ୍ଥିତି ତାକୁ ଏଇ କିରାଣି ଜୀବନ ଭିତରକୁ ଟାଣିଆଣିଛି । ନ ହେଲେ…ନ ହେଲେ ସୁଜାତା କ’ଣ ଆଜି ଏତେବଡ଼ ଅପମାନ ଦେଇଥାନ୍ତା ?

 

ସୁଜାତା ବିଷୟରେ ସେ ବିଶେଷ କିଛି ଜାଣିନି । ଜାଣିବାକୁ ଇଚ୍ଛାକରି ନାହିଁ ମଧ୍ୟ । ସୁଜାତାକୁ ତା’ ନିଜ ସମ୍ବନ୍ଧରେ କିଛି ପଚାରିନି । ଅଫିସ୍‍ର କର୍ମମୟ ଜୀବନ ଭିତରେ ପରିବାରର ସୁଖ ଶାନ୍ତିକୁ ଉତ୍‌ଥାପନ କରିବାକୁ ଚାହିଁନି । ପରିବାରର କଥା ମନେପଡ଼ିଲେ କାମ କରିବାର ଆଗ୍ରହ ରହେ ନାହିଁ । ଅଥଚ ପରିବାରକୁ ଚଳାଇବାକୁ ହେଲେ କାମ କରିବାକୁ ପଡ଼େ । ସେ ଜାଣେ ଦୁନିଆରେ ମଣିଷଭଳି ବଞ୍ଚି ରହିବାକୁ ହେଲେ ଟଙ୍କାର ଆବଶ୍ୟକତା ବହୁତ ବେଶି । କିନ୍ତୁ ଟଙ୍କା ମଣିଷକୁ ପ୍ରକୃତ ସୁଖ ଦିଏ ନାହିଁ । ମଣିଷ ଶାନ୍ତିରେ ରହିପାରେ ନାହିଁ । କିଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ସୁଜାତା ଚାକିରି କରିଛି, ସେ କଥା ସେ ଜାଣେନାହିଁ । ପରିବାର ବିଷୟରେ ପଚାରିଲେ ହୁଏତ ସୁଜାତା ଆଘାତ ପାଇପାରେ । ସେଇଥିପାଇଁ କୌଣସି ଦିନ ସୁଜାତାକୁ ପଚାରିନି—ପଚାରିବାର ସୁଯୋଗ ପାଇନି ମଧ୍ୟ ।

 

କୌଣସି ପରିସ୍ଥିତିର ସମ୍ମୁଖୀନ ହୋଇ ସେ ଚାକିରି କରିନାହିଁ । ଖୁସିରେ ସୁଜାତା ଚାକିରି କରିଛି ବୋଲି ଆଜି ଭୂମିକା ପ୍ରଥମଥର ତାହା ଜାଣିଲା । ପରିବାରର କୌଣସି ଅଭାବ ନଥିଲେ ନାରୀ ଯେ ଖୁସିରେ ଚାକିରି କରେ—ଏହା ସେ ଆଜି ନୂଆକରି ଶୁଣିଲା ।

 

ଭୂମିକାର ମନେହେଲା ତା’ଭଳି ତରୁଣୀ ହେଲେ ମଧ୍ୟ ସୁଜାତା କେତେ ସୁଖୀ । ଚିନ୍ତା ନାହିଁ ଦୁଃଖ ନାହିଁ । ପରିବାର ପାଇଁ ବ୍ୟସ୍ତତା ନାହିଁ । ଆଃ…କେତେ ଆରାମଦାୟକ ଜୀବନ ସତେ । ଭୂମିକା ନିଜକୁ ସୁଜାତା ସହିତ ତୁଳନା କରୁଥିଲା । କିନ୍ତୁ…ନା, ସେ ଏକ ରୁକ୍ଷ ମରୁଭୂମି । ସେଥିରେ ସୁଖର ମରୁଦ୍ୟାନ କିମ୍ବା ଶାନ୍ତିର ଜଳଧାର ମିଳିବା ଅସମ୍ଭବ ।

 

ଆଉ ସୁଜାତା !!

 

ସତେ କ’ଣ ସେ ଇଚ୍ଛାକରି ଚାକିରି କରିଛି ? ପରିସ୍ଥିତି ତାକୁ ବାଧ୍ୟ କରିନି ? ତେବେ…ତେବେ ସେଦିନ ଏତେ କାନ୍ଦୁଥିଲା କାହିଁକି ? ଅଫିସର୍‍ଙ୍କ ଧମକରେ ଭୟଭୀତ ହୋଇଥିଲା କାହିଁକି-? କେତେକ ଜରୁରୀ କାଗଜ ଠିକ୍ ସମୟରେ ଟାଇପ୍ କରି ନଥିବାରୁ ଅଫିସର୍‍ ସେଦିନ ବିରକ୍ତ ହୋଇଥିଲେ । ଚାକିରିରୁ ବହିଷ୍କାର କରିବାର ଧମକ ଦେଇଥିଲେ । ସମ୍ଭବତଃ ସୁଜାତା ସେଦିନ ଖୁବ୍ ଭୟଭୀତ ହୋଇଥିଲା । ଅଫିସର୍‍ ବିଦାୟ ନେବା ପରେ କାନ୍ଦିଲା । ଆଃ, ସୁଜାତା ଆଖିରେ କେତେ ଲୁହ !

 

ଭୂମିକାର ମନେହେଲା ସୁଜାତାର ସେଇ ଆଖି ଲୁହରେ ସତେ ଯେପରି ଅଫିସ୍‍ ଭାସିଯିବ । କୌଣସି ଶବ୍ଦ ନ କରି ନୀରବରେ ଆଖିରୁ ଲୁହ ଗଡ଼ାଉଥିଲା ସୁଜାତା । ଭୂମିକାର ହୃଦୟ ଦୟାର୍ଦ୍ର ହୋଇ ଉଠିଲା । ଭାବିଲା ସୁଜାତା ଆଖିରୁ ଲୁହ ପୋଛିଦେବ । ବୁଝାଇବ, ତମେ କାନ୍ଦନି ଭଉଣୀ । ଏଠି ତମ ଲୁହର ସମ୍ମାନ କେହି ଦେବେନି । ଟଙ୍କା ଦେଇ ସେମାନେ ଆମକୁ ରଖିଛନ୍ତି । କର୍ତ୍ତବ୍ୟରେ ହେଳାକଲେ ସେମାନେ କହିବେ; ନିଶ୍ଚୟ କହିବେ । ଟଙ୍କା ବଦଳରେ ସେମାନଙ୍କର କାମ ଲୋଡ଼ା । ଏଇଟା ଅଫିସ୍‍ । ନିଜ ଘର ନୁହେଁ ଯେ ତମ ଅଭିମାନର ଅର୍ଥ ବୁଝିବେ । ରୁଷିବାର କାରଣ ଜିଜ୍ଞାସା କରିବେ ।

 

ସତକୁ ସତ ଭୂମିକା ନିଜ ସିଟ୍‌ରୁ ଉଠିପଡ଼ିଥିଲା । ସୁଜାତା ନିକଟକୁ ଯାଇ ବୁଝାଇବାକୁ ମନସ୍ଥ କଲା । ପାଖ ସିଟ୍‌ରୁ ଦେବେନ୍ଦ୍ରବାବୁଙ୍କ ସ୍ୱର ଶୁଣିପାରି ଭୂମିକାର ପାଦ ଅଟକିଗଲା । ଫୁସ୍ ଫୁସ୍ ହୋଇ ଦେବେନ୍ଦ୍ରବାବୁ କହୁଛନ୍ତି—ସୁଜାତା କାନ୍ଦୁ, ମନଇଚ୍ଛା କାନ୍ଦୁ । ତାକୁ ବୁଝାଇବାର ଆବଶ୍ୟକତା ନାହିଁ । ନିଜ କର୍ତ୍ତବ୍ୟରେ ହେଳାକରି ଅପରକୁ ବୁଝାଇବାର ସମୟ ଏଇଟା ନୁହେଁ । ଅଫିସର୍‍ ବିରକ୍ତ ହୋଇ ପାରନ୍ତି ଭୂମିକା ! ତମେ ନିଜ କାମ କର ।

 

ଇଚ୍ଛାଥିଲେ ମଧ୍ୟ ସେ ଯାଇ ପାରିଲାନି । ପୁନଶ୍ଚ ଚେୟାର ଉପରେ ବସିପଡ଼ିଲା । ଦେବେନ୍ଦ୍ରବାବୁଙ୍କ ପ୍ରତି ତା’ ମନରେ ଘୃଣାର ବରଫ ଜମାଟ ବାନ୍ଧୁଥିଲା । ଲୋକଟାର ହୃଦୟ ନାହିଁ । ବିଚାରୀ ସୁଜାତା ! ଅଫିସର୍‍ଙ୍କ ଧମକରେ ଭୟଭୀତ ହୋଇ କାନ୍ଦୁଛି, ସହକର୍ମୀମାନଙ୍କ ସମ୍ମୁଖରେ ଅଫିସର୍‍ଙ୍କ ଧମକ ତାକୁ ଅପମାନ ବୋଧ ହୋଇଛି । କେଡ଼େ ନୀଚମନ ଏଇ ସହକର୍ମୀମାନଙ୍କର ସତେ ! କ୍ରନ୍ଦନରତା ସୁଜାତକୁ ଶାନ୍ତ୍ୱନା ଦେବାକୁ କେହି ଆଗେଇ ଆସିଲେନି । ନିଜେ ଆଗେଇ ଯିବାରୁ ତାକୁ ବାରଣ କରାଯାଉଛି । କେଡ଼େ ହୃଦୟହୀନ ଲୋକଟା ସତେ ! ମନେ ମନେ ବିରକ୍ତହେଲା ଭୂମିକା । ପ୍ରକାଶ କରିବାର ଉପାୟ ନାହିଁ । ଫାଇଲରେ ସେ ମନୋନିବେଶ କଲା ।

 

ଟିଫିନ ଆୱାରରେ ଭୂମିକା ଦେଖିଲା ସୁଜାତା ତା’ ସିଟରେ ନାହିଁ । ଦେବେନ୍ଦ୍ରବାବୁ, ଅରୁଣବାବୁଙ୍କ ମୁହଁକୁ ଚାହିଁ ମିଚି ମିଚି ହସୁଛନ୍ତି । ଅଭୟବାବୁଙ୍କ ଓଠରେ କ୍ଷୀଣ ହସର ଏକ ତୀର୍ଯ୍ୟକ୍‌ ରେଖା । ଭୂମିକାକୁ ଚାହିଁଥିବାର ଦେଖି ଅରୁଣବାବୁ କହିଲେ—କ’ଣ ଭୂମିକାଦେବୀ ! ନାରୀର ଅପମାନ ସହିପାରିଲେନି ବୋଧେ ? ଯିବାକୁ ତ ଚେୟାର ଛାଡ଼ି ଠିଆ ହୋଇଥିଲେ । ଗଲେନି ଯେ ?

 

ସତକୁ ସତ ଭୂମିକା ଏଥର ରାଗିଗଲା । ତା’ର ଶଙ୍ଖ-ଶୁଭ୍ର ମୁହଁଟି ମନ୍ଦାର ଫୁଲପରି ଲାଲ୍ ହୋଇଗଲା । ନାକପୁଡ଼ା ଦୁଇଟି ଫୁଲି ଉଠିଲା । ଅରୁଣବାବୁଙ୍କ ମୁହଁକୁ ଚାହିଁ କହିଲା—ଆପଣ ନାରୀ ନୁହନ୍ତି କି ନାରୀ ସୁଲଭ ଅନୁଭୂତି ଆପଣଙ୍କର ନାହିଁ । ମୁହଁରେ କହିଦେଲେ ସବୁକଥା ଅନୁଭବ କରି ହୁଏନି ।

 

ଅରୁଣବାବୁ ଆଶ୍ଚର୍ଯ୍ୟ ହେଲେ । କାହିଁ, ଆଜି ପର୍ଯ୍ୟନ୍ତ ଭୂମିକା ଅଫିସରେ କେବେ ରାଗିନି ? ତା’ର ଶାନ୍ତ, ସରଳ ବ୍ୟବହାର ଅଫିସ୍‍ର ପ୍ରତ୍ୟେକ କର୍ମଚାରୀଙ୍କୁ ମୁଗ୍‌ଧ କରିଛି । ତା’ର ମିଠା ମିଠା କଥା, ସଂଯତ ବ୍ୟବହାର ଯୋଗୁ ଅଫିସରେ ତା’ର ସୁଖ୍ୟାତି । ଅଥଚ ଏଇ ସାମାନ୍ୟ କଥାରେ ହଠାତ୍ ଆଜି ରାଗିଗଲା କାହିଁକି ? ଭୂମିକାକୁ ବିରକ୍ତ କଲାଭଳି କୌଣସି କଥା ତ ସେ କହି ନାହାଁନ୍ତି ? ଅଥଚ…

 

ଅନୁତପ୍ତ ସ୍ୱରରେ ଅରୁଣବାବୁ କହିଲେ—ତମକୁ ରଗାଇବାର ଉଦ୍ଦେଶ୍ୟ ନେଇ ମୁଁ କିଛି କହିନି । ଅଜାଣତରେ ଭୁଲ୍‍ ହୋଇ ଯାଇଥିଲେ କ୍ଷମା କରିବ ।

 

ଅଫିସରେ ପ୍ରତ୍ୟେକ କର୍ମଚାରୀମାନଙ୍କଠାରୁ ବୟସରେ ଭୂମିକା ସାନ । ତେଣୁ ସମସ୍ତେ ତାକୁ ‘ତମେ’ ସମ୍ବୋଧନ କହନ୍ତି । ଅରୁଣବାବୁଙ୍କ ଅନୁତପ୍ତ ସ୍ୱର ଶୁଣି ସେ ଲଜ୍ଜିତ ହେଲା । ହଠାତ୍ ରାଗିଯାଇଥିବାରୁ ମନେ ମନେ ଦୁଃଖ କଲା ।

 

ଭୂମିକାର ରାଗ ଦେଖି ଦେବେନ୍ଦ୍ରବାବୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ । ପରିସ୍ଥିତିକୁ ହାଲ୍‍କା କରିବାକୁ ଯାଇ କହିଲେ, ରୁକ୍ଷ କର୍ମମୟ ଜୀବନ ଭିତରେ ଟିକିଏ ଆନନ୍ଦ ପାଇବାକୁ ଇଚ୍ଛାକରି ମଣିଷ ଥଟା ପରିହାସ କରେ । ଏଥିରେ ରାଗିବାର କିଛି ନାହିଁ । ସୁଜାତାକୁ ଜାଣିନ ବୋଲି ସାନ୍ତ୍ୱନା ଦେବାକୁ ଇଚ୍ଛା କରୁଥିଲ; ସୁଜାତାର ଅଫିସ୍‍ ଜୀବନରେ ଏଇ ଘଟଣା ନୂଆ ନୁହେଁ, ପ୍ରଥମ ନୁହେଁ ବି-। ଅଫିସର୍‌ଙ୍କଠାରୁ ଅନେକଥର ତିରସ୍କାର ଶୁଣି କାନ୍ଦିଛି, ପୁଣି ଅଫିସର୍‍ଙ୍କୁ ଖୋସାମତ କରି ନିଜ ସିଟରେ ବସିଛି । ଆମେ ଜାଣିଛୁ ତା’ କାନ୍ଦ ନିରର୍ଥକ । କାନ୍ଦିବା ସମୟରେ ତାକୁ ସାନ୍ତ୍ଵନା ଦେଲେ ସେ ବୁଝିବନି । ବରଂ ଉଦ୍ଧତ ନାଗୁଣୀ ପରି ଫଣାଟେକି ବିଷ ଉଦ୍‌ଗୀରଣ କରିବ । ଆମେ ତାକୁ ବୁଝାଇବାକୁ ଚେଷ୍ଟାକରି ତା’ ଦଂଶନର ଯନ୍ତ୍ରଣା ସହ୍ୟ କରିଛୁ । କିନ୍ତୁ ତୁମେ କ’ଣ ଆଜି ପାରିଥା’ନ୍ତ-?

 

ଭୂମିକା କିଛି ଉତ୍ତର ଦେଲାନି । ସୁଜାତା ସହିତ ତା’ର ସମ୍ପର୍କ ନିବିଡ଼ ନୁହେଁ । ତା’ ବିଷୟରେ ସେ କିଛି ଜାଣେନି ମଧ୍ୟ । ଦେବେନ୍ଦ୍ରବାବୁଙ୍କ ସହିତ ଭୂମିକା ଯୁକ୍ତି କରିପାରିଲାନି । ଅଫିସରେ ଯୋଗଦେଲା ପରଠାରୁ ପ୍ରତି କ୍ଷେତ୍ରରେ ଦେବେନ୍ଦ୍ରବାବୁ ତାକୁ ସାହାଯ୍ୟ କରିଛନ୍ତି । ଭଲମନ୍ଦରେ ଉପଦେଶ ଦେଇଛନ୍ତି । ଦେବେନ୍ଦ୍ରବାବୁ ମଧ୍ୟ ବୟସରେ ତା’ଠାରୁ ବଡ଼ ।

 

ଭୂମିକା ଭାବିଲା ଦେବେନ୍ଦ୍ରବାବୁ କିଛି ଭୁଲ୍ କହୁନାହାଁନ୍ତି । ସୁଜାତା କର୍ତ୍ତବ୍ୟରେ ହେଳା କରିଛି—ଅଫିସର୍ ବିରକ୍ତ ହୋଇଛନ୍ତି; ଏଥିରେ ମାନ ଅପମାନର ପ୍ରଶ୍ନ ଉଠି ନପାରେ । କର୍ତ୍ତବ୍ୟ କରିବା ମଣିଷର ଧର୍ମ । କର୍ତ୍ତବ୍ୟରେ ଖିଲାପ କଲେ ଶୁଣିବାକୁ ହୁଏ, ସେ ନାରୀ ହେଉ ବା ପୁରୁଷ ହେଉ ଅଫିସ୍‍ ହେଉ କି ଘର ହେଉ ।

 

ସେଦିନ ଭୂମିକା ଦେବେନ୍ଦ୍ରବାବୁଙ୍କ କଥାରେ ସାରମର୍ମ ବୁଝିଥିଲା କି ନାହିଁ ଜାଣେନି । ସେ ଅନୁଭବ କଲା ଦୁନିଆକୁ ଚିହ୍ନିବାକୁ ହେଲେ ଆହୁରି ବୟସ, ଆହୁରି ଅନୁଭୂତି ଦରକାର । ଦୁନିଆ ସହିତ ପାଦ ମିଳେଇ ଚାଲିବାକୁ ହେଲେ ପ୍ରତ୍ୟେକ ମଣିଷକୁ ଚିହ୍ନିବା ଉଚିତ ।

 

ଭୂମିକାର ଅନୁରୋଧକୁ ଉପେକ୍ଷା କରି ସୁଜାତା ବହୁତବେଳୁ ଚାଲିଗଲାଣି । ସେ ଅନୁଭବ କଲା ସେଦିନ ଦେବେନ୍ଦ୍ରବାବୁ ଭୁଲ୍‍ କହୁ ନଥିଲେ ।

 

ସୁଜାତା ଏକ ଉଦ୍ଧତ ନାଗୁଣୀ । ତା’ର ଦଂଶନ ଭୀଷଣ ଯନ୍ତ୍ରଣା ଦାୟକ ।

 

ହାତ ଘଡ଼ିକୁ ଚାହିଁଲା ଭୂମିକା । ସାତଟା ବାଜିଗଲାଣି । ଏଥର ସେ ଚଞ୍ଚଳ ହୋଇ ଉଠିଲା ।

 

ସନ୍ଧ୍ୟା ଘନ ହୋଇ ଆସିଛି । ଭୂମିକାର ଲୋମକୂପ ମୂଳେ ପୁଲକର ସ୍ରୋତ । ମଧୁମୟ ଆଜି ଚିଠି ଦେଇଛନ୍ତି । ମଧୁର ଏକ ସ୍ତବ୍‌ଧତାରେ କେଇଟି ମୁହୂର୍ତ୍ତ ନିର୍ବାକ ହୋଇଯାଇଥିଲା ସେ । ନିଜକୁ ବିଶ୍ଵାସ କରିପାରୁ ନଥିଲା । ଅଥଚ ଅବିଶ୍ଵାସର କୌଣସି କାରଣ ନାହିଁ । ଚାକିରି ଜୀବନ ଭିତରେ ମଧୁମୟଙ୍କୁ ଏକପ୍ରକାର ଭୁଲିଯାଇଥିଲା ସେ । ମନେପକାଇ ପୁଲକିତ ହେବାକୁ ସମୟ ପାଇନଥିଲା ।

 

ଦିନଥିଲା, ଯେତେବେଳେ ଭୂମିକା ତା’ ଚିନ୍ତାରୁ ମଧୁମୟଙ୍କୁ ଦୂରେଇ ଦେଇ ପାରୁନଥିଲା-। ଇଚ୍ଛା ନଥିଲେ ମଧ୍ୟ ତା’ର ଅଜାଣତରେ ମଧୁମୟ ତା’ ଚିନ୍ତାରାଜ୍ୟରେ ଆସନ ପାତିଥିଲେ । ଅଥଚ ଏଇ କେତେ ବର୍ଷ ହେବ ମଧୁମୟ ମନେପଡ଼ନ୍ତିନି । ଭୂମିକା ତାଙ୍କ ଖବର ରଖିପାରି ନାହିଁ-

 

ଭୂମିକା ଅନ୍ତରରେ ବସା ବାନ୍ଧିଥିବା ପ୍ରେମପକ୍ଷୀକୁ କର୍ମମୟ ଜୀବନ, ପରିବାରର ଚିନ୍ତା ଅଜ୍ଞାନ କରିଦେଇଥିଲା । ମଧୁମୟଙ୍କର ଚିଠି ପାଇବା ପରେ ଆଜି ତାହା ପୁଣି ସଜୀବ ହୋଇ ଉଠିଲା ।

 

ଭୂମିକାର ମନେହେଲା ମଧୁମୟ ଚିଠି ଦେଇନାହାଁନ୍ତି

 

–ବହୁତ ଦିନପରେ ତା’ ପାଖକୁ ଆସିଛନ୍ତି । ତାକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କେମିତି ଏକ ଅନୁଭୂତିରେ ସିତ୍କାରରେ ଭୂମିକାର ଲୋମମୂଳ ଟାଙ୍କୁରି ଉଠିଲା । ଅପୂର୍ବ ମାଧୁର୍ଯ୍ୟ ମଣ୍ଡିତ ମଧୁମୟଙ୍କର ଶାନ୍ତ ମୁହଁଟି ବାରମ୍ବାର ନାଚି ଉଠିଲା । ସାଧାରଣ ସ୍ଵାସ୍ଥ୍ୟବାନ ଚେହେରା । ଦେହର ରଙ୍ଗ ସାମାନ୍ୟ ମଇଳା । ଆଖି ଦୁଇଟି ଛୋଟ ଛୋଟ ଅଥଚ ଦୀପ୍ତିମନ୍ତ ।

 

ଭୂମିକା ଫେରି ଚାହୁଁଥିଲା ପଛକୁ.ତା’ର ଅତୀତକୁ । ଚାକିରି ଜୀବନ ଭିତରେ କଲେଜ ଜୀବନର ମଧୁରତା ନାହିଁ । ଛାତ୍ର ଜୀବନର ଔଦ୍ଧତ୍ୟ ପରିଲକ୍ଷିତ ହୁଏନାହିଁ । ଅଥଚ ଏଇ ଛାତ୍ର ଜୀବନ....ଆଃ ! କେତେ ମଧୁମୟ ! କେତେ ସ୍ମୃତି ବିଜଡ଼ିତ ସତେ ! ବସନ୍ତର ଉଦ୍ଧାମତା ନେଇ ଜୀବନର କିଛି ସମୟକୁ ଛାତ୍ର ଜୀବନ ରଙ୍ଗୀନ କରେ–କରେ ସ୍ଵପ୍ନିଳ, କରେ ତନ୍ଦ୍ରାଚ୍ଛନ୍ନ ।

 

ଭୂମିକାର ମନେହେଲା ବହୁ ପଛରେ ଛାଡ଼ି ଆସିଥିବା ପୁଷ୍ପିତ ଏକ ପରିବେଶ ପୁଣି ପକ୍ଷ ବିସ୍ତାର କରି ତା’ର ରୁକ୍ଷ ଓ ଚିନ୍ତାପୂର୍ଣ୍ଣ ଜୀବନକୁ ସରସ, ସୁନ୍ଦର କରିଦେବାକୁ ଆରମ୍ଭ କରିଛି । ମଧୁମୟଙ୍କ ଚିଠି ଅତୀତକୁ ମନେପକାଇ ଦେଉଛି ।

 

ଇତିହାସ ବିଭାଗର ଯୁବକ ଅଧ୍ୟାପକ ମଧୁମୟ; ବିଶ୍ଵବିଦ୍ୟାଳୟର କୃତୀଛାତ୍ର ମଧୁମୟ ପଟ୍ଟନାୟକ । ସଦ୍ୟ ଅଧ୍ୟାପକ ଚାକିରି ଗ୍ରହଣ କରିଥିଲେ ମଧ୍ୟ ଅଧ୍ୟାପକ ସୁଲଭ ଗାମ୍ଭୀର୍ଯ୍ୟ, ଅହଙ୍କାର, ସ୍ଵାତନ୍ତ୍ର୍ୟ କିଛିହେଲେ ତାଙ୍କଠାରେ ନଥିଲା । କ୍ଲାସରୁ ବାହାରିଯିବା ପରେ ଅଧ୍ୟାପକ ବୋଲି ତାଙ୍କୁ ଚିହ୍ନିବା ଦୁଃସାଧ୍ୟ ହୋଇପଡ଼ୁଥିଲା । ମଧୁମୟ ସମସ୍ତଙ୍କ ସାଙ୍ଗରେ ଅନ୍ତରଙ୍ଗ ବନ୍ଧୁ ଭଳି ମିଶୁଥିଲେ, ଥଟ୍ଟା ପରିହାସ କରୁଥିଲେ । ମଧୁମୟଙ୍କର ସେଇ ହସ ହସ ମୁହଁ ସମସ୍ତଙ୍କ ପାଇଁ ଆକର୍ଷଣୀୟ ଥିଲା—ଆଶ୍ଚର୍ଯ୍ୟ କରିଥିଲା ତାଙ୍କର ସରଳ ବ୍ୟବହାର ।

 

ସଦ୍ୟ ଅଧ୍ୟାପକ ଚାକିରି ଗ୍ରହଣ କରି କଲେଜ ପିଲାଙ୍କୁ ଅବାକ୍ କରି ଦେଇଥିଲେ ମଧୁମୟ । ବଚନ ଭଙ୍ଗୀର ଚମତ୍କାରିତାରେ ସମସ୍ତଙ୍କୁ ମୁଗ୍‌ଧ କରିଥିଲେ । ବିଶେଷତଃ ମଧୁମୟଙ୍କର ଶାନ୍ତ ସରଳ ବ୍ୟବହାର, ପୋଷାକର ଆଧୁନିକତା, ବୁଦ୍ଧିଦୀପ୍ତ ଉଜ୍ଜ୍ଵଳ ଆଖି ଛାତ୍ରୀମାନଙ୍କୁ ଆଲୋଚନା କରିବାର ଖୋରାକ ଯୋଗାଉଥିଲା–ବିହ୍ୱୋଳିତ କରିଥିଲା ।

 

ଭୂମିକାକୁ ଭଲ ଲାଗୁଥିଲା ଏଇ ଅଧ୍ୟାପକଙ୍କୁ । ତାଙ୍କ ନିକଟରେ ସେ ଦୁର୍ବଳ ମନେକରୁଥିଲା ନିଜକୁ । ମଧୁମୟଙ୍କର ଅଶେଷ ଗୁଣ ତା’ ମନରେ ବିଶେଷ ପ୍ରଭାବ ପକାଇ ନଥିଲା । ତା’ର ଦୃଷ୍ଟି ଶକ୍ତି ମଧୁମୟଙ୍କ ଅନ୍ତରତମ ପ୍ରବେଶକୁ ପ୍ରବେଶ କରିଥିଲା । ସଦାପ୍ରସନ୍ନ ମଧୁମୟଙ୍କର ଚେହେରା ଯେମିତି ସବୁବେଳେ ତା’ ଆଖିରେ ଝଲମଲ କରୁଥିଲା । ମଧୁମୟଙ୍କର ଏଇ ରୂପ ଭୂମିକାକୁ ଆକର୍ଷଣ କରିଥିଲା ।

 

ଭୂମିକାର ମନଭୂମିରେ ପ୍ରେମର ଅଙ୍କୁରୋଦ୍‌ଗମ ହୋଇଥିଲା । ମଧୁମୟଙ୍କର ବ୍ୟବହାର, ଚାଲିଚଳନ ତାକୁ ବେଶ୍ ଭଲ ଲାଗିଥିଲା । ତା’ର ଅନ୍ୟାନ୍ୟ ସହପାଠିନୀମାନଙ୍କ ସହ କଥାବାର୍ତ୍ତା କଲାବେଳେ ଭୂମିକା ସତର୍କତାର ସହିତ ମଧୁମୟଙ୍କର କଥା କହିବାର ଭଙ୍ଗୀକୁ ଲକ୍ଷ୍ୟ କରୁଥିଲା ।

 

ଏକ ଅପ୍ରକାଶ ଆନନ୍ଦରେ ଶିହରି ଉଠିଲା ଭୂମିକା ।

 

କଲେଜ ଜୀବନରେ ମଧୁମୟଙ୍କୁ ଏକ ଅଧ୍ୟାପକ ରୂପେ ଚିହ୍ନିଥିଲେ ମଧ୍ୟ ତାଙ୍କ ସହିତ କିପରି ଘନିଷ୍ଠତା ହୋଇଥିଲା ଭୂମିକା ଜାଣେନି । କିନ୍ତୁ କଲେଜର ବାର୍ଷିକ ଉତ୍ସବ ପରେ ମଧୁମୟଙ୍କ ସହିତ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରିବାର ସୁଯୋଗ ପାଇଥିଲା । ଏକାଙ୍କିକା ‘ବେଣୀବନ୍ଧନ’ର ଦ୍ରୌପଦୀ ଭୂମିକାରେ ଭୂମିକାର ଅଭିନୟ ଦର୍ଶକମଣ୍ଡଳୀଙ୍କୁ ମୁଗ୍‌ଧ କରିଥିଲା । ଗ୍ରୀନ୍ ରୁମରେ ମୁହଁରୁ ପେଣ୍ଟିଂ ଛଡ଼ାଇବା ବେଳେ ଅଧ୍ୟାପକଗଣ ତାକୁ ପ୍ରଶଂସା କରିଥିଲେ । ସାଙ୍ଗସାଥୀମାନେ ଅଭିନନ୍ଦନ ଜଣାଇ ଥିଲେ । ଶେଷରେ ଆସିଥିଲେ ମଧୁମୟ । କାର୍ଯ୍ୟ ବ୍ୟସ୍ତତା ଭିତରେ ଶୀଘ୍ର ଆସିବାର ଅବକାଶ ହୁଏତ ପାଇ ନଥିଲେ । ରୁମାଲରେ ହାତ ପୋଛୁ ପୋଛୁ ମଧୁମୟ କହିଲେ–ସତେ ଭୂମିକା ! ତମ ଭିତରେ ଏତେ ପ୍ରତିଭା ଅଛି ବୋଲି ଜାଣିନଥିଲି । ମୋର ତ ଧାରଣା ଥିଲା ତମ ଭଳି ଲାଜକୁଳୀ ଝିଅ ଷ୍ଟେଜ୍‍ ଉପରକୁ ଆସୁ ଆସୁ ହୁଏତ ବେହୋସ ହୋଇଯିବ ।‌

 

ଭୂମିକା ଗଭୀର କୃତଜ୍ଞତାରେ ଆଖି ଦୁଇଟିକୁ ଆନତ କରି କହିଲା—ଏତେ ପ୍ରଶଂସା ପାଇବାର ଯୋଗ୍ୟା କି ନୁହେଁ ସେ କଥା ମୁଁ କେବେ ଭାବିନି । କିନ୍ତୁ ଆପଣଙ୍କ ପରିଶ୍ରମର ଫଳ ଯେ ଦେଇପାରିଛି—ତାହା ଭାବି ଖୁସି ଲାଗୁଛି ।

 

ଏକାଙ୍କିକାର ଦାୟିତ୍ଵ ମଧୁମୟଙ୍କ ଉପରେ ଥିଲା । ଛାତ୍ରମାନଙ୍କ ଅନୁରୋଧରେ ଭୂମିକାକୁ ସେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବାକୁ ଅନୁରୋଧ କରିଥିଲେ । ଭୂମିକାର ସୌନ୍ଦର୍ଯ୍ୟ ତାଙ୍କୁ ମୁଗ୍‌ଧ କରିଥିଲା । କିନ୍ତୁ ସେଇ ସୌନ୍ଦର୍ଯ୍ୟ ତଳେ ଏପରି ଏକ କଳା ଯେ ଆତ୍ମଗୋପନ କରିଛି ସେ କଥା ମଧୁମୟ ଜାଣି ନଥିଲେ । ଭୂମିକାର ଅଭିନୟରେ ସମସ୍ତେ ମୁଗ୍‌ଧ-। ମଧୁମୟ କହିଲେ—ନିଜେ କଷ୍ଟକରି ପରିଶ୍ରମ କରିଛ । ଫଳ ପାଇଛ ମଧ୍ୟ । ମୋ ଦାୟିତ୍ଵ ମୁଁ ଶେଷ କରିଛି ।

 

ଆନତ ଆଖିକୁ ଅଳ୍ପ ଉଠାଇ ଭୂମିକା କହିଲା—ରଙ୍ଗମଞ୍ଚରେ ନହେଲେ ମଧ୍ୟ ଜୀବନ କ୍ଷେତ୍ରରେ ପ୍ରତ୍ୟେକ ନାରୀ ଜଣେ ଜଣେ ସୁଦକ୍ଷ ଅଭିନେତ୍ରୀ । ଅଭିନୟର ନିପୁଣ କଳା ସେମାନଙ୍କଠାରେ ଦୃଷ୍ଟିଗୋଚର ହୁଏ ।

 

ସ୍ଵଭାବ ସୁଲଭ ହସହସ ମୁହଁରେ ମଧୁମୟ କହିଲେ—ତମ କଥାର ସତ୍ୟତା ମୁଁ ଜାଣେନି-। ଶୁଣିଛି, ନାରୀମାନେ ରାତ୍ରିପରି ମାୟାବିନୀ, ରହସ୍ୟମୟୀ ।

 

ଅପା !

 

ଭୂମିକା ଚମକି ଉଠିଲା । ପାଖରେ ଛିଡ଼ା ହୋଇଛି ମନିକା—ତା’ର ଆଦରର ସାନଭଉଣୀ ।

 

ମତେ କିଛି କହିବୁ ?

 

ମନିକାର କିଛି କହିବାର ନଥିଲା । ଅପା ପଚାରୁଛି ଯେତେବେଳେ, କିଛିନା କିଛି କହିବାକୁ ହେବ । କହିଲା—ସବୁବେଳେ ତୁ ଏତେ କ’ଣ ଯେ ଭାବୁ ! ସେତେବେଳୁ ଆସି ଛିଡ଼ା ହେଲେଣି । ଅଥଚ ତୁ ଜାଣିପାରିନୁ ?

 

ଭୂମିକା କଥା ଏଡ଼ାଇ ଗଲା । ରନ୍ଧା ସରିଲାଣି ବୋଧେ ! —ଚାଲ୍‍ ଖାଇବା ।

 

ଭୂମିକା ଶୋଇ ପାରିଲାନି । ଆଖି ବୁଜି ବିଛଣାରେ ପଡ଼ି ରହିଥିଲା । ନିଦ ଆସୁ ନଥିବାରୁ ବିରକ୍ତରେ ଉଠିପଡ଼ିଲା ସେ । ଝରକା ଖୋଲିଲା—ଚେନାଏ ପବନ ତା’ର ଦେହକୁ ଛୁଇଁଗଲା-। ବଗିଚାରେ ମଲ୍ଲୀ ଫୁଟିଛି । ବାସ୍ନା ଆସୁଛି । ମିଠା ମିଠା ବାସ୍ନା । ରାତ୍ରିର ଗଭୀରତା ବୋଧହୁଏ ବେଶି ହେଲାଣି । ଜନବହୁଳ କଟକ ନଗରୀ ଏକ ରତିକ୍ଳାନ୍ତ ନାରୀ ଭଳି ନିର୍ଜୀବ ହୋଇ ପଡ଼ିଛି-। ବାହାରେ ଭୀରୁ ଜ୍ୟୋସ୍ନାର ଆଲୋକ । ସତେ ଯେପରି ଆଜିର ରାତି ନୂଆ ଲାଗୁଛି ତାକୁ-

 

ନିସ୍ତବ୍‌ଧ କକ୍ଷ । ବାହାରେ ବି ନିସ୍ତବ୍‌ଧ । ଦିନର ବ୍ୟସ୍ତତା ଓ ରାତିର ଚଞ୍ଚଳତା ଭିତରେ ସେ କଟକକୁ ଦେଖିଛି—ଚିହ୍ନିବାକୁ ଚେଷ୍ଟା କରିଛି । କିନ୍ତୁ ଅନ୍ଧକାରରେ, ଅନ୍ତରାଳରେ, ନିସ୍ତବ୍‌ଧ ରାତ୍ରିର ଗଭୀରତା ଭିତରେ ତା’ର ଏଇ ଅସହାୟ କ୍ଳାନ୍ତ ଦେହକୁ ଦେଖିବାକୁ ସୁଯୋଗ ପାଇନଥିଲା-

 

ଭୂମିକା ବିରକ୍ତ ହେଲା । ବିବସନା କଟକନଗରୀ ତାକୁ ଦୃଷ୍ଟିକଟୁ ବୋଧ ହେଲା । ରାତ୍ରିର ନିର୍ଜନତା ତାକୁ ଅଶ୍ରୁଳ କଲା । ଝରକା ବନ୍ଦ କରି ବିଛଣାକୁ ଫେରିଆସିଲା । ଆଃ ! କେତେ ଦୟନୀୟ ! କେତେ ନିସଙ୍ଗବୋଧ !! ସତେଅବା ଏତେ ବଡ଼ ଦୁନିଆରେ ସିଏ ଏକା—ପତ୍ରବିହୀନ ଏକ ଥୁଣ୍ଟା ଗଛ । ଅଥଚ ଏଇ କେତେବର୍ଷ ତଳେ ତା’ ଜୀବନବୃକ୍ଷ ସବୁଜ କଅଁଳ ପତ୍ରରେ ପୂରି ଉଠିଥିଲା । ମଧୁମୟଙ୍କ ଘନିଷ୍ଠତା ତା’ ଦେହରେ ସୃଷ୍ଟି କରିଥିଲା ଶତ କଦମ୍ବର ରୋମାଞ୍ଚ ।

 

କଲେଜର ବାର୍ଷିକୀ ଉତ୍ସବ ପରେ ମଧୁମୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇଥିଲା । ଲିଜର୍‍ ପିରିୟଡରେ କିମ୍ବା ଘରକୁ ଫେରିବା ବାଟରେ ଅଧିକାଂଶ ଦିନ ସେ ମଧୁମୟଙ୍କ ଘରକୁ ଯାଉଥିଲା । ମଧୁମୟଙ୍କ ଭଡ଼ାଘର କଲେଜ ହତାକୁ ଲାଗିଛି । ଛୋଟ ଏକ କ୍ଵାଟର । ପରିଷ୍କାର, ପରିଚ୍ଛନ । ମଧୁମୟଙ୍କ ବ୍ୟତୀତ ଅନ୍ୟ କେହି ସେଠାରେ ରହୁ ନଥିଲେ । ଭୂମିକା ତାଙ୍କ ପରିବାର ବିଷୟରେ ଜାଣିବାକୁ ଚାହିଁଛି । ପରିବାର କଥା ଉଠାଇଲେ ମଧୁମୟଙ୍କ ହସ ହସ ମୁହଁ ଆଷାଢ଼ର ବାଦଲଘେରା ଆକାଶ ଭଳି ମନେହୁଏ ।

 

ଏତେବଡ଼ ଦୁନିଆରେ ମଧୁମୟ ଏକାକୀ ଥିଲେ ତଥାପି ଦୁଃଖ ନଥିଲା । ବାପ ମା’ ଅନେକ ଦିନରୁ ବିଦାୟ ନେଇଥିଲେ, ସେତେବେଳେ ମଧୁମୟଙ୍କର ବୟସ ଥିଲା ମାତ୍ର ଛ’ ବର୍ଷ । ମାମୁଁ ମାଇଁଙ୍କ ତତ୍ତ୍ଵାବଧାନରେ ଲାଳନପାଳନ ହୋଇଥିଲେ ମଧ୍ୟ ତାଙ୍କର ସମଗ୍ର ଛାତ୍ରଜୀବନ ହଷ୍ଟେଲରେ ବିତିଥିଲା । ତେଣୁ ହଷ୍ଟେଲରେ ଅନ୍ୟାନ୍ୟ ସାଥୀ ମେଳରେ ସେ ପରିବାରର ଅଭାବ ଅନୁଭବ କରିପାରୁନଥିଲେ । ବାପା ମା’ଙ୍କୁ ସମ୍ପୂର୍ଣ୍ଣ ମନେରଖି ନ ପାରି ଥିଲେ ମଧ୍ୟ ସେମାନଙ୍କର ଏକ ଅସ୍ପଷ୍ଟ ଛବି ମଧୁମୟଙ୍କ ଅନ୍ତରରେ ଅଙ୍କିତ ହୋଇ ରହିଥିଲା ।

 

ଦୀର୍ଘ ଛୁଟିଦିନମାନଙ୍କରେ ମଧୁମୟ ମାମୁଁଙ୍କ ନିକଟକୁ ଯାଉଥିଲେ । ଯିବାର ବିଳମ୍ବ ହେଲେ ମାମୁଁ ଚିଠିଦ୍ଵାରା ଡକାଇ ପଠାଉଥିଲେ । ନତୁବା ନିଜେ ଆସି ସାଙ୍ଗରେ ଗାଁକୁ ନେଇ ଯାଉଥିଲେ । ମାମୁଁଙ୍କର ସନ୍ତାନସନ୍ତତି ନଥିଲେ । ମଧୁମୟଙ୍କୁ ଦେଖି ମାମୁଁ ଆନନ୍ଦିତ ହେଉଥିଲେ–ମାଇଁ ସନ୍ତାନର ଅଭାବ ଅନୁଭବ କରିପାରୁ ନଥିଲେ ।

 

ମାମୁଁ ମାଇଁଙ୍କ ସ୍ନେହ, ଆଦର, ଆନ୍ତରିକତା ତାଙ୍କୁ ସଦାପ୍ରସନ୍ନ ରଖୁଥିଲା । ମାଇଁଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ସବୁ ଦୁଃଖରୁ ଦୂରେଇ ରଖୁଥିଲା । ତାଙ୍କର ଆନ୍ତରିକତା ଛୁଇଁଥିଲା ମଧୁମୟଙ୍କର ମନକୁ ।

 

ମାମୁଁଙ୍କର ପ୍ରଚେଷ୍ଟା ଏବଂ ନିଜର ଅଧ୍ୟବସାୟ ଫଳରେ ମଧୁମୟ ଅଧ୍ୟାପକ ହୋଇଥିଲେ । କଟକରେ ଘରଭଡ଼ା ନେଇ ରହିଥିଲେ । ସାଙ୍ଗରେ ଥିଲା ଏକ ପୂଜାରୀ । ରାନ୍ଧିବାଢ଼ି ଠିକ୍ ସମୟରେ ଖାଇବାକୁ ଦେବା, ଘରର ଯତ୍ନ ନେବା ଥିଲା ତା’ର ନିତିଦିନିଆ କାମ ।

 

ମଧୁମୟଙ୍କ ଅଜାଣତରେ ଭୂମିକା କେତେଥର ଜଳଖିଆ ପ୍ରସ୍ତୁତ କରିଛି । ଚା’ ତିଆରି କରିଛି । ମଧୁମୟଙ୍କୁ ଖାଇବାକୁ ଦେଇ ମନେ ମନେ ଆନନ୍ଦିତ ହୋଇଛି । କିନ୍ତୁ ସେ ଦିନ ?

 

ମଧୁମୟ ଘରକୁ ଫେରିବା ପୂର୍ବରୁ ଭୂମିକା କଲେଜରୁ ଆସି ସୁଜି କରୁଥିଲା । ହଠାତ୍ ମଧୁମୟ ପଶିଆସିଲେ । ଭୂମିକା ଜଳଖିଆ ତିଆରି କରିବାରେ ମନ ଦେଇଛି ଦେଖି ଆଶ୍ଚର୍ଯ୍ୟ ହେଲେ । ତା’ହେଲେ ଭୂମିକା କ’ଣ ପ୍ରତିଦିନ ଏଇଥି ପାଇଁ ଆସେ ? ଇତିହାସ ନୋଟ୍ ପ୍ରସ୍ତୁତ କରିବାର ଛଳନା ଦେଖାଇ ଖାଦ୍ୟ ପ୍ରସ୍ତୁତ କରେ ? କିନ୍ତୁ କାହିଁକି ? ମଧୁମୟ ବିରକ୍ତ ହେଲେ ।

 

ଭୂମିକା ପାଖରେ ଛିଡ଼ା ହୋଇ କହିଲେ–ପ୍ରେମିକା ହେଲେ ମଧ୍ୟ ପ୍ରଥମେ ତମେ ମୋର ଛାତ୍ରୀ । ପାଠ ବୁଝିବାକୁ ଆସୁଛ । କ୍ଲାସ ପରେ ଘରକୁ ନ ଯାଇ ଅଧ୍ୟାପକଙ୍କ ଘରେ ରାନ୍ଧିବାକୁ ମୁଁ ପସନ୍ଦ କରିପାରୁନି । ଏ ଅଧିକାର ତମକୁ ମୁଁ ଦେଇନି–ଦେଇ ପାରିବିନି ମଧ୍ୟ ।

 

ଭୂମିକା ଆହତ ହେଲା । ନିଜକୁ ଯଥାସାଧ୍ୟ ସମ୍ଭାଳି ନେଇ କହିଲା–ମୋ ପାଖରେ ନିଜକୁ ଅଧ୍ୟାପକ ବୋଲି ପରିଚୟ ଦେବାର ଆବଶ୍ୟକତା ନାହିଁ । ଚିହ୍ନା ବ୍ରାହ୍ମଣର ପଇତା ଦରକାର ପଡ଼େନି । ଭୁଲ୍ ହୋଇଥିଲେ କ୍ଷମା କରିବେ ।

 

ଅବ୍ୟକ୍ତ ଏକ ଯନ୍ତ୍ରଣାରେ ଛଟପଟ ହୋଇ ସେଦିନ ଭୂମିକା ଘରକୁ ଫେରିଆସିଥିଲା । ଇଚ୍ଛାକରି କେତେଦିନ ପର୍ଯ୍ୟନ୍ତ ମଧୁମୟଙ୍କ ନିକଟକୁ ଯାଇ ନଥିଲା ।

 

ସେଇ ମଧୁମୟ—ସେଦିନର ସେଇ ଅଭିମାନୀ ପ୍ରେମିକ ଆଜି ଚିଠି ଦେଇଛନ୍ତି । ବର୍ଷେ ହେବ ପୁରୀ କଲେଜକୁ ବଦଳି ହୋଇଛନ୍ତି । ଲେଖିଛନ୍ତି, କେତେଦିନ ହେବ ତମକୁ ଦେଖିନି । ଅନେକଥର ଭାବିଛି ତମ ଘରକୁ ଯାଇ ଦେଖାକରିବି । ଅନ୍ତରର ଇଚ୍ଛାଟା ପ୍ରକାଶ କରିବି । କିନ୍ତୁ ସମୟ ହୋଇନି । ଚାକିରି କରିବାର ଛ’ବର୍ଷ ହୋଇଗଲା । ମାମୁଁ ମାଇଁ ବ୍ୟସ୍ତ ହେଉଛନ୍ତି । ବୋହୂଟିଏ ପାଇଁ ଅଳି କରୁଛନ୍ତି । ମାମୁଁଙ୍କ ପାଖରୁ ବରାବର ଚିଠି ଆସୁଛି । କିଛି ଉତ୍ତର ଦେଇପାରୁନି । ତମକୁ ଅପେକ୍ଷା କରି ନୀରବ ରହିଛି । ତମର ମତାମତ ଶୀଘ୍ର ଜଣାଇଲେ ମୁଁ ମାମୁଁଙ୍କୁ ଚିଠି ଲେଖିବି । ପୁରୀ ବହୁତ ଭଲ ଲାଗୁଛି । ସମୁଦ୍ର କୂଳରେ ବୁଲିଲାବେଳେ ତମକଥା ମନେପଡ଼େ । ସୁବିଧା କରି ତମେ ଏକା ଆସିବ ଦିନେ ! ଭାରି ମଜା ହେବ ସତରେ !

 

ମଧୁମୟ ଅପେକ୍ଷା କରିଛନ୍ତି । ଆଜିପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ହୁଏତ ଭୂମିକାକୁ ଭୁଲିପାରି ନାହାଁନ୍ତି । କିନ୍ତୁ କାହିଁକି ? କାହିଁକି ସେ ଅନ୍ୟତ୍ର ବିବାହ କରୁନାହାଁନ୍ତି ?

 

ମଣିଷ ସ୍ଵପ୍ନ ଦେଖେ । ବହୁତ ସ୍ଵପ୍ନ । ଖରାବେଳେ, ରାତି ଅଧରେ, ପାହାନ୍ତି ପହରେ । ନିଦ ଭାଙ୍ଗିଲେ ସ୍ଵପ୍ନ ତୁଟେ । ଭୂମିକା ସ୍ଵପ୍ନ ଦେଖିଥିଲା, କଲେଜ ଜୀବନର ପାହାନ୍ତି ପହରେ ତରୁଣୀ ମନର ସ୍ଵପ୍ନ—ମଧୁମୟଙ୍କ ସ୍ଵପ୍ନ । ମଧୁମୟଙ୍କୁ ପାଇବାର ଆଶା ତାକୁ ସ୍ଵପ୍ନ ଦେଖାଇ ଥିଲା । ଇନ୍ଦ୍ରଧନୁର ରଙ୍ଗଦେଇ ତା’ ମନକୁ ବର୍ଣ୍ଣାଢ଼୍ୟ କରିଥିଲା । ପ୍ରେମର ଫଲଗୁ ତା’ ଅନ୍ତରକୁ ଆର୍ଦ୍ର କରିଥିଲା । ଭୂମିକା ମଧୁମୟଙ୍କର ଅନ୍ତରଙ୍ଗ ହୋଇ ଉଠିଥିଲା । ସେଦିନ ଅରୁନ୍ଧତୀ କହୁଥିଲା, ପୁରୁଷମାନଙ୍କୁ ବିଶ୍ଵାସ କରିବୁନି ଲୋ ! ଯେତେ ଅନ୍ତରଙ୍ଗ ହେଲେବି ନାରୀର ଦେହ ଉପରେ ସେମାନଙ୍କର ଲୋଲୁପଦୃଷ୍ଟି । ନିଜର କାମନା ବାସନା ପରିପୂର୍ଣ୍ଣ ହୋଇଗଲେ ସେମାନେ ମୁହଁ ବୁଲାଇ ଦିଅନ୍ତି । ମଧୁ ଆହରଣ କରିବାକୁ ଅନ୍ୟ ଫୁଲର ସନ୍ଧାନ ନିଅନ୍ତି । ମଧୁମୟ ସେଇ ପୁରୁଷ ଜାତି । ତାଙ୍କୁ କେବେ ବିଶ୍ଵାସ କରିବୁନି ଲୋ... ।

 

ଅରୁନ୍ଧତୀର କଥାଗୁଡ଼ିକ ଏକ ଗ୍ରାମ୍ୟନାରୀର ସଂଳାପ ଭଳି ମନେହେଲା ଭୂମିକାକୁ । ଏକ ଶସ୍ତା ଉପନ୍ୟାସର ପ୍ରତାରିତ ପ୍ରେମିକାର ଆକ୍ଷେପ ଭଳି ଜଣାଗଲା । ଅରୁନ୍ଧତୀର କଥା ତା’ ମନରେ ପ୍ରତିକ୍ରିୟା ସୃଷ୍ଟି କରି ନଥିଲା । ବରଂ ଭୂମିକା ବୁଝିପାରିଲା ଯେତେ ନିଜର, ଯେତେ ଆପଣାର ହେଲେ ବି ନାରୀ ନାରୀକୁ ସହିପାରେନି । ତା’ର ସୁଖ ଦେଖିପାରେନି । ତା’ର ଧାରଣା ସତ ହୋଇଥିଲା, ଯେଉଁଦିନ ଅରୁନ୍ଧତୀକୁ ଆବିଷ୍କାର କରିଥିଲା ମଧୁମୟଙ୍କ ଘରେ । କଲେଜର କେତେକ ଛାତ୍ର-ଛାତ୍ରୀ ମଧୁମୟଙ୍କ ଘରକୁ ଆସନ୍ତି । ପାଠ ବୁଝନ୍ତି–ଆଲୋଚନା କରନ୍ତି । କିନ୍ତୁ ସେଦିନ ଅରୁନ୍ଧତୀକୁ ଦେଖି ଭୂମିକା ସନ୍ଦେହ କରିଥିଲା ।

 

ଅରୁନ୍ଧତୀର ସ୍ଵର ଜାଣିପାରି ସେ ଭିତରକୁ ଯାଇ ନଥିଲା । ଚେଷ୍ଟାକଲା ବାହାରେ ରହି ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ । ଅରୁନ୍ଧତୀ କହୁଥିଲା–ନାରୀର ବାହ୍ୟ ସୌନ୍ଦର୍ଯ୍ୟ ଦେଖି ତା’ ଭିତରକୁ ଚିହ୍ନିବା ସହଜ ନୁହେଁ । ବର୍ଷ ବର୍ଷ ଧରି ମିଶିଲେ ବି ନାରୀର ପ୍ରକୃତ ରୂପକୁ ଚିହ୍ନି ହୁଏନି । ସବୁ ଧ୍ଵଂସର ମୂଳକାରଣ ଏଇ ନାରୀ ।

 

ମଧୁମୟ କ’ଣ କହିବେ ଶୁଣିବାକୁ ଭୂମିକାର ଆଗ୍ରହ ହେଲା । କବାଟ ପାଖକୁ ଲାଗିଆସିଲା ।

 

ତମେ ଠିକ୍‌ କହିଛ ଅରୁନ୍ଧତୀ । ବାହାରକୁ ଦେଖି ତା’ ବିଷୟରେ ସଠିକ୍‍ କହିପାରିବାନି ଆମେ । କେବଳ ନାରୀ ନୁହେଁ, ମଣିଷ ମନକୁ ବିଶ୍ଳେଷଣ କରିବା କଷ୍ଟକର । ତା’ଛଡ଼ା ଯିଏ ସୃଷ୍ଟିକରିପାରେ, ଧ୍ଵଂସ କରିବାର ଅଧିକାର ତା’ର ହୁଏତ ଅଛି ।

 

ଅଧିକ ଶୁଣିବାକୁ ଭୂମିକା ଇଚ୍ଛାକଲା ନାହିଁ । ମଧୁମୟଙ୍କୁ ଦେଖା ନ କରି ଫେରିଆସିଲା-। ମଣିଷ ମଣିଷକୁ ଭଲପାଏ, ଭଲ ପାଇବା ମଣିଷର ଧର୍ମ । ସେ ମଣିଷ ନାରୀ ହୋଇପାରେ—ପୁରୁଷ ମଧ୍ୟ ହୋଇପାରେ । ତେବେ ତା’ର ଭୁଲ୍‍ ରହିଲା କେଉଁଠି ? ନିଜକୁ ପ୍ରଶ୍ନକଲା ଭୂମିକା-। ତେବେ ଅରୁନ୍ଧତୀ କ’ଣ ମନେ ମନେ ମଧୁମୟଙ୍କୁ ଭଲପାଏ ?

 

ଦ୍ଵନ୍ଦ୍ୱର ଦୋଳନରେ ଝୁଲୁଥିଲା ଭୂମିକା ।

 

ପରଦିନ ଭୂମିକା ଯାଇଥିଲା ମଧୁମୟଙ୍କ ଘରକୁ । ବିଛଣାରେ ପଡ଼ିରହି ମଧୁମୟ ଖଣ୍ଡେ ବହି ପଢ଼ୁଥିଲେ । ଭୂମିକାକୁ ଦେଖି କହିଲେ—କାଲି ରାତିରେ ମାଇଁ ଆସିଛନ୍ତି । କିଛିଦିନ ରହିବେ-। ତମକୁ ଖୋଜୁଥିଲେ ।

 

ଆଶ୍ଚର୍ଯ୍ୟ ହେଲା ଭୂମିକା । ମୃଦୁଭଙ୍ଗୀରେ କହିଲା—ସତେ । ମାଇଁ ଆସିଛନ୍ତି ? ଯାହାହେଉ, ଅନେକଦିନ ପରେ ପୁଣି ଦେଖାହେବ ।

 

ତା’ପରେ ମଧୁମୟ ବଡ଼ପାଟିରେ ମାଇଁଙ୍କୁ ଡାକିଲେ । କିଛି ସମୟ ପରେ ମାଇଁ ପହଞ୍ଚିଲେ । ମାଇଁଙ୍କୁ ସାମନାରେ ଦେଖିସାରିବା ପରେ ଭୂମିକାର ମନେପଡ଼ିଲା ମାଇଁ କହିଥିବା କେତୋଟି ଉପଦେଶ—ବାପଘର ହେଉଛି ନାରୀର ସ୍କୁଲ; ଭାଇ ଭଉଣୀ ତା’ର ସାଙ୍ଗସାଥି । ଶାଶୁଘର ରୂପକ କଲେଜରେ ପ୍ରତି ନାରୀ ଜଣେ ଜଣେ ଅଧ୍ୟାପିକା । ଶାଶୁଶ୍ଵଶୁର ହେଉଛନ୍ତି ପ୍ରଫେସର—ପ୍ରିନ୍‌ସପାଲ, ସନ୍ତାନ-ସନ୍ତତି ନାରୀର ଛାତ୍ର-ଛାତ୍ରୀ । ସ୍ଵାମୀର ସଂସାର ନାରୀର ଉପଯୁକ୍ତ ଶିକ୍ଷାକ୍ଷେତ୍ର । ସେଇ ଶିକ୍ଷାକ୍ଷେତ୍ରରେ ସମସ୍ତଙ୍କ ମନନେଇପାରିଲେ, ନାରୀ ପରୀକ୍ଷାରେ ପାସ୍‍ କରେ । ସାରା ଜୀବନ ସୁଖୀ ହୁଏ ।

 

ଭୂମିକା ମନେ ମନେ ବିଶ୍ଳେଷଣ କଲା । କଥାଟା ନିହାତି ମିଛ ନୁହେଁ । କେତେ ବର୍ଷ ପରେ ସେଇ କଥାର ପ୍ରତିଧ୍ଵନି ଶୁଣିପାରୁଥିଲା ଭୂମିକା ।

 

ସେଦିନ ମାଇଁ କହିଲେ, ତୁ ଯଦି ଝିଅ ରାଜିହେବୁ ତୋ ବାପାଙ୍କୁ ମୁଁ କହିବି । ମଧୁ ମୋର କେତେଦିନ ଏମିତି ଏକା ଏକା ରହିବ ! ବୋହୂଟିଏ ଘରକୁ ଆଣିଲେ ମୁଁ ନିଶ୍ଚିତ ହେବି ।

 

ମଧୁମୟଙ୍କ ସହିତ ତା’ର ବାହାଘର କଥା ଶୁଣି ଭୂମିକା ମନେ ମନେ ଉଲ୍ଲସିତା ହୋଇଥିଲା । ବାହାରକୁ ପ୍ରକାଶ କରିନଥିଲେ ମଧ୍ୟ ତା’ ମନ ଲଗାମ୍‌ଛଡ଼ା ହୋଇ ଏଣେ ତେଣେ ଉଡ଼ିବୁଲୁଥିଲା । ତା’ର ଗୋରା ମୁହଁରେ ବିଞ୍ଚିହୋଇ ପଡ଼ିଥିଲା ଲଜ୍ୟାର ଅରୁଣିମା ।

 

ମଧୁମୟ ଭୂମିକାର ଅନ୍ୟମନସ୍କତା ବୁଝିପାରିଲେ ବୋଧେ । ପରିବେଶକୁ ହାଲୁକା କରିବାକୁ ଯାଇ କହିଲେ—ଏତେଶୀଘ୍ର ବିବାହ କରିବାକୁ ମୋର ଆଦୌ ଇଚ୍ଛା ନାହିଁ । ଭୂମିକାର ମଧ୍ୟ ପରୀକ୍ଷା ସରିନି । ବି.ଏ. ପରୀକ୍ଷା । ବହୁତ ପରିଶ୍ରମ କରିବାକୁ ହେବ । ବିବାହ ଜୀବନ ଓ ଛାତ୍ର ଜୀବନ ସମ୍ପୂର୍ଣ୍ଣ ଭିନ୍ନ । ଛାତ୍ର ଜୀବନରେ ବିବାହର ଅନୁଭୂତି ନଥାଏ କିମ୍ବା ବିବାହିତ ଜୀବନରେ ଛାତ୍ର ଜୀବନର ମାଦକତା ନଥାଏ ।

 

ମାଇଁ ଏହାର ପ୍ରକୃତ ଅର୍ଥ ବୁଝିପାରିଥିଲେ କି ନାହିଁ; କିନ୍ତୁ ଚୁପ୍‌ ହୋଇଯାଇଥିଲେ ।

 

ସେଦିନ ରାତ୍ରିରେ ଭୂମିକାକୁ ସୁନିଦ୍ରା ହୋଇନଥିଲା । ବାହାଘରର କଳ୍ପନା ଶୁଆଇ ପାରିନଥିଲା ତାକୁ । ଅଙ୍ଗରେ ଅନଙ୍ଗର ତୀବ୍ର ଜ୍ୱଳା ଭୂମିକାକୁ ଉନ୍ମାଦ କରିଥିଲା ।

 

ରାଜୀବବାବୁଙ୍କ ସଂସାରର ବନଭୂମିରେ ଭୂମିକା ଥିଲା ଏକ ମୃଗଶିଶୁ । ଭୟ, ଆଶଙ୍କା ଲଜ୍ୟା ତା’ ମନକୁ ସ୍ପର୍ଶକରି ପାରିନଥିଲା । ତଥାପି ମଧୁମୟଙ୍କୁ ବିବାହ କରିବାକୁ ଇଚ୍ଛାକରେ ବୋଲି ସେ ବାପାଙ୍କୁ ମୁହଁ ଖୋଲି କହିପାରିନଥିଲା । ଭୂମିକା ସେଦିନ ପ୍ରଥମକରି ଅନୁଭବ କଲା, ତରୁଣୀକନ୍ୟା ମୁହଁ ଖୋଲି ସବୁକଥା ପ୍ରକାଶ କରିପାରେନି । ବାପ ମା’ଙ୍କ ନିକଟରେ ଝିଅମାନେ ନିର୍ଭିକା, ଦୁଃସାହସୀ ମନେହେଲେ ସୁଦ୍ଧା ପ୍ରକୃତରେ ସେମାନେ ସେଇଆ ନୁହନ୍ତି ।

 

ଆଜି ବାପା ନାହାଁନ୍ତି । ମଧୁମୟ ଚିଠି ଦେଇଛନ୍ତି । ଭୂମିକାର ପ୍ରତିଶ୍ରୁତି ଉପରେ ନିର୍ଭର କରୁଛନ୍ତି । କି ଜବାବ ଦେବ ସେ ? କେମିତି ଲେଖିବ ଯେ ପରିବାରକୁ ଛାଡ଼ି ସେ ବିବାହ କରିପାରିବନି । ଭୂମିକା ମନେ ମନେ ସ୍ଵଗତୋକ୍ତି କରିଉଠିଲା–ତମେ ବୁଝିପାରିବନି ମଧୁମୟ...ପାରିବନି । କେତେ ବଡ଼ ଦାୟିତ୍ଵ ବହନ କରି ତମର ଭୂମିକା ଦୁନିଆ ପଥରେ ଆଗେଇ ଚାଲିଛି । ତମେ ତାହା କଳ୍ପନା କରିପାରିବନି । ମନରୁ ସ୍ଵପ୍ନ ତୁଟିଛି । ରଙ୍ଗ ମଉଳିଛି । କର୍ତ୍ତବ୍ୟ ଆହୁରି ବାକି ଅଛି ।

 

ଭୂମିକାର ସମଗ୍ର ଅଙ୍ଗ ଅବୟବରେ ଅପ୍ରକାଶ ଯନ୍ତ୍ରଣା ଯେପରି ତରଙ୍ଗାୟିତ ହୋଇ ଉଠୁଥିଲା । ମନେହେଉଥିଲା ଦୁଃସହ ଯନ୍ତ୍ରଣାର ଦାହ ଭିତରୁ ଆଉ ତା’ର ମୁକ୍ତି ହେବନି । ହୁଏତ ଆଉ କେବେ ତା’ ଯୌବନର ରୁଦ୍ଧଦ୍ଵାରରେ ବସନ୍ତର ମୃଦୁରୋଳ ଶୁଣାଯିବନି । ପ୍ରଚଣ୍ଡ ରୌଦ୍ରତାପରେ ସେ ଖାଲି ଛଟପଟ ହେଉଥିବ ।

 

ବୋଉ ମୁହଁକୁ ଚାହିଁ ପାରୁନଥିଲା ଭୂମିକା । ତା’ର ପ୍ରଶ୍ନର କୌଣସି ଉତ୍ତର ଦେବାକୁ ସେ ସାହସ କରିପାରୁନଥିଲା । ରବିବାରର ଦ୍ଵିପହରରେ ଉପକ୍ରମ କରୁଥିଲା ଟିକେ ଶୋଇବାକୁ । ସପ୍ତାହରେ ଏଇମାତ୍ର ଗୋଟିଏ ଦିନ । ସେଦିନ ତା’ର ଛୁଟି ଥାଏ । ସେଥିପାଇଁ ଏ ଦିନଟିରେ କୁଆଡ଼େ ନଯାଇ ଘରେ ବସିରହେ । ଅଥଚ ବୋଉ ସବୁ ନଷ୍ଟ କରିଦେଲା । ଯେଉଁ ପ୍ରଶ୍ନ ତାକୁ ତା’ର ସାଙ୍ଗମାନେ, ଅଫିସ୍‌ର କର୍ମଚାରୀମାନେ ପଚାରି ଆହତ କରିଥିଲେ ଆଜି ସେଇ ପ୍ରଶ୍ନ ପଚାରି ବୋଉ ତାକୁ ଅବାକ୍‌ କରିଦେଲା ।

 

ଅଫିସ୍‌ର କଥା ପ୍ରସଙ୍ଗରେ ଦେବେନ୍ଦ୍ରବାବୁ ସେଦିନ ପଚାରିଲେ, ଆଚ୍ଛା ଭୂମିକା ! ତମେ ବିବାହ କରୁନ କାହିଁକି ? ବିବାହ ପରେ ତମେ ତ ଚାକିରି କରିପାରନ୍ତ ।

 

ଭୂମିକା ଯେ ଏ ବିଷୟରେ କେବେ ଭାବିନି ଏପରି ନୁହେଁ । ତେଣୁ ଦେବେନ୍ଦ୍ରବାବୁଙ୍କ କଥାରେ ବିରକ୍ତ ହେଲାନି । ପରମ ଆତ୍ମୀୟାଭଳି କହିଲା, ସ୍ଵାମୀ ସନ୍ତାନ ନେଇ ଘରସଂସାର କରିବାକୁ ପ୍ରତ୍ୟେକ ନାରୀ କାମନା କରନ୍ତି । କିନ୍ତୁ ସାଗରରେ ମିଶିବା ଲକ୍ଷ୍ୟନେଇ ସବୁ ନଈ ଧାଇଁଲେ ମଧ୍ୟ ସମସ୍ତେ କ’ଣ ସାଗରରେ ମିଶି ପାରନ୍ତି ? ବାଟରେ ଅନେକ ନଦୀରୁ ଜଳ ଶୁଖିଯାଏ, ଅଧବାଟରେ ପଡ଼ିରହେ ।

 

ଦେବେନ୍ଦ୍ରବାବୁଙ୍କୁ କହିଲାବେଳେ ଭୂମିକାର କଣ୍ଠ ଅବରୁଦ୍ଧ ଆବେଗରେ ଥରି ଉଠିଲା । ନିଜକୁ ସଂଯତ କରି କହିଲା, ମତେ ନିର୍ଭର କରି ଭାଇଭଉଣୀ ରହିଛନ୍ତି । ବିବାହ କଲେ ମୁଁ ତାଙ୍କର ଦାୟିତ୍ଵ ତୁଲାଇବାରେ ହେଳା କରିପାରେ । ଚାକିରି ନ କରିପାରେ ମଧ୍ୟ । କାରଣ ବିବାହ ପରେ ନିଜର ସ୍ଵାଧୀନତା ରହିବନି ।

 

ହୁଏତ ଦେବେନ୍ଦ୍ରବାବୁ ଆଉ କିଛି କହିଥା’ନ୍ତେ । ଅରୁଣବାବୁ ଆସୁଥିବାର ଦେଖି ଚୁପ୍‌ ହୋଇଗଲେ । ପାଖକୁ ଆସି ଅରୁଣବାବୁ କହିଲେ—ଜାଣିଛ ଦେବବାବୁ ! ସୁଜାତା ବିବାହ କରୁଛି ।

 

ସୁଜାତା ନାରୀ । ଜଣେ ନାରୀ ବିବାହ କରିବା ଆଶ୍ଚର୍ଯ୍ୟ ନୁହେଁ । ଦେବେନ୍ଦ୍ରବାବୁ କହିଲେ ।

 

ଦେବେନ୍ଦ୍ରବାବୁଙ୍କ ଚେୟାରର ସନ୍ନିକଟବର୍ତ୍ତୀ ହୋଇ କହିଲେ, ପୂରାପୂରି ଲଭ ମ୍ୟାରେଜ-। ସୁଜାତାଭଳି ଝିଅ ଗୋଟିଏ ପୁରୁଷକୁ ନେଇ ସନ୍ତୁଷ୍ଟ ହୋଇ କିପରି ରହିବ ତାହାହିଁ ଆଶ୍ଚର୍ଯ୍ୟ ଲାଗୁଛି ।

 

ଦେବେନ୍ଦ୍ରବାବୁ ସହଜରେ ବିଶ୍ଵାସ କରିପାରୁନଥିଲେ । କହିଲେ, ଅନାବିଳ ସ୍ନେହ, ଉପଯୁକ୍ତ ସମ୍ମାନ ଦେଇ ଜାଣିଲେ ପ୍ରତ୍ୟେକ ସ୍ତ୍ରୀ ଗୋଟିଏ ପୁରୁଷରେ ସନ୍ତୁଷ୍ଟ ହୋଇ ପାରନ୍ତି । ସୁଜାତା ଲଭ୍‍ମ୍ୟାରେଜ କରୁଛି । ପ୍ରେମିକକୁ ସ୍ଵାମୀ ରୂପେ ପାଇ ଖୁସି ନ ହେବ କାହିଁକି ?

 

ଦେବେନ୍ଦ୍ରବାବୁଙ୍କ କଥା ଶେଷ ହେବା ପୂର୍ବରୁ ଅରୁଣବାବୁ ତାଙ୍କ ସିଟ୍‌କୁ ଫେରି ଯାଇଥିଲେ । ଶୁଣିଥିଲେ ହୁଏତ ଯୁକ୍ତି ଆରମ୍ଭ କରିଦେଇଥାନ୍ତେ । ଭୂମିକା ଦେବେନ୍ଦ୍ରବାବୁଙ୍କ କଥାକୁ ଯୁକ୍ତିଯୁକ୍ତ ମନେ କରିପାରିନଥିଲା ।

 

ସୁଜାତା ବିବାହ କରୁଛି ଜାଣି ମନେ ମନେ ଖୁସି ହେଲା ଭୂମିକା । ସୁଜାତାର ନାରୀଜୀବନ ସାର୍ଥକ ହେଉ ବୋଲି କାମନା କଲା ।

 

ପ୍ରକୃତରେ ସୁଜାତା ଯେ ଉପଯୁକ୍ତ ଗୃହିଣୀ ହୋଇପାରିଛି ଭୂମିକା ତାହା ଅରୁନ୍ଧତୀଠାରୁ ଶୁଣିଥିଲା । କଲେଜ ଛାଡ଼ିବା ଦିନୁ ଭୂମିକା କୌଣସି ବାନ୍ଧବୀର ଖବର ରଖିପାରିନଥିଲା । ଭୂମିକାକୁ ହଠାତ୍‌ ଚମକାଇ ଦେଇ ଅରୁନ୍ଧତୀ ସେଦିନ ଘରକୁ ଆସିଥିଲା । ସାଙ୍ଗରେ ଥିଲା ତା’ର ଚାରିବର୍ଷର ଗୋଟିଏ ପୁଅ । ଅନେକ ଦିନ ପରେ ଅରୁନ୍ଧତୀକୁ ଦେଖି ଭୂମିକା ଆଶ୍ଚର୍ଯ୍ୟ ହୋଇଥିଲା–ଆନନ୍ଦ ମଧ୍ୟ । କପାଳର ଛୋଟ ସିନ୍ଦୂର ବିନ୍ଦୁଟି ଅରୁନ୍ଧତୀକୁ ବେଶ୍‌ ମାନୁଥିଲା । ଭୂମିକାର ମନେହେଲା ଏଇ ଲାଲଟା ବୋଧେ ଅରୁନ୍ଧତୀର ମନର ରଙ୍ଗ, ପ୍ରାଣର ରଙ୍ଗ । ମୁହଁଟା ଶେତା ଜଣାଯାଉଥିଲେ ମଧ୍ୟ ଅପୂର୍ବ ମାଧୁର୍ଯ୍ୟ ମଣ୍ଡିତ ଥିଲା । ସେଥିରେ ଥିଲା ଅନ୍ୟକୁ ଆକର୍ଷଣ କରିବାର ଆଭା । ସେଇଦିନ ଭୂମିକା ଜାଣିଲା ଅରୁନ୍ଧତୀର ଭାଇକୁ ସୁଜାତା ବିବାହ କରିଛି-। ଅପୂର୍ବ କଳାକୁଶଳତା ଦେଖାଇ ସମସ୍ତଙ୍କୁ ମୁଗ୍‌ଧ କରିଛି ।

 

ଅରୁନ୍ଧତୀ ବୁଝାଉଥିଲା—ଚାକିରି ଜୀବନ ନାରୀକୁ ଚିହ୍ନିବାର ଉପଯୁକ୍ତ କ୍ଷେତ୍ର ନୁହେଁ । ସ୍ଵାମୀ ଘରର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣହେଲେ ନାରୀର ନାରୀତ୍ଵ ପ୍ରକଟିତ ହୁଏ । ସନ୍ତାନସନ୍ତତିର ମା’ହେଲେ ନାରୀ ହୁଏ ଧନ୍ୟା...ତୁ ବିବାହ କର ଭୂମିକା । କେତେଦିନ ଏମିତି ନିଜ ଉପରେ ଅତ୍ୟାଚାର କରି ଚାଲୁଥିବୁ ?

 

ଭୂମିକାର ମନେହେଲା ଅରୁନ୍ଧତୀ ସମବୟସୀ ହେଲେ ମଧ୍ୟ ବିବାହ ପରେ ତା’ର ଅଭିଜ୍ଞତା ବେଶି ହୋଇଛି । କଲେଜରେ ପାଠ ବୁଝିପାରେନି ବୋଲି ଭୂମିକା ତାକୁ ସବୁବେଳେ ବୁଝାଇ ଦିଏ । ସେଇ ବାନ୍ଧବୀ ଅରୁନ୍ଧତୀ ଗୋଟିଏ ସନ୍ତାନର ମା’ ହୋଇ ସ୍ଵାମୀଘରୁ ଫେରିଲା ପରେ ଏତେ କଥା ବୁଝାଇ ପାରୁଛି ? ଅରୁନ୍ଧତୀ ବିଦାୟ ନେବା ପରେ ଭୂମିକା ମନେମନେ ଅରୁନ୍ଧତୀର ଉକ୍ତିକୁ ବିଶ୍ଳେଷଣ କଲା । କିନ୍ତୁ ବିବାହ କରିବାର ଶକ୍ତି ସଞ୍ଚୟ କରିପାରୁନଥିଲା ।

 

ଚାକିରି କରିବାର କେତେମାସ ପରେ ତା’ର ବିବାହ ପ୍ରସ୍ତାବ ଆସିଥିଲା । ଯୌତୁକ ଦାବି ପୂରଣ କରି ନ ପାରିବାର ଅକ୍ଷମତା ଦର୍ଶାଇ ବୋଉ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲା । ବୋଉର ଭୟଥିଲା, ହୁଏତ ଭୂମିକାକୁ ବିବାହ ଦେଲେ ମନି, ଟୁଟୁ, ମୁଟୁଙ୍କ ଅବସ୍ଥା ଶୋଚନୀୟ ହୋଇଯିବ । ଭବିଷ୍ୟତରେ ସେମାନେ ଉପଯୁକ୍ତ ମଣିଷ ହୋଇ ପାରିବେନି । ଭୂମିକାର ସନ୍ଦେହ, ବୋଉ ନାରୀ ହୋଇ ମଧ୍ୟ ନିଜ ଝିଅ ମନକୁ ଚିହ୍ନିବାର କ୍ଷମତା ତା’ର ନାହିଁ ।

 

ତା’ ପରଠାରୁ ଭୂମିକା ନିଜର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ବୋଉ ସହିତ ଆଲୋଚନା କରିବାକୁ ଚାହିଁନି । ବାହାର ଲୋକଙ୍କ ସହିତ ଏଭଳି ଆଲୋଚନାକୁ ମଧ୍ୟ ବିଶେଷ ପ୍ରଶ୍ରୟ ଦେଇନାହିଁ । ଇଚ୍ଛାକରି ମଧୁମୟଙ୍କ ଠାରୁ ଦୂରେଇ ରହିଛି । ଅଥଚ ଆଜି ?

 

ବୋଉ ମୁହଁରୁ ସେଇ କଥାର ପୁନରାବୃତ୍ତି ଶୁଣି ଭୂମିକା ଆଶ୍ଚର୍ଯ୍ୟ ହେଲା । ତା’ର ମନେହେଲା, ବୋଉ ଆଜି ହୁଏତ ବାଧ୍ୟ କରିବ—ତାକୁ ବିବାହ ଦେବାକୁ ଜୋର କରିବ ।

 

ଭୂମିକାର ଶଯ୍ୟାଧାର ନିକଟରେ ବସିପଡ଼ି ବୋଉ କହିଲା—ଆଜିକାଲି ଯେତେ ଯୌତୁକ ଦାବି କରୁଛନ୍ତି ଆମେ ତ ସେତେ ଦେଇପାରିବାନି । ତଥାପି ଉପଯୁକ୍ତ ପାତ୍ର ହାତରେ ଝିଅକୁ ଟେକିଦେବା ଆମର କର୍ତ୍ତବ୍ୟ । ତୁ ଯଦି ଟିକେ ଚେଷ୍ଟା କରନ୍ତୁ ମନିର ବାହାଘର ଏଇ ବର୍ଷ ହୋଇଯାନ୍ତା । ଝିଅଟାର ବୟସ ହେଲାଣି । କେତେଦିନ ଆଉ ରହିବ ? ଏତିକିବେଳୁ ଚେଷ୍ଟା ନକଲେ ପଛକୁ ପୁଣି ହଇରାଣ ହେବା ।

 

ଭୂମିକା ଚମକି ପଡ଼ି ବିଛଣାରୁ ଏକରକମ ଉଠିପଡ଼ିଲା । ବୋଉ ତେବେ ମନିକା କଥା କହୁଛି—ତା’ କଥା ନୁହେଁ ?

 

ବୋଉ କହିଲା–ଏମିତି ଉଠିପଡ଼ିଲୁ ଯେ !

 

ମନର ଭାବକୁ ଲୁଚାଇବାକୁ ଚେଷ୍ଟାକରି ଭୂମିକା ପୁଣି ବିଛଣାରେ ଶୋଇ ପଡ଼ିଲା । ଆଖିବନ୍ଦକରି କିଛି ସମୟ ପରେ କହିଲା–ମନିର ପଢ଼ା ମଝିରେ ବିବାହ ଦେଇ ପଢ଼ାରେ ବ୍ୟାଘାତ ସୃଷ୍ଟି କରିବାକୁ ମୁଁ ଚାହୁଁ ନଥିଲି । ତୁ ଯଦି କହୁଛୁ ଏଥର ଚେଷ୍ଟା କରିବି । ବି.ଏ. ପରୀକ୍ଷା ତ ଆଉ ଅଳ୍ପଦିନ ଅଛି । ୟା’ଭିତରେ ଯୋଗାଡ଼ କଲେ ପରୀକ୍ଷା ପରେ ବାହାଘର ସାରିଦେବା

 

କଥା ଶେଷକରି ଭୂମିକା ଆଖି ଖୋଲିଲା । ବୋଉ ଲିଭିଲା ଦୀପର ଶିଖାଭଳି ମିଞ୍ଜି ମିଞ୍ଜି ହୋଇ ଆଖିକୋଣରେ ହସୁଛି । ଶଯ୍ୟାଧାରକୁ ବୋଉ ଉଠିଯାଇଥିଲେ ମଧ୍ୟ ଭୂମିକା ବିଛଣା ଛାଡ଼ିପାରି ନଥିଲା । ମାନସିକ ଦୁର୍ବଳତା ବୋଧ କଲେ ସେ ବିଛଣାରେ ପଡ଼ିରୁହେ—ଆଖି ବନ୍ଦକରି ଚିନ୍ତା କରେ ।

 

ଆଶ୍ଚର୍ଯ୍ୟ ଏଇ ବୋଉର ମନ ! ବୟସ ବହୁତ ହୋଇଯାଇଥିଲେ ମଧ୍ୟ ଭୂମିକା ତା’ ଦୃଷ୍ଟିପଥକୁ ଆସିନି । ଅଥଚ ମନିକାର ବିବାହ ଶେଷକରିବାକୁ ଇଚ୍ଛା କରୁଛି । ଭୂମିକାର ମନେହେଲା ସେ ଏ ଘରର ସବୁ—ପୁଣି କିଛି ନୁହେଁ । ମନିକାର ବିବାହ ବୟସ ହୋଇଯାଇଛି । ତା’ପାଇଁ ପାତ୍ର ଖୋଜିବାକୁ ହେବ । ବୟସ ଅତିକ୍ରମ କରିଗଲେ ମନିକା ହୁଏତ ଦୁଃଖ କରିବ, ଅନୁତାପ କରିବ । ତା’ ଅପା ଭଳି ଯନ୍ତ୍ରଣା ଜର୍ଜରିତ ହେବ ।

 

ମନିକା ନାରୀ । ବଳିଷ୍ଠ ଆଶ୍ରୟ ତା’ର ଲୋଡ଼ା ।

 

ତାକୁ ବିବାହ ଦେବାକୁ ପଡ଼ିବ । ନିଜ ହାତଗଢ଼ା ଭଉଣୀକୁ ସ୍ଵାମୀ, ଶ୍ଵଶୁର ଘରକୁ ବିଦାକରିବାକୁ ହେବ ।

 

କିନ୍ତୁ ସେ ନିଜେ……

 

ବ୍ୟର୍ଥତାର ରାଗିଣୀ ଭୂମିକା ମନରେ ଝଙ୍କୃତ ହୋଇ ଉଠିଲା । ମନିକା ବିବାହ କରିବାକୁ ରାଜି ନୁହେଁ । ବୋଉ ବିରକ୍ତ ହେଉଛି । ଭୂମିକା ନିଜେ ବହୁତ ବୁଝାଇଛି । ତଥାପି ତା’ର ଜିଦ୍ ସେ ବିବାହ କରିବନି । ଭୂମିକା ଭାବିଥିଲା ବିବାହ କଥା ଶୁଣି ମନିକା ଖୁସିହେବ । ଅପାର କଥାରେ ରାଜି ହୋଇଯିବ । କିନ୍ତୁ ତା’ କଳ୍ପନା ବାସ୍ତବ ରୂପ ନେଇ ପାରିଲାନି । ଭୂମିକାର ସନ୍ଦେହ ହେଲା, ହୁଏତ ମନିକା କାହାକୁ ପ୍ରେମ କରୁଛି । ବିବାହରେ ପ୍ରେମର ପରିପୂର୍ଣ୍ଣତା । ମନିକା ଯଦି ପ୍ରେମ କରୁଥାଏ ତେବେ ପ୍ରକାଶ କରୁନି କାହିଁକି ?

 

ଭୂମିକା ଭାବିଲା ପ୍ରେମ କରିବା ଏକ ସହଜ କଥା । ଅଥଚ ପ୍ରକାଶ କରିବା ଖୁବ୍ କଷ୍ଟକର । ତରୁଣୀ ମନର ଲଜ୍ୟା, ସଙ୍କୋଚ ପ୍ରକାଶ ପଥରେ ବାଧାଦିଏ । ନିରାଟ ସତକଥାକୁ ଜଣାଇଦେବାକୁ ମନିକା ହୁଏତ କୁଣ୍ଠାବୋଧ କରୁଛି । ତଥାପି ସେ ମନିକାକୁ ପଚାରିବ । ତା’ ନିଭୃତ ମନର ନିରାଟ ସତ୍ୟକୁ ଜାଣିବାକୁ ଚେଷ୍ଟାକରିବ । ମନିକାର ଅଲରାବାଳକୁ ସାଉଁଳି ଦେଇ କହିଲା–ମନି ! ତୁ ତ ଜାଣୁ ତୋ ଅପା ଉପରେ କେତେ ଦାୟିତ୍ଵ ! ଅପାକୁ ସାହାଯ୍ୟ କରିବା ତୋର କ’ଣ କର୍ତ୍ତବ୍ୟ ନୁହେଁ ?

 

ମନିକା କିଛି କହିଲାନି । ଭୂମିକା ମୁହଁକୁ ଚାହିଁଦେଇ ଆଖି ଫେରାଇ ନେଲା । ଭୂମିକା କହିଲା—ତୋର ବିବାହ ଶେଷକଲେ ମୋର ଗୋଟେ ଦାୟିତ୍ଵ କମିଯିବ । ସେଥିପାଇଁ ତତେ ବାଧ୍ୟ କରୁଛି । ମାତ୍ର ତୁ ରାଜି ହେଉନୁ । ମୋର ସନ୍ଦେହ ହେଉଛି ହୁଏତ ତୁ କାହାକୁ ପ୍ରେମ କରୁଛୁ । ସେଥିପାଇଁ……

 

ଭୂମିକା ଏଥର ସିଧାହୋଇ ମନିକାକୁ ଚାହିଁଲା । ଦେଖିଲା ମନିକା ଆଖିକୋଣରେ ଦୁଇବୁନ୍ଦା ଲୁହ ମୁକ୍ତା ପରି ଝଲମଲ କରୁଛି । ଭୂମିକା କିଛି କହିବା ପୂର୍ବରୁ ତଳକୁ ମୁହଁ ପୋତି ମନିକା କହିଲା—ବିବାହ କରିବାକୁ ରାଜି ନହେବାର ଅର୍ଥ କେବଳ ପ୍ରେମ କରିବା ନୁହେଁ । ପ୍ରେମ କରୁଥିଲେ, କାହାକୁ ନହେଲେ ମଧ୍ୟ ମୁଁ ତତେ କହିପାରିଥାନ୍ତି । ତୁ ତ ପୁଣି ବିବାହ କରିନୁ । ତୁ କ’ଣ ପ୍ରେମ କରୁ ଅପା ?

 

ଭୂମିକା ଚମକି ପଡ଼ିଲା । ତା’ ମନର ଅଭ୍ୟନ୍ତରରେ ବହିଗଲା ଝଡ଼—କାଳ ବୈଶାଖୀର ଝଡ଼ । ସେହି ଝଡ଼ର ଆଘାତରେ ତା’ ମନର ସୁକୁମାର ଫୁଲବନ ବିପର୍ଯ୍ୟସ୍ତ ହୋଇଗଲା । ମନେହେଲା ଅନେକ ଦିନ ପରେ ଗୋଟାଏ ଭୁଲିହୋଇ ଯାଇଥିବା ସ୍ଵପ୍ନକୁ ପୁଣି ସତେ ଯେପରି ସେ ନିଜ ଆଖି ଆଗରେ ଚେଇଁଥିବାବେଳେ ଦେଖିଯାଉଛି । ମୁଣ୍ଡ ଉପରେ ଫ୍ୟାନ୍‌ଟା ଘୂରୁଥିଲେ ମଧ୍ୟ ଭୂମିକା ଅନୁଭବ କଲା ବିନ୍ଦୁ ବିନ୍ଦୁ ସ୍ଵେଦ କଣିକାରେ ତା’ର ଦେହ ସମ୍ପୂର୍ଣ୍ଣ ଓଦା ହୋଇଗଲାଣି । ତଥାପି ନିଜକୁ ସଞ୍ଜତ କରିନେଇ ଦୃଢ଼ କଣ୍ଠରେ କହିଲା—ହଁ, ହଁ; ମୁଁ ପ୍ରେମ କରେ । ତତେ, ବୋଉକୁ—ଟୁଟୁ, ମୁଟୁ ସମସ୍ତଙ୍କୁ ପ୍ରେମ କରେ ।

 

ଭୂମିକାର କଥା ଶୁଣି ମନିକା ଖୁବ୍ ଜୋରରେ ହସି ଉଠି କିଛିକ୍ଷଣ ପରେ ଗମ୍ଭୀର ହୋଇଗଲା । ସହଜ ହୋଇ କହିଲା—ଆଚ୍ଛା ଅପା ! ତୁ କ’ଣ ଭାବିଛୁ ତତେ ଖାଲି ତ୍ୟାଗକରି ଆସେ ?

 

ମନିକାର ହସ ଦେଖି ଭୂମିକା ଭୟ ପାଇ ଯାଇଥିଲା । କିନ୍ତୁ ମନିକା ନିଜକୁ ସହଜ କରିନେଇ ଥିବାର ଜାଣି କହିଲା—ନା, ନା, ମୁଁ କାହିଁକି ସେ କଥା ଭାବିବି । ତେବେ...

ଭୂମିକାର କଥାକୁ ଶେଷ କରାଇ ନଦେଇ ମନିକା କହିଲା–ତୁ ବହୁତ କଷ୍ଟ କରୁଛୁ । ଭାବିଛି ଏଥରକ ମୁଁ ଚାକିରି କରିବି । ଘର ଚଳାଇବି । ତୁ ବାହା ହୋଇ ଘରସଂସାର କରିବୁ । ତା’ପରେ ଟୁଟୁ ଚାକିରି କରିଗଲେ ମୁଁ ବିବାହ କରିବି ।

ଆଶ୍ଚର୍ଯ୍ୟ ହେଲା ଭୂମିକା । ମନିକାର କଥା ଅସଙ୍ଗତ ମନେ ନହେଲେ ମଧ୍ୟ ସେ ତା’ କଥାକୁ ଗ୍ରହଣ କରିପାରିଲାନି । କହିଲା—ତମମାନଙ୍କର ଦାୟିତ୍ଵ ମୁଁ ବହନ କରିଛି । ତମକୁ ଖୁସି କରିପାରିଲେ ମୋ ଦାୟିତ୍ଵ ମୁଁ ସୂଚାରୁ ରୂପେ ତୁଲାଇ ପାରିଛି ଭାବି ଶାନ୍ତି ପାଇବି । ତା’ଛଡ଼ା ବିବାହ କରିବାର ବୟସର ସୀମା ଅଛି । ସେଇ ସୀମା ଅତିକ୍ରମ କରିଗଲେ ବିବାହ କରିବାକୁ ଇଚ୍ଛା ହୁଏନି । ବିବାହ କଲେ ମଧ୍ୟ ମନଭରି ଉପଭୋଗ କରିହୁଏନି । ମୋର ଆଉ ସେ ବୟସ ନାହିଁ ମନି ! ଉପଭୋଗ କରିବାର ଦୁର୍ବାର କାମନା ମନରୁ ମରିଗଲାଣି ।

ତୋ କଥାର ଅର୍ଥ ମୁଁ କିଛି ବୁଝିପାରୁନି । ତୋର ଏ ରୂପ ଦେଖି ମନେହୁଏ ତୁ ଯେପରି ଷୋଡ଼ଶୀଟିଏ ।

ଆଜିକାଲି ଚେହେରାକୁ ଦେଖି ବୟସ ଅନୁମାନ କରିହୁଏନି ମନି ! ତୋର ବୟସ ଅଛି–ରୂପ ଅଛି । ମଥାରେ ସିନ୍ଦୂର ମାଖି ମୁଣ୍ଡରେ ଓଢ଼ଣା ଦେଲେ ସତରେ ତୁ ଭାରି ସୁନ୍ଦରୀ ଦିଶିବୁ-। ମତେ ମନା କରନା ମନି…ମୋ ସୁନା ଭଉଣୀଟା ପରା !

ମନିକା ବିଚଳିତ ହେଲାନି । ସିନ୍ଦୂର ମଖା, ଓଢ଼ଣା ଟଣା ଏକ ଶାନ୍ତ ସୁନ୍ଦର ମୁହଁ ତା’ ଆଖି ଆଗରେ ଦିଶିଯାଉଥିଲେ ମଧ୍ୟ ମନରେ ରେଖାପାତ କଲାନି । ସେହିପରି ଅବିଚଳିତ ସ୍ଵରରେ କହିଲା—ନା, ମୁଁ ଚାକିରି କରିବି ।

 

ବାହାରକୁ ପ୍ରକାଶ ନ କଲେ ମଧ୍ୟ ଭୂମିକା ବିରକ୍ତ ହେଲା । ଏତେ ବୁଝାଇଲା ପରେ ବି ବୁଝୁନି । ଖାଲି ଯୁକ୍ତି କରୁଛି । ତଥାପି ଧୈର୍ଯ୍ୟ ହରାଇଲାନି ଭୂମିକା । ବୁଝାଇଲା ଭଙ୍ଗୀରେ କହିଲା, ତୁ ଚାକିରି କର—ମୋର କିଛି ଆପତ୍ତି ନାହିଁ । ମଣିଷର ମନ ସମାନ ଅବସ୍ଥାରେ ରହେନି । ଆଜି ଇଚ୍ଛା ହୋଇଛି ଚାକିରି କରିବୁ । ଦିନ ଆସିବ ଯେତେବେଳେ ଘରସଂସାର କରିବାକୁ ମନହେବ । ଅଥଚ ସେତେବେଳକୁ ବୟସ ନଥିବ । ଅନୁତାପରେ ଦଗ୍‌ଧ ହେବୁ । ଚାକିରି କ୍ଷେତ୍ର ନାରୀର ସଂସାର ନୁହେଁ । ମୋ କଥା ରଖ...ଆପତ୍ତି କରନା ମନି...

 

ମନିକାର ଏକା ଜିଦ୍—ନା, ମୁଁ ବର୍ତ୍ତମାନ ବିବାହ କରିବିନି । ତୋ ବିବାହ ସରୁ…

 

ମନିକା ଜିଦରେ ଭୂମିକା ଚମକି ପଡ଼ିଲା । ହଠାତ୍ କିଛି କହିପାରିଲାନି । ନୀରବରେ କିଛି ସମୟ ବସି ରହିଲା ପରେ ମନିକାର ଗୋଟିଏ ହାତକୁ ଟାଣି ଆଣି ନିଜର ଦୁଇ ପାପୁଲି ଭିତରେ ରଖି କହିଲା ମୁଁ ତୋର ବଡ଼ ଭଉଣୀ । ନିଜ ଜୀବନର ସମସ୍ତ ସୁଖ ଦେଇ ମୁଁ ତମମାନଙ୍କୁ ସୁଖୀ କରିବାକୁ ଚେଷ୍ଟା କରିଛି । କୃତକାର୍ଯ୍ୟ ହୋଇ ପାରିଛି କି ନା ଜାଣେନା । କିନ୍ତୁ ପ୍ରତିଦାନରେ ତମମାନଙ୍କୁ କିଛି ମାଗିନି—ମାଗିବାର ଆଶା ମୋର ନଥିଲା । ଆଜି କିନ୍ତୁ ମାଗୁଛି । ତୋ ପାଖରେ ଅଳି କରୁଛି । ଅନୁରୋଧ କରୁଛି ତୁ ଆଉ ନାହିଁ କରନା ! ମୋ ମନରେ କଷ୍ଟ ଦେ’ନା । କହ ମନି..ତୁ କ’ଣ ତୋ ଅପାର ଏଇ ଗୋଟିଏ ଅନୁରୋଧ ରଖିପାରିବୁନି ? କହ ମନି…କହ…

 

ଭୂମିକା ଏଥର ସତକୁ ସତ କାନ୍ଦି ପକାଇଲା । ଅପାର ଆଖିରେ ଲୁହ ଦେଖି ବିଚଳିତ ହେଲା ମନିକା । ଭୂମିକାର ହାତ ପାପୁଲିକୁ ନିଜ ମୁହଁରେ ଚାପିଧରି କହିଲା–ନା…ନା…ଅପା । ମୁଁ ତୋ ଆଖିରେ ଲୁହ ଦେଖିବାକୁ ଚାହେଁନା । ତୋ କଥାରେ ଅବାଧ୍ୟ ହେବିନି । ମୁଁ ବିବାହ କରିବି—ହଁ…ହଁ…ବିବାହ କରିବି ।

 

ମନିକାଠାରୁ ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଭୂମିକା ଆଖିରୁ ଲୁହ ପୋଛିଲା । ମନିକା ହାତରେ ଚୁମା ଦେଇ କହିଲା—ମୁଁ ଜାଣିଥିଲି ମନି । ତୁ ମୋ କଥା ଏଡ଼ାଇ ଦେଇ ପାରିବୁନି ।

 

ସେଦିନ ବଦଳି ଅର୍ଡର ପାଇ ଭୂମିକା ଆଶ୍ଚର୍ଯ୍ୟ ହେଲାନି । ସରକାରୀ ଚାକିରି କଲେ ବଦଳି ନିଶ୍ଚୟ ହେବ । ପ୍ରାୟ ଏକମାସ ହେବ ଏହିଭଳି କଥା ସେ ଶୁଣିଥିଲା । ତଥାପି ଟ୍ରାନ୍‌ସଫର ଅର୍ଡର ଦେଖି ଭୂମିକା ନିଜପାଇଁ ଦୁଃଖ କରିନଥିଲା । ନିଜ ପରିବାରର କଥା ମନେପକାଇ ବିଚଳିତ ହେଲା । ଆଶା କରିଥିଲା କଟକରେ ରହି ମନିକାର ବିବାହ ଠିକ୍ କରିବ । ମନିକାଠାରୁ ପ୍ରତିଶ୍ରୁତି ପାଇଲା ପରେ ଭୂମିକା ପାତ୍ର ଖୋଜିବାରେ ହେଳା କରିନି । ପରିଚିତ ଲୋକଙ୍କୁ ପାତ୍ରର ସନ୍ଧାନ ଦେବାକୁ କହିଛି । ବୋଉର ଜିଦ୍ ଯେମିତିହେଲେ ଏ ବର୍ଷ ବାହାଘର ଶେଷ ହେବ । ଭୂମିକାର ଇଚ୍ଛା ଯୋଗ୍ୟପାତ୍ରଟିଏ ଦେଖି ମନିକାର ବିବାହ ଦେବ । କେତେ ଜଗାରୁ ପ୍ରସ୍ତାବ ଆସିଲାଣି । ପାତ୍ରଗୁଡ଼ିକ ଯୋଗ୍ୟ । ବଡ଼ ବଡ଼ ଚାକିରି କରିଛନ୍ତି କିନ୍ତୁ ବହୁତ ଯୌତୁକ ଦାବିକରୁଛନ୍ତି । ଯୌତୁକ ପ୍ରସଙ୍ଗ ପଡ଼ିଲେ ଛାତି ଭିତର ପବନ ଅଟକିଗଲା ଭଳି ଲାଗେ । ମୁହଁ କଳା ପଡ଼ିଯାଏ ।

 

ଭୂମିକା ଜାଣେ ବିବାହରେ ଯୌତୁକ ଦେବାକୁ ପଡ଼େ । ନିଜର ସାମର୍ଥ୍ୟ ଅନୁଯାୟୀ କନ୍ୟାକର୍ତ୍ତା ଯୌତୁକ ଦିଏ । ମାତ୍ର ଏତେ ପରିମାଣରେ ବରପକ୍ଷ ଦାବି କରନ୍ତି ବୋଲି ଜାଣିନଥିଲା-। କନ୍ୟାର ଯୋଗ୍ୟତା, ସୌନ୍ଦର୍ଯ୍ୟ ତାଙ୍କ ପାଖରେ ମୂଲ୍ୟହୀନ । ସେ ଜାଣେ ତା’ର ସ୍ୱଳ୍ପ ରୋଜଗାରରେ ସେ ବିଶେଷ ଯୌତୁକ ଦେଇପାରିବନି । ତଥାପି…ତଥାପି ମନିକାର ବାହାଘର କରିବାକୁ ହେବ । ସଚରିତ୍ର, ଉପାର୍ଜନ କ୍ଷମ, ସୁନ୍ଦର, ଶିକ୍ଷିତ ସତ୍‌ପାତ୍ର ହାତରେ ତାକୁ ଟେକି ଦେବ-

 

ଅଫିସରେ ବଦଳି ଆଦେଶ ପାଇ ସେ ବିଚଳିତ ହୋଇପଡ଼ିଲା । ନୂଆ ପରିବେଶ ଭିତରେ ପାତ୍ରର ସନ୍ଧାନ ନେବାକୁ ହୁଏତ ସମୟ ହେବନି କିମ୍ବା ବାରମ୍ବାର କଟକକୁ ଆସି ବୁଝିହେବନି । ନିଯୁକ୍ତି ତାରିଖ ଦେଖିଲା । ଆଃ ! ମାତ୍ର ଦୁଇଦିନ ! ଏଇ ଦୁଇଦିନ ଭିତରେ ପୁରୀ ଯାଇ ଅଫିସରେ ଯୋଗ ଦେବାକୁ ହେବ ।

 

ପୁରୀ କଥା ମନେପକାଇ ଆବେଗରେ ଶିହରି ଉଠିଲା ଭୂମିକା । ଭୁଲିଯାଇଥିବା ସ୍ମୃତିରାଜି ରହି ରହି ନାଚି ଉଠୁଥିଲା । ମଧୁମୟ ଥରେ ଚିଠି ଦେଇଥିଲେ । ଜଣାଇ ଥିଲେ ପୁରୀରେ ଅଛନ୍ତି । ବସାଘରର ଠିକଣା ମଧ୍ୟ ଦେଇଥିଲେ । ଇଚ୍ଛା କରି ଭୂମିକା ଉତ୍ତର ଦେଇନି । ନିଜେ ଯେଉଁ ନିଆଁରେ କୁହୁଳୁଚି ସେଥିରେ ମଧୁମୟଙ୍କୁ କୁହୁଳାଇବାକୁ ଚାହିଁନାହିଁ । ଭୂମିକା ଭାବିଲା ପୁରୀ ଯାଇ ମଧୁମୟଙ୍କୁ ଦେଖାକରିବ । ଅପରିଚିତ ଜାଗାରେ ମଧୁମୟ ହିଁ ପରିଚିତ ବ୍ୟକ୍ତି ।

 

ପୁରୀରେ ମଧୁମୟଙ୍କ ବସାଘର ଖୋଜିବାକୁ ବିଶେଷ କଷ୍ଟ ହେଲାନି । ଛୋଟ ଏକ କ୍ଵାର୍ଟର । ଦୁଇଟି କୋଠରୀ । ଗୋଟିଏ ରୋଷେଇଘର–ବାଥ୍‍ରୁମ୍ । ମଝିରେ ଗୋଟିଏ ଛୋଟ ଅଗଣା । କ୍ଵାର୍ଟର ଆଗରେ ଫୁଲ ବଗିଚା । ବିଶେଷ ଭାବେ । ମୁଗ୍‌ଧ ହେଲା ଭୂମିକା । ନିସଙ୍ଗ ଜୀବନକୁ ଅତିବାହିତ କରିବାକୁ ସେ ବଗିଚାର ଆଶ୍ରୟ ନେଇଛନ୍ତି । ମଧୁମୟଙ୍କ ରୁଚିକୁ ତାରିଫ୍ କଲା ।

 

ଅପରାହ୍ନର ଶେଷ ଦିପ୍ତୀ ମଳିନ ହୋଇ ଆସୁଥିଲା । ମୃଦୁ ମଳୟର ପରଶ ଦେହରେ ସିତ୍କାର ଆଣୁଥିଲା । ମଧୁମୟ ବଗିଚାରେ ଥିଲେ । ଆଶ୍ଚର୍ଯ୍ୟ ହେଲେ ଭୂମିକାକୁ ରିକ୍‌ସାରୁ ଓହ୍ଲାଉଥିବାର ଦେଖି ।

 

ଭୂମିକା ଆଗେଇ ଆସୁଥିଲା । ବେଡ଼ିଂ ଓ ଗୋଟିଏ ଛୋଟ ଲେଦର୍ ବକ‌୍‌ସ ଧରି ପଛେ ପଛେ ଆସୁଥିଲା ରିକ୍‌ସାବାଲା ।

 

ଭୂମିକାର ଆକସ୍ମିକ ଆଗମନ ଆଲ୍ଲାଦ୍ଦିନ୍‌ର ଭେଳିକି ପରି ମନେହେଉଥିଲା । ଅତୀତର ଅସ୍ତରଙ୍ଗ ସ୍ମୃତିର ମଧୁର ସ୍ଵର ଶୁଭିଯାଉଥିଲା । କ୍ଲାସରେ, କଲେଜ ପ୍ରାଙ୍ଗଣରେ, ନିଜ ଘରେ ଭୂମିକାକୁ ଦେଖିଛନ୍ତି । ଦୀର୍ଘ ସମୟ ଧରି ତା’ ସହିତ ମଧୁର ଆଳାପ କରିଛନ୍ତି । ସ୍ପର୍ଶ ନକଲେ ମଧ୍ୟ ଖୁବ୍ ନିକଟରେ ପାଇଛନ୍ତି । ସେଇ ଭୂମିକା ତାଙ୍କର ପ୍ରେୟସୀ-ମାନସୀ ଆଜି ଆସିଛି । ଆଶ୍ଚର୍ଯ୍ୟରେ ଅଭିଭୂତ କରାଇ ଦେଇଛି । ମଧୁମୟ ଅନୁଭବ କଲେ ତାଙ୍କ ହୃଦୟ ଉପକୂଳରେ ଆନନ୍ଦର ଶତ ଶତ ଢେଉ ମୁଣ୍ଡପିଟି ବିଲୀନ ହେଇଯାଉଛନ୍ତି । ଦେହର ବାଲୁକା ଶଯ୍ୟାରେ ଜଳକଣିକା ବିଞ୍ଚିହୋଇ ପଡ଼ିଛି । ସମୟର ବ୍ୟବଧାନ ମନକୁ ଉଦବେଳିତ କରିଛି—କରିଛି ଉନ୍ମାଦ ।

 

ଭୂମିକା ଆସୁଥିବାର ଦେଖି ଯେତିକି ଖୁସି ହେଲେ, ତାକୁ ସମ୍ମୁଖରେ ପାଇ ସେତିକି ବିବ୍ରତ ବୋଧକଲେ ମଧୁମୟ । ପୁରୀକୁ ବଦଳି ହୋଇ ଆସିବାର ପାଞ୍ଚବର୍ଷ ପରେ ଭୂମିକା ସହିତ ଏଇ ତାଙ୍କର ପ୍ରଥମ ଦେଖା । ୟା’ଭିତରେ ସେ ଭୂମିକାର ଖବର ରଖି ନଥିଲେ । ଦୂରରେ ରହି ନିଜର ପ୍ରେମକୁ ନିଗୂଢ଼ତର କରିଥିଲେ । ତାଙ୍କର ଧାରଣା, ପ୍ରେମିକାକୁ ନିତି ପାଖରେ ଦେଖିଲେ ମନରେ କାମଭାବ ସୃଷ୍ଟିହୁଏ । ପ୍ରେମରେ ଆବିଳତା ଦେଖାଦିଏ–ପ୍ରେମହୁଏ ନାରକୀୟ ।

 

ମଧୁମୟ ଘରକୁ ଆସି ଦେଖିଲେ କାନ୍ଥରେ ଟଙ୍ଗାହୋଇଥିବା ତାଙ୍କର ଫଟୋକୁ ଚାହିଁ ରହିଛି ଭୂମିକା ।

 

ମତେ ନ ଦେଖି ଫଟୋକୁ ଚାହିଁଛ କ’ଣ ? ମଧୁମୟଙ୍କର କଣ୍ଠସ୍ଵର ।

 

ଭୂମିକା ଫେରି ଚାହିଁଲା । ମଧୁମୟ ଚୁପି ଚୁପି ହସୁଛନ୍ତି । ଭୂମିକାର ନିକଟବର୍ତ୍ତୀ ହୋଇ ପଚାରିଲେ—ତମେ ଏମିତି ଶୁଖିଯାଇଛ କାହିଁକି ?

 

ଭୂମିକା ଜାଣେ ସେ ଝଡ଼ି ଯାଇଛି । ମଧୁମୟଙ୍କ ପ୍ରଶ୍ନରେ ବିବ୍ରତ ହେଲାନି । ଏଣୁ ତେଣୁ କଥାକହି ଭୁଲାଇବାକୁ ଚେଷ୍ଟାକଲା—ଝଡ଼ି ଯାଇନି ତ ! ଅନେକ ଦିନ ପରେ ଦେଖୁଛ ବୋଲି ମୁଁ ସେମିତି ଦେଖାଯାଉଛି । ବରଂ ତମେ ବହୁତ ଶୁଖିଲା ଦିଶୁଛ ।

 

ମଧୁମୟ ସଶବ୍ଦରେ ହସିଲେ । କହିଲେ—ଏମିତି ହଠାତ୍ ଚାଲି ଆସିଲ ଯେ ! ଆଗରୁ ତ ଖବର ଦେଇ ପାରିଥା’ନ୍ତ ।

 

ଆସିବାର କୌଣସି ଯୋଜନା ନଥିଲା । ଦୁଇଦିନ ତଳେ ପୁରୀକୁ ବଦଳି ଆଦେଶ ପାଇଥିଲି । ହଠାତ୍ ଚାଲିଆସିଲି । ଜଣାଇବାକୁ ସମୟ ପାଇନି । ପୁରୀରେ ତ କେହି ଜଣାଶୁଣା ଥିଲାପରି ମନେହେଉନି । ତେଣୁ ସ୍ଥିର କରିଛି ତମରି ପାଖରେ ରହିବି ।

 

ଭୂମିକା ରହିବା କଥା ଶୁଣି ମଧୁମୟ ଖୁସି ହେଲେ । କିନ୍ତୁ ବିସ୍ମିତ ହେଲେ ବଦଳି ଆଦେଶ ଶୁଣି । ଭୂମିକା ତେବେ ଚାକିରି କରିଛି ?

 

ମଧୁମୟଙ୍କ ମନକଥା ବୁଝିପାରି ଭୂମିକା କହିଲା—ପୁରୁଷମାନେ ପାଠ ପଢ଼ନ୍ତି ଚାକିରି କରିବାକୁ । ଚାକିରି କରନ୍ତି ନିଜକୁ ତଥା ନିଜ ପରିବାରକୁ ସୂଚାରୁରୂପେ ଚଳାଇବାକୁ । କିନ୍ତୁ ପାଠପଢ଼ା ନାରୀମାନଙ୍କର ଏକ ସଉକ । ଘରେ ବସି ବାରଆଡ଼ୁ ବାରକଥା ଚିନ୍ତାକରିବା ଅପେକ୍ଷା କୌଣସି କାମରେ ନିଯୁକ୍ତି ରହିବା ଶ୍ରେୟସ୍କର ମନେକରି ବାପ ମା’ ଝିଅମାନଙ୍କୁ ସ୍କୁଲ କଲେଜକୁ ପଠାନ୍ତି । ଯୋଗ୍ୟପାତ୍ର ମିଳିଗଲେ ପାଠ ପଢ଼ା ଶେଷ । ଅବଶ୍ୟ ନିହାତି ଅସ୍ଵସ୍ଥିକର ପରିସ୍ଥିତି ସୃଷ୍ଟି ହେଲେ ଝିଅମାନେ ଚାକିରି କରନ୍ତି ।

 

କେତେ ଦିନୁ ଚାକିରି କଲଣି ?

 

ଭୂମିକା ନିର୍ଲିପ୍ତ ସ୍ଵରରେ କହିଲା–ବି.ଏ. ପରୀକ୍ଷା ବର୍ଷ ବାପାଙ୍କର ମୃତ୍ୟୁ ହେଲା । ଭାଇ ଭଉଣୀଙ୍କୁ ଉପଯୁକ୍ତ ମଣିଷ କରିବାର ଦାୟିତ୍ଵ ପଡ଼ିଲା ମୋ ଉପରେ । ତେଣୁ ବାପାଙ୍କ ମୃତ୍ୟୁପରେ ଚାକିରିରେ ଯୋଗଦେଲି । ଚାକିରି ନକରି ଆଉ କିଛି ଉପାୟ ନଥିଲା ମଧୁମୟ ! ତମେ କୁହ, ମୁଁ କ’ଣ ଚାକିରି କରି ଭୁଲ୍‍ କରିଛି ?

 

ଶେଷ ଆଡ଼କୁ ଭୂମିକାର କଣ୍ଠ ଥରି ଉଠିଲା । ଆଖିଦୁଇଟି ଛଳ ଛଳ ହେଲା । ଅନ୍ୟଆଡ଼କୁ ମୁହଁ କରି ଲୁହ ପୋଛିଲା ଭୂମିକା । ମଧୁମୟ ବୁଝିଲେ ହୃଦୟର କେଉଁ ନିଭୃତକୋଣରେ ଭୂମିକାର ରକ୍ତ କ୍ଷରଣ ହେଉଛି । ସେଇ ନିରୁକ୍ତି ବେଦନାର ଯନ୍ତ୍ରଣା ତାକୁ କାତର କରିଛି । ମଧୁମୟଙ୍କ ଆଡ଼କୁ ଚାହିଁ ଭୂମିକା ଠିଆହେଲା । ତା’ର କାତର ଚାହାଣି ସ୍ପର୍ଶକଲା ମଧୁମୟଙ୍କ ହୃଦୟକୁ । ଅନ୍ୟ ନାରୀର ମନକୁ ଚିହ୍ନିବାର ସୁଯୋଗ ପାଇ ନଥିଲେ ମଧ୍ୟ ଭୂମିକାକୁ ଚିହ୍ନିବାରେ ତାଙ୍କର ଭୁଲ୍‍ ହୋଇନି । ଦୂରରେ ରହିଲେ ମଧ୍ୟ ତାଙ୍କର ଧାରଣା ଅପରିବର୍ତ୍ତିତ । ସେଥିପାଇଁ ତାଙ୍କର ପ୍ରତୀକ୍ଷା । ଯୌବନର ଉଦ୍ଦମତା ଅନେକ ଦିନରୁ ମରିଯାଇଛି । କେବଳ ଭୂମିକାକୁ ପାଇବା ଆଶାରେ ସେ ଚାହିଁ ରହିଛନ୍ତି । ଅନ୍ୟତ୍ର ବିବାହ କରିପାରିନାହାଁନ୍ତି । ଅବାଧ୍ୟ ହୋଇଛନ୍ତି ମାମୁଁ ମାଇଁଙ୍କର ।

 

ଭୂମିକାର ଚାହାଣିରୁ ମନେହେଲା ତା’ର ଭଗ୍ନ ବ୍ୟଥିତ ହୃଦୟ ହୁଏତ ଆଶ୍ଵାସ ଚାହୁଁଛି । ଧିର ଅଥଚ ନମ୍ର ସ୍ଵରରେ ସେ ଡାକିଲେ—ଭୂମି !

 

ଭୂମିକା ଆସି ତାଙ୍କ ପାଖରେ ଠିଆହେଲା । ତା’ପରେ ମଧୁମୟଙ୍କ ବକ୍ଷ ଉପରେ ଭାଙ୍ଗିପଡ଼ିଲା । ଅନେକ ଦିନର ରୁଦ୍ଧ ଅଶ୍ରୁ ତା’ର ହଠାତ୍ ଯେପରି ସହସ୍ର ଧାରାରେ ବହିଯିବାକୁ ଲାଗିଲା । ବକ୍ଷରେ ଜଡ଼ାଇ ଧରି ମଧୁମୟ ଅନୁଭବ କଲେ ଭୂମିକା ମନର ବ୍ୟଥା—ତା’ ପ୍ରାଣର କଥା ।

 

ଭୂମିକା ଭାବୁଥିଲା । ପୁରୀକୁ ଆସିବା ଏକ ମାସରୁ ବେଶି ହେଲାଣି । ଘରୁ ଗୋଡ଼ କାଢ଼ିଲାବେଳେ ମନିକା ଅନୁରୋଧ କରିଥିଲା, ସୁବିଧା ଦେଖି ମଝିରେ ମଝିରେ ଚିଠି ଦେବୁ ଅପା ! ରିକ୍‌ସା ନିକଟକୁ ଆସି ସାନଭାଇ ମୁଟୁ କହିଥିଲା, ପ୍ରତି ରବିବାର ଦିନ ତୁ ଚାଲିଆସିବୁ ଅପା ! ତୁ ନ ରହିଲେ ଘରଟା ଆଦୌ ଭଲଲାଗେନା । ଏ ମନିଅପାଟା ଖାଲି ମାରିବ, ଗାଳି ଦେବ ।

 

ରିକ୍‌ସାରେ ବସିବା ପୂର୍ବରୁ ଭୂମିକା ମନିକୁ ବୁଝାଇ କେତେ କ’ଣ କହିଥିଲା । ମୁଟୁକୁ ଲକ୍ଷ୍ୟ କରି କହିଥିଲା—ନାଇଁରେ ମୁଟୁ ! ମନିଅପା ଆଉ ମାରିବନି । ମୁଁ ଥିଲି ବୋଲି ତତେ ସେ ମାରୁଥିଲା । ମନ ଦେଇ ପଢ଼ାପଢ଼ି କରିବୁ । ଅଳି ଅଝଟ କରିବୁନି ।

 

ଭୂମିକା ଦେଖିଲା କବାଟକୁ ଆଉଜି ବୋଉ ଠିଆ ହୋଇଛି । ଟୁଟୁ କଲେଜ ଯାଇଛି । ବସ୍‍ ବେଳ ହୋଇ ଯାଉଥିବାରୁ ଭୂମିକା ରିକ୍‌ସାରେ ବସିଲା । ଘରୁ ବିଦାୟ ହୋଇ ଆସିଲାବେଳେ ଭୂମିକାର ଆଖି ଲୁହରେ ପୂରି ଯାଇଥିଲା । ଘର ଛାଡ଼ିବା ଏଇ ତା’ର ପ୍ରଥମ । ମନଟା ଏକା ଜଣା ପଡ଼ୁଥିଲା ।

 

ବସ୍‌ଷ୍ଟାଣ୍ଡରେ ଟୁଟୁ ସହିତ ଦେଖା ହେଲା । ଭାବିଥିଲା ଗଲାବେଳେ ଟୁଟୁ ସହିତ ହୁଏତ ଦେଖା ହୋଇପାରିବନି । ଟୁଟୁର ଆଖି ଛଳ ଛଳ ଦିଶୁଥିଲା । ମୁହଁଟା ଶୁଖି ଯାଇଥିଲା । ଭୂମିକା କହିଲା—ମତେ ସମୟ ହେବ କି ନାହିଁ । ତୁ ଟିକେ ବାହାଘର ବିଷୟ ବୁଝୁଥିବୁ । ଅଫିସ୍‍ ଠିକଣା ପଠାଇଲେ ମତେ ଜଣାଇବୁ । ଟଙ୍କା ପଇସାର ଦରକାର ହେଲେ ଚଳାଇନେବୁ । ମୁଁ ପରେ ପଠେଇବି ।

 

ଟୁଟୁ ନୀରବରେ ସମ୍ମତି ଜଣାଇଲା । ବସ୍ ଆସି ନଥିଲା । ଷ୍ଟାଣ୍ଡରେ ଭୂମିକା ଠିଆ ହୋଇଥିଲା । ଟୁଟୁ ପଚାରିଲା, ପୁରୀରେ କେଉଁଠି ରହିବୁ ବୋଲି ଠିକ୍ କରିଛୁ ?

 

ମଧୁମୟଙ୍କ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ଭୂମିକା କହିପାରିଲାନି । ଟୁଟୁ ସନ୍ଦେହ କରିପାରେ । ସେ ତ ଆଉ ଛୋଟ ପିଲା ହୋଇ ରହିନି ! ବୟସ ହେଲାଣି ମେଡିକାଲରେ ପଢ଼ୁଛି । ଆଉ ଦୁଇବର୍ଷ ପରେ ଡାକ୍ତର ହେବ । ଦୁନିଆକୁ ଚିହ୍ନିବାର ସମୟ ହେଲାଣି ତା’ର ।

 

ଭୂମିକା କହିଲା—ସେଠାରେ ମୋର ଜଣେ ବାନ୍ଧବୀ ଅଛି । ତା’ ଘରେ ରହିବି ବୋଲି ଭାବିଛି । ତେବେ କିଛି ଠିକ୍ କରିନି । ସେଠି ପହଞ୍ଚି ଯାହା କରିବାର କଥା କରିବି । ଟୁଟୁର ପିଠି ଥାପୁଡ଼େଇଲା ଭୂମିକା । ଖରାରେ ଆଉ କେତେ ସମୟ ଠିଆହେବୁ ! ବସ୍ ଆସିବାର ସମୟ ତ ହୋଇଗଲାଣି ! ଏଥର ତୁ ଯା ।

 

ଟୁଟୁ ଚାଲିଆସିବା ପରେ ଭୂମିକାର ବୋଉ କଥା ମନେପଡ଼ିଲା । ଆସିଲାବେଳେ କିଛି କହିଲାନି । ରହିବା କଥା ମଧ୍ୟ ପଚାରିଲାନି ! ଅଥଚ ଏଇ ଟୁଟୁ ତାକୁ ପଚାରୁଛି । ତା’ର ସୁବିଧା ଅସୁବିଧା ଜାଣିବାକୁ ଚାହୁଁଛି । ଭୂମିକାର ହୃଦୟ ସ୍ନେହସିକ୍ତ ହୋଇଉଠିଲା । ଛୋଟ ଭାଇ ଭଉଣୀଙ୍କର ମଙ୍ଗଳ କାମନାକରି ନୀରବରେ ଭଗବାନଙ୍କୁ ପ୍ରଣତି ଜଣାଇଲା ।

 

ଆସିବାର ପୂର୍ବଦିନ ରାତିରେ ବୋଉ କହିଥିଲା—ଭୂମି ! ନୂଆ ଜାଗା । ନିଜର ମାନସମ୍ମାନ ରଖି କାମ କରିବୁ । ସଂସାରର ପିଚ୍ଛିଳ ପଥରେ ପାଦ ଚିପି ଚିପି ଚାଲିବୁ !

 

ମନେ ମନେ ହସିଥିଲା ଭୂମିକା । ନୂଆହୋଇ ଘରୁ ଗୋଡ଼ କାଢ଼ିଲା ଦିନ ବୋଉ କିଛି କହିନଥିଲା । ଅଥଚ ନୂଆଜାଗାକୁ ଯାଉଛି ବୋଲି ବୋଉ ଆଜି ଉପଦେଶ ଦେଉଛି । ଭୂମିକାର ଇଚ୍ଛା ହେଉଥିଲା କହିବାକୁ—ଅର୍ଥର ଆବଶ୍ୟକତା ନେଇ ଘରୁ ଗୋଡ଼ କାଢ଼ିଛି ମୁଁ । ପେଟ ପୋଷିବାକୁ ହେଲେ ଖାଦ୍ୟ ଦରକାର । ଖାଦ୍ୟ ପାଇଁ ଟଙ୍କା ଲୋଡ଼ା । ଟଙ୍କା ରୋଜଗାର କରିବାକୁ ଇଚ୍ଛାକରିଛି ଯେତେବେଳେ ନିଜର ମାନସମ୍ମାନ ପ୍ରତି ଏତେଟା ସଚେତନ ହେବି କିପରି ? ମାନସମ୍ମାନକୁ ଧରି ବସିଲେ ତମମାନଙ୍କର ପେଟ ପୋଷିବି କିପରି ?

 

ଅଫିସରେ ଯୋଗଦେଇ ସେ ଘରକୁ ଚିଠି ଦେଇଥିଲା । ଟୁଟୁ ଆଜି ସେ ଚିଠିର ଉତ୍ତର ଦେଇଛି । କେତେଆଡ଼ୁ କେତେ କଥା ଲେଖିଛି, ଅଭିଯୋଗ କରିଛି ।—ମାସକରୁ ବେଶି ହେବ ତୁ ଗଲୁଣି । ଥରଟିଏ ଆସିଲୁନି । ଆମେ କ’ଣ ତୋର ମନେପଡ଼ୁନି ? ସତରେ ତୁ ଆମକୁ ଏତେଶୀଘ୍ର ଭୁଲିଗଲୁ ଅପା ? ପ୍ରତି ରବିବାର ଦିନ ମୁଟୁ ତତେ ଅପେକ୍ଷା କରୁଛି । ତୁ ନ ଆସିବାରୁ ମନଦୁଃଖରେ ଶୋଇ ଯାଉଛି ।

 

ଭୂମିକାର ଆଖିରେ ଲୁହ ଜକେଇ ଆସିଲା । ଇଚ୍ଛା ହେଲା ଏଇ ମୁହୂର୍ତ୍ତରେ କଟକ ଯାଇ ମୁଟୁକୁ ବକ୍ଷରେ ଚାପି ଧରନ୍ତା । କହନ୍ତା–ତୋ ଅପା ତୋତେ ଭୁଲିପାରିନିରେ ମୁଟୁ ! ଅବସ୍ଥା ଚକ୍ରରେ ଖାଲି ଦୂରେଇ ରହିଛି ସିନା ….

 

ଅଧାଥିବା ଚିଠିକୁ ପଢ଼ିଲା ଭୂମିକା । ଟୁଟୁ ଲେଖିଛି—ବିବାହ ପ୍ରସ୍ତାବ ମୁଁ କେତେ ଜାଗାରେ ପକାଇଛି । ସମସ୍ତେ ବହୁତ ଯୌତୁକ ଦାବି କରୁଛନ୍ତି । ଆମେ ତ ସେମାନଙ୍କର ଦାବି ପୂରଣ କରିପାରିବାନି । ତେଣୁ ନିରାଶ ହେବାକୁ ପଡ଼ୁଛି । ସେଥିପାଇଁ ବୋଉ ବହୁତ ବ୍ୟସ୍ତ । ତୁ କେତେ ଦୂର ଆଗଇଲୁ ଜାଣିବାକୁ ଚାହୁଁଛି । ଟଙ୍କା ପଇସା କଥା ତୁ ଚିନ୍ତା କରିବୁନି । ଏ ମାସରେ ମୁଁ ଲୋନ୍‌ ଟଙ୍କା ପାଇଛି । ଘରଖର୍ଚ୍ଚ ପାଇଁ ମନି ଅପାକୁ ମଧ୍ୟ ଦେଇଛି । ହଁ, ଆମର ଖାଲିଥିବା ଘରକୁ ଜଣେ ଡାକ୍ତରଙ୍କୁ ଭଡ଼ା ଦିଆଗଲା । ସେ ଏକା I ଘରଟି ଏକରକମ ଗୋଟିଏ ଲାବୋରଟାରୀରେ ପରିଣତ ହୋଇଗଲାଣି । ତାଙ୍କ ନିକଟକୁ କାଲି ଯାଇଥିଲି । ଶୁଣିଲି, କର୍କଟ ରୋଗର ଜୀବାଣୁ ନାଶକାରୀ ଔଷଧ ଉଦ୍ଭାବନ କରିବାକୁ ସେ ଲାବୋରଟାରୀ କରିଛନ୍ତି । ହସ୍‌ପିଟାଲରୁ ଚାକିରି ଛାଡ଼ି ଦେଇଛନ୍ତି ।

 

ଟୁଟୁର ଚିଠିକୁ ଆଉଥରେ ପଢ଼ିଲା ଭୂମିକା । ହସ ଲାଗିଲା । ଆସିଲାବେଳେ ଭୂମିକା କହି ଆସିଥିଲା ଘରର ଖବର ଜଣାଇବାକୁ; ସଂକ୍ଷିପ୍ତ ଏକ ଚିଠିରେ ଟୁଟୁ ଘରଖବର ଜଣାଇଛି । ଘରଖବରକୁ ବାଦଦେଲେ ଆଉ କିଛି ଲେଖିନି । ଏହାଛଡ଼ା ଟୁଟୁ ଅଧିକ କ’ଣ ଲେଖି ପାରିଥା’ନ୍ତା ?

 

ମଧୁମୟ ଆସି ଘରେ ପଶିଲେ । କ’ଣ ଏତେ ଭାବୁଛ କୁହ ତ ?

 

ଚମକି ଉଠିଲା ଭୂମିକା । ଭାବନାକୁ ସଂଯତ କରିନେଇ କହିଲା—ନାଇଁ, ସେମିତି କିଛି ନୁହେଁ । ଟୁଟୁ ଆଜି ଚିଠି ଦେଇଥିଲା । ସେଇଟିକୁ ପଢ଼ୁଥିଲି ।

 

ଭୀଷଣ ଭୋକ ହେଲାଣି । କିଛି ଖାଇବାକୁ ଦିଅନ୍ତନି ?

 

ଚିଠିକୁ ଖଟ ଉପରେ ଫୋପାଡ଼ି ଦେଇ ଭୂମିକା ଉଠିପଡ଼ିଲା ? ତମେ ବସିଥାଅ । ମୁଁ ଏଇ ସାଙ୍ଗେ ସାଙ୍ଗେ ଆଣୁଛି ।

 

ତର ତର ହୋଇ ଭୂମିକା ଘରୁ ବାହାରିଗଲା ।

 

ମଧୁମୟ ଖଟ ଉପରେ ବସିପଡ଼ିଲେ । ଦେହଟା କ୍ଳାନ୍ତ ଲାଗୁଛି । ଆଜି କେତେକ ଅଧିକ କ୍ଲାସ ନେବାକୁ ହେଲା । ପାଟି କରି କରି ମୁଣ୍ଡ ବିନ୍ଧୁଛି । ଆଃ ! ଭୂମିକା ଟିକିଏ ପାଖରେ ରହିଥିଲେ ହୋଇ ନଥା’ନ୍ତା ? ମୁଣ୍ଡଟା ଚିପିଦିଅନ୍ତା । କେତେ ଭଲଲାଗେ ଭୂମିକାକୁ ଦେଖିଲେ ! ଇଚ୍ଛାହୁଏ ପାଖରେ ବସାଇ ଗପ କରିବାକୁ ।

 

ଖଟ ଉପରୁ ଉଠିପଡ଼ିଲେ ମଧୁମୟ । ଭୂମିକାକୁ ଡାକିବେ, ପାଖରେ ବସାଇବେ । ନା, ଥାଉ । ହୁଏତ ସେ ଆସିବନି । ଜଳଖିଆ ପ୍ରସ୍ତୁତ କରି ନ ସାରିଲେ ଯେତେ ଡାକିଲେ ବି ଶୁଣିବନି । ମଧୁମୟ ଭାବୁଥିଲେ...ଭୂମିକା ଏକ ପ୍ରହେଳିକା । ବୁଝି ହୁଏନି—ଜାଣି ହୁଏନି । ଏତେ ନିକଟରେ ପାଇ ମଧ୍ୟ ସହଜରେ ବିଶ୍ଳେଷଣ କରି ହୁଏନି ।

କିନ୍ତୁ ମଧୁମୟଙ୍କ ପାଇଁ ତା’ର ଏତେ ଅନୁରାଗ କାହିଁକି ? ମଧୁମୟ ତାକୁ ପଚାରିଛନ୍ତି । ଥରେ ନୁହେଁ—ବହୁତ ଥର । ଜାଣିବାକୁ ଚାହିଁଛନ୍ତି ଏହି ପ୍ରଶ୍ନର ଉତ୍ତର । କିନ୍ତୁ ଭୂମିକା କିଛି ଉତ୍ତର ଦିଏନି । ମିଠା ମିଠା ହସିଦେଇ ନିଜ କାମରେ ମନଦିଏ । ମଧୁମୟ କିଛି ବୁଝିପାରନ୍ତି ନାହିଁ । ଆଉଥରେ ପଚାରିବାକୁ ଇଚ୍ଛା ହୁଏନି । ନିରୋଳାରେ ଚିନ୍ତା କରନ୍ତି—ଲକ୍ଷ୍ୟ କରନ୍ତି ବସି ବସି । ତାଙ୍କ ପାଇଁ ଭୂମିକା ବ୍ୟଥିତ—ଉଦବେଳିତ, ବ୍ୟାକୁଳ । ସାମାନ୍ୟ ଦେହ ଖରାପ ହେଲେ ପାଖରେ ଜଗିବସେ-। ନ ଖାଇଲେ ବିରକ୍ତ ହୁଏ । ହାତ ଧରି ଟାଣେ । ପାଖରେ ବସି ଖାଇବାକୁ ଦିଏ । ସେ କଲେଜକୁ ଗଲାପରେ ନିଜେ ଅଫିସ୍‍କୁ ଯାଏ ।

ବେଶି ପରିଶ୍ରମ ପଡ଼ିବ ବୋଲି ମଧୁମୟ ତାକୁ ବାରଣ କରିଛନ୍ତି । ଘରେ ରୋଷେଇର ବନ୍ଦୋବସ୍ତ ନକରି ହୋଟେଲରୁ ମଗାଇ ଖାଇବାକୁ କହିଛନ୍ତି । ଭୂମିକା ହସେ ! କହେ—ସବୁଦିନ ହୋଟେଲରେ ଖାଇଲେ ପଇସା ବେଶି ଖର୍ଚ୍ଚ ହେବ । ତା’ଛଡ଼ା ପେଟ ଖରାପ ହେବ । ପୁଣି ପଚାରେ—ମୋ ହାତ ରନ୍ଧା ଖାଇବାକୁ ବୋଧେ ପସନ୍ଦ ଲାଗୁନି ?

ମଧୁମୟ ନମ୍ର ସ୍ଵରରେ କହନ୍ତି–ମତେ ଭୁଲ୍‍ ବୁଝନି ଭୂମି ! ତମକୁ ପରିଶ୍ରମ ପଡ଼ିବ ବୋଲି ମୁଁ କହୁଛି ।

ଭୂମିକା ସହଜ ହୋଇଯାଏ । ପରିଶ୍ରମ ନକଲେ ବଞ୍ଚିବ କେମିତି ?

ମଧୁମୟ ଜବାବ ଦିଅନ୍ତିନି । ଭୂମିକାକୁ ଜବାବ ଦେବା ବୃଥା । ପୂର୍ବରୁ ହୋଟେଲରେ ଖାଉଥିଲେ ମଧ୍ୟ ଭୂମିକା ଆସିବା ପରଠାରୁ ମଧୁମୟ ଘରେ ଖାଉଛନ୍ତି । କଲେଜରୁ ଫେରିବା ବାଟରେ ପରିବାପତ୍ର ଆଣନ୍ତି । ବେଳେବେଳେ ଭୂମିକା ମଧ୍ୟ ଆଣିଥାଏ ।

 

ମଧୁମୟ ଅନୁଭବ କରନ୍ତି ଏଣିକି ଭୂମିକା ଗମ୍ଭୀର ହୋଇଯାଉଛି । ଦରକାର ନ ପଡ଼ିଲେ କଥାବାର୍ତ୍ତା କରୁନି । କଥାଗୁଡ଼ିକ ମଧ୍ୟ ଖୁବ୍ ସଂକ୍ଷିପ୍ତ । ଅନେକ ସମୟରେ ଚୁପ୍‌ଚାପ୍‌ ବସି ଚିନ୍ତା କରୁଛି । ପଚାରିଲେ ଉତ୍ତର ନାହିଁ । ଏଣୁତେଣୁ କହି ଭୁଲାଇ ଦେଉଛି । ଆଶ୍ଚର୍ଯ୍ୟ ହୁଅନ୍ତି ମଧୁମୟ । ଅତୀତର ଭୂମିକା ସହିତ ତୁଳନା କରନ୍ତି ବର୍ତ୍ତମାନର ଭୂମିକାକୁ । ଇସ୍ ! କେତେ ତଫାତ୍‌ ! କୁଆଡ଼େ ଗଲା ତା’ର ସେଇ ଛଳଛଳ କଳକଳ ହସ ? କୁଆଡ଼େ ଗଲା ତା’ର ସେଇ ଛନ୍ଦମୟ ଚାଲି ? ଗୀତିମୟ ଜୀବନ ? ଦିନକୁ ଦିନ ଭୂମିକା ନିଜ ପ୍ରତି ଏତେ ଉଦାସ କାହିଁକି ? ନିଜକୁ ନିଜେ ପ୍ରଶ୍ନ ପଚାରନ୍ତି ମଧୁମୟ । ଉତ୍ତର ପାଆନ୍ତି ନାହିଁ ।

 

ସେଦିନ ଭୂମିକା ବଗିଚାରେ ବୁଲୁଥିଲା । ଜହ୍ନରାତି । ମୃଦୁମଳୟର ପରଶ ପାଇ ହସିଉଠୁଛି ଫୁଲରାଣୀ । କରବୀର ଗଛମୂଳେ ଗୋଟିଏ ଡାଳକୁ ଧରି ଭୂମିକା ଚାହିଁଛି ଆକାଶକୁ । ହୁଏତ କିଛି ଭାବୁଛି ।

 

ମଧୁମୟ ଚାହିଁଲେ ଭୂମିକାକୁ । ଭଲ ଲାଗୁଥିଲା ବୈଶାଖର ଏଇ ରାତି । ପାଖକୁ ଯାଇ ପଚାରିଲେ—କେତେଦିନ ଏମିତି ଏକା ଏକା ଚାହିଁରହିଥିବ ଏଇ ଚିତ୍ରିତ ଆକାଶକୁ ?

 

ହୁଏତ ସାରା ଜୀବନ—ସେମିତି ଆକାଶକୁ ଚାହିଁରହି ଉଦାସ କଣ୍ଠରେ କହିଲା ଭୂମିକା-

 

କିନ୍ତୁ କାହିଁକି ?

 

ଭୂମିକା କିଛି ଉତ୍ତର ଦେଲାନି । ଆହୁରି ନିକଟବର୍ତ୍ତୀ ହୋଇ ମଧୁମୟ କହିଲେ—ତମେ ତ ଜାଣ, ମାମୁଁ ମାଇଁ ମତେ ମଣିଷ କରିଛନ୍ତି । ତାଙ୍କୁ ଦୁଃଖ ଦେଲା ଭଳି କୌଣସି କାମ କରିବାକୁ ମୋର ଇଚ୍ଛା ନାହିଁ । ମୋ ବାହାଘର ବିଷୟ ନେଇ ସେମାନେ ଖୁବ୍ ବ୍ୟସ୍ତ । ତମକୁ ବୋହୂକରି ନେଲେ ମାଇଁ ଖୁସି ହେବେ । ମୁଁ ମଧ୍ୟ ଆନନ୍ଦ ପାଇବି । ତମ ନିକଟକୁ ଖଣ୍ଡେ ଚିଠି ଦେଇଥିଲି । ଉତ୍ତର ଦେଲନାହିଁ । ତମଠାରୁ କିଛି ଜବାବ ନ ପାଇ ମାଇଁଙ୍କ ନିକଟକୁ ମୁଁ ଆଉ ଚିଠି ଦେଇନି । ତମେ ମଧ୍ୟ କିଛି କହୁନ । ଅବଶ୍ୟ ସାରା ଜୀବନ ବାହା ନହୋଇ ତୁମ ନିକଟରେ ରହିବାକୁ ମୋର କିଛି ଆପତ୍ତି ନାହିଁ । କିନ୍ତୁ ମାମୁଁ ମାଇଁଙ୍କ ବ୍ୟସ୍ତତା ଦେଖି ମୁଁ ତମର ମତାମତ ଜାଣିବାକୁ ଚାହୁଁଛି । ଏ ବିଷୟରେ ତମେ କ’ଣ ଭାବୁଛ ?

 

ଭୂମିକା ଗମ୍ଭୀର ହୋଇଗଲା । ମଧୁମୟଙ୍କୁ ଚାହିଁ କହିଲା–ଚାକିରି କରିବା ପରଠାରୁ ମୁଁ ନିଜ ବିଷୟରେ ଭାବିନି । ବର୍ତ୍ତମାନ ମଧ୍ୟ ଭାବୁନି । ମନିକା କଥା ମୋର ଚିନ୍ତାର ବିଷୟ । ଉପଯୁକ୍ତ ପାତ୍ର ସହିତ ତା’ର ବିବାହ ଶେଷ କଲେ ମୁଁ ନିଶ୍ଚିତ ହେବି ।

 

ଆଉ କିଛି ନ କହି ଏକରକମ ଦଉଡ଼ି ଦଉଡ଼ି ଘରକୁ ଚାଲିଆସିଲା ଭୂମିକା । ଇଚ୍ଛା ଥିଲେ ମଧ୍ୟ ମଧୁମୟ କିଛି କହିପାରିଲେ ନାହିଁ । କହିବାକୁ ସୁଯୋଗ ପାଇନାହାଁନ୍ତି । ଘରକୁ ଆସି ଦେଖିଲେ ଭୂମିକା କାନ୍ଦୁଛି । ରହି ରହି ତା’ର ସମସ୍ତ ଅବୟବ ଥରି ଉଠୁଛି । ମଧୁମୟ କିଛି କହିଲେନି । ଆଶ୍ୱାସନା ପାଇ ଅଶ୍ରୁର ନିର୍ଝରିଣୀ ବେଗଗାମୀ ହେବ ସିନା, ଥମି ଯିବନି । ମନର ବ୍ୟଥା ଆଖିର ଲୁହ ଦେଇ ଝରଝର ଝରିପଡ଼ିଲେ ମନ ହୁଏତ ଶାନ୍ତ୍ୱନା ପାଇବ । ଅବିରାମ ବର୍ଷା ପରେ ଆକାଶ ନିର୍ମଳ ଦିଶିଲା ପରି ମନ ହେବ ଶାନ୍ତ—ସୁନ୍ଦର—କମନୀୟ ।

 

ମଧୁମୟ ମାଇଁଙ୍କ ନିକଟକୁ ଚିଠି ଦେଇଥିଲେ । ଲେଖିଥିଲେ—ବିବାହର ପ୍ରୟୋଜନ ପଡ଼ିଲେ ମୁଁ ଜଣାଇବି । ତମେ ବ୍ୟସ୍ତ ହେବନି । ତମର କର୍ତ୍ତବ୍ୟ ତମେ କରୁଛ । ହେଲେ ମୋ ଭାଗ୍ୟକୁ ତ ବଦଳାଇ ଦେଇ ପାରିବନି ।

 

ମାଇଁ ଚିଠି ଦେଇ ନାହାଁନ୍ତି ।

 

ମଧୁମୟ ମଧ୍ୟ ଭୂମିକାକୁ ଏ ବିଷୟରେ କିଛି ପଚାରି ନାହାଁନ୍ତି ।

 

ଜଳଖିଆ ହାତରେ ଧରି ଭୂମିକା ଘର ଭିତରକୁ ପଶି ଆସୁଛି । ମୁହଁରେ ମହନୀୟ ଶାନ୍ତିର ଏକ ଅବର୍ଣ୍ଣନୀୟ ଆଭା । ମଧୁମୟ ହାତ ଧୋଇବାକୁ ଉଠିଲେ ।

 

ମଧୁମୟ ଆଶ୍ଚର୍ଯ୍ୟ ହେଲେ । —ତମେ ଏ କ’ଣ କହୁଛ ମାଇଁ ?

 

ମୁଁ ଭୁଲ୍ କହୁନିରେ ! ତତେ ମିଛ କହି କିଛି ଲାଭ ନାହିଁ । ରକ୍ତ ଦେଇ ଜନ୍ମ କରିନି ସିନା, ପିଲାଟି ଦିନରୁ ଲାଳନପାଳନ କରିଛି ତ ! ଜନ୍ମଦାତ୍ରୀଠାରୁ ପାଳନକର୍ତ୍ତୀ କ’ଣ ବଡ଼ ନୁହେଁ ? ମହାନ୍ ନୁହେଁ ? ପାଳିତ ସନ୍ତାନ ପାଇଁ ତା’ ମନ କ’ଣ କାନ୍ଦେନି ? ମାଇଁ କ’ଣ ମା’ ହୋଇପାରେନି ? ତତେ କୋଳରେ ପୂରାଇ ସନ୍ତାନ ଦୁଃଖ ଭୁଲିଛି । ତତେ ମଣିଷ କରି ମା’ର କର୍ତ୍ତବ୍ୟ କରିଛି । ତୋର ସୁଖ ଦେଖିବା ମୋର କ’ଣ ଆନ୍ତରିକ ଇଚ୍ଛା ନୁହେଁ ?

 

ଭୁଲିଯାଇଥିବା ମା’ର ସ୍ମୃତି ହଠାତ୍‍ ଚେଇଁ ଉଠିଲା ମଧୁମୟଙ୍କ ଅନ୍ତରରେ । ମା’ର ଏକ ଶାନ୍ତମୂର୍ତ୍ତି ତାଙ୍କ ଆଖି ଆଗରେ ଭାସି ଉଠିଲା । ମଧୁମୟ ଚାହିଁଲେ ମାଇଁଙ୍କ ମୁହଁକୁ । ହସହସ, ପ୍ରଶାନ୍ତ, କମନୀୟ । ପରକୁ ଆପଣାର କରିନେବାର ଭାବ । ଉଦାର–ଶାନ୍ତ । ଏଇ ତାଙ୍କର ମା’, ମାଇଁ—ସବୁକିଛି । ତାଙ୍କରି ଆଦର ଯତ୍ନରେ ସେ ଆଜି ମଣିଷ । ଜନ୍ମକଲା ବାପ ମା’ଙ୍କ ଦୁଃଖ ଭୁଲିଛନ୍ତି । ମଧୁମୟଙ୍କର ଇଚ୍ଛା ହେଉଥିଲା କହିବାକୁ—ତମେ ମୋର ମାଇଁ ନୁହେଁ…ମା’ । —ସ୍ୱର୍ଗାଦପି ଗରିୟସୀ ।

 

ମଧୁମୟଙ୍କ ଅନ୍ତରରେ ନପାଇବାର କଳ୍ପିତ ଅନୁଭୂତି ତୀବ୍ରରୁ ତୀବ୍ରତର ହେଲା । ଯନ୍ତ୍ରଣା କାତର କଣ୍ଠରେ କହିଲେ—ସବୁ ଜାଣିସାରିଲା ପରେ ତମେ ଏକଥା କିପରି କହୁଛ ମାଇଁ ? କିପରି ତମକୁ ବୁଝାଇବି ଭୂମିକାକୁ ବାଦ୍‌ ଦେଲେ ମୋ ଜୀବନର ମାନେ କିଛି ହୋଇପାରେନା । ଭୂମିକାକୁ ଛାଡ଼ି ମୁଁ ଅନ୍ୟତ୍ର ବିବାହ କରିପାରିବିନି । ନା…ନା...ମାଇଁ ବିବ୍ରତ ହେଲେ । ହଠାତ୍ କିଛି କହିପାରିଲେ ନାହିଁ । ଏତେ ବଡ଼ ଅପ୍ରିୟ ସତ୍ୟକୁ କିପରି ସେ ପ୍ରକାଶ କରିବେ ? କିପରି ସେ କହିବେ ଭୂମିକା ବିବାହ କରିବାକୁ ରାଜି ନୁହେଁ ? ମଧୁମୟ କ’ଣ ବିଶ୍ୱାସ କରିବେ ? ତଥାପି କହିବାକୁ ହେବ । ଭୂମିକା ଲେଖିଛି—ଯେମିତିହେଲେ ମଧୁମୟଙ୍କୁ ରାଜି କରାଇବ ମାଇଁ । ହଁ, ସେ ମଧୁମୟଙ୍କୁ ରାଜି କରାଇବେ । ନାରୀ ସେ । ସେ ବୁଝିଛନ୍ତି ନାରୀର ହୃଦୟ । ପରିବାର ପାଇଁ ନାରୀର କର୍ତ୍ତବ୍ୟ ଅଛି । ପରିସ୍ଥିତି ଭୂମିକାକୁ ବାଧ୍ୟ କରିଛି । ସେଥିପାଇଁ ସେ ମଧୁମୟର ଅନ୍ୟତ୍ର ବିବାହ କାମନା କରୁଛି । ନିଜର ପ୍ରେମିକକୁ ଅନ୍ୟ ଏକ ନାରୀ ସହିତ ବାନ୍ଧି ଦେବାକୁ ଚାହୁଁଛି । କିନ୍ତୁ କାହିଁକି ? କାହିଁକି ନାରୀ ତ୍ୟାଗର ମନ୍ଦିର ତୋଳେ-? କ’ଣ ମିଳେ ତାକୁ ଏଇ ଆଦର୍ଶବାଦରୁ ? ଭୂମିକା ଲେଖିଛି—ତମେ ମତେ ବିଶ୍ୱାସ କର ମାଇଁ । ମୁଁ ତମର ଝିଅ ଭଳି । ତମ ଘରକୁ ବୋହୂ ହୋଇ ଯାଇଥିଲେ ସୁଖୀ ହୋଇଥା’ନ୍ତି । ଯାଇପାରିଲିନି ବୋଲି ଦୁଃଖ ନାହିଁ । କିନ୍ତୁ ତମେ ଯଦି ମୋତେ ଝିଅ ଭଳି ମନେ ନ କର, ସତ କହୁଛି ମାଇଁ ମତେ ଭୀଷଣ କଷ୍ଟହେବ । ଜୀବନ ସାରା ଦୁଃଖ ହେବ—ଲୁହ ବଦଳରେ ଲହୁ ଝରିବ । ମଧୁମୟଙ୍କର ବିବାହ ନିମନ୍ତେ ପାତ୍ରୀ ଠିକ୍ କରିଛି । ଦେଖିବାକୁ ଠିକ୍ ମୋ’ଭଳି । ଭୂମିକା ବଦଳରେ ତମେ ଦ୍ୱିତୀୟ ଭୂମିକା ପାଇବ । ମଧୁମୟଙ୍କ ସୁନାର ସଂସାର ଦେଖି ମୁଁ ଦୂରରେ ରହି ଖୁସି ହେବି-

 

କି ଦରକାର ଥିଲା ଏଇ ଦ୍ୱିତୀୟ ଭୂମିକାର ? ସେ ତ ଭୂମିକାକୁ ଚାହିଁଥିଲେ । ଦ୍ଵିତୀୟ ଭୂମିକାକୁ ନୁହେଁ । ମାଇଁଙ୍କର ହୃଦୟ ଶୀତଳ ହୋଇ ଆସିଲା । ଭୂମିକା ତାଙ୍କର ଝିଅ ଭଳି । ତା’ କଥା ରଖିବେ ।

 

ମନରେ ବିଶ୍ଵାସ ଅବିଶ୍ଵାସର ବିରାଟ ପ୍ରଶ୍ନବାଚୀ, ସତରେ ଭୂମିକାର ଏହା କ’ଣ ଆନ୍ତରିକ ଅଭିପ୍ରାୟ ? କିନ୍ତୁ ମଧୁମୟ କେତେଦିନ ଆଉ ଅପେକ୍ଷା କରିବ ? ମଧୁମୟକୁ ବୁଝାଇବାକୁ ଚେଷ୍ଟାକଲେ ମାଇଁ । ସନ୍ତାନର ସୁଖ କାମନା କରିବା ପ୍ରତ୍ୟେକ ମା’ର କର୍ତ୍ତବ୍ୟ ? ତୋରି ଭଲପାଇଁ ମୁଁ କହୁଛି ମଧୁ ! ତୁ ନାହିଁ କରନା । ଭୂମିକାକୁ ତୁ ଭଲପାଉ । କିନ୍ତୁ କ’ଣ କରାଯିବ । ଭାଗ୍ୟ ହାତରେ ମଣିଷ କ୍ରୀଡ଼ନକ ମାତ୍ର । ଆଖି ପିଛୁଳାକେ ମଣିଷର କଳ୍ପନା, ଆଶା, ଆକାଙ୍‌କ୍ଷା ସବୁ ଜୀବନ୍ତ ସମାଧି ନିଏ । ଚେଷ୍ଟାକରି ମଧ୍ୟ ମଣିଷ କିଛି କରିପାରେନି । ଭାଗ୍ୟକୁ ଜିଣିବା ମଣିଷ ପକ୍ଷେ ବିଡ଼ମ୍ବନା, ଦୁଃସାଧ୍ୟ–ନାରୀ ମନକୁ ତୁ ଚିହ୍ନିନୁ ମଧୁ ! ନାରୀ ଚରିତ୍ରକୁ ବିଶ୍ଳେଷଣ କରିନୁ । ନିଜେ ରାଜି ନହେଲେ ତାକୁ କେହି ରାଜି କରାଇ ପାରିବେନି । ଈଶ୍ଵରଙ୍କ ସୃଷ୍ଟିରେ ନାରୀର ସୃଷ୍ଟି ବିଚିତ୍ର—ଅଭିନବ—ପ୍ରହେଳିକା; ନଦୀ ଭଳି ତା’ର ମନ କେଉଁଆଡ଼କୁ କେତେବେଳେ ଗତିକରେ ତାହା ଅନୁମାନ କରିବା କଷ୍ଟକର ।

 

ମଧୁମୟ ଭାବୁଥିଲେ ଭୂମିକା କଥା । ଭୂମିକା ଦିନେ କହିଥିଲା—ସବୁ ପ୍ରେମିକା ସ୍ତ୍ରୀ ହୋଇ ପାରନ୍ତିନି । ଏହାଛଡ଼ା ପ୍ରେମ ଏବଂ ବିବାହ ଭିନ୍ନ ଭିନ୍ନ । ପ୍ରେମ ଭିତରେ ବିବାହର ଲକ୍ଷ୍ୟଥିଲେ ପ୍ରେମ ଉପଭୋଗ୍ୟ ହୁଏନାହିଁ । ପ୍ରେମ ଅମୂଲ୍ୟ; ପ୍ରେମର ମାଦକତା ବିବାହରେ ଦୁଃସ୍ଵପ୍ନ । ସେହିପରି ବିବାହ କରି ତେଲ-ଲୁଣର ସଂସାର ଭିତରେ ପ୍ରେମର ମାଦକତା ଖୋଜିବା ବୃଥା । ବିବାହ କଲେ ଯେ ଅନ୍ତରରୁ ପ୍ରେମିକ, ପ୍ରେମିକାଙ୍କର ସ୍ମୃତି ଲିଭିଯିବ ଏହା ଭାବିବା ଠିକ୍ ନୁହେଁ । ନିଜର ସ୍ତ୍ରୀ କିମ୍ବା ସ୍ଵାମୀକୁ ଭଲ ପାଇଲେ ମଧ୍ୟ ନିର୍ଜନରେ ଅତୀତ ଜୀବନ୍ତ ହୋଇଉଠେ । ବିସ୍ମୃତିର କବର ଫଟାଇ ପ୍ରେମିକ ପ୍ରେମିକା ଏକାଠି ହୁଅନ୍ତି, ହସନ୍ତି–ଆଖିରୁ ଲୁହ ଝରାନ୍ତି । ୟା’ରି ଭିତରେ କ’ଣ ପ୍ରକୃତ ପ୍ରେମ ନାହିଁ ? ତ୍ୟାଗ ଭିତରେ କେବଳ ପ୍ରେମର ମହତ୍ଵ–ପାଇବା ଭିତରେ ନୁହେଁ ।

 

ମଧୁମୟ ଶୁଣିଲେ ମାଇଁ କହୁଛନ୍ତି—ତ୍ୟାଗ କରି ଭୂମିକା ପ୍ରେମର ବୈଜୟନ୍ତୀ ଉଡ଼ାଇବାକୁ ଯାଉଛି । ଅଥଚ ତୁ…. ।

 

ମଧୁମୟଙ୍କ ମନରେ ଭୟ । ସେଦିନ କହିଥିବା ଭୂମିକାର ଉକ୍ତିକୁ ମାଇଁ ଆଜି ପୁନରାବୃତ୍ତି କରି ତା’ ମନକୁ ଦୁର୍ବଳ କରି ଦେବେନି ତ !

 

କିଛି ସମୟ ନୀରବ ରହି ମାଇଁ ପୁଣି କହିଲେପାଠ ପଢ଼ି ତୁ ବହୁତ କଥା ଜାଣିଛୁ । ମୁଁ କିନ୍ତୁ ମୂର୍ଖଲୋକ । ସ୍କୁଲ, କଲେଜ ଯାଇନି । ତେବେ ଜାଣିଛି ସବୁକଥା ବହି ପଢ଼ି ଜାଣି ହୁଏନି । ଅନୁଭୂତି ମଧ୍ୟ ସବୁକଥାକୁ ଠିକ୍ ରୂପେ ଜଣାଇ ପାରେନା । ଘରସଂସାର କରି, ବାର ଲୋକଙ୍କ ମୁହଁରୁ ବାରକଥା ଶୁଣି କେତେକଥା ଜାଣିହୁଏ । ବିଶ୍ଳେଷଣକରି ସତ୍ୟାସତ୍ୟ ବୁଝିହୁଏ । ନିଜର ବୁଦ୍ଧି, ବୟସର ପରିପକ୍ଵତା ହିଁ ମଣିଷକୁ ଭଲମନ୍ଦର ସୂଚନା ଦିଏ । ଦୂରଦୃଷ୍ଟି ମଧ୍ୟ ସାହାଯ୍ୟ କରେ-। ଏତେ ପାଠ ପଢ଼ି ତୁ ଯାହା ଜାଣିପାରିଲୁନି, ଚୁଲିମୁଣ୍ଡରେ ବସି ମୁଁ ସେ କଥା ଜାଣିପାରିଛି । ଭୂମିକା ନିଜେ ନାହିଁ କରିଛି । ସେଥିପାଇଁ ମୁଁ ତତେ ବାଧ୍ୟ କରୁଛି । ତୁ କ’ଣ ତୋ ମା’ର କଥା ରଖିବୁନି ମଧୁ ?

 

ଶେଷ ଆଡ଼କୁ ମାଇଁଙ୍କର ସ୍ଵର ଥରି ଉଠିଲା । ମଧୁମୟ କିଛି ବୁଝିପାରୁନଥିଲେ । ବୋକାଙ୍କ ଭଳି ଚାହିଁ ରହିଥିଲେ । ଅନ୍ଧାର….ଚାରିଆଡ଼େ ଅନ୍ଧାର । ନିବିଡ଼ ଅନ୍ଧକାର । ସେଇ ଅନ୍ଧକାର ଭିତରେ ଆଲୋକ ଖୋଜୁଥିଲେ ମଧୁମୟ । ଟିକିଏ ଆଲୋକ–ଆଶା, ଉପାୟ । କିନ୍ତୁ ଆଲୋକ କାହିଁ ? କାହିଁ ତାଙ୍କର ମୁକ୍ତି ? କି ଉପାୟ ସେ କରିବେ ? ଓଃ….ଭୂମିକା ! ତମେ ଏତେ ନିଷ୍ଠୁର ହେଲ କାହିଁକି ? କାହିଁକି ତମେ ଏ ବିବାହରେ ସମ୍ମତି ଦେଲନି ? ଏ କ’ଣ ତମ ମନର କଥା ? ଜୀବନର ଶେଷ କଥା ? କାହିଁକି ତମେ ନାରୀ ମନର ଆଶାକୁ ପୋଡ଼ି ଜାଳି ପାଉଁଶ କରିଦେଲ ? କାହିଁକି ? କାହିଁକି ?

 

ପ୍ରଶ୍ନର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ଯାଉଥିଲେ ମଧୁମୟ । କିନ୍ତୁ ଉତ୍ତର କାହିଁ ?

 

ପ୍ରେମିକ ମନ ତାଙ୍କର ବିରହୀ ଚକୋରର ବ୍ୟଥା ନେଇ ବିଳପି ଉଠୁଥିଲା । ସତେ କ’ଣ ଏ ରାତି ଆଉ ପାହିବନି ? ପ୍ରାଣର ଚକୋରୀ ତାଙ୍କର ମିଳନ ଆଶାରେ ଧାଇଁ ଆସିବନି ।

 

ବସି ବସି ଭୂମିକାର ସ୍ମୃତିକୁ ସାଉଁଟୁ ଥିଲେ ମଧୁମୟ । ଏକାଠି କରି ଧରି ରଖିବାକୁ ଚେଷ୍ଟା କରୁଥିଲେ । ଭୂମିକାକୁ ଅତି ନିକଟରେ ପାଇ ନିଜର କରିପାରିଲେନି । ନାରୀ ନିଜେ ଧରା ନଦେଲେ ତାକୁ ଧରି ରଖିବା କଷ୍ଟକର । ଚେଷ୍ଟା କରିବା ମଧ୍ୟ ବୃଥା । ଅପଚେଷ୍ଟା ମାତ୍ର ।

 

ଭୂମିକା କ’ଣ ଧରାଦେଇ ନଥିଲା ? ତାକୁ ଚିହ୍ନିବାର ସୁଯୋଗ ଦେଇ ନ ଥିଲା ? ମଧୁମୟ ଧରିପାରିଲେନି । ଚିହ୍ନିପାରିଲେନି, ପ୍ରେମ ଅନ୍ଧ, ପ୍ରେମିକ ଅନ୍ଧ; ପ୍ରେମନିଶା ମଧୁମୟଙ୍କୁ ମାତାଲ କରିଥିଲା । ଭୂମିକାକୁ ସେ ଜାଣିପାରିଲେ ନାହିଁ । ତା’ ଅନ୍ତରର ବେଦନାକୁ ହୃଦୟ ଦେଇ ବୁଝିପାରିଲେ ନାହିଁ ।

 

ଭୂମିକାର ଦୋଷ ମଧ୍ୟ କ’ଣ ? ପ୍ରତାରଣା କରିବାର ଲକ୍ଷ୍ୟ ତା’ର ନଥିଲା । ସେ ପ୍ରତାରଣା କରିନି । ବରଂ ପ୍ରେମ ତାକୁ ପ୍ରତାରିତ କରିଛି—ତା’ପାଇଁ ବୈଶାଖର ଝଞ୍ଜା ହୋଇଛି । ମଧୁମୟଙ୍କୁ ବିବାହ ନ କରିବାର ଖବର ପଠାଇ ସେ କ’ଣ ଯନ୍ତ୍ରଣା ଅନୁଭବ କରୁନଥିବ ? କିନ୍ତୁ ଭୂମିକାର ଏପରି ପରିବର୍ତ୍ତନ କାହିଁକି ହେଲା ? ଏଥିପାଇଁ ଦାୟୀ କିଏ ?

 

ଅନେକ ଦିନରୁ ଭୂମିକା ଏହାର ସୂଚନା ଦେଇଥିଲା । କିନ୍ତୁ ମୁହଁ ଖୋଲି କହିନଥିଲା । ନିଜକୁ ଦୁର୍ବଳ ମନେକରୁଥିଲା କିମ୍ବା କହିବାକୁ ସାହସ ସଞ୍ଚୟ କରିପାରୁନଥିଲା । ନିଜର ବାକ୍ୟବାଣରେ ନିଜର ପ୍ରେମିକକୁ ଶରବ୍ୟ କରି କ୍ଷତ ବିକ୍ଷତ କରିବାକୁ ଚାହିଁନଥିଲା । ହୁଏତ ପ୍ରେମିକର ଯନ୍ତ୍ରଣା ଦେଖିବାକୁ ଇଚ୍ଛା କରୁନଥିଲା ।

 

ଭୂମିକା ତାଙ୍କ ପାଇଁ ପାତ୍ରୀ ଠିକ୍ କରିଛି । ଏ ଘରକୁ ଯିଏ ବୋହୂ ହୋଇ ଅଳଙ୍କୃତ କରିଥାନ୍ତା ସେ ଆଜି ବୋହୂ ନିର୍ବାଚନ କରିଛି । ଆଶ୍ଚର୍ଯ୍ୟ ଏଇ ନାରୀ–ଆଶ୍ଚର୍ଯ୍ୟ ତା’ର ମନ ।

 

ସତରେ କ’ଣ ଭୂମିକା ଖୁସି ହେବ ? ମଧୁମୟଙ୍କ ବିବାହରେ ହସିପାରିବ ? ଭୂମିକା ଚିଠି ଦେଇଛି ମାଇଁଙ୍କ ପାଖକୁ । ମାଇଁ ଅନୁରୋଧ କରୁଛନ୍ତି । ମଧୁମୟଙ୍କ ଆଖିଆଗରେ ନାଚି ଉଠୁଥିଲା ମାଇଁଙ୍କ କାତର ସ୍ଵର–ଆକୁଳ ଅନୁରୋଧ–

 

ତୁ କ’ଣ ତୋ ମା’ କଥା ରଖିବୁନି ମଧୁ ? ମା’ର ଅନୁରୋଧର ମର୍ଯ୍ୟାଦା ଦେବୁନି ? ମା’ ଅନ୍ତରର ରକ୍ତ କ୍ଷରଣକୁ ପୋଛି ଦେଇପାରିବୁନି ?

 

ଆଃ ! ମଧୁମୟ ବିବ୍ରତ ହେଲେ । କ’ଣ କରିବେ ? ଗୋଟେ ପାଖରେ ପ୍ରେମର ନିଷ୍ଠା, ତ୍ୟାଗ, ନିଜର ଆନନ୍ଦ—ଅନ୍ୟପଟେ ମା’ର ଆଶା, ଆକାଂକ୍ଷା, ଅନୁରୋଧ । କିଏ ବଡ଼ ?

 

ମଧୁମୟଙ୍କ ଦଗ୍‌ଧ ପ୍ରେମିକ ମନ ମା’ର ବାତ୍ସଲ୍ୟ ପରଶ ପାଇ ଶାନ୍ତି ପାଇଲା । ମା’ର ସ୍ନେହ ମମତାର ଶକ୍ତ ରଜ୍ଜୁକୁ ଛିଡ଼ାଇ ସେ ଉଡ଼ିଯାଇ ପାରିବେନି । ପ୍ରେମିକା ପାଇଁ ମା’ର ମନକୁ ସେ ବେଦନାସିକ୍ତ କରିପାରିବେନି । ବାତ୍ସଲ୍ୟ ସ୍ନେହ ନିକଟରେ ପ୍ରେମିକାର କାମନାଜଡ଼ିତ ପ୍ରେମ ତୁଚ୍ଛ, ମୂଲ୍ୟହୀନ, ନାରକୀୟ ।

 

ହଁ, ହଁ; ସେ ବିବାହ କରିବେ ।

 

ପ୍ରେମିକାର ନିଃସ୍ଵାର୍ଥପର ମହାନ୍ ତ୍ୟାଗର ମର୍ଯ୍ୟାଦା ସେ ଅକ୍ଷୁଣ୍ଣ ରଖିବେ ।

 

ମଧୁମୟଙ୍କ ଭାବାନ୍ତରକୁ ଲକ୍ଷ୍ୟ କରୁଥିଲେ ମାଇଁ । ମଧୁମୟ କାନ୍ଦୁଛି । ପ୍ରେମିକାକୁ ନ ପାଇବାର ଦୁଃଖ ବଳବତ୍ତର ହେଉଛି । ସନ୍ତାନର ଦୁଃଖରେ କଲ୍ୟାଣମୟୀ ମା’ର ଅନ୍ତରରୁ ଲୁହ ଝରୁଥିଲା । ପରିଣତ ବୟସର ଅଭିଜ୍ଞତା ଅନ୍ତରର ଲୁହକୁ ଘୋଡ଼ାଇ ରଖିଥିଲା । ମାଇଁ ବୁଝାଉଥିଲେ, ଆଶ୍ଵାସନା ଦେଉଥିଲେ–ତୁ କାନ୍ଦନା ମଧୁ ! ବିବାହ ଲୁହର ନୁହେଁ, ହସର ।

 

ମଧୁମୟ ନିଜେ ମନକୁ ବୁଝାଇ ପାରୁନଥିଲେ । ମାଇଁଙ୍କୁ ଉତ୍ତର ଦେଇପାରିଲେ ନାହିଁ । ମାଇଁ ଦୁଃଖ କରିବେ । ପାଳନକର୍ତ୍ତୀ ମନରେ ଦୁଃଖଦେବା ସନ୍ତାନର କର୍ତ୍ତବ୍ୟ ନୁହେଁ ।

 

ମାଇଁଙ୍କୁ ଉତ୍ତର ଦେବା ବୃଥା ।

 

ଟୁଟୁଠାରୁ ଘନ ଘନ ଚିଠିପାଇ ଭୂମିକା କଟକ ଆସିଥିଲା । ଭାବିଥିଲା ଭାଇ ଭଉଣୀଙ୍କ ମେଳରେ କିଛିଦିନ ଆନନ୍ଦରେ କଟାଇ ଦେଇ ପୁରୀ ଫେରିଆସିବ । କିନ୍ତୁ ତାହା ହୋଇପାରିଲା ନାହିଁ । କଟକରେ ରହି ମନିକାର ବାହାଘର ଯୋଗାଡ଼ କରିବାକୁ ହେବ । ସେଥିପାଇଁ ତାକୁ ବୋଉ ଡକାଇଛି । ସବୁଠାରୁ ନିରାଶ ହୋଇ ଭୂମିକା ଭାବିଲା ମଧୁମୟଙ୍କ କଥା । ମଧୁମୟ ମନିକାକୁ ଠିକ୍ ମ୍ୟାଚ କରିବେ । ସୁନ୍ଦର, ସୁପାତ୍ର ମଧ୍ୟ । କିନ୍ତୁ ମଧୁମୟ କ’ଣ ରାଜି ହେବେ ?

 

ଭୂମିକା ମାଇଁଙ୍କ ପାଖକୁ ଚିଠି ଦେଇଥିଲା । ଘରର ପରିସ୍ଥିତି, ନିଜର କର୍ତ୍ତବ୍ୟ ବିଷୟରେ ଲେଖିଥିଲା । ମଧୁମୟଙ୍କୁ ଯେକୌଣସି ଉପାୟରେ ରାଜି କରାଇବାକୁ ଅନୁରୋଧ କରିଥିଲା । ମାଇଁ ଉତ୍ତର ଦେଇଥିଲେ । ମଧୁମୟ ମନିକାକୁ ବିବାହ କରିବାକୁ ରାଜି ବୋଲି ଜଣାଇ ଦେଇଥିଲେ ।

 

ସତେ କ’ଣ ମଧୁମୟ ସ୍ଵୀକୃତ ଦେଲେ ? ତାଙ୍କର ପ୍ରେମ କ’ଣ ମିଥ୍ୟା, ଛଳନାପୂର୍ଣ୍ଣ ?

 

ଆଃ ସେ ଯେ କି କଷ୍ଟ !

 

ଏ ତ ବହିର କଥା ନୁହେଁ–ଅନୁଭବର କଥା ।

 

ନିଜର ପ୍ରେମିକ ଅନ୍ୟ ଏକ ଝିଅକୁ ବିବାହ କରିବ ।

 

ଭୂମିକାର ମନେହେଲା, ନିଜ ଶରରେ ନିଜେ ହିଁ କ୍ଷତ ବିକ୍ଷତ ହୋଇଛି, ରକ୍ତାକ୍ତ ହୋଇଛି । ସେ କ୍ଷତ ଲିଭିବାର ନୁହେଁ, ସେ ଯନ୍ତ୍ରଣା ଉପଶମ ହେବାର ନୁହେଁ ।

 

ବିନା ଯୌତୁକରେ ମଧୁମୟଙ୍କ ସହିତ ମନିକାର ବିବାହ ହୋଇଗଲା । ବୋଉ ମୁହଁରେ ହସ ଫୁଟିଲା । ବନ୍ଧୁବାନ୍ଧବ ଖୁସିହେଲେ । ଭୂମିକାକୁ ପ୍ରଶଂସା କଲେ ।

 

କିନ୍ତୁ ସେ ନିଜେ ? ସତରେ କ’ଣ ସେ ଖୁସି ହୋଇପାରିଲା ? ଏହା କ’ଣ ତା’ର ଉଦ୍ଦେଶ୍ୟ ଥିଲା ?

 

ଲୁଚେଇ ଲୁଚେଇ ସେ କାନ୍ଦିଥିଲା । ଶାଢ଼ି କାନିରେ ଲୁହ ପୋଛିଥିଲା । ଲୁହର ଲବଣସ୍ଵାଦ ଆସ୍ଵାଦନ କରି ମଧୁମୟଙ୍କ ମଧୁର ସ୍ମୃତିକୁ ଭୁଲିଯିବାକୁ ଚେଷ୍ଟା କରିଥିଲା । ସମସ୍ତେ ଥାଇ ବି ନିଜର ବୋଲି କାହାକୁ ମନେକରି ପାରୁନଥିଲା । ନିଜର କିଏ ? ସମସ୍ତେ ପର । ନିହାତି ପର । ମା’, ଭାଇ, ଭଉଣୀ ସମସ୍ତେ ମିଛ । ଏ ସମାଜ ମିଛ । ଏ ଦୁନିଆ ମିଛ । ନିଜେ ହିଁ ନିଜର ସର୍ବସ୍ଵ । ଦୁନିଆ ସ୍ଵାର୍ଥପର, ଅହଂପୂର୍ଣ୍ଣ ଦୁନିଆ ।

 

ବିବାହ ଦୁଃଖର ନୁହେଁ–ସୁଖର ।

 

ବିବାହ ଲୁହର ନୁହେଁ–ମିଠା ମିଠା ହସର ।

 

ଆଜି ବାହାଘର । ମନିକାର ବାହାଘର । ତା’ ଅଲିଅଳି ଭଉଣୀର ବାହାଘର । ଏକା ନାହି ଦି’ଖଣ୍ଡ । ଏକା ରକ୍ତ ଦି’ଧାର । ସେଇ ସୁନାଭଉଣୀ ମନିକାର ବାହାଘର ଆଜି । ଆଖିରେ ଲୁହ ଶୋଭା ପାଏନି । ମନକୁ ଅଶ୍ରୁଳ କରିବା ଉଚିତ ନୁହେଁ । ସମସ୍ତେ ହସୁଛନ୍ତି । ସେ ବି ହସିବ । ହଁ ହଁ, ସେ ହସିବ, ମନ ଖୋଲି ହସିବ, ପ୍ରାଣଭରି ହସିବ ।

 

ଭୂମିକା କାମରେ ମନଦେଲା । ଦୃଷ୍ଟିପଡ଼ିଲା ମନିକା ଉପରେ । ଇସ୍ ମନିକାଟା ଅସମ୍ଭବ ଭାବେ ସୁନ୍ଦର ଦିଶୁଥିଲା । କପାଳରେ ଟୋପି ଟୋପି ଚନ୍ଦନର ଟିପା । ଦେହରେ ଲାଲ୍ ରଙ୍ଗର ଶାଢ଼ି, ଲାଲ ରଙ୍ଗର କାଚ ! ଆଉ ଲାଲ ବି ମନର ରଙ୍ଗ ।

 

ଭୂମିକା ନିଜହାତରେ ସଜାଇ ଦେଇଥିଲା ମନିକାକୁ । ଭୂମିକାର କୁଶଳୀ ଶିଳ୍ପୀ ହାତରେ ମନିକା ଦେବୀଟିଏ ପରି ମନେହେଉଥିଲା । ଅପୂର୍ବ...ଅପୂର୍ବ ସୌନ୍ଦର୍ଯ୍ୟ ।

 

ମଧୁମୟ ଖୁସି ହେବେ । ମନିକାର ସ୍ଵପ୍ନିଳ ମୁହଁକୁ ଚାହିଁ ଆତ୍ମବିସ୍ତୃତ ହେବେ ।

 

କାମରେ ବ୍ୟସ୍ତରହି ଭୂମିକା ଏକରକମ ମଧୁମୟଙ୍କୁ ଭୁଲିଯାଇଥିଲା । ମୁଟୁ ଆସି କହିଲା—ଅପାମ ! ତୁ କ’ଣ ଜ୍ଵାଇଁ ଭାଇଙ୍କୁ ଚିହ୍ନିଛୁ ?

 

ଭୂମିକାର ମୁହଁଟି ହଠାତ୍ ଝାଉଁଳି ପଡ଼ିଲା । ଇଚ୍ଛା ହେଉଥିଲା କହିବାକୁ ଖାଲି ଚିହ୍ନିଛି ନୁହେଁ, ପାଖୁଡ଼ା ପାଖୁଡ଼ା କରି ତାଙ୍କ ମନକୁ ମୁଁ ଦେଖିଛି । ତା’ର କୋମଳତା ଅନୁଭବ କରିଛି । କିନ୍ତୁ ଭୂମିକା ଏସବୁ କହିପାରିଲାନି । ବିସ୍ମିତ ହେବା ଭଙ୍ଗୀରେ ପଚାରିଲା, କାଇଁ କ’ଣ ହେଲାକି ?

 

ନାଇଁମ ! କିଛି ହୋଇନି । ତୁ ସେ ବାରଣ୍ଡାରେ ଆସିଲାବେଳେ ମୋତେ ଡାକି ଜ୍ଵାଇଁଭାଇ ପଚାରିଲେ, ସେ ଝିଅଟି ବାହାଘରକୁ ଆସିଛନ୍ତି ବୋଧେ ? ମତେ ଭାରି ହସ ଲାଗିଲା । କହିଲି, ବାହାଘରକୁ ଆସିନାହାଁନ୍ତି ଯେ ବାହାଘର କରୁଛନ୍ତି । ତମେ ନୂଆ ମଣିଷ କି ନା ! ସେଥିପାଇଁ ଜାଣିପାରିନ । ସେ ଆମ ଅପା । ବଡ଼ ଅପା...ଭୂମିକା ଅପା ।

 

ମୋ କଥା ଶୁଣି ସେ ବୋକାଙ୍କ ଭଳି ମୋ ମୁହଁକୁ ଚାହିଁଲେ । ତାଙ୍କ ଆଖି ଛଳ ଛଳ ହୋଇଗଲା । କେତେ ସମୟ ପରେ କହିଲେ, ସେ ତମର ଅପା ? ମୁଁ ତାଙ୍କୁ ଆଉ କିଛି କହିଲି ନାହିଁ । ଭାବିଲି ତୁ ତାଙ୍କୁ ଚିହ୍ନିଥିବୁ ।

 

ଭୂମିକା ବିଚଳିତ ହେଲା । କହିଲା, ଆରେ ଓଲୁ ! ବାହାଘର ଯୋଗାଡ଼ କରିଛି ମୁଁ । ପାତ୍ର ବାଛିଛି ମୁଁ । ଆଉ ମୁଁ ତାଙ୍କୁ ଜାଣିବିନି କେମିତି ? ଏହା କହି କାମର ବାହାନା ଦେଖାଇ ଚାଲିଆସିଥିଲା ।

 

ଆସୁ ଆସୁ ଭୂମିକା ଦେଖିଲା ମଝିଘରେ ବୋଉ ମଧୁମୟଙ୍କ ମାମୁଁଙ୍କ ସହିତ କ’ଣ କଥାବାର୍ତ୍ତା କରୁଛି । ଭୂମିକା ସେ ଘରକୁ ପଶିଗଲା । ଭାବିଥିଲା ବାହାଘର ବିଷୟରେ ମାମୁଁଙ୍କର କିଛି ମତାନ୍ତର ଅଛି । ବୋଉକୁ ଏକା ଦେଖି କହିବାକୁ ଆସିଛନ୍ତି । ମାମୁଁ କହୁଥିଲେ, ଆଚ୍ଛା ସମୁଦୁଣୀ, ତମର ବଡ଼ ଝିଅ ଥାଉଁ ଥାଉଁ ସାନ ଝିଅର ବାହାଘର କଲ କାହିଁକି ?

 

ଭୂମିକା ଦେଖିଲା ବୋଉର ହସ ହସ ମୁହଁଟି କଳା ପଡ଼ିଗଲା । ମାମୁଁଙ୍କ ପ୍ରଶ୍ନରେ ନିଜେ ଦୁଃଖିତ ହୋଇଥିଲେ ମଧ୍ୟ ବୋଉକୁ ଦୁଃଖ ଦେବାକୁ ଭୂମିକାର ଇଚ୍ଛା ନଥିଲା । ଏ ବାହାଘରରେ ସବୁଠାରୁ ବେଶି ଖୁସୀ ହୋଇଛି ବୋଉ । କଥାକୁ ଚଳାଇ ନେବାକୁ ଯାଇ କହିଲି, ମୁଁ ଝିଅ ନୁହେଁ ମାମୁଁ । ମୁଁ ହେଉଛି ଏ ଘରର ବଡ଼ପୁଅ । ଅନେକ କାମ ମୋର, ଅନେକ ଦାୟିତ୍ୱ ।

 

ବୁଝିଗଲା ଭଳି ମାମୁଁ କହିଥିଲେ, ହଁ ମା’, ତୁ ଏଘରର ପୁଅ । ସେ କଥା ମୁଁ ଜାଣୁଛି ।

 

ବୋଉ ମୁହଁରେ ହସ ଫୁଟିଲା । ଝିଅ ବିଦାକରିବାକୁ କହି ମାମୁଁ ସେ ଘରୁ ଚାଲିଗଲେ ।

Unknown

 

ଦିନସାରା କୌଣସି ମତେ ଭୂମିକା ନିଜକୁ ସହଜ କରି ନେଇଥିଲା । କିନ୍ତୁ ମନିକା ବିଦାୟ ନେଲାବେଳେ ଲୁହ ଅଟକାଇ ପାରିନଥିଲା । ଅଶ୍ରୁ ସଜଳ ଆଖିରେ କାର୍ ନିକଟକୁ ଯାଇଥିଲା । ମଧୁମୟଙ୍କ ହାତଧରି କହିଥିଲା–ମୁଁ ଭୂମିକା ନୁହେଁ ମଧୁମୟ, ମୁଁ ମନିକାର ଅପା । ତମର ଅପା । ବଡ଼ ଭଉଣୀର ଅଧିକାର ମୋର ଅଛି । ମୁଁ କିନ୍ତୁ ଆଦେଶ ଦେଉନି । ଅନୁରୋଧ କରୁଛି । ମନିକୁ ତମେ ଅବହେଳା କରିବନି । ତା’ ମନରେ ଦୁଃଖ ଦେବନି । ପିଲାଝିଅ ସେ । ଦୁନିଆ ବିଷୟରେ କିଛି ଜାଣିନି । ତା’ର ଭୁଲ୍‍ ଧରିବନି । ମନି ସୁଖରେ ଅଛି ଜାଣିଲେ ମୁଁ ସୁଖୀ ହେବି ।

 

ମଧୁମୟ କ’ଣ କହିବାକୁ ଚେଷ୍ଟାକରି କହିପାରୁନଥିଲେ ।

 

ମନିକା, ମଧୁମୟ ବିଦାୟ ନେଇ ଚାଲିଯାଇଥିଲେ । ଗେଟ୍‌କୁ ଧରି ତାଙ୍କର ଯିବା ପଥକୁ ଚାହିଁ ରହିଥିଲା ଭୂମିକା । ଭଗବାନ ! ତମେ ମତେ ସୁଖ ଦେଇଛ କି ନାହିଁ ଜାଣିନି । ଯଦି ଦେଇଥାଅ ସେଇ ସୁଖତକ ନେଇ ତମେ ମଧୁମୟଙ୍କୁ ସୁଖୀ କରାଅ । ମନିକା ଜୀବନକୁ ସୁଗମ କର—ପୁଷ୍ପିତ କର ।

 

ଭୂମିକା ଘରକୁ ଫେରିଆସିଥିଲା । ବାପାଙ୍କର ଏନ୍‌ଲାର୍ଜ ଫଟୋ ତଳେ ଛିଡ଼ାହୋଇ କହିଥିଲା—ତମ ଶେଷ ଅନୁରୋଧ ମୁଁ ରଖିଛି ବାପା ତମର ଦାୟିତ୍ୱ ମୁଁ ଶେଷ କରିଛି । ତମ ଝିଅକୁ ମୁଁ ସୁପାତ୍ରରେ ଦାନ କରିଛି । ତମେ ଆଶୀର୍ବାଦ କର । ମତେ ଧୈର୍ଯ୍ୟ ଦିଅ । ସାହସ ଦିଅ ।

 

ଅନ୍ତରର ସବୁ ଦୁଃଖ ଏକତ୍ରିତ ହୋଇ ଲହଡ଼ା ଭାଙ୍ଗିଥିଲା । ଭୂମିକା କାନ୍ଦିଥିଲା । କାନ୍ଦିକାନ୍ଦି ତକିଆ ଭିଜାଇ ଦେଲା । ସମସ୍ତେ ଦେଖିଥିଲେ–ଜାଣିଥିଲେ । ବୁଝିଥିଲେ ଭଉଣୀର ବିଦାୟରେ ଅନ୍ୟ ଭଉଣୀଟି କାନ୍ଦୁଛି । କେହି କିନ୍ତୁ ମନକଥା ବୁଝି ନଥିଲେ । ଅନ୍ତରର ବ୍ୟଥାକୁ ଜାଣିପାରି ନଥିଲେ । ବ୍ୟଥାକୁ ଦେଖାଇ ହୁଏନି, ଦେଖିହୁଏ । ଅନୁଭୂତି ଦେଇ ଦେଖିହୁଏ । ଅନୁଭବୀ କଥା ଅନୁଭବୀ ବୁଝେ । ଦରଦୀ ବୁଝେ ଦରଦୀ ପ୍ରାଣର ବ୍ୟଥା ।

 

ବାହାଘର ସରିଯାଇଛି । ପରିଚିତ ସମସ୍ତ ଆତ୍ମୀୟସ୍ଵଜନ ବିଦାୟ ନେଇ ଚାଲିଗଲେଣି । ଘରଟା ଶୂନଶାନ୍—ଖାଁ ଖାଁ ଲାଗୁଛି ।

 

ମନିକାର ବିବାହ ସରିଲା । ଗୋଟିଏ ବଡ଼ ଦାୟିତ୍ୱ କମିଲା ।

 

ମନିକା ବର୍ତ୍ତମାନ କ’ଣ କରୁଥିବ ?

 

ମଧୁମୟଙ୍କ ଗାଢ଼ ଆଲିଙ୍ଗନ ଭିତରେ ଆବଦ୍ଧ ରହି ନିଜକୁ ଭୁଲିଯାଇଥିବ ବୋଧେ ।

 

ଭୂମିକା ଭାବିଲା—ମଧୁମୟ ମନିକାକୁ ପାଇ ତାକୁ ଭୁଲିଯାଇଥିବେ । ଅତୀତକୁ ଏକ ଦୁଃସ୍ୱପ୍ନ ଭଳି ମନେ କରୁଥିବେ ।

 

ଆଃ ମଧୁମୟ...ତମେ ମୋର କେହି ନୁହଁ, କିଛି ନୁହଁ ।

 

ଅଥଚ ଅତୀତରେ ସବୁଥିଲ । ଭୂମିକାର ଏକାନ୍ତ ନିଜର ହୋଇ ରହିଥିଲେ । ଆଜି ସତେ କ’ଣ ଭୂମିକାକୁ ଭୁଲିଗଲ ? ଏତେଶୀଘ୍ର ମନଅଙ୍ଗନରୁ ଦୂରେଇ ଦେଇ ପାରିଲ ତାକୁ ?

 

ତମକୁ ପାଇବାକୁ ଭୂମିକାର ଏତେ ଆଶା ! କେତେ କାମନା ! କେତେ ସ୍ୱପ୍ନ ! ସବୁ ଆଜି ମରିଗଲା, ତୁଟିଗଲା । ମନର ଆଶା ଆସ୍ତେ ଆସ୍ତେ ମଳିନ ପଡ଼ି ଲିଭିଗଲା । ପାଇ ମଧ୍ୟ ପାଇଲାନି । ଧରି ଧରିପାରିଲାନି । ତମର ସ୍ମୃତି କେବଳ ଅବଶିଷ୍ଟ ଜୀବନର ପାଥେୟ ହୋଇ ରହିଗଲା ।

 

ମଧୁମୟ ! ତମେ ସୁଖୀ ହୁଅ । ମନିକାକୁ ସର୍ବାନ୍ତ କରଣେ ସୁଖୀ କରାଅ । ତାହାଲେ ଜାଣିବି ଭୂମିକାର ଶ୍ରମ ସଫଳ ହୋଇଛି । ତ୍ୟାଗର ମହତ୍ୱ ରହିଛି ।

 

ତ୍ୟାଗ ? କି ତ୍ୟାଗ ? କାହାପାଇଁ ତ୍ୟାଗ ? ତ୍ୟାଗ କରି ଆଦର୍ଶବାଦିନୀ ହେବାର ଲକ୍ଷ୍ୟ ନାହିଁ । ଜାଣି ଜାଣି ତ୍ୟାଗ କରିନି ଭୂମିକା । ଜୀବନର ପ୍ରଥମ ପ୍ରେମକୁ କେହି ତ୍ୟାଗ କରେନି-। ଜାଣି ଜାଣି ହାତଛଡ଼ା କରେନାହିଁ ।

 

ଭୂମିକା ସ୍ୱଗତୋକ୍ତି କରିଉଠିଲା—ତମେ ମତେ କ୍ଷମାକର ମଧୁମୟ...କ୍ଷମାକର । ମୁଁ ଜାଣିଜାଣି ଏପରି କାର୍ଯ୍ୟ କରିନାହିଁ । ଏପରି କରିବା ଛଡ଼ା ମୋର ଉପାୟ ନଥିଲା ।

 

ଭୂମିକା ଭାବୁଥିଲା—ସତେ କ’ଣ ମଧୁମୟ ତାକୁ ଠିକ୍‌ ବୁଝିବେ ? କ୍ଷମା କରିବେ ?

 

ଅପା...ଅପାମ...ଏ ଅପା !

 

ଭୂମିକାର ଭାବନା ତୁଟିଲା । ବାସ୍ତବ ଜଗତକୁ ଫେରିଆସିଲା ସେ । ଦେଖିଲା ଆଗରେ ମୁଟୁ ଠିଆ ହୋଇଛି । ଧଇଁସଇଁ ହୋଇଯାଉଛି । ଦଉଡ଼ି ଦଉଡ଼ି ଆସିଛି ବୋଧେ । ମୁଟୁ ତା’ର ଡାହାଣ ହାତକୁ ଟାଣିଧରି କହୁଥିଲା—ତୁ ଟିକେ ଶୀଘ୍ର ଆ ଅପା । ନିଶାନ୍ତ ଭାଇ ସେନସ୍ଲେସ୍‌ ହୋଇପଡ଼ିଛନ୍ତି ।

 

ଭୂମିକା ନିଜ ଅଜାଣତରେ ଉଠିପଡ଼ିଲା । କହିଲା—କ’ଣ ହେଲା ?

 

ମୁଁ ଜାଣିନି । ବେଳେବେଳେ ତାଙ୍କର ଏମିତି ହୁଏ ।

 

ଟେବୁଲ୍‌ ପାଖରେ କ’ଣ କାମ କରୁକରୁ ସେନସ୍ଲେସ୍‌ ହୋଇ ତଳେ ପଡ଼ିଯା’ନ୍ତି; ଭାଗ୍ୟକୁ ପ୍ରତିଥର ଟୁଟୁଭାଇ ଘରେ ଥାଏ । ସେ ଯାଇ ଉଠାଉଠି କରି ଜଗିବସେ । ହୋସ୍‌ ଆସିଲେ ଘରକୁ ଆସେ । ଆଜି ତ ଟୁଟୁଭାଇ ନାହିଁ । ମତେ ଭୀଷଣ ଡର ଲାଗିଲା । ମୁଁ ସେଠି ଥିଲି । ତୁ ଶୀଘ୍ର ଆ–

 

ଭୂମିକାର ହାତ ଧରି ମୁଟୁ ଏକରକମ ଟାଣିଟାଣି ନେଇଗଲା ।

 

ନିଶାନ୍ତ । ଡକ୍ଟର ନିଶାନ୍ତ ଦାସ ।

 

ଡନ୍‌ଲପ୍‌ ବେଡ୍‍ ଉପରେ ଶୋଇଥିଲେ ନିଶାନ୍ତ । ଲାବୋରଟୋରୀରୁ ଧରାଧରି କରି ଭୂମିକା ଆଣି ଶୁଆଇ ଦେଇଥିଲା । ଆଜ୍ଞାନ ନିଶାନ୍ତକୁ ଚାହିଁ ଜଗି ବସିଥିଲା ଭୂମିକା ।

 

ମୁଟୁ ଯାଇଛି ଘରକୁ କ୍ଷୀର ଆଣିବାକୁ ।

 

ଭୂମିକା ଚାହିଁଲା ଅଜ୍ଞାନ ନିଶାନ୍ତଙ୍କ ମୁହଁକୁ । ଚଉଡ଼ା କପାଳ । କପାଳ ଉପରେ କୃଷ୍ଣକୁଟୀଳ କେଶର ଘନ ସମାବେଶ । ଅପୂର୍ବ ଶ୍ରୀ ମଣ୍ଡିତ ମୁଖ । ସାଧାରଣ ସ୍ୱାସ୍ଥ୍ୟ ।

 

ମନିକା ବାହାଘର ଦିନ ବହୁତ କାମ କରିଥିଲେ ନିଶାନ୍ତ । ବାହାଘରର ଅଧେକାମ ତୁଲାଇ ଦେଇଥିଲେ । ଆତ୍ମୀୟସ୍ୱଜନ ଭଳି ଭଲମନ୍ଦ ପଚାରୁଥିଲେ । ଦରକାର ପଡ଼ିଲେ ଭୂମିକା ସହିତ କଥାବାର୍ତ୍ତା କରିଥିଲେ । ସେଦିନ ଭୂମିକା ତାଙ୍କୁ ଭଲଭାବେ ଦେଖିପାରିନଥିଲା । କାମରେ ବ୍ୟସ୍ତରହି ଭଲଭାବେ ଦେଖିବାକୁ ସମୟ ପାଇନଥିଲା । ଟୁଟୁ ଚିଠିରୁ ଜାଣିଥିଲା ଜଣେ ଡାକ୍ତର ତାଙ୍କ ଘରେ ଭଡ଼ା ଅଛନ୍ତି । ବାହାଘର ଦିନ ଜାଣିଲା ସେଇ ଡାକ୍ତର ହେଉଛନ୍ତି ନିଶାନ୍ତ ।

 

ନିଶାନ୍ତଙ୍କ ମୁଦ୍ରିତ ଆଖିପତା ରହିରହି ଥରି ଉଠୁଥିଲା । ହୋସ୍‌ ଆସିଯିବ ବୋଧେ ।

 

ମୁଟୁ ଏପର୍ଯ୍ୟନ୍ତ ଫେରିନି । ନିଶାନ୍ତଙ୍କର ଯଦି ହୋସ୍‌ ଆସିଯାଏ ? ନିରୋଳାରେ ଜଣେ ତରୁଣୀକୁ ନିକଟରେ ବସିଥିବାର ଦେଖି କ’ଣ ମନେକରିବେ ?

 

ଭୂମିକା ଭାବୁଥିଲା । ନିଶାନ୍ତ କ’ଣ ବା ଧାରଣା କରିବେ ? ବିପଦରେ ମଣିଷକୁ ସାହାଯ୍ୟ କରିବା ମଣିଷର ଧର୍ମ । ଏତେବଡ଼ ଘରେ ନିଶାନ୍ତ ଏକା । ଭଲମନ୍ଦ ବୁଝିବାକୁ କେହି ନାହାଁନ୍ତି ।

 

ସାହାଯ୍ୟ କରିବାକୁ କେହି ନାହିଁ । ମନିକାର ବାହାଘରରେ ଏତେ କାମ କରିଥିଲେ । ନିଜର ଲୋକଭଳି ସାହାଯ୍ୟ କରିଥିଲେ । ବର୍ତ୍ତମାନ ସେ ଅଜ୍ଞାନ । ଏତିକିବେଳେ ତାଙ୍କୁ ସାହାଯ୍ୟ କରିବା କ’ଣ ଉଚିତ ନୁହେଁ ?

 

ଭୂମିକା ଅଜ୍ଞାନ ନିଶାନ୍ତଙ୍କ ଶଯ୍ୟାଧାରରେ ବସିଲା । ସୁରେଇରୁ ପାଣି ଆଣି ତାଙ୍କ ମୁହଁକୁ ଆସ୍ତେ ଆସ୍ତେ ଛାଟିଲା ।

 

ଆଃ... ନିଶାନ୍ତଙ୍କର ହୋସ୍‌ ଏପର୍ଯ୍ୟନ୍ତ ଆସୁନି କାହିଁକି ? କାହିଁକି ସେ ଆଖି ଖୋଲୁ ନାହାଁନ୍ତି ? ଭୂମିକାର ବ୍ୟଗ୍ରତା ବଢ଼ି ଚାଲିଥିଲା । ଛାତି ଭିତରଟା ଦପ୍‌ଦପ୍‌ ହେଲା ।

 

ମୁଟୁ ଫେରିଆସିଥିଲା । ହାତରେ ଧରିଥିଲା କ୍ଷୀର ଗ୍ଲାସ୍‌ । ମୁଟୁକୁ ଦେଖି ଭୂମିକାର ସାହସ ହେଲା । କହିଲା, ହୋସ୍‌ ତ ଆସିଲା ନାହିଁ, କ’ଣ କରିବା ?

 

ହେଇତ ଆଖି ଖୋଲିଲେଣି ।

 

ଭୂମିକା ଫେରି ଚାହିଁଲା । ନିଶାନ୍ତ ଆଖିଖୋଲି ସାରିଥିଲେ । ଆଖିରେ ଆଖିଏ ବିସ୍ମୟ ଧରି ନିଶାନ୍ତ ଚାହିଁଥିଲେ ଭୂମିକାକୁ । ଭୂମିକା ଖୁସିହେଲା । ପଚାରିଲା କେମିତି ଲାଗୁଛି ?

 

ନିଶାନ୍ତ ସ୍ମିତ ହସି ଉତ୍ତର ଦେଲେ, ଭଲ ।

 

କ୍ଷୀର ଗ୍ଲାସ୍‍କୁ ଭୂମିକା ହାତକୁ ଧରାଇଦେଇ ମୁଟୁ କହିଲା—ହଁ, ହଁ, ତମକୁ ଭଲ ଲାଗୁଥିବ ଆମେ ଜାଣିଛୁ । ଭଲ ଲାଗୁଛି କହିଲେ ଆମେ ଚାଲିଯିବୁ । ଆଉ ତମେ ପୁଣି ସେଇ ଟେବୁଲ୍‍ ପାଖକୁ ଯାଇ କାମ କରିବ । ସେନସ୍ଲେସ୍‌ ହୋଇ ଟେବୁଲ୍‌ ତଳେ ଗଳିପଡ଼ିବ । ଅପା ସିନା ଦେଖିନି କି ଜାଣିନି । ତମେ କ’ଣ ଭାବୁଛ ମୁଁ ଜାଣିନି ବୋଲି ! ସେଦିନ ପରା ଲାଗ୍‌ ଲାଗ୍‌ ଦି’ଥର ଏମିତି ହେଲା । ଟୁଟୁଭାଇ ଥିଲାବୋଲି ସିନା ! ନା, ନା, ସେ କଥା ହୋଇପାରିବନି । ତମେ ଚୁପ୍‌ ହୋଇ ଶୋଇପଡ଼ ।

 

ନିଶାନ୍ତ ମୃଦୁ ହସୁଥିଲେ ।

 

ଭୂମିକାର ମନେହେଲା ସେ ହସ ଖୁବ୍‌ କରୁଣ, ବେଦନା ଜଡ଼ିତ, ଯନ୍ତ୍ରଣାପୂର୍ଣ୍ଣ । ଉପର ଦେଖାଣିଆ ହୋଇ ନିଶାନ୍ତ ହସୁଛନ୍ତି । କହିଲା—ଆପଣ ପ୍ରକାଶ ନକଲେ ମଧ୍ୟ ଆପଣଙ୍କୁ ଯେ ଖୁବ୍‌ କଷ୍ଟ ହେଉଛି ସେ କଥା ମୁଁ ଜାଣୁଛି । କ’ଣ ହେଉଛି କୁହନ୍ତୁ ?

 

ଧକ୍‌କା ଖାଇଲା ଭଳି ନିଶାନ୍ତ ଚମକି ପଡ଼ିଲେ । ମୁହଁଟି କଳା ପଡ଼ିଗଲା । ଧରାପଡ଼ିଯାଇ ଥିବାରୁ ଲଜ୍ଜିତ ହେଲେ । କରୁଣ ଦୃଷ୍ଟିରେ ଚାହିଁଥିଲେ ଭୂମିକା ମୁହଁକୁ । ଭୂମିକା ଦେଖୁଥିଲା ନିଶାନ୍ତଙ୍କର ସେଇ ଛଳଛଳ ଆଖି ଦୁଇଟିକୁ ।

 

ଆଃ...କେତେ ମାୟା ମମତା ! କେତେ ଆକର୍ଷଣୀୟ ଏଇ ଆଖି ଦୁଇଟି ସତେ ! ପୁରୁଷ ଆଖି ପୁଣି ଏତେ ସୁନ୍ଦର ! ଏତେ କମନୀୟ ହୋଇପାରେ !

 

ଭୂମିକା ସେ ଆଖି ଦୁଇଟିକୁ ଚାହିଁପାରିଲା ନାହିଁ । ମନେହେଉଥିଲା ଯେପରି ସେଇ ଟଣାଟଣା ଆଖି ଦୁଇଟି ତାକୁ ଜାଳି ଦେବ । ତା’ ଦମ୍ଭ, ଧୈର୍ଯ୍ୟକୁ ପାଉଁଶ କରିଦେବ ! ଭୂମିକା ନିଜକୁ ସଞ୍ଜତ କରି କହିଲା—ଆପଣ ଏଇ ଦୁଧ ଗ୍ଲାସ୍‍ଟା ପିଇଦିଅନ୍ତୁ । ଉଷୁମ ଅଛି, ଭଲ ଲାଗିବ-

 

ନିଶାନ୍ତଙ୍କ ଓଠ ଦୁଇଟି ଥରି ଉଠିଲା । ଦେହଟା ଅସମ୍ଭବ ଭାବେ ଥରୁଥିଲା । ତଥାପି ଶେଯ ଉପରେ ବସିପଡ଼ିଲେ । ବାଧ୍ୟ ଛାତ୍ରଟି ଭଳି କ୍ଷୀରତକ ଏକା ନିଶ୍ୱାସରେ ଶେଷ କରିଦେଲେ । ବିଛଣାରେ ପୁଣି ଶୋଇପଡ଼ି କହିଲେ—ତମେ ବ୍ୟସ୍ତ ହୁଅନି । ମୋର ଏମିତି ବେଳେବେଳେ ହୋଇଥାଏ । ଏକ୍ସପେରିମେଣ୍ଟ ଟେବୁଲ୍‌ ପାଖରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାରୁ ମୁଣ୍ଡଟା ଥରେ ଥରେ ବୁଲାଇ ଦିଏ । ତା’ପରେ ମୁଁ କିଛି ଜାଣିପାରେନି । ହୋସ ଆସିଲାବେଳକୁ ଦେଖେ ଏଇ ବିଛଣା ଉପରେ ଶୋଇଥାଏ । ପାଖରେ ଟୁଟୁ, ମୁଟୁ ବସିଥା’ନ୍ତି । ଦିନେ ଦି’ଦିନ ଖୁବ୍‌ ଦୁର୍ବଳ ଲାଗେ-। ତା’ପରେ ସବୁ ଠିକ୍‌ ହୋଇଯାଏ । ମୁଣ୍ଡଟା ଖୁବ୍‌ ଜୋରରେ ବିନ୍ଧୁଛି ଆଜି । ଦେହଟା ମଧ୍ୟ ଦୁର୍ବଳ ଲାଗୁଛି ।

 

ଟେବୁଲ୍‌ ଉପରୁ ଅମୃତାଞ୍ଜନ ଆଣି ନିଶାନ୍ତଙ୍କ ମୁଣ୍ଡରେ ଘସୁ ଘସୁ ଭୂମିକା କହିଲା—ମା’ଙ୍କୁ ନେଇ ଆସନ୍ତୁ । ପାଖରେ ରହି ସେ ଆପଣଙ୍କର ଯତ୍ନ ନେବେ ।

 

ନିଶାନ୍ତ ଆଖିବୁଜି ପଡ଼ିରହିଥିଲେ । କିଛି କଥା କହିବାକୁ ତାଙ୍କର ଇଚ୍ଛା ନଥିଲା । ଭଦ୍ରାମି ରକ୍ଷାକରି କହିଲେ–ଘରଦ୍ୱାର ଛାଡ଼ି ମା’ ଆସିବାକୁ ରାଜି ନୁହେଁ । ଭଉଣୀଟିଏ ଯେ, ସେ ତ ତା’ ଶାଶୁଘରେ । ଆଉ ଆସିବ କିଏ ? ମୋର ତ ଆଉ ସ୍ତ୍ରୀ ନାହିଁ ଯେ ତତ୍ତ୍ୱ ନେବ । ଏତେ ବର୍ଷ ଏମିତି କଟିଗଲାଣି । ଆଉ ବା କେତେଟା ଦିନ ? ପ୍ରଥମେ ପ୍ରଥମେ ଏଠି ଖୁବ୍‌ ଖରାପ ଲାଗୁଥିଲା । ନିଃସଙ୍ଗ ବୋଧ ହେଉଥିଲା । ଏବେ ତମ ଘର ସହିତ ମିଶିଗଲିଣି । ମୁଟୁ ମଧ୍ୟ ମୋ ପାଖରେ ରହିଛି । ତା’ଛଡ଼ା ସବୁବେଳେ ଏକ୍ସପେରିମେଣ୍ଟ ଟେବୁଲ୍‌ ପାଖରେ ରହି ରହି ଆଉ କିଛି ଜଣାପଡ଼ୁନି-। କେତେ ବର୍ଷ ଲାଗିବ କେଜାଣି !

 

ରାତ୍ରିର ପଣତ ତଳେ ଗୋଧୂଳି ବହୁତବେଳୁ ମୁହଁ ଲୁଚାଇ ସାରିଥିଲା । ମାର୍ଗଶିର ମାସର ମୃଦୁ ନୈଶ ପବନ ଝରକା ଦେଇ ପ୍ରବେଶ କରୁଥିଲା । ଶୀତ-କାକର ଶରୀରରେ ଜଗାଉଥିଲା ଅଶରୀରୀର ସ୍ପର୍ଶ । ଭୂମିକା ଉଠିଲା । ମୁଟୁକୁ ରାତିରେ ସେଠାରେ ରହିବାକୁ କହି ଆସିଲା । କାମ ନକରି ବିଶ୍ରାମ ନେବାକୁ ନିଶାନ୍ତଙ୍କୁ ଅନୁରୋଧ କଲା ।

 

ତା’ ପରଦିନ ସକାଳୁ ଭୂମିକା ଆସିଲା ନିଶାନ୍ତଙ୍କ ଘରକୁ । ସୁଲୁ ସୁଲୁ ପବନର ସ୍ପର୍ଶରେ ଲୋମମୂଳ ଟାଙ୍କୁରି ଉଠୁଛି । ମୁଟୁ ଆରାମରେ ଶୋଇ ଯାଇଛି । କିନ୍ତୁ ନିଶାନ୍ତ କାହାନ୍ତି ?

 

ଭୂମିକା ଚାହିଁଲା ଲବୋରଟୋରୀ ଟେବୁଲ୍‌ ପାଖରେ ନିଶାନ୍ତ କ’ଣ କାମ କରୁଛନ୍ତି । ଏକ୍ସପେରିମେଣ୍ଟ ବୋଧେ । ଆଶ୍ଚର୍ଯ୍ୟ ହେଲା ଭୂମିକା । ରାତିରେ ଦୁର୍ବଳ ହୋଇପଡ଼ିଥିଲେ ମଧ୍ୟ ସକାଳୁ କାମରେ ଲାଗିଗଲେଣି । ଭୂମିକା ଧୀର ପଦକ୍ଷେପରେ ଲାବୋରଟୋରୀ ଭିତରକୁ ପ୍ରବେଶ କଲା । ତିନିଟା ବଡ଼ ବଡ଼ ଟେବୁଲ୍‌ କାନ୍ଥକୁ ଲାଗି ରଖାଯାଇଛି । ଟେବୁଲ୍‌ ଉପରେ ଲେବୁଲ୍‌ ମରାହୋଇ ଅନେକଗୁଡ଼ିଏ ବୋତଲ ଏବଂ ଜାର୍‌ । ଗୋଟିଏ ଛୋଟ ଟେବୁଲ୍‌ ଉପରେ ହିଟର୍ ଏବଂ ତା’ ପାଖକୁ ତିନୋଟି ଫନେଲ । ନିଶାନ୍ତ ଗୋଟିଏ ଫନେଲରେ ନାଲି, ନେଳି ଓ ଆହୁରି କେତେ ରଙ୍ଗର ତରଳ ପଦାର୍ଥକୁ ଏକତ୍ରିତ କରୁଛନ୍ତି ।

 

ଇସ୍‌...କି ଉତ୍କଟ ତୀବ୍ର ଗନ୍ଧ !

 

ଭୂମିକାର ଇଚ୍ଛାହେଲାନି ଭିତରକୁ ଯିବାକୁ । ଲୁଗା କାନିକୁ ନାକରେ ଚାପିଧରି ଫେରିଆସିଲା । ଚପଲର ଖସ୍ ଖସ୍‌ ଶବ୍ଦରେ ଦରଜାଆଡ଼କୁ ମୁହଁ ବୁଲାଇଲେ ନିଶାନ୍ତ । ଭୂମିକା ଫେରି ଯାଉଛି । ଟେବୁଲ୍‌ ପାଖରୁ ଆସିବାକୁ ଇଚ୍ଛାନଥିଲେ ମଧ୍ୟ ସେ ଆସିଲେ । ଟାଉଏଲରେ ହାତ ପୋଛୁ ପୋଛୁ ଚୌକିରେ ବସିପଡ଼ି ପଚାରିଲେ—ଏତେ ସକାଳୁ ?

 

ଆପଣଙ୍କ ଦେହ କିପରି ଲାଗୁଛି ଜାଣିବାକୁ ଚାଲିଆସିଲି । ହେଲେ ଆପଣ ଯାଇ ଲାବୋରଟୋରୀରେ । ଦେହ ଭଲ ଅଛି ନିଶ୍ଚୟ । ନଚେତ୍‍ ଏତେ ସକାଳୁ କାର୍ଯ୍ୟବ୍ୟସ୍ତ ରୁହନ୍ତେ କିପରି ? ଆଚ୍ଛା ଆପଣ ଏକ୍ସପେରିମେଣ୍ଟ କରନ୍ତୁ । ମୁଁ ଯାଉଛି । ଭୂମିକା ଯିବାକୁ ଉଦ୍ୟତ ହେଲା ।

 

ନିଶାନ୍ତ ଚୌକିରୁ ଉଠି ଠିଆ ହେଲେ । କହିଲେ—ଦେହଟା ଦୁର୍ବଳ ଲାଗୁଛି । ହେଲେ ମନ କ’ଣ ମାନୁଛି ? ଲକ୍ଷ୍ୟ ବିନ୍ଦୁରେ ନ ପହଞ୍ଚିବା ପର୍ଯ୍ୟନ୍ତ ଶାନ୍ତି କାହିଁ ? ବିଶ୍ରାମ କାହିଁ ?

 

ତା’ ଅବଶ୍ୟ ସତ । ତଥାପି କାର୍ଯ୍ୟବ୍ୟସ୍ତ ରହି ନିଜ ଦେହର ଯତ୍ନ ନ ନେବା ଉଚିତ ନୁହେଁ । ପ୍ରଥମେ ନିଜର ଦେହ । ତା’ପରେ ଆଉ ଅନ୍ୟକଥା । ଆପଣ ତ ଜଣେ ଡାକ୍ତର । ଦେହ ଉପରେ ଆପଣଙ୍କର ଯଥେଷ୍ଟ ଦଖଲ ଥିବ । ମୁଁ ଆଉ ଅଧିକ କ’ଣ କହିବି ।

 

ନିଶାନ୍ତ କହିଲେ—ରୋଗୀ ପାଇଁ ଆମେ ଅନେକ ଔଷଧ ଦେଉ । ସ୍ୱାସ୍ଥ୍ୟରକ୍ଷାର ଲମ୍ବା ଲମ୍ବା ଟୀପ୍‌ପଣୀ ଦେବୁ, ହେଲେ ନିଜ ଦେହ ବେଳକୁ ଆମେ ଗୋଟିଏ ଗୋଟିଏ ମୂଷା ।

 

ଓଠରେ ସ୍ମିତ ହସର ଝଲକ ଖେଳାଇ ଭୂମିକା ଫେରିଆସିଲା । ସୁଲୁ ସୁଲୁ ପବନ ଓ ନରମ ଖରାର ସ୍ପର୍ଶ ମନରେ ଆଣି ଦେଉଥିଲା ଏକ ଅଜଣା ଚମକ ।

 

ମନିକା ଆସିଥିଲା ।

 

ବାହାଘର ପରେ କଟକ ଆସିବା ଏଇ ତା’ର ପ୍ରଥମ । ମନିକା ଝଡ଼ିଗଲା ଭଳି ଜଣାଯାଉଛି । ମୁହଁଟା ଶୁଖିଲା ଦିଶୁଛି । ଦେହର ରଙ୍ଗ କିନ୍ତୁ ବଦଳିଛି । ଟିକିଏ ସଫା ଫିଟି ଯାଇଛି । ବାହାଘର ପରେ ସବୁ ଝିଅ ବୋଧେ ଏମିତି ସଫା ଦିଶନ୍ତି । ଏଇ ପତଳା ଦେହ ଏବଂ ଶୁଖିଲା ମୁହଁରେ ମନିକା ଖୁବ୍‌ ସୁନ୍ଦରୀ ଦିଶୁଛି । ମଥାରେ ଥିବା ନାଲି ବିନ୍ଦୁଟି ଚମତ୍କାର ମାନିଛି । ଶୁଖିଲା ଅଥଚ ହସ ହସ ମୁହଁଟି ଆହୁରି ଲୋଭନୀୟ ମନେହେଉଛି । ସତେ ଯେପରି ମନିକାକୁ ସେ ନୂଆକରି ଦେଖୁଛି ।

 

ଭୂମିକା ଖୁସି ହେଲା । ଆଦରରେ ମନିକାକୁ କୋଳକୁ ଟାଣି ନେଇ ଗେହ୍ଲାକଲା । ସତେ ଅବା ମନିକା ଦୁଇବର୍ଷର ଛୋଟ ଝିଅଟିଏ । ଭୂମିକା କୋଳରେ ଥାଇ ମନିକା ହସୁଥିଲା ପରମ ତୃପ୍ତିରେ । ଅପାର ଆଦର ଭାରି ଭଲ ଲାଗୁଛି । ଯେପରି ଭୂମିକା ତା’ର ଅପା ନୁହେଁ—ସ୍ନେହମୟୀ ମା’ । କଲ୍ୟାଣୀମୟୀ ଜନନୀ । ଆଃ... ଅପାଟା ସବୁବେଳେ ଏମିତି କୋଳରେ ଜାକି ଧରିଥାନ୍ତାକି ! ମନିକା ପିଠିରେ ହାତ ରଖି ଭୂମିକା ପଚାରିଲା, ତୋ ଶାଶୁଘର ଗାଁ ମନକୁ ପାଉଛି ମନି ?

 

ମନିକା ଓଠରୁ ପାଖୁଡ଼ା ପାଖୁଡ଼ା ହସ ଝରି ପଡ଼ୁଥିଲା । ଆଖି କୋଣରେ ଆନନ୍ଦର ଲହଡ଼ି ଖେଳୁଥିଲା । ଭୂମିକା କୋଳରୁ ମୁଣ୍ଡ ଉଠାଇ ମନିକା କହିଲା ମାଇଁଶାଶୁର କଥା । ମୋ ଶାଶୁ ମଣିଷ ନୁହଁନ୍ତି ଲୋ ଅପା ! ସାକ୍ଷାତ ଦେବୀଟିଏ । ଘରକାମ କିଛି କରେଇ ଦିଅନ୍ତି ନାହିଁ । ବଳିପଡ଼ି କଲେ ମନା କରନ୍ତି । ହାତରୁ ଛଡ଼େଇ ନେଇ ନିଜେ କରିବସନ୍ତି । ନଚେତ୍‌ ଚାକରାଣୀକୁ ବିରକ୍ତ ହୋଇ ମୁଁ କରୁଥିବା କାମକୁ ତାକୁ କରିବାକୁ କୁହନ୍ତି । ଘରେ ତ ଚାକର କୋଠିଆ ହୋଇ ତିନିଜଣ । ବେଶି ଲୋକ ନାହାଁନ୍ତି ମ ! ହେଲେ ଘରେ ସବୁବେଳେ ଗହଳି । ସାଇର ଝିଅ ମାଈପେ ଆସି ଗହଳି କରନ୍ତି । ମୁଁ ତ ନୂଆ ଯାଇଛି । ପ୍ରଥମେ ପ୍ରଥମେ ଭାରି ଲାଜ ଲାଗୁଥିଲା । ଅଡ଼ୁଆ ବି-। ସବୁବେଳେ ବାହାର ଲୋକ ଆସି ପାଟିତୁଣ୍ଡ କଲେ ବିରକ୍ତ ଲାଗିବନି ? ସବୁ କିନ୍ତୁ ଅଭ୍ୟାସରେ ପଡ଼ିଗଲା । ସେମାନଙ୍କ ସାଙ୍ଗରେ ମିଶିଗଲି । ସତେ ଅବା ସେମାନେ ମୋ କଲେଜ ସାଙ୍ଗ । ଘରେ ତ କିଛି କାମ ନାହିଁ, ଆଉ କ’ଣ କରିବି କହ ? କେତେବା ଏକାଏକା ବସିଥିବି ? ଶାଶୁ ବି କହନ୍ତି ସେମାନଙ୍କ ସହିତ ମିଶିବାକୁ । ଗାଁ ସାରା ମୋର ପ୍ରଶଂସା । କ’ଣ ନା ପଟ୍ଟନାୟକ ଘର ବୋହୂ ବହୁତ ପାଠ ପଢ଼ିଛି । କଟକରୁ ଆସିଛି, ଗୋଟିଏ ଚାଉଳରେ ଗଢ଼ା । ପୁଣି ମୋ ମନରେ କୁଆଡ଼େ ଗର୍ବନାହିଁ ଅହଙ୍କାର ନାହିଁ, ବଡ଼ଲୋକୀ ଭାବ ନାହିଁ । ମୁଁ ସମସ୍ତଙ୍କ ସାଙ୍ଗରେ ମିଶୁଛି । ମୁଁ ସେ ଗାଁର ଲକ୍ଷ୍ମୀ । ବୁଝିଲୁ ଅପା ? ତୋ ଭଉଣୀ ପୂରାପୂରୀ ଲକ୍ଷ୍ମୀଠାକୁରାଣୀ ହୋଇଯାଇଛି ।

 

ଆଉ ସେ ଗାଁ କଥା ପଚାରୁଛୁ ? ସତ କହୁଛି ଅପା, ତୁ ଯଦି ଥରେ ଯାଆନ୍ତୁନା ଆସିବାକୁ ମନକରନ୍ତୁ ନାହିଁ । ଇସ୍‌...କି ସୁନ୍ଦର ସେ ଗାଁ । ସେଥିରେ ପୁଣି ଏତେ ପ୍ରାଣ ! ଏତେ ପ୍ରାଚୁର୍ଯ୍ୟ ! ସହର ଭଳି ଅବଶ୍ୟ କୋଠାବାଡ଼ି ନାହିଁ । ତଥାପି ସେଇ ଛୋଟ ଛୋଟ ଚାଳଘରେ ଏତେ ଆନନ୍ଦ ମିଳେ । ଅନୁଭବ ନ କଲେ ଆଦୌ ଜାଣିପାରିବୁନି । ଗାଁ ଲୋକଗୁଡ଼ାକ ଖୁବ୍‌ ସରଳ-। ସେମାନଙ୍କ ଭିତରେ ଏକତା ଅଛି । ଛନ୍ଦ ନାହିଁ, କପଟ ନାହିଁ, ଭାରି ଖୁସିଲାଗେ ସେମାନଙ୍କ ସହିତ ମିଶିବାକୁ । ଡକାଡକି ହୋଇ ଗାଧେଇ ଯିବେ, ପାଣି ଆଣିବେ । ଭାରି ସରଳ । ସହରର କୃତ୍ରିମତା ନାହିଁ ଗାଡ଼ି ଘୋଡା ନାହିଁ, କି ସିନେମାହଲ୍ ନାହିଁ । ସେଠାରେ ସବୁ ପ୍ରାକୃତିକ-। ମନମୁଗ୍‌ଧକର । ହଳଦିଆ ସୋରିଷ ଫୁଲରେ ଚୋରା ମଳୟର ମୃଦୁସ୍ପର୍ଶ, ସେଥିରେ ମହୁମାଛିର ମଧୁ ସଂଗ୍ରହ, ସବୁଜ ଘାସରେ ଟୋପା ଟୋପା କାକର ବିନ୍ଦୁ, ଗୋଠ ବାହୁଡ଼ା ହଳିଆ କଣ୍ଠରୁ ଭାସିଆସୁଛି ପଦେ ପଦେ ମନଫୁଲାଣିଆ ଗୀତ । ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭାର ସମୟ... ସବୁକିଛି ଚିତ୍ତାକର୍ଷକ, ଉପଭୋଗ୍ୟ । ତୁ ଚାଲମ ଅପା, ଥରେ ଦେଖି ଆସିବୁ । ଗାଁରେ ତ ଆଦୌ ଚଳିନୁ । ଥରେ ଯଦି ଚଳିବୁ ନା ଆଉ ଆସିବାକୁ ମନ କରିବୁନି । ତୁ ଚାଲ୍ ନା ? ଆରେ ହଁ, ଆସିଲାବେଳେ ଶାଶୁ କହିଛନ୍ତି ତତେ ସାଙ୍ଗରେ ନେବାକୁ । ସେ ସବୁବେଳେ ମନେପକାନ୍ତି । ତୋ କଥା ସାଇମାଈପଙ୍କୁ କୁହନ୍ତି । ତାଙ୍କ ଭାଷାରେ ତୁ ଦେବୀଟିଏ । ସାକ୍ଷାତ ଦେବୀ । ସତରେଲୋ ସେ ତୋତେ ଭାରି ପ୍ରଶଂସା କରନ୍ତି । ମୋ’ଠାରୁ ତତେ ବେଶି ଭଲପାଆନ୍ତି । ଆଉ ତୋ’ଲାଗି ମତେ ପାଇଛନ୍ତିବୋଲି ଖୁସି ହୁଅନ୍ତି । ତତେ ଯେ କେତେ କଲ୍ୟାଣ କରନ୍ତି...

 

ଭୂମିକାର ମୁହଁଟି ଶୁଖିଗଲା । ମନିକାର ଆଗମନରେ ଯେତେ ଖୁସି ହୋଇଥିଲା, ତା’ କଥାରେ ସେତିକି ଦୁଃଖିତ ହେଲା । ବ୍ୟଥାର ଲହରୀ ଭାସି ଆସୁଥିଲା । କାହିଁଗଲା ସେ ଅତୀତ ! କାହିଁଗଲା ସେଦିନର ମଧୁର ସ୍ମୃତି ! ଆଜି ସେ ସବୁ ସ୍ଵପ୍ନ, ଅଳୀକ । ଆଜି ଆଉ ଅତୀତକୁ ରୋମନ୍ଥନ କରି ଲାଭ ନାହିଁ । ଇସ୍... ମନିଟା ଶାଶୁଘର ଗାଁକୁ କେତେ ପ୍ରଶଂସା କରୁଛି ମ ! ଶାଶୁଘରୁ ଫେରି ସବୁଝିଅ ଏମିତି ପ୍ରଶଂସା କରନ୍ତି ବୋଧେ । ଇଚ୍ଛା କରିଥିଲେ ସେ ବି ଆଜି ସେଇ ଗାଁକୁ ଯାଇପାରିଥାଆନ୍ତା । ଗାଁର ପ୍ରାଣ ପ୍ରାଚୁର୍ଯ୍ୟକୁ ମନଭରି ଉପଭୋଗ କରିପାରିଥାନ୍ତା ।

 

ମନିକା, ଟୁଟୁ, ମୁଟୁକୁ ସାଙ୍ଗରେ ନେଇ ବୁଲାଇ ଆଣିଥା’ନ୍ତା । କିନ୍ତୁ... ବିଧିର ବିଧାନ... ଇଚ୍ଛାକରି ସେ ଯାଇନି । ବୋଧହୁଏ ଏହା ହିଁ ତା’ର ଭାଗ୍ୟର ଲିଖନ ! ଆଜି ମନିକା ଡାକୁଛି । ମାଇଁ କହି ପଠାଇଛନ୍ତି । ଯିବ କି ଆଉ ! ମାଇଁଙ୍କୁ ଟିକେ ଆଖି ପୂରାଇ ଦେଖି ଆସିବ କି ? ମନଟା ଖାଲି ଗୋଳେଇ ଘାଣ୍ଟି ହେଉଛି । ନିଜ ମନକୁ ଦୃଢ଼ କଲା ଭୂମିକା । ନା ସେ ଯିବନି । ଯାହାର ମାୟା ମମତାକୁ ଜାଣି ଜାଣି ସେ ହାତଛଡ଼ା କରିଛି ସେଠିକୁ ଆଉ ଯିବନି । ପୁଣିଥରେ ଅତୀତକୁ ମନେପକାଇବନି ! ତାକୁ ଦେଖିଲେ ସମସ୍ତ ଅନୁତାପ କରିବେ, କୁହୁଳିବେ ।

 

କିନ୍ତୁ ମାଇଁ କାହିଁକି ତା’ର ଏତେ ପ୍ରଶଂସା କହୁଛନ୍ତି ? ପଚାରିବ କି ମନିକାକୁ ? ନା, ଲାଭ ନାହିଁ । ହୁଏତ ମନିକା ଉତ୍ତର ଦେଇପାରିବନି । ସନ୍ଦେହ କରିବ । ଥାଉ । ଆଃ…ତମେ ମତେ ଭୁଲିଯାଅ ମାଇଁ...ଭୁଲିଯାଅ । ଦୁଃଖକୁ ମନେପକାଇଲେ ବେଶି ଦୁଃଖ ହେବ ସିନା, ଉପଶମ ହେବନି । ମୁଁ ଗୋଟେ ତତଲା ମରୁଭୂମି, ମୋ ମନରେ ଶୀତଳତା ନାହିଁ । ଅନ୍ୟମନସ୍କଭାବେ ଭୂମିକା ପଚାରିଦେଲା—ସବୁ ତ କହିଲୁ । କାଇଁ ଜ୍ଵାଇଁଙ୍କ କଥାତ କିଛି କହିଲୁ ନାହିଁ ?

 

ମନିକା ମୁହଁରେ ବାଳସୂର୍ଯ୍ୟର ଆଭା—

 

ଇସ୍... ମନିକାର ଲାଜୁରା ମୁହଁଟା କେତେ ସୁନ୍ଦର ଦିଶୁଛି ସତେ !

 

ଭୂମିକା ବାସ୍ତବ ଜଗତକୁ ଫେରିଆସିଲା । ଆରେ... ସେ ଏ ପ୍ରଶ୍ନ କାହିଁକି ପଚାରିଲା ? ମନିକା କ’ଣ ଉତ୍ତର ଦେଇ ପାରିବ ।

 

ମୁଟୁ ମଧୁମୟଙ୍କ ହାତ ଧରି ସେ ଘରକୁ ଆଣୁଥିଲା । ମନିକା ଉଠି ଚାଲିଗଲା । ଭୂମିକା ଟିକେ ଆଶ୍ଵସ୍ତ ହେଲା । ଯାହାହେଉ ରକ୍ଷା ପାଇଗଲା । ମଧୁମୟ ଭୂମିକାକୁ ନମସ୍କାର କରି ମୁଟୁ ସାଙ୍ଗରେ ଗଲେ ବୋଉକୁ ଦେଖାକରିବାକୁ । ଭୂମିକା ଚାହିଁ ରହିଥିଲା ମଧୁମୟଙ୍କ ଚଲାପଥକୁ । ଆଃ... ମଧୁମୟ ! ଦିନଥିଲା ଯେତେବେଳେ ତମର ଉପସ୍ଥିତି ମୋ ଦେହରେ ସୃଷ୍ଟି କରୁଥିଲା ଶତକଦମ୍ବର ରୋମାଞ୍ଚ । ମନକୁ କରୁଥିଲା ବେପଥୁ । ଅଥଚ ଆଜି ତମକୁ ଦେଖିଲେ ବି ଦେହରେ ଶିହରଣ ନାହିଁ । ମନରେ ରୋମାଞ୍ଚ ନାହିଁ । ସତେ ଅବା ତମେ ମୋର କେହି ନୁହଁ । ତମକୁ କେବେ ଦେଖିନି । ପୂର୍ବରୁ ମୋ’ଠାରୁ କେତେ ଯେ ନମସ୍କାର ପାଇଛ ତା’ର ଇୟତା ନାହିଁ । କିନ୍ତୁ ଆଜି ତମେ ମୋତେ ନମସ୍କାର କଲ । ମଥା ନୋଇଁଦେଲ । ଭୂମିକାର ମନେହେଉଥିଲା ମଧୁମୟ ତାକୁ ନମସ୍କାର କରିନାହାଁନ୍ତି । ସତେ ଯେପରି ଅତୀତର ସ୍ନେହ, ମମତା ସେଇ ଛୋଟ ନମସ୍କାର ଭିତରେ ଫେରାଇ ଦେଇଛନ୍ତି । ତାଙ୍କ ମନରେ କିଛି ଦୁର୍ବଳତା ନାହିଁ ବୋଲି ଜଣାଇ ଦେଇଛନ୍ତି ।

 

ଆଃ... ମଧୁମୟ ! ତମେ କ’ଣ ସତରେ ଭୁଲିଯାଇଛ ? ସତରେ କ’ଣ ମନକାନନରୁ ଭୂମିକାର ପ୍ରେମପୁଷ୍ପକୁ ବୃନ୍ତଚ୍ୟୁତ କରିଛ ?

 

ଭୂମିକା ମୁହଁରେ ଆଷାଢ଼ ଆକାଶର ବାଦଲ ।

 

ସେଦିନ ରାତିରେ ଭୂମିକାକୁ ନିଦ ହେଲାନାହିଁ । ଓଃ...ନିଦ ପାଇଁ କେତେ ଯେ ଚେଷ୍ଟା ! ପାଖରେ ବୋଉ ଶୋଇଛି । ନିଶ୍ଵାସ ପ୍ରଶ୍ଵାସର ଶବ୍ଦ ବେଶ୍ ବାରିହୋଇ ପଡ଼ୁଛି । ମୁଟୁ ନାହିଁ । ନିଶାନ୍ତଙ୍କ ଘରକୁ ଶୋଇବାକୁ ଯାଇଛି । ଯେତେ ବୁଝେଇଲେ ବି ସେ ବୁଝିବନି । ରାତିରେ ଖାଇସାରିଲେ ନିଶାନ୍ତଙ୍କ ଘରକୁ ଚାଲିଯିବ । ନିଶାନ୍ତଙ୍କ ପ୍ରତି କି ଯେ ଆକର୍ଷଣ ତା’ର ! ଆର ଘରେ ମନିକା ଓ ମଧୁମୟ ଶୋଇଛନ୍ତି ! ନିଦ ହୋଇନି ବୋଧେ । ଲାଇଟ୍ ଲିଭାଇ ଦେଇଥିଲେ ମଧ୍ୟ ସେମାନେ କଥାବାର୍ତ୍ତା ହେଉଛନ୍ତି । ବିଛଣାରେ ପଡ଼ୁ ପଡ଼ୁ ଯେଉଁ ମନିକା ଗହନ ନିଦରେ ଶୋଇ ଯାଉଥିଲା ତାକୁ ଆଜି ନିଦ ନାହିଁ । କେତେ ପରିବର୍ତ୍ତନ ହୋଇଛି ସତେ ! ମନିକାର ଦେହରେ, ମନରେ ସବୁଥିରେ ପରିବର୍ତ୍ତନ ହୋଇଛି । ସେ ଘରୁ ମନିକାର ଫିସ୍‍ ଫିସ୍‍ କଣ୍ଠସ୍ୱର ଶୁଣାଯାଉଛି । ଭୂମିକା କାନ ଡେରିଲା । ମନିକା କହୁଥିଲା—ଅପା ତମ କଥା ପଚାରୁଥିଲା । ମୋତେ ଭାରି ଲାଜ ଲାଗିଲା । କ’ଣ କହିଥାନ୍ତି କହିଲ ? ଭାଗ୍ୟକୁ ତମେ ଯାଇ ପହଞ୍ଚିଗଲ ବୋଲି ମତେ ବାଟ ମିଳିଗଲା... । ତମେ ଏମିତି ଲାଗିଲେ...ଜାଣିଥାଅ ନିଶ୍ଚେ ଅପାକୁ କହିଦେବି । ଅପା ତ ପଚାରୁଥିଲା ତମ କଥା !

 

କ’ଣ କହିବ ଯେ ?

 

କହିବି—କହିବ ତମେ ଦୁଷ୍ଟ…ଭାରି ଦୁଷ୍ଟ ।

 

ଓ...ଏତିକି କହିବ । କୁହ, କିଏ ମନାକରୁଛି ! ହେଲେ ଅପା ଆଦୌ ବିଶ୍ଵାସ କରିବେନି-। ସେ ମତେ ବେଶ୍ ଭଲଭାବେ ଚିହ୍ନିଛନ୍ତି ।

 

ଭୂମିକା ଆଉ ଆଉ କିଛି ଶୁଣିପାରିଲାନି । ଶୁଣିବାକୁ ଇଚ୍ଛା ନଥିଲା । ଧୈର୍ଯ୍ୟ ବି ନଥିଲା-। ମନିକାକୁ ପାଇ ମଧୁମୟ ସୁଖୀ ହୋଇଛନ୍ତି ତା’ହେଲେ ! ଭୂମିକାକୁ ଭୁଲିଯାଇଛନ୍ତି-। ଭଲ ହୋଇଛି । ଅତୀତକୁ ଅତୀତରେ ଚାପିଦେଇ ଭବିଷ୍ୟତକୁ ଲକ୍ଷ୍ୟକରି ବର୍ତ୍ତମାନ ପଥରେ ଆଗେଇ ଯିବା ମଣିଷର କର୍ତ୍ତବ୍ୟ । ମଧୁମୟ ମଣିଷ, ପୁଣି ପୁରୁଷ । ଅତୀତକୁ ରୋମନ୍ଥନ କରି ନିଜକୁ ଦୁର୍ବଳ କରିବା ତାଙ୍କର ଉଚିତ ନୁହେଁ । ଅତୀତଟା ଖାଲି ଅତୀତ । ବର୍ତ୍ତମାନ ପାଇଁ ତାହା ଦୁଃଖପୂର୍ଣ୍ଣ, ଯନ୍ତ୍ରଣାଦାୟକ । ପଛକଥାକୁ ମନେପକାଇ ପଛକୁ ଫେରିଗଲେ କିଛି ଲାଭନାହିଁ । ହୁଏତ ଆଉ ଆଗକୁ ଆସି ନ ପାରେ ।

 

ତା’ ଜୀବନରେ ମଧୁମୟ ଯେଉଁଦିନ ପ୍ରଥମଥର ପାଇଁ ଆସିଥିଲେ ସେଦିନ କେହି ଶୁଭରଙ୍ଗ ଫୁଙ୍କି ନଥିଲେ । ଆଜି ସେ ତା’ ଜୀବନରୁ ଅପସରି ଯାଇଥିଲେ ମଧ୍ୟ କେହି ବିଦାୟ ଗୀତିକା ଗାଇ ନାହାଁନ୍ତି ।

 

ଭୂମିକା ମନକୁ ଦୃଢ଼କଲା । ଶୋଇବାକୁ ଚେଷ୍ଟା କରୁଥିଲା ।

 

କଟକକୁ ପୁଣି ବଦଳି ହୋଇ ଆସିଥିବାରୁ ଭୂମିକା ଯେତିକି ଖୁସି ହୋଇଥିଲା, ଅଫିସରେ ଯୋଗ ଦେବାପରେ ସେତିକି ଦୁଃଖ କଲା । ପୂର୍ବରୁ ସେଇ ଅଫିସରେ କାମ କରୁଥିଲେ ମଧ୍ୟ ଦ୍ୱିତୀୟଥର ତାକୁ ନୂଆ ନୂଆ ଲାଗିଲା । ସତେ ଯେପରି କଲେଜରୁ ସଦ୍ୟ ଆସି ଚାକିରିରେ ଯୋଗ ଦେଇଛି । ଦେବେନ୍ଦ୍ରବାବୁ, ଅଭୟବାବୁ, ଅରୁଣବାବୁ କିମ୍ବା ସୁଜାତା କେହି ନଥିଲେ । ତାଙ୍କ ସିଟରେ ନୂଆ ନୂଆ ଲୋକଙ୍କୁ ଦେଖି ଭୂମିକା ଆଶ୍ଚର୍ଯ୍ୟ ହୋଇନଥିଲା । ସରକାରୀ ଚାକିରିଆ ଜୀବନ । କେତେ ଆସିବେ । କେତେ ଯିବେ; ହେଲେ ସିଟ୍‌ଟା ସେମିତି ପଡ଼ିରହିଥିବ ।

 

ପୁରୀରେ ରହିବାକୁ ଭୂମିକା ଇଚ୍ଛା କରୁନଥିଲା । ପୁଣି ମଧୁମୟଙ୍କ ଘରେ ରହି ତାଙ୍କ ବିବାହିତ ଜୀବନର ମଧୁର ସ୍ଵାଦ ଉପଭୋଗ କରିବାର ବାସନା ତା’ର ନଥିଲା । ମନିକା ଅନୁରୋଧ କରିଥିଲା । ମଧୁମୟ ବି କହିଥିଲେ—ତମେ ନ ଗଲେ ମନିକା ଦୁଃଖ କରିବ ଅପା…ତମେ ଆଉ ନାହିଁ କରନି ।

 

ନିଜ ଉପରେ ଭୂମିକାର ବିଶ୍ଵାସ ଥିଲା । ମନିକା ସହିତ ଏକତ୍ର ରହିଲେ ତା’ର କିଛି ଅସୁବିଧା ହେବନି ବୋଲି ସେ ଜାଣିଥିଲା । କିନ୍ତୁ ମଣିଷର ମନ ତ ! କେତେବେଳେ କେଉଁକଥା...ବେଳେବେଳେ ନିଜ ମନଉପରୁ ଆସ୍ଥା ହରାଇ ବସୁଥିଲା ଭୂମିକା । ତା’ର ସନ୍ଦେହ ହେଉଥିଲା ମନିକା ଓ ମଧୁମୟଙ୍କ ସୁଖୀ ଜୀବନକୁ ଦେଖିଲେ ତା’ ମନରେ ହୁଏତ ଈର୍ଷା ଆସିବ । ମନିକା ହୁଏତ ସନ୍ଦେହ କରିବ । ତା’ପରେ... ? ଭୂମିକା ଆଉ କିଛି କଳ୍ପନା କରିପାରିନଥିଲା । ଚାରିଆଡ଼େ ଅନ୍ଧାର ଦିଶିଥିଲା । ଅଜଣା ଆତଙ୍କରେ ଶିହରି ଉଠିଥିଲା । ମଧୁମୟଙ୍କ ଅନୁରୋଧକୁ ଉପେକ୍ଷା କରିଥିଲା । ମନିକା ଦୁଃଖ କରିଥିଲା । କଟକକୁ ବଦଳି ହୋଇ ନଥିଲେ ସୁଦ୍ଧା ବଦଳି ହୋଇ ସାରିଛି ବୋଲି ଜଣାଇଥିଲା ।

 

ମନିକା ପୁରୀ ଚାଲିଗଲା । ବୋଉ ମଧ୍ୟ ମନିକା ସହିତ ଗଲା । ଝିଅଟା ନୂଆ ହୋଇ ସ୍ଵାମୀ ସହିତ ଯାଉଛି । ହୁଏତ କିଛି ଅସୁବିଧା ହୋଇପାରେ ଭାବି ଭୂମିକା ବୋଉକୁ ପଠାଇ ଦେଇଛି; ବୋଉ ରହିଲେ ପାଖରେ ମନିକାର ଦମ୍ଭ ଆସିବ । ନୂଆ ଜାଗା ବୋଲି ତା’ର ଆଉ ଭୟ ରହିବନି । ଭୂମିକା ପାଖରେ ମୁଟୁ ଏକା ରହିଛି ।

 

ଭୂମିକା ପୁରୀ ନ ଯାଇ ଛୁଟି ନେଇଥିଲା । ଟ୍ରାନ୍‌ସଫର ହୋଇ ଆସିବାକୁ ଚେଷ୍ଟା କରିଥିଲା । ଶେଷରେ ତା’ର ବଦଳି ହେଲା । ସେ କଟକ ଅଫିସ୍‍କୁ ଫେରିଆସିଲା । କିନ୍ତୁ ଏ କ’ଣ-? ଅଫିସରେ ଗୋଡ଼ ଦେଇଛି କି ନାହିଁ ଭୂମିକା ଚମକି ପଡ଼ିଲା । କେତେଗୁଡ଼ିଏ ତୃଷିତ ଆଖି ତାକୁ ଚାହିଁ ରହିଥିଲେ । ଆଉ ସେ କଣରେ ସୁଜାତା ସିଟରେ କାଳି ହୋଇ ଯେଉଁ ମୋଟି ଝିଅଟି ବସିଛି ସେ ଚକିତ ଚାହାଣିରେ ଅନାଇ ରହିଛି । ଈର୍ଷାରେ ଦାନ୍ତ କଡ଼ମଡ଼ କରୁଛି, ନିଜକୁ ଖୁବ୍ ସଜେଇଛି ଝିଅଟା ! ଭୂମିକା ଦୂରରେ ବସିଥିଲେ ମଧ୍ୟ ଝିଅଟାକୁ ଦେଖିପାରୁଥିଲା । ତା’ କଳା ପୁଚୁକା ମୁହଁରେ ପାଉଡରର ପ୍ରଲେପ ଦୃଷ୍ଟିଗୋଚର ହେଉଛି । ମେଞ୍ଚାଏ ପାଉଡରକୁ ପାଉଁଶ ଭଳି ବୋଳିହୋଇ ମୁହଁକୁ ଧଳା କରିଦେଇଛି । ସର୍କସରେ ଏକ ଜୋକର ଭଳି ମନେହେଉଛି । ଭୂମିକା ମନେ ମନେ ହସିଲା ।

 

ନିଜ ସିଟରେ ବସି ଚାରିଆଡ଼କୁ ଥରେ ଆଖି ବୁଲାଇ ନେଲା । ସମସ୍ତଙ୍କ ଆଖି ତା’ ଉପରେ ନିବଦ୍ଧ । ଭୂମିକା ନିଜ କାମରେ ମନ ଦେଲା । ସେମାନଙ୍କୁ ଚାହିଁ ଅଯଥା ସମୟ ନଷ୍ଟ କରିବାକୁ ତା’ର ଇଚ୍ଛା ନଥିଲା । ସେମାନଙ୍କର ପରିଚୟ ଜାଣିବାର ଆଗ୍ରହ ମଧ୍ୟ ନଥିଲା । କ’ଣ ଦରକାର ? ଆପେ ଆପେ ଜାଣି ହୋଇଯିବ । ନ ପଚାରିଲେ ମଧ୍ୟ ସେମାନେ ନିଜ ନିଜର ପରିଚୟ ଦେବେ ।

 

ବାପାଙ୍କ ସାଙ୍ଗ ହିସାବରେ ଅଫିସର୍‍ଙ୍କୁ ଭୂମିକା ପୂର୍ବରୁ ଜାଣିଥିଲା । ତାଙ୍କରି ପାଇଁ ସେ କଟକକୁ ଟ୍ରାନ୍‌ସଫର ହୋଇ ଆସିଛି । ଅଫିସର୍‍ଙ୍କୁ ନମସ୍କାର କରି ଭୂମିକା ବସିଲା । ଅଫିସର୍‍ ପଚାରିଥିଲେ ଘରକଥା, ନିଜକଥା, ଅଫିସ୍‍ କଥା । ସରଳ ଭାବରେ ଉତ୍ତର ଦେଇ ଚାଲିଥିଲା ଭୂମିକା । ଅଫିସର୍‍ ପଚାରିଲେ—ଏଠିକା ଅଫିସ୍‍ କେମିତି ଲାଗୁଛି ? ଭୂମିକା ହଠାତ୍ କହିପାରିଲା ନାହିଁ । ଏତେ ବର୍ଷ ଚାକିରି କରିସାରିଲା ପରେ ଭଲଲାଗୁନି କହିବାର ଅର୍ଥ କିଛି ନାହିଁ । ଭଲ ନ ଲାଗିଲେ ମଧ୍ୟ ପଇସା ରୋଜଗାର ପାଇଁ କାମ କରିବାକୁ ପଡ଼ିବ । ଯେକୌଣସି ପରିସ୍ଥିତି ସହିତ ନିଜକୁ ଚଳେଇ ନେବାକୁ ପଡ଼ିବ । ରହିରହି ଭୂମିକା କହିଲା—ବେଶ୍ ଭଲ ଲାଗୁଛି । କିନ୍ତୁ ଦେହଟା ଭଲ ନଥିବାରୁ ଭାବିଛି ମାସେ ଛୁଟି ନେବି । ଅଫିସର୍‍ଙ୍କର ଆଉ କିଛି କହିବାର ନଥିଲା । ଭୂମିକା ଉଠିଲା । ଛୁଟି ପାଇଁ ଖଣ୍ଡେ ଦରଖାସ୍ତ ଲେଖି ପିଅନ ହାତରେ ପଠାଇଦେଇ ଘରକୁ ଫେରିଆସିଲା-

 

ଦେଖିଲା, ଘର ବନ୍ଦ ଅଛି । ମୁଟୁ ବୋଧେ ସ୍କୁଲରୁ ଫେରିନି । ଭୂମିକା ମନେ ମନେ ବିରକ୍ତ ହେଲା । କୌଣସି ଦିନ ମୁଟୁ ଘରେ ନଥାଏ । ସ୍କୁଲ ଛୁଟିପରେ ସାଙ୍ଗମାନଙ୍କ ସହିତ ଖେଳୁଥାଏ କିମ୍ବା ସ୍କୁଲରୁ ଫେରି ନିଶାନ୍ତଙ୍କ ଘରେ ରହିଯାଏ । ରାତି ନହେଲେ ଘରକୁ ଆସେ ନାହିଁ-। ମୁଟୁକୁ ଖୋଜିବାକୁ ଭୂମିକା ନିଶାନ୍ତଙ୍କ ଘରପାଖରେ ପହଞ୍ଚି ଯାଇଥିଲା । ଖିଲି ଖିଲି ହସରେ ଅଟକିଗଲା । କିଏ ହସୁଛି ? ଏ ତ ମୁଟୁ ହସ ନୁହେଁ । ତେବେ ? ନିଶାନ୍ତ ଘରକୁ ହୁଏତ କେହି ଆସିଥାଇ ପାରନ୍ତି । କିନ୍ତୁ ନିଶାନ୍ତ ସେଦିନ କହୁଥିଲେ କୌଣସି ବନ୍ଧୁବାନ୍ଧବ ଏଠାକୁ ଆସନ୍ତି ନାହିଁ ଏବଂ ସେମାନଙ୍କ ଆଗମନକୁ ନିଶାନ୍ତ ପସନ୍ଦ କରନ୍ତି ନାହିଁ । ତେବେ କିଏ ଆସିଛି ?

 

କବାଟ ବନ୍ଦ ଅଛି । ଭିତରୁ ବୋଧେ କୀଳଣୀ ଦିଆଯାଇଛି, ଝରକାଟା କିନ୍ତୁ ଖୋଲା ରହିଛି । ଭୂମିକା ଝରକା ପାଖକୁ ଗଲା । ନିଶାନ୍ତଙ୍କ କୋଳରେ ମୁଣ୍ଡରଖି ତରୁଣୀଟିଏ ଶୋଇଛି । ତା’ର ମୁଣ୍ଡରେ ହାତଥାପି ନିଶାନ୍ତ ତାକୁ ଚାହିଁ ରହିଛନ୍ତି । କିଛି କହୁଛନ୍ତି ବୋଧେ । ତରୁଣୀଟି ହସୁଛି, ଭାରି ମିଠା ମିଠା ହସ । ଭୂମିକା ଆଉଥରେ ଚାହିଁଲା । ଇସ୍... କି ସୁନ୍ଦରୀ ! ମୁହଁଟା ଖୁବ୍ ପିଲାଳିଆ ମନେହେଉଛି । ଗାଢ଼ ନୀଳରଙ୍ଗର ଶାଢ଼ିଟି ତା’ ଗୋରା ଦେହକୁ ବେଶ୍ ମାନିଛି । ସେଇ ରଙ୍ଗର ବ୍ଲାଉଜ ବୋଧେ । କିନ୍ତୁ ଏ ତରୁଣୀଟି କିଏ ? ଭୂମିକା ମନେପକାଉଥିଲା । ନା, ଚିହ୍ନିଲା ଭଳି ମନେହେଉନି । କାହିଁ, ନିଶାନ୍ତଙ୍କ ଘରେ କେବେ ତ ଦେଖିନି ?

 

ନିଶାନ୍ତଙ୍କ କବାଟ ଖୋଲିବା ଶବ୍ଦରେ ଭୂମିକାର ଧ୍ୟାନ ଭାଙ୍ଗିଲା । ଆରେ, ସେ କବାଟ ପାଖକୁ ଆସିଯାଇଛି ଯେ ! ବିଚଳିତ ହେଲା ଭୂମିକା । କିଛି କହିବା ପୂର୍ବରୁ ନିଶାନ୍ତ କହିଲେ, ତମେ-! ଏ ଅସମୟରେ !

 

ନିଜକୁ ଠିକ୍ କରିନେଇ ଭୂମିକା କହିଲା, ଘର ବନ୍ଦଅଛି । ମୁଟୁ ପାଖରେ ଚାବିଟା ରହିଯାଇଛି । ତା’ ପାଖରୁ ଚାବିନେବାକୁ ଆସିଥିଲି ।

 

ଆଚ୍ଛା, ଆଚ୍ଛା; ତମେ ଘରକୁ ଆସ । ମୁଟୁ ବର୍ତ୍ତମାନ ଆସିଯିବ । ଛୋଟ ପିଲା । କେଉଁଠି ଖେଳୁଥିବ ।

 

ଦ୍ଵନ୍ଦ୍ୱରେ ପଡ଼ିଲା ଭୂମିକା । ଯିବ କି ନାହିଁ ଠିକ୍ କରିପାରିଲିନି । ପୁଣି ନିଶାନ୍ତ କହିଲେ, ଆଜି ଗୋଟେ ନୂଆ ମଣିଷ ସହିତ ତମର ପରିଚୟ କରାଇଦେବି । ତମକୁ ଦେଖିଲେ ସେ ଭାରି ଖୁସି ହେବ । ଆରେ ! ବାହାରେ ରହିଲ କାହିଁକି ? ଭିତରକୁ ଆସ ।

 

ଭୂମିକା ଘର ଭିତରକୁ ଗଲା । ନିଶାନ୍ତ ବଡ଼ପାଟିରେ କହିଲେ ମିତା...ଏ ମିତା ! ଦେଖତ କିଏ ଆସିଛନ୍ତି ?

 

ଭୂମିକା ଜାଣିଲା ତରୁଣୀଟିର ନା ମିତା । ମିତା ଭୂମିକାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବାର ଦେଖି ନିଶାନ୍ତ କହିଲେ, ମୁଁ ତମକୁ ସବୁବେଳେ ଯେଉଁ ଭୂମିକା କଥା କହେ ମ….

 

ଓଃ….ମନସ୍କାର !

 

ଭୂମିକା ପ୍ରତିନମଷ୍କାର କଲା ।

 

ନିଶାନ୍ତ ପୁଣି କହିଲେ—ମିତାକୁ ତମ ବିଷୟରେ ଅନେକଥର କହିଛି । କିନ୍ତୁ ତମକୁ ମିତାର ସୂଚନା ମଧ୍ୟ ଦେଇପାରି ନଥିଲି । ସେଥିପାଇଁ କ୍ଷମା ମାଗିନେଉଛି । ଏଇ ମିତା ମତେ ଏତେବଡ଼ ଲାବୋରଟୋରୀ କରିବାର ପ୍ରେରଣା ଦେଇଛି ଏବଂ ଜିନିଷ ମଧ୍ୟ ଯୋଗାଇ ଦେଇଛି । ତାଙ୍କ ବାପାଙ୍କର ଇଚ୍ଛା ମିତାକୁ ମୋ ସହିତ ବିବାହ ଦେଇ ନିଶ୍ଚିତ ହେବେ । ମିତାର ଏବଂ ମୋର ମଧ୍ୟ ସେଇ ଇଚ୍ଛା ।

 

କଥା ଶେଷ କରି ନିଶାନ୍ତ ସାମାନ୍ୟ ହସିଦେଲେ । ଭୂମିକା ଲକ୍ଷ୍ୟକଲା ନିଶାନ୍ତଙ୍କ ମୁହଁ ଲାଲ୍ ଦିଶୁଛି । ମିତା ମଧ୍ୟ ତଳକୁ ମୁହଁ କରିଛି । ଲାଜେଇ ଗଲା ବୋଧେ । ମିତା ନିଶାନ୍ତଙ୍କର ବାଗ୍‌ଦତ୍ତା ତା’ହେଲେ ! ନିଶାନ୍ତ ମିତାକୁ ଲକ୍ଷ୍ୟ କରି କହିଲେ—ତମେ କଥାବାର୍ତ୍ତା କରୁଥାଅ ମିତା । ମୁଁ ଦେଖେ ମୁଟୁ କୁଆଡ଼େ ଗଲା । ଚଟି ଘୋଷାରି ଘୋଷାରି ନିଶାନ୍ତ ଘରୁ ବାହାରି ଗଲେ ।

 

ଭୂମିକା ମିତାକୁ ଚାହିଁଲା । ମିତା ଦେହରେ ତାରୁଣ୍ୟର ରୂପସମ୍ଭାର । ମୁହଁଟି ଅପୂର୍ବ ମାଧୁର୍ଯ୍ୟମଣ୍ଡିତ । ଟଣାଟଣା ଆଖି ଦୁଇଟି ବେଶ୍ ମାନୁଛି । ଭୂମିକା ମୁଗ୍‌ଧ ହେଲା । ନିଶାନ୍ତଙ୍କ ପସନ୍ଦକୁ ଧନ୍ୟବାଦ ଦେଲା ।

 

ମିତା ସେହିପରି ଚୁପ୍‌ଚାପ୍‌ ବସିଛି । ମୁହଁଟା ଅସମ୍ଭବ ଭାବେ ଗମ୍ଭୀର ଦିଶୁଛି । ଭୂମିକା କହିଲା—ନିଶାନ୍ତବାବୁଙ୍କ ବଗିଚା ଆଡ଼େ ଯିବା ଚାଲ । ଏଠି ଏମିତି କେତେ ସମୟ ବସିବା ?

 

ମିତା ସେହିପରି ଗମ୍ଭୀର ହୋଇ କହିଲା—ସମୟ ହୋଇଗଲାଣି । ବାବା ଅପେକ୍ଷା କରି ବସିଥିବେ । ଠିକ୍ ସମୟ ଭିତରେ ନ ପହଞ୍ଚିଲେ ବିରକ୍ତ ହେବେ । ମୁଁ ଯାଉଛି । ନିଶାନ୍ତ ଫେରିଲେ ତମେ କହିଦେବ । ମିତା ଯିବାକୁ ଉଠିପଡ଼ିଲା ।

 

ମିତାର ବ୍ୟବହାରରେ ଭୂମିକା କ୍ଷୁବ୍‌ଧ ହେଲା । ତଥାପି କହିଲା—ନିଶାନ୍ତବାବୁଙ୍କୁ ନ କହି ଚାଲିଗଲେ ସେ ଦୁଃଖ କରିବେ । ତମେ ନିଜେ କହି ଯିବା ଉଚିତ ।

 

ଭୂମିକା ଚୁପ୍ ହୋଇଗଲା । ମିତା ନୀରବରେ ବସିପଡ଼ିଲା ।

 

ଦୁହିଁଙ୍କ ମୁହଁରେ କଥା ନଥିଲେ ମଧ୍ୟ ଚୁପ୍ ହୋଇ ବସି ରହିବାକୁ ଭୂମିକାକୁ ଭଲ ଲାଗୁ ନଥିଲା । କିଛି ନ କହିଲେ ମିତା ହୁଏତ ଖରାପ ଭାବିପାରେ । ଅଥଚ କହିଲେ ଏଡ଼େଇ ଦେବାକୁ ଚେଷ୍ଟା କରୁଛି ।

 

ନିଶାନ୍ତଙ୍କୁ ଆସୁଥିବାର ଦେଖି ଭୂମିକା ଉଠିପଡ଼ିଲା ।

 

ନିଶାନ୍ତ କହୁଥିଲେ । ନିଜକଥା, ପରିବାର କଥା, ମିତା କଥା ଏମିତି କେତେ କଥା ।

 

ମିତା ସହିତ ପରିଚୟ ଏଇମାତ୍ର ତିନିବର୍ଷ ତଳର । ରାସ୍ତାରେ କୌଣସି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମିତା ଖୁବ୍ ସିରିୟସ୍ ହୋଇ ଯାଇଥିଲା । ବଞ୍ଚିବାର ଆଶା ନଥିଲା । କାଜୁଆଲିଟିରେ ଅଜ୍ଞାନ ମିତାକୁ ଦେଖି ତା’ର ସମସ୍ତ ଯତ୍ନ ମୁଁ ନିଜ ହାତରେ ଦେଇଥିଲି । ଏକମାତ୍ର ମାତୃହରା ସନ୍ତାନର ଏପରି ଦୁରାବସ୍ଥା ଦେଖି ମିତାର ବାପା ଭାଙ୍ଗିପଡ଼ିଥିଲେ । ମୁଁ ତାଙ୍କୁ ସ୍ୱାନ୍ତ୍ୱନା ଦେଇଥିଲି ଏବଂ ମିତାର ଚିକିତ୍ସା କରିଥିଲି । ହସପିଟାଲରେ ତିନିମାସ ରହିବା ପରେ ମିତା ଘରକୁ ଆସିଥିଲା । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲା । ବାଧା ହୋଇ ତାଙ୍କ ଘରକୁ ଆସି ମୁଁ ତାକୁ ସୁସ୍ଥ କଲି-

 

ଡାକ୍ତର ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି । ନିଜର ସମସ୍ତ ଶକ୍ତି ଏକତ୍ର କରି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଛି । ଭଗବାନ ତା’ର ଫଳ ଦେଇଛନ୍ତି । ମୋର ଶ୍ରମ ସାର୍ଥକ ହୋଇଛି । ମିତା ସୁସ୍ଥ ହୋଇ ପୂର୍ବ ଅବସ୍ଥାକୁ ଫେରିଆସିଛି ।

 

ମିତା ସୁସ୍ଥ ହେଲା । ତାଙ୍କ ବାପାଙ୍କ ମୁହଁରେ ହସ ଚହଟିଲା । କିନ୍ତୁ ମୋର ତାଙ୍କ ଘରକୁ ଯିବା ବନ୍ଦ ହେଲାନାହିଁ । ତାଙ୍କ ବାପାଙ୍କର ସ୍ନେହ ଓ ମିତାର ପ୍ରେମ ସେଠାକୁ ମତେ ଟାଣିନେଲା । ଦୁହେଁ ଘନିଷ୍ଠ ହୋଇଉଠିଲୁ । ମିତା ଚାହିଁଲା ମତେ, ମୁଁ ଚାହିଁଲି ମିତାକୁ । ତା’ର ବାପା ମଧ୍ୟ ବାଧା ସୃଷ୍ଟି କରିନଥିଲେ । ବରଂ ମିତାକୁ ମୋ ସହିତ ବିବାହ ଦେଇ ନିଶ୍ଚିତ ହେବାକୁ ଚାହିଁଲେ ।

 

ମିତା ସେତେବେଳେ ଦ୍ଵିତୀୟ ବାର୍ଷିକ କଳାଛାତ୍ରୀ । ତା’ପରେ ମିତା ଚାହିଁଲା ମୋର ଉନ୍ନତି । ଲାବୋରଟୋରୀ ପାଇଁ ସମସ୍ତ ସାମଗ୍ରୀ ଏବଂ ତା’ଠାରୁ ସାହାଯ୍ୟ ପାଇ ମୁଁ ହେଲି ଧନୀ ।

 

ଭୂମିକା ଆଶ୍ଚର୍ଯ୍ୟ ହେଲା ଅନ୍ୟର ଟଙ୍କାରେ ମଣିଷ ଯେ ଏପରି ଧନୀ ହୋଇପାରେ ତାହା ସେ ଭାବିପାରୁନଥିଲା । ନିଶାନ୍ତ ଧନୀ କିମ୍ବା ଗରିବ ସେ ବିଷୟରେ ସେ ଜାଣିନାହିଁ । ଜାଣିବାକୁ କେବେ ଇଚ୍ଛା କରିନାହିଁ । କିନ୍ତୁ ନିଶାନ୍ତଙ୍କ ଚାଲିଚଳନି ସବୁଥିରେ ବଡ଼ଲୋକୀ ଭାବ ଦେଖିଛି । ନିଶାନ୍ତ ମଧ୍ୟ ସ୍ଵୀକାର କରୁଛନ୍ତି । ମିତାର ଟଙ୍କାରେ ଧନୀ ଭଳି ଚଳୁଥିବାରୁ ଗର୍ବ କରୁଛନ୍ତି-। ଛି—ଛି—କେଡ଼େ ନୀଚମନ ! ପ୍ରେମିକାର ସାହାଯ୍ୟ ପାଇ ଖୁସି ହେଉଛନ୍ତି । ଗୋଟେ ଡାକ୍ତର ହୋଇ ନାରୀଠାରୁ ପୁଣି ଅର୍ଥ ସାହାଯ୍ୟ ନେଉଛନ୍ତି ।

 

ଭୂମିକାର ମନ ଘୃଣାରେ ପୂରିଉଠୁଥିଲା ।

 

ଆମେ ଯେ କେଡ଼େ ଗରିବ ତମେ ସେ କଥା ଜାଣ ନାହିଁ ଭୂମିକା । ଏକମାତ୍ର ପୁଅ ହେଲେ ମଧ୍ୟ ମୁଁ ଖୁବ୍ କଷ୍ଟରେ ପାଠ ପଢ଼ିଛି । ଜମିବାଡ଼ି ବିକ୍ରିକରି ବାପା ମତେ ମଣିଷ କରିଛନ୍ତି ।

 

ଭୂମିକାର ଇଚ୍ଛା ହେଉଥିଲା କହିବାକୁ, ତମେ ମଣିଷ ହୋଇପାରିଲନି ନିଶାନ୍ତ । ମଣିଷ ହେବାକୁ ଯାଇ ଅମଣିଷ ହୋଇଗଲ । ବାପାଙ୍କ ଦୁଃଖକଷ୍ଟକୁ ଅନ୍ତର ଦେଇ ବୁଝିପାରିଲ ନାହିଁ ।

 

ନିଶାନ୍ତ କହୁଥିଲେ—ବୋଉ ବୁଢ଼ୀ ହେଲାଣି । କାମଦାମ କରିପାରୁନି । ଘରକୁ ବୋହୂ ଆଣିବାକୁ ଲଗାଇଛି । କିନ୍ତୁ…..

 

ପୁଣି କିନ୍ତୁ କ’ଣ ? ପୁଅ ବଡ଼ହେଲେ ବୋହୂଟିଏ ଘରକୁ ଆସିବ ଏ ଆଶା ସବୁ ମା’ଙ୍କର ରହିଛି । ଆପଣ ନାହିଁ କରୁଛନ୍ତି କାହିଁକି ?

 

ଆରେ ନା ମୁଁ କାହିଁକି ନାହିଁ କରିବି ! ହେଲେ ମିତାଟା ରାଜି ହେଉନି । ମୁଁ ମେଡିସିନ ଉଦ୍ଭାବନ କରିସାରିଲେ ବାହାଘର ହେବ ବୋଲି କହୁଛି । କେତେ ବର୍ଷ ଡେରି ହେବ କେଜାଣି । କିନ୍ତୁ ବୋଉ ମୋ କଥା ବୁଝୁନି କି ଶୁଣୁନାହିଁ । ତା’ର ଖାଲି ବୋହୂ—ବୋହୂ—ବୋହୂ !

 

ସିଏ ତ କିଛି ଭୁଲ୍ କହୁନାହାଁନ୍ତି । ବୁଢ଼ୀଦିନେ ସେବାଯତ୍ନ ପାଇବାର ଆଶା ଅଛି । ସେଥିପାଇଁ ବୋହୂର ପ୍ରୟୋଜନ ବେଶି ।

 

ତା’ ବୁଝୁଛି । କିନ୍ତୁ ଉପାୟ ନାହିଁ । ତମେ ଜାଣିପାରିବନି ଭୂମିକା ମୁଁ ମିତାକୁ କେତେ ଭଲପାଏ । ତା’ ମନରେ ଦୁଃଖ ହେଲାଭଳି କୌଣସି କାମ ମୁଁ କରିପାରିବି ନାହିଁ । ବରଂ ବାପା ମା’ଙ୍କୁ ବୁଝେଇ ଦେଇ ପାରିବି । କିନ୍ତୁ ମିତାକୁ ଜୋର୍‍ କରିପାରିବି ନାହିଁ । ତା’ଛଡ଼ା ତାରି ଟଙ୍କାରେ ମୁଁ ଏକ୍ସପେରିମେଣ୍ଟ କରୁଛି । ଘରକୁ ଟଙ୍କା ପଠାଉଛି । ସେ ମୋ’ପାଇଁ ବହୁତ କିଛି ସାହାଯ୍ୟ କରିଛି-। କେମିତି କୃତଘ୍ନ ହେବି କୁହ ?

 

ଭୂମିକା କିଛି କହିଲା ନାହିଁ । କହିବା ଉଚିତ ନୁହେଁ ମଧ୍ୟ । ସବୁ ପ୍ରେମିକ ଏହିପରି କହିଥାନ୍ତି । ଭଲ କଥା କହିଲେ ସେମାନେ ଶୁଣିବେ ନାହିଁ । ହିତକୁ ଅହିତ ମନେକରିବେ ।

 

ନିଶାନ୍ତ କହିଲେ, ମିତାଙ୍କ ଘରେ ରାତ୍ରିଯାପନ କରିଛି, ତା’ ସହିତ ସିନେମା ଯାଇଛି କ୍ଲବ ଆଟେଣ୍ଟ କରିଛି । ତାକୁ ଖୁବ୍ ପାଖରେ ପାଇଛି । ଆକାଶକୁ ଚାହିଁ ପୂର୍ଣ୍ଣମୀ ଜହ୍ନକୁ ଉପଭୋଗ କରନ୍ତି । ତା’ର ପ୍ରତ୍ୟେକଟି ଅନୁରୋଧକୁ ସାଦରେ ଗ୍ରହଣ କରିଛି । କିନ୍ତୁ ତା’ ମନରେ ଦୁଃଖ ଦେଇପାରିନି । ଦିନେ ବିବାହ ପ୍ରସ୍ତାବ ଉଠାଇଥିଲି । କିନ୍ତୁ ମିତା ଖୁବ୍ ଦୁଃଖ କଲା । କହିଲା—ଏମିତି ଆମେ ଆରାମରେ ଅଛୁ । ବିବାହ କଲେ ଅଧିକ କ’ଣ ହେବ । ତମେ ନିଜକୁ ପ୍ରତିଷ୍ଠିତ କରିସାର । ତା’ପରେ ବିବାହ । ମୋର ଆଉ କିଛି କହିବାର ନଥିଲା । ମିତାର ଦୁଃଖ ଦେଖି ମୁଁ ଅନୁତାପ କଲି-। ତା’ ପରଠାରୁ ଏ ବିଷୟରେ ଆଉ କହିନି ।

 

ଭୂମିକା ହସିଲା । ଧଳା ଧଳା ଦାନ୍ତଗୁଡ଼ିକ ଚିକ୍ ଚିକ୍ କରୁଥିଲା । କି ମିଠା ହସ ! ଭୂମିକା ଏମିତି ସବୁବେଳେ ହସୁଥାନ୍ତା କି !

 

ନିଶାନ୍ତ ଚାହିଁ ରହିଥିଲେ । ଭୂମିକା ଦେହରେ ଟିକିଏ ମାଉଁସ ଲାଗିଲାଣି । ବେଶ୍‍ ଗୋଲଗାଲ ଦିଶୁଛି । ଆଖି ଦୁଇଟା ରକ୍ତାଭ ହୋଇଗଲାଣି । ମଥାରେ କୁଙ୍କୁମ ନାହିଁ । ଆଖିରେ କଳା ନାହିଁ, ମୁହଁରେ ପାଉଡରର ପ୍ରଲେପ ନାହିଁ । ଅଥଚ ମୁହଁରେ ଆକର୍ଷଣ ଅଛି । ମାୟା ଅଛି । ନିରାଭରଣା ଭୂମିକା ଚମତ୍କାର ଦିଶୁଛି । କିନ୍ତୁ ଯେତେ ଦେଖିଲେ ବି ମନରେ ଚଞ୍ଚଳତା ଆସୁନି । ବରଂ ଆଖି ଆପେ ଆପେ ତଳକୁ ନଇଁଯାଉଛି । ମୁଣ୍ଡ ନୋଇଁବାକୁ ଇଚ୍ଛା ହେଉଛି । ସୌନ୍ଦର୍ଯ୍ୟମୟୀ, ଭୂମିକା ବସିଛି । ମୁହଁଟା ଗମ୍ଭୀର ଦିଶୁଛି । ସତେ ଅବା ଶାପଗ୍ରସ୍ତା କୌଣସି ଗନ୍ଧର୍ବ କିନ୍ନରୀ ପୃଥିବୀକୁ ଓହ୍ଲାଇ ଆସିଛି ।

 

ସୌନ୍ଦର୍ଯ୍ୟ ନିକଟରେ ବୟସ ହାର୍ ମାନିଛି । ଭୂମିକା ଷୋଡ଼ଶୀଟିଏ ଭଳି ମନେହେଉଛି-

 

ସନ୍ଧ୍ୟା ହୋଇ ଆସିଲାଣି । ଦେହଟା ରହି ରହି ଶିତେଇ ଉଠୁଛି । ବାହାରେ ଶୀତ ପଡ଼ିଲାଣି ବୋଧେ । ଭୂମିକା ଉଠିଲା । କହିଲା—କ’ଣ କରିବି ? ଚା’ ନା କଫି !

 

କିଛି ଖାଇବାକୁ ଇଚ୍ଛା ନଥିଲା ନିଶାନ୍ତଙ୍କର । ଇଚ୍ଛା ଥିଲା ଭୂମିକାର କେବଳ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ । ଭୂମିକାକୁ ଦେଖିଲେ ଖୁସି ଲାଗେ । ଇଚ୍ଛାହୁଏ ଘଣ୍ଟା ଘଣ୍ଟା ଧରି ତା’ ସହିତ ଗପିବାକୁ । ଅଦ୍ଭୁତ ଖିଆଲୀ ଏ ଝିଅ !

 

ନିଶାନ୍ତ ଭୂମିକାକୁ ଚାହିଁ କହିଲେ, ଚା’ ନୁହେଁ କିମ୍ବା କଫି ବି ନୁହେଁ ।

ତେବେ ଓଭାଲ୍‌ଟିନ୍‌ ଆଣୁଛି । ଭୂମିକା ହିଟର ଲଗାଇଲା । ନିଶାନ୍ତ ନାହିଁକରି ପାରିଲେ ନାହିଁ । ନାହିଁ କଲେ ଭୂମିକା ବିରକ୍ତ ହେବ । କିନ୍ତୁ ଭୂମିକା ଏତେ ତତ୍ପର କାହିଁକି ? କ’ଣ ପାଇଁ ଏତେ ଯତ୍ନ ତା’ର ?

ଏଇ କେତେଦିନ ହେବ ନିଶାନ୍ତ ଲକ୍ଷ୍ୟ କରିଛନ୍ତି । ଭୂମିକା ତାଙ୍କର ତତ୍ତ୍ଵ ନେଉଛି । ପ୍ରତିଦିନ ଖାଇବା ଖବର ବୁଝୁଛି । ଠିକ୍ ସମୟରେ ନ ଖାଇଲେ ମଧୁର ଭର୍ତ୍ସନା କରୁଛି । ପାଖରେ ବସି ବହୁତ ଖୁଆଇ ଦେଉଛି । ବେଶି ସମୟ ଲାବୋରଟୋରୀରେ ରହିଲେ ବିରକ୍ତ ହୁଏ । ପୁଣି ତା’ ସହିତ କଥାବାର୍ତ୍ତା ସମୟରେ ଏକ୍ସପେରିମେଣ୍ଟ କଥା ମନେପକାଇ ଦିଏ । କହେ, ଲାବୋରଟୋରୀକୁ ଯାଆନ୍ତୁ । କର୍ମମୟ ଜୀବନ । ସେଥିରେ ମନଖୋଲି କଥାଭାଷା ହେବାକୁ ସମୟ କାହିଁ ? ଆପଣଙ୍କର ଭବିଷ୍ୟତ ଯେ ଏହାରି ଉପରେ ନିର୍ଭର କରୁଛି । ଯେତେଶୀଘ୍ର କୃତକାର୍ଯ୍ୟ ହେବେ ସେତେ ମଙ୍ଗଳ । ମିତା ଯେ ଆପଣଙ୍କ ସଫଳକୁ ଚାହିଁ ବସିଛି…. I

ଏତେଶୀଘ୍ର ଭୂମିକା ନିକଟରୁ ଉଠିଯିବାକୁ ଇଚ୍ଛା ନଥିଲେ ମଧ୍ୟ ନିଶାନ୍ତ ଉଠନ୍ତି । ସତେ ଅବା ଭୂମିକା ଆଦେଶ କରୁଛି । ପଛରେ ରହି ପ୍ରେରଣା ଦେଉଛି । ଦରକାରୀ ଜିନିଷ ଯୋଗାଇ ଦେଉଛି । ଲେବୁଲ୍‌ମରା ହୋଇଥିବା ବୋତଲଗୁଡ଼ିକୁ ଚିହ୍ନିବାରେ ତା’ର ଭୁଲ୍ ହୁଏନି । ନିଶାନ୍ତ କାମରେ ମନପ୍ରାଣ ଢାଳି ଦିଅନ୍ତି । କ୍ଳାନ୍ତି ନାହିଁ ଅବସାଦ ନାହିଁ । ଥକିପଡ଼ିଲେ ଭୂମିକାର ପ୍ରେରଣା ମନେପଡ଼ିଯାଏ । କହେ—ଏତେଶୀଘ୍ର ପରାଜୟ ସ୍ଵୀକାର କରନି ଡାକ୍ତର…ଧୈର୍ଯ୍ୟ ଧର…ତମର ପ୍ରତିଭା ଅଛି । ନିଜର ପ୍ରତିଭାକୁ ଏତେଶୀଘ୍ର ଧ୍ୱଂସ କରିଦିଅନି । ତମର ଲକ୍ଷ୍ୟବିନ୍ଦୁ ନିକଟରୁ ନିକଟତର ହେଉଛି । ହଁ ହଁ ଆଗେଇ ଚାଲ ।

 

ନିଶାନ୍ତ ଚମକି ଉଠି କାମରେ ମନ ଦିଅନ୍ତି ।

 

ପ୍ରେରଣାମୟୀ ଭୂମିକା ନିକଟରେ ତାଙ୍କ ମଥା ସ୍ଵତଃ ନଇଁ ଆସେ । ପୁଷ୍ପ ଧୂପ ହୋଇ ଦେବୀରୂପୀ ଏଇ ମାନବୀଟିକୁ ପୂଜା କରିବାକୁ ଇଚ୍ଛା ହୁଏ ।

 

ନିଶାନ୍ତ ଭୂମିକାକୁ ବିଶ୍ଳେଷଣ କରନ୍ତି । ତା’ ମନର ଭାଷା ପଢ଼ିବାକୁ ଚେଷ୍ଟା କରନ୍ତି । ନା, ଭୂମିକା ଏକ ଗଦ୍ୟକବିତା । ତାକୁ ପଢ଼ି ହୁଏ ଅଥଚ ସହଜରେ ବୁଝି ହୁଏନି । ନିଶାନ୍ତ ନିଜକୁ ଧିକ୍‍କାର କରନ୍ତି । ମଣିଷ ଦେହର ଶିରାପ୍ରଶିରାକୁ ଚିହ୍ନିଛନ୍ତି । ନିଜ ହାତରେ କାଟି ଯୋଡ଼ି ପରୀକ୍ଷା ନିରୀକ୍ଷା କରିଛନ୍ତି । ଅଥଚ ଗୋଟିଏ ମନକୁ ଚିହ୍ନିପାରିଲେ ନାହିଁ ? ତା’ର ନିଭୃତ କକ୍ଷକୁ ପ୍ରବେଶ କରିପାରିଲେ ନାହିଁ ।

 

ଭୂମିକା ଗଭୀର ଜଳର ମାଛ । ତାକୁ ଦେଖିବା ସହଜ ନୁହେଁ । ନିଶାନ୍ତ ବହୁତଥର ଭାବିଛନ୍ତି ଭୂମିକାକୁ ପଚାରିବେ । କ’ଣ ପାଇଁ ତା’ର ଏତେ ସ୍ନେହ ! କିନ୍ତୁ ମୁହଁ ଖୋଲି ପାରନ୍ତି ନାହିଁ-। ଭୂମିକା ହୁଏତ ଭୁଲ୍‍ ବୁଝିବ । ତାଙ୍କର ଦୁର୍ବଳ ମନର ଇସାରା ପାଇବ । ସେଦିନ କିନ୍ତୁ ନିଶାନ୍ତ ଠିକ୍ କଲେ ଭୂମିକାକୁ ପଚାରିବେ । ବହୁତ ସାହସ ସଞ୍ଚୟ କରି ପଚାରିଲେ ମଧ୍ୟ । ଭୂମିକା ଆଶ୍ଚର୍ଯ୍ୟ ହେଲାନି କିମ୍ବା ବିସ୍ମୟର ଭାବ ମୁହଁର ତ୍ୱକ ଉପରେ ପ୍ରତିଫଳିତ ହେଲାନାହିଁ-

 

ଆପଣ କ’ଣ ଭାବୁଛନ୍ତି ଯେ ମନେ ମନେ ମୁଁ ଆପଣଙ୍କୁ ପ୍ରେମ କରେ । ପ୍ରେମର ଲକ୍ଷଣ କ’ଣ ଦେଖି ପାରୁଛନ୍ତି ? ନାଇଁ, ସେ କଥା ଭାବନ୍ତୁ ନାହିଁ । ପ୍ରେମିକା ପ୍ରେମ କରିଜାଣେ, କିନ୍ତୁ ପ୍ରେମିକର ତତ୍ତ୍ଵ ନେଇ ଜାଣେ ନାହିଁ । ଯେହେତୁ ମୁଁ ତତ୍ତ୍ଵ ନେଉଛି, ପ୍ରେମିକା ନୁହେଁ ନିଶ୍ଚୟ । ବିବାହ କରିନି ତେଣୁ ସ୍ତ୍ରୀ ବୋଲି କୁହାଯାଇ ପାରିବ ନାହିଁ । ଜାୟା ନହୋଇ ଜନନୀ ହେବା ନୈତିକତା ହୀନ । ଏହି ତିନୋଟିକୁ ବାଦଦେଇ ଆପଣ ମତେ ଯାହାକିଛି ମନେକରିପାରନ୍ତି । ତେବେ ପ୍ରତି ଅବସ୍ଥାରେ ନାରୀ ହେଉଛି ସେବିକା । କୌଣସି ଉଦ୍ଦେଶ୍ୟ ରଖି ମୁଁ ଯତ୍ନ ନେଉନି । ପରନ୍ତୁ ଏହା ମୋର କର୍ତ୍ତବ୍ୟ । ଶୁଣିଛି, ମୋର ଅନୁପସ୍ଥିତିରେ ଆପଣ ଆମକୁ ବହୁତ ସାହାଯ୍ୟ କରିଛିନ୍ତି । ଦାନର ପ୍ରତିଦାନ ଅଛି । ସେହି ଲକ୍ଷ୍ୟରଖି ମୁଁ ଯଦି ଆଗେଇ ଆସିଥାଏ ତା’ହେଲେ କିଛି ଭୁଲ୍ କରିନି । ତା’ଛଡ଼ା ଆପଣଙ୍କ ଆସଜଡ଼ା ଜୀବନରେ ନାରୀର ଆବଶ୍ୟକତା ବହୁତ ବେଶି । ଆପଣ ନ କହିଲେ ମଧ୍ୟ ମୁଁ ତାହା ବୁଝିପାରୁଛି । ସେ ନାରୀ ମା’ ହୋଇପାରେ, ଭଉଣୀ ହୋଇପାରେ, ସ୍ତ୍ରୀ କିମ୍ବା ପ୍ରେମିକା ମଧ୍ୟ ହୋଇପାରେ । ଦେଖୁଛି ଆପଣ ଏ ବିଷୟରେ ବହୁତ ଭାବୁଛନ୍ତି । କିନ୍ତୁ କାହିଁକି ? ମୋ ମନରେ ସେପରି କିଛି ଦୁର୍ବଳତା ନାହିଁ । ଯେଉଁଦିନ ନିଜକୁ ଦୁର୍ବଳ ମନେକରିବି ସେଦିନ ନିଜେ ନିଜେ ଦୂରେଇ ଯିବି ।

 

ନିଶାନ୍ତ ଲଜ୍ଜିତ ହେଲେ । ତାଙ୍କୁ ସାହାଯ୍ୟ କରିବା ପଛରେ ଭୂମିକାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଜାଣିଥିଲେ । ନିଶାନ୍ତ ଜାଣନ୍ତି ଭୂମିକାର ଅତୀତ ଦୁଃଖଦ, ଅଶ୍ରୁଳ, ହା-ହୁତାଶ-ମୟ । ପରିବାରକୁ ସୁଖୀ କରିବାକୁ ଯାଇ ସେ ନିଜର ସମସ୍ତ ସୁଖ ହରାଇ ବସିଛି । ହାହୁତାଶମୟ ଜୀବନକୁ ଭୁଲାଇ ରଖିବାକୁ ଇଚ୍ଛାକରି ନିଜକୁ କାର୍ଯ୍ୟବ୍ୟସ୍ତତା ଭିତରେ ହଜାଇ ଦେଇଛି । ନିଶାନ୍ତକୁ ସାହାଯ୍ୟ କରିବା ପଛରେ କେବଳ ଏଇ ମନୋବୃତ୍ତି ରହିଛି । ଏକା ନିଶାନ୍ତ ନୁହେଁ, ସମସ୍ତଙ୍କୁ ସାହାଯ୍ୟ କରିବା ତା’ର ପରମ କର୍ତ୍ତବ୍ୟ ବୋଲି ଧରି ନେଉଛି । ନିଶାନ୍ତ ନ ରହି ଆଉ ଯିଏ ରହିଥାଆନ୍ତା ଭୂମିକା ତାଙ୍କୁ ନିଶ୍ଚୟ ସାହାଯ୍ୟ କରିଥାଆନ୍ତା ।

 

ନିଶାନ୍ତଙ୍କ ଆଖିରେ ଅନୁତାପର ଚିହ୍ନ ।

 

ଭୂମିକା ନିଶ୍ଚଳ, ପ୍ରତିକ୍ରିୟା ହୀନା । ତା’ ମନରେ କୌଣସି କାମନା ନାହିଁ, ବାସନା ନାହିଁ କିମ୍ଵା ନାହିଁ ପୁରୁଷକୁ ଆକୃଷ୍ଟ କରିବାର ମମତାର ଭାଷା ।

 

ନିଶାନ୍ତ ଦେଖିଲେ ଭୂମିକା ହସୁଛି । ତା’ ହସରେ ଆଞ୍ଜୁଳା ଆଞ୍ଜୁଳା ମଲ୍ଲୀ । ସ୍ୱଚ୍ଛ–ଶୁଭ୍ର–ପବିତ୍ର । ସତ୍ୟ-ଶିବ-ସୁନ୍ଦରର ପ୍ରତୀକ ।

 

ମନିକାର ପୁଅ ହେଇଛି । ମଧୁମୟ ଟେଲିଗ୍ରାମ କରିଛନ୍ତି । ଭୂମିକା ହସୁଥିଲା । ତା’ର ଇଚ୍ଛା ହେଉଥିଲା ସମସ୍ତଙ୍କୁ ଏଇ ସୁସମ୍ବାଦ ଜଣାଇ ଦେବାକୁ ।

 

ମନିକାର ନାରୀ ଜୀବନ ସାର୍ଥକ ହୋଇଛି ।

 

ଆଉ ମଧୁମୟଙ୍କ ପୁରୁଷ ଜୀବନ ମଧ୍ୟ ହୋଇଛି ସଫଳ ।

 

ଭୂମିକାର ଇଚ୍ଛା ହେଉଥିଲା ଏଇ ମୁହୂର୍ତ୍ତରେ ପୁରୀ ଯାଇ ପୁଅକୁ କୋଳରେ ଧରି ଗେହ୍ଲା କରନ୍ତା । ଆଖି ପୂରେଇ ଦେଖନ୍ତା । ପୁଅଟି ସୁନ୍ଦର ହୋଇଥିବ ଦେଖିବାକୁ । କାହାଭଳି ହୋଇଥିବ ସତେ ?

 

ମନିକା ଭଳି ?

 

ନା…ନା… ମଧୁମୟଙ୍କ ଭଳି ହୋଇଥିବ ନିଶ୍ଚୟ ।

 

ମନିକା—ମଧୁମୟ । ମଧୁମୟ—ମନିକା ।

 

ଦୁହିଁଙ୍କ ରକ୍ତର ସମିଶ୍ରଣରେ ପୁଅର ଜନ୍ମ । କିନ୍ତୁ…..ନିଜ ଅଜାଣତରେ ଭୂମିକା ଥରି ଉଠିଲା ।

 

ମଧୁମୟଙ୍କର ପୁଅ ହୋଇଛି । ସେ ପୁଅ ପୁଣି ମନିକା ରକ୍ତରୁ—ଭୂମିକା ରକ୍ତରୁ ନୁହେଁ-

 

ଅଥଚ କେତେ ଆଶା ! କେତେ ସ୍ୱପ୍ନ । କେତେ ପରିକଳ୍ପନା ।

 

ଭୂମିକାର ମୁହଁ କଳା ପଡ଼ିଗଲା । ଓଠଧାରରେ ଲାଗି ରହିଥିବା ହସ କଳାବାଦଲ ଭିତରେ ଲୁଚିଗଲା । ସତେ ଅବା ଯୁଦ୍ଧକାଳୀନ ଏକ ଦେଶ । ରାତିରେ ଆଲୁଅ ଦେଖିଲେ ଶତ୍ରୁଦେଶ ବୋମା ପକାଇବ । ସେଥିପାଇଁ ନିରନ୍ଧ୍ର ଅନ୍ଧକାରରେ ଆତ୍ମଗୋପନ କରିବାର ପ୍ରୟାସ ।

 

ନବଜାତ ସନ୍ତାନଟିକୁ କୋଳରେ ପୂରାଇ ମନିକା ଚାହିଁରହିଥିବ ମଧୁମୟଙ୍କ ମୁହଁକୁ—ସ୍ରଷ୍ଟାର ମୁହଁକୁ—ସ୍ରଷ୍ଟା ମଧୁମୟଙ୍କ ମୁହଁକୁ ।

 

କିନ୍ତୁ ସେ ନିଜେ ? ଇଚ୍ଛା କରିଥିଲେ ସେ ବି ମଧୁମୟଙ୍କ ସନ୍ତାନର ଜନନୀ ହୋଇପାରିଥାନ୍ତା । ମଧୁମୟଙ୍କ ପୁରୁଷ ବକ୍ଷରେ ମୁଣ୍ଡ ରଖି ଜୀବନ ବିତାଇଥା’ନ୍ତା ।

 

ସେ କ’ଣ ମଧୁମୟଙ୍କୁ ଚାହିଁ ନଥିଲା ? ସେ କ’ଣ ଏ ସ୍ୱପ୍ନ ଦେଖି ନଥିଲା ?

 

ମଧୁମୟଙ୍କ କଥା ରହିରହି ପ୍ରତିଧ୍ଵନିତ ହେଉଥିଲା । ତାଙ୍କ ପ୍ରେମିକ ଜୀବନର ସ୍ଵପ୍ନ ଅବଚେତନ ମନତଳେ ଜୀବନ୍ତ ହୋଇ ଉଠୁଥିଲା । ଗୋଟିଏ କ୍ୟାଲେଣ୍ଡରର ଛବିକୁ ଦେଖାଇ ଦେଇ ମଧୁମୟ କହିଥିଲେ—ଆମର ଗୋଟିଏ ଇମିତି ପୁଅ ହେଲେ ଭାରି ମଜା ହୁଅନ୍ତା, ନାଇଁ ଭୂମି-!

 

ଲାଜରେ ତା’ର ମୁହଁ ରଙ୍ଗା ପଡ଼ିଯାଇଥିଲା । ତଳକୁ ମୁହଁ ପୋତି ଚୁପ୍‌ଚାପ୍ ଛିଡ଼ା ହୋଇଥିଲା । ଭୂମିକାର ମୁହଁକୁ ଦୁଇ ହାତରେ ଟେକିଧରି ମଧୁମୟ ପୁଣି କହିଥିଲେ—ଯଦି ପୁଅ ହୁଏ ଠିକ୍ ତମରି ଭଳି ହେବ ।

 

ଉଁ…..ହୁଁ….ତମରି ଭଳି ।

 

ମୋ’ଭଳି ! ଛି….ଛି….ଏଡ଼େ ଅସୁନ୍ଦର । ଦେଖିବ ରୁହ ଠିକ୍ ତମଭଳି….ସୁନ୍ଦର….ଭାରି ସୁନ୍ଦର….

 

ଭୂମିକା କିଛି କହିପାରିନଥିଲା । ମଧୁମୟଙ୍କ ହାତକୁ ମୁହଁରେ ଚାପିଧରି ପୁଲକରେ ଶିହରି ଉଠିଥିଲା । ମାତୃତ୍ୱର ସ୍ୱପ୍ନରେ ବିଭୋର ହୋଇଥିଲା । ସନ୍ତାନର ଟିକି ଟିକି, ହାତଗୋଡ଼ ଗୁଲୁଗୁଲିଆ ମୁହଁର ପରିକଳ୍ପନା କରି ସେ ମଧୁମୟଙ୍କ ପ୍ରଶସ୍ତ ବକ୍ଷରେ ଜଡ଼ି ଯାଇଥିଲା ।

 

ସେ ଓ ମଧୁମୟ । ମଧୁମୟ ଓ ସେ ।

 

ମଧୁମୟଙ୍କ ବକ୍ଷରେ ରହି ଭୂମିକା ସ୍ୱପ୍ନ ଦେଖୁଥିଲା ।

 

ସେ ସ୍ଵପ୍ନ ପ୍ରେମିକାର ଜନନୀ ହେବାର ସ୍ଵପ୍ନ । ଅବିବାହିତାର ବିବାହିତା ହେବାର ସ୍ଵପ୍ନ-। ନାରୀ ଜୀବନର ସର୍ବଶେଷ ଓ ସର୍ବଶ୍ରେଷ୍ଠ ସ୍ଵପ୍ନ ।

 

କିନ୍ତୁ ସ୍ଵପ୍ନ କ’ଣ କେବେ ସତ୍ୟ ହୁଏ ?

 

ନା, ସ୍ଵପ୍ନ ହିଁ କେବଳ ସ୍ଵପ୍ନ । ଅବଚେତନ ମନର ପ୍ରତିଫଳନ ମାତ୍ର । ଚେତନଶୀଳ ମନର ଏକ ବିକାର । ସେଥିରେ ସତ୍ୟତା ନାହିଁ—ବାସ୍ତବତା ନାହିଁ ।

 

ନିଦ ଭାଙ୍ଗିଛି । ସେ ସ୍ଵପ୍ନ ତୁଟିଛି ।

 

ତା’ ଜୀବନର କଙ୍କର ଭୂଇଁ ଶସ୍ୟଶ୍ୟାମଳ ହେବାର ଆଶା ନାହିଁ ।

 

ଭୂମିକା ନିଜକୁ ଦୋଷୀ ମନେକରୁଥିଲା । ନିଜ ହାତରେ ନିଜ ଜୀବନକୁ ବ୍ୟର୍ଥ କରିଛି । ଗୋଟିଏ ଆଦର୍ଶବାଦ ପଛରେ ଗୋଡ଼ାଇ ତା’ ନାରୀ ଜୀବନକୁ ଯନ୍ତ୍ରଣା ଜର୍ଜରିତ କରିଛି । ତା’ ନାରୀ ମନକୁ ତିଳତିଳ କରି ହତ୍ୟା କରିଛି । ସେ ପାପୀ…..ମହାପାପୀ ।

 

କ’ଣ ମିଳିଲା ଏଥିରୁ ? ଅପରକୁ ଖୁସି କରାଇବାକୁ ଯାଇ କି ଲାଭ ବା ପାଇଲା ? ଖାଲି ଗୁଡ଼ିଏ ଯନ୍ତ୍ରଣା, ହାହୁତାଶ, ଦୀର୍ଘଶ୍ଵାସ ।

 

ନିଜ ଆତ୍ମାକୁ ହତ୍ୟାକରି କି ଯଶ ବା ସେ ପାଇବ ? କ’ଣ ମିଳିବ ସେ ବଡ଼ ବଡ଼ କଥାରୁ ? ସେ ଆଦର୍ଶବାଦରୁ ? ସେ ସବୁ ସ୍ୱର୍ଗର ସମ୍ପଦ, ଦେବତାଙ୍କର ଧର୍ମ । ମଣିଷ ପରିସ୍ଥିତିର ଦାସ । ବାସ୍ତବତାର ପ୍ରତୀକ । ମଣିଷ ବାସ୍ତବତାକୁ ନେଇ ବଞ୍ଚି ରହେ । ମଣିଷ ହୋଇ ଜନ୍ମହେଲେ ଦେବତା ମଧ୍ୟ ବାସ୍ତବବାଦକୁ ଦୂରେଇ ଦେଇ ପାରେନାହିଁ । ଶୁଷ୍କ ଆଦର୍ଶକୁ ଧରିବସିଲେ ମଣିଷ ହୁଏ ଦୁଃଖୀ, ତା’ର ଜୀବନ ହୁଏ ଅଶ୍ରୁଳ । କ’ଣ ମିଳିବ ସେ ଆଦର୍ଶବାଦରୁ ? କ’ଣ ମିଳିବ ସେ ବୃଥା ପ୍ରଶଂସାରୁ ?

 

ମନିକା ଜାୟା ହୋଇଛି । ଜନନୀ ମଧ୍ୟ ।

 

ଅଥଚ ସେ…

 

ଭୂମିକାର ପିଞ୍ଜରା ଦୋହଲାଇ ଦୀର୍ଘଶ୍ୱାସ ଉଠୁଥିଲା । ଆଃ… ମନିକାଟା ଯଦି ନଥାନ୍ତା…

 

ଭୂମିକା ବାସ୍ତବ ଜଗତକୁ ଫେରିଆସିଲା । ଇସ୍…କ’ଣ ସେ ଭାବୁଥିଲା ! କାହିଁକି ଏ ବାଜେ ଭାବନାଗୁଡ଼ାକ ତାକୁ ଆବୁରି ବସିଥିଲା !

 

ଭୂମିକା ଅଜଣା ଆତଙ୍କରେ ଶିହରି ଉଠିଲା । ନା, ନା, ମନିକା ଭଲରେ ଥାଉ ! ହେ ଭଗବାନ…ତମେ ସେ ପୁଅକୁ ଆଶୀର୍ବାଦ କର । ଭଲରେ ରଖ । ନିଷ୍ପାପ କଳିଟିଏ । ଦୁନିଆ ବିଷୟରେ କିଛି ଜାଣେ ନାହିଁ । ତମେ ତା’ର ମଙ୍ଗଳ କର ପ୍ରଭୁ…ମଙ୍ଗଳ କର ।

 

ମନିକାର ପୁଅ ହେବାର ସୁସମ୍ବାଦ ନିଶାନ୍ତଙ୍କୁ ଜଣାଇବାକୁ ଭୂମିକା ଉଠିପଡ଼ିଲା । ନିଶାନ୍ତଙ୍କୁ ଏ ଶୁଭଖବର ଜଣାଇ ଦେଇ ହଠାତ୍ ଖୁସି କରିଦେବ ।

 

ନିଶାନ୍ତଙ୍କ ଘରପାଖରେ ଭୂମିକା ଅଟକିଗଲା । ଭିତରୁ କବାଟ ବନ୍ଦଅଛି । ମିତା ଆସିଛି ବୋଧେ । ତା’ ସ୍ୱର ସ୍ପଷ୍ଟ ବାରିହୋଇ ପଡ଼ୁଛି ।

 

ସେ ଫେରି ଆସୁଥିଲା । ପରକ୍ଷଣରେ ନିଜର ନା ଶୁଣି ଥମିଗଲା । ମିତା ବୋଧେ ତା’ରି ବିଷୟରେ ନିଶାନ୍ତଙ୍କୁ କିଛି କହୁଛି । ଭୂମିକା କବାଟ ପାଖକୁ ଲାଗିଆସିଲା । ମିତାର କଥା ପରିଷ୍କାର ଶୁଭୁଛି ।

 

କଟକ ସହରରେ ବହୁତ ଘର ମିଳିବ । ତମେ ଏ ଘର ଛାଡ଼ିଦିଅ । ମୁଁ ଆଉ ସହିପାରିବିନି । ଯେତେବେଳେ ଆସିବି ଖାଲି ଭୂମିକା, ଭୂମିକା । କାହିଁକି ତା’ର ଏତେ ପ୍ରଶଂସାକର କହିଲ ?

 

ନିଶାନ୍ତ କହିଲେ, ଆଚ୍ଛା ଭୂମିକା ପ୍ରତି ତମର ଏତେ ରାଗ କାହିଁକି ଶୁଣେ ? ସେ ତ ତମ କଥା ଶୁଣିଲେ ଭାରି ଖୁସିହୁଏ । ନିଶାନ୍ତ କଥାଗୁଡ଼ିକ ଆସ୍ତେ ଆସ୍ତେ ଉଚ୍ଚାରଣ କରୁଥିଲେ ମଧ୍ୟ ପରିଷ୍କାର ଶୁଭୁଥିଲା । ଭୂମିକା କବାଟ ପାଖକୁ ଆଉ ଟିକିଏ ଲାଗିଗଲା ।

 

ଭଲ ଲାଗିବନି କେମିତି ? ରାତିରେ ଯେତେବେଳେ ପାଖରେ ରହୁଚି ଭଲ ଲାଗିବା କଥା । ଏତେ ତ ପ୍ରଶଂସା କରୁଛ । ବାହାହୋଇ ପଡ଼ ତେବେ ?

 

ନିଶାନ୍ତ ହସିଉଠିଲେ । କହିଲେ—ଜଣକୁ ପ୍ରଶଂସା କରିବା ଅର୍ଥ କ’ଣ ବାହାହେବା ! ପାଖେ ପାଖେ ରହି ସେ ମୋର ଯତ୍ନ ନେଉଛି । ସାହାଯ୍ୟ କରୁଛି । ନିଜ ମନକୁ ହାଲ୍‍କା କରିବା ସହିତ ମୋ ପରିଶ୍ରମକୁ ଲାଘବ କରୁଛି । ସେଥିପାଇଁ ତା’ କାର୍ଯ୍ୟକଳାପ ମତେ ଭଲଲାଗେ । କିନ୍ତୁ ମୁଁ ତାକୁ ଭଲପାଏନି ! ଆଉ ତମକୁ ତ ବାହା ହେବି, ତା’ ପ୍ରଶ୍ନ ଉଠୁଛି କେଉଁଠି ?

 

ତମେ ଯାହା କୁହ ପଛେ ମତେ ଭଲ ଲାଗୁନି । ସେ ଝିଅଟା ଆଦୌ ଭଲ ନୁହେଁ ।

 

ପାଗଳୀ, ସେ ସିନା ଭଲ ନୁହେଁ; ମୁଁ ତ ଠିକ୍ ଅଛି । ମତେ କ’ଣ ତମେ ବିଶ୍ଵାସ କରୁନାହଁ ?

 

ତମ ଉପରେ ବିଶ୍ୱାସ ଅଛି । କିନ୍ତୁ ନାରୀମାନେ ମାୟାବିନୀ, କୁହୁକୁନୀ । ମାୟାଜାଲ କେତେବେଳେ କାହାଉପରେ ବିସ୍ତାର କରନ୍ତି ସେ କଥା ଜାଣିବା କଷ୍ଟକର । ତମେ ଭୂମିକା ନିକଟରେ ଚଳପ୍ରଚଳ ହେଉଛ । ସେଥିପାଇଁ କୌଣସି ନୀତି ନିୟମ ନାହିଁ । ତୁମେ ମୋର ପ୍ରେମିକ ହେଲେ ବି ପୁରୁଷ । ସବୁବେଳେ ଜଣେ ନାରୀ ପାଖରେ ରହିଲେ ତମର ଯେ ଦୁର୍ବଳତା ପ୍ରକାଶ ନ ପାଇବ, ସେ କଥା ତମେ ଦୃଢ଼କଣ୍ଠରେ ସ୍ଵୀକାର କରିପାରିବ ନାହିଁ । ସେ ନାରୀ ନିଜର ପ୍ରେମିକା କିମ୍ବା ସ୍ତ୍ରୀ ହୋଇପାରେ । ନତୁବା ସମ୍ପର୍କହୀନ, ଯେକୌଣସି ନାରୀ ହୋଇପାରେ । ନାରୀକୁ ଦେଖିଲେ ପୁରୁଷ ଦୁର୍ବଳ ହୁଏ । ଏ ନିୟମରୁ ତମେ ବାଦ୍‍ଯାଇ ପାରିବ ନାହିଁ ।

 

ନିଶାନ୍ତ କିଛି ସମୟ ଚୁପ୍ ହୋଇଯାଇ କହିଲେ—ତମ କଥା ମୁଁ ସ୍ୱୀକାର କରୁଛି ମିତା । କିନ୍ତୁ ତମେ ଭୂମିକାକୁ ସଠିକ୍ ଚିହ୍ନି ପାରିନାହଁ ! ଭବିଷ୍ୟତରେ ଯେ ଠିକ୍ ଚିହ୍ନିପାରିବ ସେ ବିଶ୍ଵାସ ମୋର ନାହିଁ । ଅବଶ୍ୟ ନାରୀକୁ ଚିହ୍ନିବା କଷ୍ଟକର । ନାରୀର ଦର୍ଶନ ପଢ଼ିବା କିମ୍ବା ବୁଝିବା ମଧ୍ୟ ଦୁଃସାଧ୍ୟ । ଭୂମିକାକୁ ମୁଁ ଭଲଭାବରେ ଚିହ୍ନିପାରି ନଥିଲେ ମଧ୍ୟ କିଛି କିଛି ଜାଣିବାକୁ ସକ୍ଷମ ହୋଇଛି । ତାକୁ ଦେଖିଲେ ଉତ୍ତେଜନା ଆସେନା । ବରଂ ଆଞ୍ଜୁଳା ଆଞ୍ଜୁଳା ଫୁଲରେ ତାକୁ ପୂଜା କରିବାକୁ ଇଚ୍ଛା ହୁଏ । ଭୂମିକା ପ୍ରଭାତର କାକର ବିନ୍ଦୁ—ଅଳିକ—ଅନାବିଳ ଅଥଚ ବାସ୍ତବ ।

 

ଭୂମିକା ଆଉ କିଛି ଶୁଣିପାରିଲା ନାହିଁ । ଶୁଣିବାର ଆଗ୍ରହ ମରିଯାଇଥିଲା । ମନିକାର ପୁଅ, ଆନନ୍ଦ, ଉଲ୍ଲାସ ସବୁ ଯେମିତି ପଛରେ ପଡ଼ିରହିଲା । ମିତା ଏବଂ ନିଶାନ୍ତଙ୍କ କଥୋପକଥନ ତା’ ମନରେ ରେଖାପାତ କରିଥିଲେ ମଧ୍ୟ ସେ କାହାକୁ ଦୋଷାରୋପ କରିପାରୁ ନଥିଲେ । ମିତା କିଛି ଭୁଲ୍‍ କହିନାହିଁ । ଅନ୍ତର ଦେଇ ସେ ନିଶାନ୍ତଙ୍କୁ ଭଲ ପାଇଛି । ପ୍ରେମିକ ନିକଟରେ ଅନ୍ୟ ଏକ ନାରୀକୁ ଦେଖିଲେ ପ୍ରେମିକା ସନ୍ଦେହ କରିବା ସ୍ଵଭାବିକ । ମିତା ନାରୀ, ପୁଣି ମାନବୀ । ସନ୍ଦେହ, ହିଂସା, ଈର୍ଷା, ତା’ର ସହଜାତଗୁଣ । ମିତା ଠିକ୍ କହିଛି । ନିଶାନ୍ତ ଏ ଘର ଛାଡ଼ିଦେବା ଉଚିତ ।

 

ଭୂମିକା ନିଜ ଉପରେ ବିରକ୍ତ ହେଲା । କ’ଣ ଦରକାର ଥିଲା ନିଶାନ୍ତଙ୍କ ଘରକୁ ଆସିବା-। ଆଗରୁ ତ ବେଶ୍ ଥିଲା । ଘରେ ରହି ସକାଳର ବାଳସୂର୍ଯ୍ୟକୁ ଦେଖୁଥିଲା । ରାତିରେ ଚନ୍ଦ୍ରକୁ ଉପଭୋଗ କରୁଥିଲା । ଭାବନାରେ ଦିନଗୁଡ଼ିକ ଗଡ଼ି ଚାଲୁଥିଲା । ସେଗୁଡ଼ିକ ଅବଶ୍ୟ ଯନ୍ତ୍ରଣାଦାୟକ ଦିନ । ତଥାପି ମଣିଷ ଜୀବନ ତ ଏଇଆ । ନିଶାନ୍ତଙ୍କ ଘରକୁ ଆସି ସେ ମିତା ମନରେ ସନ୍ଦେହର ସୂତ୍ରପାତ କରାଇଛି । ହେଉପଛେ ଭିତ୍ତିହୀନ, ସନ୍ଦେହ ତ !

 

ଭୂମିକା ଆଖିରେ ଅଶ୍ରୁର ବିପୁଳ ବନ୍ୟା ।

 

ମିତା ତାକୁ ସନ୍ଦେହ କରୁଛି । ଯଦିଓ କୌଣସି କାରଣ ନାହିଁ । ଅଥଚ ମନିକା କାରଣ, ପ୍ରମାଣ ସବୁଥାଇ ମଧ୍ୟ ତା’ ଆପାକୁ ସନ୍ଦେହ କରିନାହିଁ । ମଧୁମୟଙ୍କ ସହିତ ବେଶ୍ ଖୁସିରେ ଅଛି ।

 

ଭୂମିକା ଭାବୁଥିଲା । ନିଶାନ୍ତଙ୍କ ନିକଟକୁ ଆସିବ ନାହିଁ । ତାଙ୍କ ତତ୍ତ୍ଵ ନେବା ଦରକାର ନାହିଁ । ପୁଣି ଫେରିଯିବ ସେହି ଭାବନା ଭିତରକୁ । ସେହି ଦହନ ଭିତରେ ସେ ଆବିଷ୍କାର କରିବ ଜୀବନର ବାସ୍ତବ ତଥ୍ୟ । ଉପଭୋଗ କରିବ ପ୍ରକୃତ ସ୍ୱାଦୁ । ତାହାରି ଭିତରେ ସେ ଚିହ୍ନିବ ନିଜକୁ, ସଂସାରକୁ । ସ୍ରଷ୍ଟାର ବାସ୍ତବ ଲକ୍ଷକୁ ।

 

ଭୂମିକା ଫେରିଆସିଲା ।

 

ସନ୍ଧ୍ୟା ହେଲାଣି । ମନ୍ଦିରରୁ ଘଣ୍ଟାନାଦ ଶୁଭିଛି । ଆଳତୀ ହେଲାଣି ବୋଧେ । ଭୂମିକା ପ୍ରଣତି ଜଣାଇଲା । ଭଗବାନ ! ତମେ ମତେ ଦୃଢ଼ କର, ପାଷାଣୀ କର, ପ୍ରତିକ୍ରୀୟାହୀନା କର ।

 

ବିସ୍ଫୋରଣ ! ପ୍ରଚଣ୍ଡ ବିସ୍ଫୋରଣ !

 

ଚମକିପଡ଼ିଲା ଭୂମିକା । କିଛି ସମୟ ପୂର୍ବେ ସେ ଏକ ଶବ୍ଦ ଶୁଣିଥିଲା । ବାଣ ଫୁଟିଛି ମନେକରି ଚୁପ୍ ରହିଥିଲା । ମୁଟୁଠାରୁ ଖବର ପାଇ ଭୂମିକା ଦଉଡ଼ି ଦଉଡ଼ି ଲାବୋରଟୋରୀରେ ପହିଞ୍ଚିଲା ।

 

ଧୂମପୂର୍ଣ୍ଣ ଲାବୋରଟୋରୀ ଭିତରେ ନିଶାନ୍ତ ଅଣ୍ଡାଳି ହେଉଛନ୍ତି । ବାହାରକୁ ଆସିବାର ବାଟ ଖୋଜୁଛନ୍ତି । ସ୍ପଷ୍ଟ ନହେଲେ ମଧ୍ୟ ଝାପ୍‌ସା ଦିଶୁଛି । ଚାରିଆଡ଼େ ଧୂଆଁର କୁହେଳୀ ।

 

ଚିତ୍କାର କରିଉଠିଲା ଭୂମିକା । ବାହାରକୁ ବାହାରି ଆସନ୍ତୁ ନିଶାନ୍ତବାବୁ ! ମୁଁ ଏଇ କବାଟ ପାଖରେ ଅଛି ।

 

ବୋଧହୁଏ ନିଶାନ୍ତ କିଛି ଦେଖିପାରୁ ନଥିଲେ । ଲାବୋରଟୋରୀ ଭିତରେ ସେହିପରି ଅଣ୍ଡାଳି ହେଉଥିଲେ ।

 

ଭୂମିକା କବାଟପାଖେ ରହିପାରିଲାନି । ଆଖି ଦୁଇଟି ଚାପିଧରି କଳ ନିକଟକୁ ଚାଲିଆସିଲା । ଆଖିରେ ତୀବ୍ର ଜ୍ୱଳନ । ଚାପି ଧରିଥିବା ଲୁଗା ମେଞ୍ଚାକ ଲୁହରେ ଭିଜିଗଲାଣି । ନାକରୁ ମଧ୍ୟ ପାଣି ବାହାରୁଛି । ଆଖିରେ ପାଣି ଛାଟିଲା ସେ । ଭଲକରି ମୁହଁକୁ ଧୋଇଦେଲା । ଆଖିକୁ ଦୁଇଥର ମିଟି ମିଟି କଲା । ନା, ଆଉ ପୋଡ଼ୁନାହିଁ । ବେଶ୍‍ ସୁସ୍ଥ ଲାଗୁଛି । ଭୂମିକା ବୁଝିଲା, ଲାବୋରଟୋରୀରେ କୌଣସି ଏକ ବିଷାକ୍ତ ଗ୍ୟାସର ବିସ୍ଫୋରଣ ହୋଇଛି ।

 

ଲାବୋରଟୋରୀ ନିକଟକୁ ଫେରିଆସିଲା ଭୂମିକା । ଧୂଆଁ କୁହେଳୀ କଟିଯାଇ ଲାବୋରଟୋରୀଟି ପରିଷ୍କାର ଦିଶୁଛି । ସେଠାରେ ଅନେକ ଲୋକଙ୍କ ସମାଗମ । ବିସ୍ଫୋରଣ ଶବ୍ଦ ଶୁଣି ସାଇପଡ଼ିଶାର ଲୋକେ ରୁଣ୍ଡ ହୋଇଛନ୍ତି । ସେମାନଙ୍କ କଳଗୁଞ୍ଜରଣରେ ଲାବୋରଟୋରୀଟି ମୁଖରିତ ହୋଇ ଉଠିଛି । ନିଶାନ୍ତ ଚଟାଣରେ ପଡ଼ିରହିଛନ୍ତି । ହୋସ୍‍ ନାହିଁ । ସ୍ଥାନଟା ରକ୍ତରେ ଆର୍ଦ୍ର ହୋଇ ଯାଇଛି । ପିନ୍ଧିଥିବା ସାର୍ଟ ପ୍ୟାଣ୍ଟରେ ରକ୍ତର ଛିଟାଲାଗି ଲାଲ୍‍ ଦିଶୁଛି । ଭୂମିକା ନଇଁପଡ଼ି ଦେଖିଲା ନିଶାନ୍ତଙ୍କ ମୁଣ୍ଡରେ ଏକ କ୍ଷତ । କ୍ଷତଟି କ୍ଷୁଦ୍ର ହେଲେ ମଧ୍ୟ ଗଭୀର । ସେଥିରୁ ରକ୍ତର ଧାର ଛୁଟିଛି । ଇସ୍ ! ଏତେ ରକ୍ତ !

 

ବିଚଳିତ ହେଲା ଭୂମିକା । ଉପାୟ କ’ଣ ? କିଏ ତାକୁ ଏ ଦୁର୍ଦ୍ଦିନରେ ସାହାଯ୍ୟ କରିବ-? ମୁଟୁ ଥିଲେ ଭଲ ହୋଇଥା’ନ୍ତା ! କିନ୍ତୁ ସେ ନାହିଁ, ସ୍କୁଲ ଚାଲିଗଲାଣି । ଫେରୁ ଫେରୁ ଆହୁରି ଦୁଇଘଣ୍ଟା । ଭୂମିକା ଆଶାୟୀ ନୟନରେ ଚାହିଁ ରହିଥିଲା ଜନସମାଗମ ଆଡ଼କୁ ।

 

ସେମାନଙ୍କ ଭିତରୁ କେହି ଜଣେ କହିଲା, ମେଡ଼ିକାଲକୁ ଫୋନ୍‌ କରାଯାଇଛି । ବର୍ତ୍ତମାନ ଆମ୍ବୁଲେନ୍‌ସ୍‌ ଆସିଯିବ ।

 

ଭୂମିକା ନିଶାନ୍ତଙ୍କ ଆଡ଼କୁ ମୁହଁ ଫେରାଇଲା । ରକ୍ତ କ୍ଷରଣ ଯୋଗୁ ତାଙ୍କ ଗୋରା ମୁହଁଟି ଅସମ୍ଭବ ଭାବେ କଳା ପଡ଼ି ଯାଇଛି । କ୍ଷତରୁ ସେହିପରି ରକ୍ତ ବାହାରୁଛି । ନିଜର ଶାଢ଼ିକାନିକୁ ମେଞ୍ଚାକରି ଚାପି ଧରିଲା ।

 

ଆମ୍ବୁଲେନ୍‌ସ୍‌ ଆସିଯାଇଥିଲା । ନିଶାନ୍ତଙ୍କୁ ମେଡ଼ିକାଲ ପଠାଇ ଦିଆଗଲା ।

 

ନିଶାନ୍ତଙ୍କ ଘରେ ତାଲା ଦେଇ ଫେରିଆସିଲା ଭୂମିକା ।

 

ପଣତର କିଛି ଅଂଶ ରକ୍ତରେ ଭିଜି ଯାଇଛି । ଧଳା ଶାଢ଼ିରେ ଠାଏ ଠାଏ ରକ୍ତର ଛିଟା ଲାଗି ଛୋଟ ପିଲାର ଚିତ୍ର ଅଙ୍କନ ଭଳି ମନେହେଉଛି । ଭୂମିକା ବାଥ୍‍ରୁମ୍ ଭିତରେ ପଶିଲା ।

 

ଭୂମିକା ଭାବିଲା ମିତାକୁ ଖବର ଦେବାକୁ ହେବ । ଭାବୀ ସ୍ୱାମୀର ଦୁରାବସ୍ଥା ଶୁଣିଲେ ବିଚାରୀ ମନଦୁଃଖ କରିବ । ତଥାପି ତାକୁ ଜଣାଇବାକୁ ପଡ଼ିବ । ଏ ଦୁର୍ଦ୍ଦିନରେ ତା’ଛଡ଼ା ନିଶାନ୍ତଙ୍କର ସହାୟ ହୁଏତ ଆଉ କେହି ନାହାଁନ୍ତି । ଭୂମିକା ଶୀଘ୍ର କାମ ସାରି ବାହାରି ପଡ଼ିଲା । ମୁଟୁ ଏପର୍ଯ୍ୟନ୍ତ ସ୍କୁଲରୁ ଫେରିନି । ଫେରିଲେ ହୁଏତ ଅପାକୁ ଖୋଜିବ । ମୁଟୁ ଉଦ୍ଦେଶ୍ୟରେ ଚିଠି ଖଣ୍ଡେ ଲେଖି ଭୂମିକା କବାଟ ଫାଙ୍କରେ ଲଗାଇ ଦେଲା ।

 

ରିକ୍‌ସା ଡାକିଲା ଭୂମିକା । ମିତା ଘରକୁ ଯିବା ଏଇ ତା’ର ପ୍ରଥମ । ମିତା ତା’ର ବାନ୍ଧବୀ ନୁହେଁ କିମ୍ବା ସମବୟସୀ ନୁହେଁ । ତା’ ସାଥିରେ ସେପରି ଆଳାପ ନାହିଁ ମଧ୍ୟ । ନିଶାନ୍ତଙ୍କ ମାଧ୍ୟମରେ ଯାହା ଜଣାଶୁଣା, ଦେଖା ସାକ୍ଷାତ । ସେତକ ମଧ୍ୟ ସୀମିତ ।

 

ଭୂମିକାର ଭୟ ହେଉଥିଲା, ତାକୁ ଦେଖି ମିତା ହୁଏତ ଘୃଣାରେ ନାକ ଛିଞ୍ଚାଡ଼ିବ । କଥା ନକହି ମୁହଁ ବୁଲାଇ ଚାଲିଯିବ କିମ୍ବା ଅପମାନିତ କରିବ । କିନ୍ତୁ ମିତାଙ୍କ ଘରେ ପହଞ୍ଚି ତା’ର ସେ ଭୟ ବହୁ ପରିମାଣରେ ଦୂରୀଭୂତ ହୋଇଗଲା ।

 

ଆକାଶରେ ମ୍ଳାନ ଗୋଧୂଳିର ରଙ୍ଗ । ମୃଦୁ ମଳୟର ଶୀତଳ ସ୍ପର୍ଶ ବେଶ୍ ଭଲ ଲାଗୁଛି । ବାଲକୋନୀ ଉପରେ ବସି ରହି ମିତା ଦୃଷ୍ଟି ରଖିଛି ଗୋଟିଏ ବହି ଉପରେ । ରାସ୍ତାକୁ ତା’ ମୁହଁଟା ପରିଷ୍କାର ଦିଶୁଛି । ଫିକା ଗୋଲାପି ରଙ୍ଗର ଶାଢ଼ି, ସେଇ ରଙ୍ଗର ବ୍ଲାଉଜ ତା’ ଚମ୍ପାଫୁଲିଆ ଦେହକୁ ବେଶ୍ ମାନିଛି । ଚୂନା ଚୂନା ବାଳଗୁଡ଼ିକ ଧୀର ପବନରେ ଆମାନିଆ ହୋଇ ଉଠିଛନ୍ତି । ମୁହଁରେ ପାଉଡରର ପ୍ରଲେପ ନାହିଁ କିମ୍ବା ଆଖିରେ ନାହିଁ କଜ୍ଜଳରସ୍ପର୍ଶ । ମିତାର ଏଇ ସାଧାସିଧା ବେଶ ପ୍ରାକୃତିକ, ଖୁବ୍ ସୁନ୍ଦର ।

 

ଭୂମିକାକୁ ଦେଖି ମିତା ତଳକୁ ଓହ୍ଲାଇ ଆସିଲା । କଣ୍ଠରେ ବିସ୍ମୟ ଭରି ପଚାରିଲା—ତମେ ! ହଠାତ୍…

 

କିଛି କହିପାରିଲା ନାହିଁ ଭୂମିକା । କେବଳ ଜଳଜଳ କରି ଚାହିଁ ରହିଥିଲା ।

 

ଭୂମିକାର ହାତକୁ ଧରି ମିତା କହିଲା—ଆରେ ଏମିତି ଚାହିଁଛ କ’ଣ ? ଭିତରକୁ ଆସ ।

 

ଭୂମିକାର ମନେହେଉଥିଲା ମିତା ଯେପରି ତା’ର ଖୁବ୍ ପରିଚିତ । ଅତି ଘନିଷ୍ଠ । ବହୁତ ଦିନ ପରେ ତା’ର ବାନ୍ଧବୀକୁ ଦେଖି ଉଲ୍ଲସି ଉଠୁଛି ।

 

ସୋଫା ଉପରେ ଭୂମିକାକୁ ବସାଇଦେଇ ମିତା ପୂର୍ବପରି ବିସ୍ମୟଭରା କଣ୍ଠରେ ପଚାରିଲା—ତମେତ କେବେ ଆମଘରକୁ ଆସନି । ଆଜି ହଠାତ୍‌...

 

ଭୂମିକା ଶୁଣି ମଧ୍ୟ ଶୁଣିପାରୁ ନଥିଲା । କିପରି ଭାବେ କଥାଟା ଆରମ୍ଭ କରିବ ତାହା ହିଁ ଚିନ୍ତା କରୁଥିଲା ।

 

ପୁଣି ଥରେ ମିତା ଭୂମିକାକୁ ହଲାଇଦେଇ କହିଲା—ଏମିତି ଚୁପ୍‌ ହୋଇ ବସିଲ ଯେ ! କ’ଣ ହୋଇଛି କୁହ ?

 

ଭୂମିକା ରହି ରହି କହିଲା—ତମେ ଟିକେ ହସ୍‌ପିଟାଲ ଯାଅ ।

 

ହସ୍‌ପିଟାଲ ? କାହିଁକି ? ମିତାର ମୁହଁରେ ବିସ୍ମୟ ।

 

ଲାବୋରଟୋରୀରେ ବିସ୍ଫୋରଣ ହୋଇଛି । ନିଶାନ୍ତବାବୁଙ୍କ ମୁଣ୍ଡରେ ଆଘାତ ଲାଗିଛି । ବହୁତ ରକ୍ତ ଯାଇଛି ମଧ୍ୟ । ଅଜ୍ଞାନଥିବା ଅବସ୍ଥାରେ ଆମ୍ବୁଲେନ୍‌ସରେ ହସ୍‌ପିଟାଲ ଯାଇଛନ୍ତି । ସେ ଯିବା ପରେ ଭାବିଲି ତମକୁ ଖବର ଦେବା ନିହାତି ଦରକାର ।

 

ଭୂମିକା ଅନୁଭବ କଲା ଏଇ କେତେ ପଦ କହିବାକୁ ତାକୁ ବୋଧେ ବହୁତ ସମୟ ଲାଗିଯାଇଛି । ମୁହଁରେ ବିନ୍ଦୁ ବିନ୍ଦୁ ସ୍ୱେଦ ଜମି ଯାଇଛି । ବ୍ଲାଉଜଟା ଝାଳରେ ଭିଜିଗଲା ଭଳି ଜଣାଯାଉଛି ।

 

ମିତା ଥକ୍‌କା ମାରିଲା ଭଳି ବସି ରହିଥିଲା । ଅତ୍ୟଧିକ ଦୁଃଖରେ ମଣିଷ କାନ୍ଦିପାରେନି-। ଉପସ୍ଥିତ କର୍ତ୍ତବ୍ୟ ବିଷୟରେ ଚିନ୍ତାକରି ପାରେନାହିଁ । ମିତାର ବୋଧେ ସେଇ ଅବସ୍ଥା; ପୂର୍ବର ସରସତା ହରାଇ ମୁହଁଟା ମ୍ଳାନ ଦିଶୁଥିଲା ।

 

ମିତାକୁ ଖବରଟା ଦେଇସାରିବା ପରେ ଭୂମିକା ଟିକେ ହାଲ୍‌କା ବୋଧକଲା । ସୋଫା ଉପରୁ ଉଠିପଡ଼ି କହିଲା—ତମେ ଆଉ ବସିଲ କାହିଁକି ? ଶୀଘ୍ର ଯାଅ । କାଜୁଆଲିଟିରେ ପଚାରି ୱାର୍ଡ ବୁଝିନେବ ।

 

ପାହାଚ ପରେ ପାହାଚ ଅତିକ୍ରମ କରି ତଳକୁ ଓହ୍ଲାଇ ଆସିଲା ଭୂମିକା ।

 

ୟା’ ଭିତରେ ଦୁଇଟି ଦିନ ଅତୀତ ହୋଇଯାଇଥିଲେ ମଧ୍ୟ ସେ ହସ୍‌ପିଟାଲକୁ ଯାଇ ନଥିଲା । ଯିବାକୁ ଯେ ଇଚ୍ଛା ନଥିଲା ସେ କଥା ନୁହେଁ, ତେବେ ସମୟ ନଥିଲା । ନିଶାନ୍ତଙ୍କ ବାପାବୋଉ କାଲି ଆସି ପହଞ୍ଚିଛନ୍ତି । ଭୂମିକା ନିଜେ ଟେଲିଗ୍ରାମ୍‌ କରି ସେମାନଙ୍କୁ ଡକାଇ ଆଣିଛି-। ମିତାକୁ ଏ ଦୁଃସମ୍ବାଦ ଜଣାଇଲା ପରେ ମଧ୍ୟ ଭୂମିକା ସମ୍ପୂର୍ଣ୍ଣ ଆଶ୍ୱସ୍ତ ହୋଇପାରିନଥିଲା-। ସନ୍ତାନର ଦୁର୍ଦ୍ଦିନରେ ପିତାମାତାଙ୍କର ଦାୟିତ୍ୱ ବେଶି । ସେମାନଙ୍କ ଉପସ୍ଥିତିରେ ଭୂମିକା ବାହାରକୁ ବାହାରିପାରି ନଥିଲା । ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେବା, ସେମାନଙ୍କର ଖବର ବୁଝାସୁଝା ଭିତରେ ହସ୍‌ପିଟାଲ ଯିବାକୁ ସମୟ ପାଇନଥିଲା । ନିଶାନ୍ତଙ୍କ ବାପାବୋଉ ହସପିଟାଲରେ ଅଛନ୍ତି । ଘର ଶୂନଶାନ୍‍; ଭୂମିକା ଭାବିଲା, ନିଶାନ୍ତଙ୍କୁ ଦେଖି ଆସିବ ।

 

ନିଶାନ୍ତଙ୍କ ଅବସ୍ଥା ଭଲ ନୁହେଁ ବୋଲି ତାଙ୍କ ବାପା କହୁଥିଲେ ବୁଢ଼ାଙ୍କ ଆଖିରୁ କେତେଟୋପା ପେଜୁଆ ଲୁହ ଗଡ଼ି ପଡ଼ିଥିଲା । ମୁଟୁକୁ ସାଙ୍ଗରେ ନେଇ ଭୂମିକା ହସ୍‌ପିଟାଲକୁ ବାହାରିଗଲା ।

 

ନିଶାନ୍ତଙ୍କ ପାଇଁ ଏକ କ୍ୟାବିନ ବ୍ୟବସ୍ଥା କରାଯାଇଛି । ସେହି କ୍ୟାବିନରେ ପହଞ୍ଚି ଭୂମିକା ଦେଖିଲା ନିଶାନ୍ତ ଆଖିବନ୍ଦ କରି ବେଡ଼ରେ ପଡ଼ିଛନ୍ତି । ମୁଣ୍ଡରେ ଏକ ପଟି—ବୋଧହୁଏ କ୍ଷତଜାଗାକୁ ବ୍ୟାଣ୍ଡେଜ କରାଯାଇଛି । ମୁହଁଟା ଅସମ୍ଭବ ଭାବେ କଳା ଦିଶୁଛି । ବେଡ୍‍ ପାଖରେ ଚାରିଜଣ ଡାକ୍ତର ନିଶାନ୍ତଙ୍କ ମୁହଁକୁ ଚାହିଁ କ’ଣ କଥାବାର୍ତ୍ତା ହେଉଛନ୍ତି । ଟୁଟୁ ମଧ୍ୟ ସେମାନଙ୍କ ପାଖରେ ଛିଡ଼ା ହୋଇଛି । ସମସ୍ତଙ୍କ ମୁହଁରେ ଆତଙ୍କର ଛାୟା । ପ୍ରଚଣ୍ଡ ରୌଦ୍ରତାପରେ ପୃଥିବୀ ଯେପରି ହରାଇ ବସିଛି ତା’ର ସମସ୍ତ ସରସତା । ଭୂମିକାର ଆଶଙ୍କା ହେଲା ନିଶାନ୍ତଙ୍କର ଆଉକିଛି ହୋଇ ଯାଇନିତ ! ସମସ୍ତେ ଏପରି ଭୟଭୀତ କାହିଁକି ? ମିତା କୁଆଡ଼େ ଗଲା ? ଭୂମିକାର ଆଖି କ୍ୟାବିନ୍‌ର ଚତୁର୍ଦ୍ଦିଗରେ ଘୂରି ଆସିଲା । ନା, ମିତା ନାହିଁ । ତେବେ...ଭାବିଥିଲା ମିତା ଦିନରାତି ନିଶାନ୍ତଙ୍କ ପାଖରେ ଥିବ । ଆଖିରୁ ଛୁଟିଥିବ ଶ୍ରାବଣର ଧାରା । ଅଥଚ... ! ମିତାକୁ ନ ଦେଖି ଭୂମିକା ଆଶ୍ଚର୍ଯ୍ୟ ହେଲା । ଟୁଟୁ ଆସୁଥିବାର ଦେଖି ପଚାରିଲା—ନିଶାନ୍ତବାବୁ କେମିତି ଅଛନ୍ତି ?

 

ଅପାର କଥା ଶୁଣି ଟୁଟୁର ଶୁଖିଲା ମୁହଁ ଆହୁରି ଶୁଖିଗଲା । ଅଲରା ବାଳଗୁଡ଼ିକ ମୁଣ୍ଡ ଉପରକୁ ସଜାଡ଼ି ଦେଇ କହିଲା, ଆସିବା ଦିନରୁ ତ ସେନ୍‌ସ୍‌ ଆସିନାହିଁ । ମୁଣ୍ଡରୁ ବହୁତ ରକ୍ତକ୍ଷୟ ହେବା ଫଳରେ ଦୁର୍ବଳ ହୋଇ ଯାଇଛନ୍ତି । ସେଥିପାଇଁ ସେନ୍‌ସ୍‌ ଆସିବ କି ନାହିଁ ସଠିକ୍‌ କହିହେଉ ନାହିଁ । ତେବେ ବ୍ଲଡ୍‍ ନଦେଲେ ହୁଏତ...

 

ତେବେ ବ୍ଲଡ୍‍ ଦେଉନାହଁ କାହିଁକି ?

 

ବ୍ଲଡ୍‍ ବ୍ୟାଙ୍କ୍‌କୁ ଯାଇ ଦୁଇଥର ଫେରିଲିଣି । ନିଶାନ୍ତବାବୁଙ୍କ ଗ୍ରୁପ୍‌ର ବ୍ଲଡ୍‍ ବ୍ଲଡ୍‍ବ୍ୟାଙ୍କରେ ନାହିଁ । ତାହାହିଁ ବର୍ତ୍ତମାନ ଚିନ୍ତାର ବିଷୟ । ସବୁଠାରୁ ନିରାଶ ହୋଇ ଆମେ ଏକରକମ୍‌ ଆସ୍ଥା ହରାଇ ବସିଛୁ । ଆମ ଡାକ୍ତରୀବିଦ୍ୟା ହାର ମାନିଛି ଅପା...ଏଣିକି ତାଙ୍କର ଭାଗ୍ୟ ।

 

କିଛି ଭାବିପାରୁ ନଥିଲା ଭୂମିକା । ଏତେ ବଡ଼ ବଡ଼ ଡାକ୍ତର ଯେଉଁଠି ହାର ମାନିଛନ୍ତି, ସେଠାରେ ବା ସେ କ’ଣ କରିପାରିବ ? ଭାଗ୍ୟ ଛଡ଼ା ପଥ ନାହିଁ । ଯେଉଁ ସୃଷ୍ଟି ଦିନେ ସ୍ରଷ୍ଟା ବିରୁଦ୍ଧରେ ସ୍ୱର ତୋଳୁଥିଲା, ସ୍ରଷ୍ଟା ପ୍ରଦତ୍ତ ରୋଗବ୍ୟାଧିକୁ ସମୂଳେ ଧ୍ୱଂସ କରିବାକୁ ସ୍ୱପ୍ନ ଦେଖୁଥିଲା, ସେଇ ସୃଷ୍ଟିର ଜୀବନ ଆଜି ସ୍ରଷ୍ଟାର ଦୟା ଉପରେ ନିର୍ଭର କରୁଛି । ଭଗବାନଙ୍କ ବିରୁଦ୍ଧରେ ଲମ୍ବା ଲମ୍ବା ଟିପ୍ପଣୀ ଦେଉଥିବା ମଣିଷ ନିରାଶ ହୋଇ ପୁଣି ଡାକୁଛି ସେଇ ଭଗବାନଙ୍କୁ-। ତାଙ୍କ ପାଦତଳେ ଖୋଜୁଛି ବଞ୍ଚିରହିବାର ଆଶ୍ରା ।

 

ଭୂମିକା ଭାବିଲା ରକ୍ତ ନଦେଲେ ନିଶାନ୍ତଙ୍କର ଜ୍ଞାନ ଫେରିବ ନାହିଁ । ହୁଏତ ସେ ଜ୍ଞାନ ଚିରଦିନ ପାଇଁ ଫେରି ନପାରେ । ଆଶା ତାଙ୍କର ଆଶାରେ ରହିଯିବ । ଏତେ ଦିନର ପରିଶ୍ରମ ତାଙ୍କର ବୃଥା ହୋଇଯିବ । କିନ୍ତୁ ସେ ଯଦି ବଞ୍ଚିରୁହନ୍ତି ତାଙ୍କ ପ୍ରତିଭା ବିକଶିତ ହେବ । ତାଙ୍କ ପରିଶ୍ରମର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରିବ । ସମାଜ ହେବ ଉପକୃତ—ତାଙ୍କ ଗଳାରେ ଜୟମାଲ୍ୟ ଝୁଲାଇ ଦେବ । ଭୂମିକା ନିଜକୁ ଥରେ ଭଲକରି ଚାହିଁଲା । ନିଜ ରକ୍ତ ସହିତ କୌଣସି ପୁରୁଷର ରକ୍ତ ମିଶାଇ ସେ କଳିଟିଏ ସୃଷ୍ଟି କରିପାରିନି ସତ, କିନ୍ତୁ ଗୋଟିଏ ପ୍ରସ୍ଫୁଟିତ ପୁଷ୍ପକୁ ସେ କ’ଣ ଉପଯୁକ୍ତ ଖାଦ୍ୟଦେଇ କିଛିଦିନ ପାଇଁ ବଞ୍ଚାଇ ପାରିବନି ? ସେ ନାରୀ, ତ୍ୟାଗ ହିଁ ତା’ର ଧର୍ମ-। ତା’ଭଳି ଶହ ଶହ ମଣିଷ ପରିବର୍ତ୍ତେ ଗୋଟିଏ ପ୍ରତିଭାଶାଳୀ ମଣିଷ ବଞ୍ଚି ରହିବା ଏ ସମାଜ ପାଇଁ, ଦେଶ ପାଇଁ ହିତକର । ଏତେବଡ଼ ପ୍ରତିଭାକୁ ସେ ଅକାଳରେ ଧ୍ୱଂସ କରିଦେଇ ପାରିବନି-। ସେତୁବନ୍ଧ ନିର୍ମାଣରେ ପୁଣି କ୍ଷୁଦ୍ର ଗୁଣ୍ଡୁଚିର ମଧ୍ୟ କିଛି ଦାନ ଥିଲା !

 

ଭୂମିକା ଟୁଟୁକୁ ହଲାଇଦେଇ କହିଲା, ମୋ ହାତରୁ ଟିକେ ରକ୍ତନେଇ ପରୀକ୍ଷା କର । ଭଗବାନଙ୍କ ଦୟାରୁ ଯଦି ସେଇ ଗ୍ରୁପ୍‌ର ରକ୍ତ ହୋଇଥାଏ...

 

ଅପା ! ଚିତ୍କାର କରିଉଠିଲା ଟୁଟୁ ।

 

ଶାନ୍ତକଣ୍ଠରେ ଭୂମିକା କହିଲା—ତୁ ବିଚଳିତ ହଅନା ଟୁଟୁ । ମୋ ଦେହର କେତେ ଆଉନସ୍‌ ରକ୍ତ ପରିବର୍ତ୍ତେ ଯଦି ଗୋଟିଏ ପ୍ରତିଭାଶାଳୀ ଡାକ୍ତରର ଜୀବନ ରକ୍ଷା କରାଯାଇପାରେ ତାହା କ’ଣ ଗୌରବର କଥା ନୁହେଁ ? ରକ୍ତଦେଲେ ମୁଁ ସାମାନ୍ୟ ଦୁର୍ବଳ ହୋଇପଡ଼ିବି ସିନା କିନ୍ତୁ ମରିଯିବିନି । ବର୍ତ୍ତମାନ ନିଶାନ୍ତଙ୍କର ରକ୍ତ ଏକାନ୍ତ ଆବଶ୍ୟକ । ଅଥଚ ବ୍ଲଡ୍‍ବ୍ୟାଙ୍କରେ ରକ୍ତ ନାହିଁ । ମୋ ରକ୍ତନେଇ ବର୍ତ୍ତମାନ ପାଇଁ ନିଶାନ୍ତଙ୍କୁ ଦିଆଯାଉ । ପରେ ବ୍ଲଡ୍‍ବ୍ୟାଙ୍କକୁ ରକ୍ତ ଆସିଗଲେ ସେତିକି ରକ୍ତ ମୋ ଦେହରେ ପୁସ୍‌ କରିଦେଲେ କ’ଣ ଚଳିବନି ?

 

ଏକ ପାଷାଣପ୍ରତିମା ଭଳି ସେ କାନ୍ଥକୁ ଆଉଜି ଠିଆ ହୋଇଥିଲା । ଅପାର ରକ୍ତ ପରୀକ୍ଷା କରିବାର ସାହସ ତା’ର ନଥିଲା । ସେ ଜାଣେ ଅପାର ରକ୍ତ ଓ ନିଶାନ୍ତବାବୁଙ୍କର ରକ୍ତ ସମାନ ଗ୍ରୁପ୍‍ର । ଅନେକଦିନ ତଳେ ଅପାର ଦେହ ଖରାପ ଥିଲା । ରକ୍ତ ପରୀକ୍ଷା କରି ସେ ଯେଉଁ ଗ୍ରୁପ୍‌ ଆବିଷ୍କାର କରିଥିଲା ଏବଂ ନିଶାନ୍ତବାବୁଙ୍କ ରକ୍ତ ପରୀକ୍ଷା କରି ପ୍ରଫେସର ଆଜି ଯେଉଁ ଗ୍ରୁପ୍‌ର ନା କହିଲେ ଦୁହେଁ ଅଭିନ୍ନ । ବ୍ଲଡ୍‍ ଦେବା ଫଳରେ ଅପାର ଯଦି କିଛି ହୋଇଯାଏ ! ନା, ନା, ସେ ପାରିବନି । କଦାପି ନୁହେଁ । ନିଶାନ୍ତବାବୁଙ୍କର ମୃତ୍ୟୁ ହେଲେ ଦେଶର କିଛି କ୍ଷତି ହେବନି । ଦେଶରେ ଅନେକ ଡାକ୍ତର ଅଛନ୍ତି । ଆହୁରି ହେବେ ମଧ୍ୟ । କିନ୍ତୁ ଅପାର କିଛି ହୋଇଗଲେ...

 

ନା, ନା; ସେ ଜାଣି ଜାଣି ଏପରି ଭୁଲ୍‍ କରିବନି । ନିଜ ଆଖିଆଗରେ ଅପାର କିଛି ଅଘଟଣ ଦେଖି ପାରିବନି । ସଞ୍ଜ ସଳିତା ଭଳି ନିଜର ନାରୀଜୀବନକୁ ଜଳାଇ ଜଳାଇ ଯେଉଁ ଅପା ସେମାନଙ୍କର ମଙ୍ଗଳକାମନା କରି ଆସିଛି ତାକୁ ଆଜି ସେ ନିର୍ବାପିତ କରିପାରିବନି । କିନ୍ତୁ ମୁହଁଖୋଲି କିଛି କହିପାରୁନଥିଲା ଟୁଟୁ । ଅପା ମୁହଁ ଉପରେ କିଛି କହିବାକୁ ତା’ର ସାହସ ନାହିଁ । ଅପା ଥରେ ଯାହା ବୁଝିଥିବ ସେଇଆ କରିବ । ସାମାନ୍ୟ ଆଘାତରେ ଟଳିପଡ଼ିବା ଭଳି ଦୁର୍ବଳତା ତା’ର ନାହିଁ । ତା’ର ପ୍ରକାଶିତ ମତଗୁଡ଼ିକ ସତେଅବା ଲତାଗୁଳ୍ମ ଆଚ୍ଛାଦିତ । ସେହି ଲତାଗୁଳ୍ମ ଭିତରେ ପଥଖୋଜି ତା’ର ମନକୁ ଚିହ୍ନିପାରିବା ଦୁଃସାଧ୍ୟ । ସମସ୍ତ ସାହସ ସଞ୍ଚୟ କରି ଟୁଟୁ କହିଲା, ତୁ ଯାହା କହୁଚୁ ଭାବିଚିନ୍ତି କହୁଚୁ ତ !

 

ଆଗପଛ ବିଚାର ନକରି କିଛି କାମ କରିବାର ମତେ ତୁ କେବେ ଦେଖିଛୁ ?

 

ଟୁଟୁ ଜାଣେ, ଅପା ତା’ର ଖୁବ୍‌ ଭାବିଚିନ୍ତି କାମକରେ । ସେଥିପାଇଁ ବହୁତ ଭାବିବା ପରେ, ଖୁବ୍‌ ଡେରିରେ ତା’ର ମତାମତ ଜଣାଇଥାଏ । ଅପାକୁ କି ଉତ୍ତର ଦେଇ ସନ୍ତୁଷ୍ଟ କରିବ ସେ ଭାବିପାରୁ ନଥିଲା । ତଳକୁ ମୁହଁପୋତି ଚୁପ୍‌ଚାପ୍‌ ଠିଆହୋଇ ରହିଲା ।

 

ଭୂମିକା ସେହିପରି ଗମ୍ଭୀର ହୋଇ କହିଲା, ମୃତ୍ୟୁଶଯ୍ୟାରେ ତମମାନଙ୍କର ଦାୟିତ୍ୱ ଲଦିଦେଇ ବାପା ଆଖି ବୁଜିଲେ । ତା’ ପରଠାରୁ ମୁଁ ତମମାନଙ୍କର ତତ୍ତ୍ୱ ନେଇଛି । ଉପଯୁକ୍ତ ମଣିଷ କରି ଗଢ଼ିପାରିଛି । ମନି ବାହାହୋଇ ସୁଖରେ ଘରସଂସାର କଲା । ତୁ ଡାକ୍ତର ହେଲୁ । ତମେମାନେ ଛୋଟ ଥିଲାବେଳେ ମୁଁ ତମକୁ ଉଡ଼ାଇ ଶିଖାଇଥିଲି । ଏବେ ତମେମାନେ ବଡ଼ ହୋଇଛ, ଡେଣା ତମର ଦମ୍ଭ ହୋଇଛି । ମନରେ ସାହସ ଆସିଛି । ଏବେ ତମେମାନେ ଏକା ଏକା ଉଡ଼ିବୁଲିବ । ଆକାଶର ଦୂରତା ମାପିବ, ନିର୍ଣ୍ଣୟ କରିବ ସମୁଦ୍ରର ଗଭୀରତା । ଆଉ ଅନୁଭୂତିର ବାଇନାକୁଲର ଧରି ପୃଥିବୀକୁ ଦେଖିବ । ଜୀବନକୁ ଚିହ୍ନିବ । କେବଳ ଏଇ ମୁଟୁଟା ରହିଗଲା । ସେଥିପାଇଁ ମୋର ଆଉ ଶୋଚନା ନାହିଁ । ତୁ ବଡ଼ ହୋଇଛୁ; ତୋ ମନର-ଇଞ୍ଜିନରେ ସେ ଏକ କ୍ଷୁଦ୍ର ଡବା ମାତ୍ର । ତାକୁ ତୋ ପଛରେ ଶକ୍ତଚେନରେ ବାନ୍ଧିରଖି ପୃଥିବୀର ଅଙ୍କାବଙ୍କା ଲାଇନ୍‌ ଉପରେ ଗତିକରି ତାକୁ ଠିକ୍‌ ଷ୍ଟେସନରେ ପହଞ୍ଚାଇ ଦେବା ତୋର କର୍ତ୍ତବ୍ୟ । ମୋର ଦାୟିତ୍ୱ ମୁଁ ତୁଲାଇ ଦେଇଛି । ଏଣିକି ମୋର ଛୁଟି । ମୁଁ ଯାହାକଲେ ବି ତମମାନଙ୍କର ଆପତ୍ତି କରିବାର କୌଣସି କାରଣ ନାହିଁ । ତେବେ ଏତିକି ମନେରଖ, ତମମାନଙ୍କର ମାନସମ୍ମାନରେ ଆଞ୍ଚ ଆସିଲାଭଳି କୌଣସି ଦୁଷ୍କର୍ମ ମୁଁ କେବେ କରିବି ନାହିଁ ।

 

ଶେଷ ଆଡ଼କୁ ଭୂମିକାର ସ୍ୱର ଭାରି ଭାରି ଶୁଭୁଥିଲା । ଟିକିଏ ଦମ ନେଇ ପୁଣି କହିଲା–ଆରେ, ତୁ ଏମିତି ଠିଆ ହୋଇଛୁ କ’ଣ ! ଡେରିହେଉଚି ପରା ! ଶୀଘ୍ର ଯାଇ ପ୍ରଫେସରଙ୍କୁ କହ-?

 

ଟୁଟୁ କିଛି କହିପାରିଲା ନାହିଁ । କହି ମଧ୍ୟ ଲାଭ ନାହିଁ । ଅପା ସାଙ୍ଗରେ ଯୁକ୍ତି କରିବା ବୃଥା । ବାରଆଡ଼ୁ ବାର କଥା ଆରମ୍ଭ କରିବ । ଯୁକ୍ତିରେ ସେ ଅଜାତଶତ୍ରୁ ।

 

ନିରାଶା-ଅନ୍ଧକାରକୁ ବିଦୀର୍ଣ୍ଣକରି ପ୍ରଫେସରଙ୍କ ମୁହଁ-ଆକାଶରେ ସାଫଲ୍ୟ-ସୂର୍ଯ୍ୟ ଉଇଁ ଆସୁଥିଲା । ଭୂମିକା ଦେହର ପ୍ରବାହିତ ରକ୍ତ ନିଶାନ୍ତଙ୍କ ଦେହକୁ ଟ୍ରାନ୍‌ସ୍‌ମିଟେଡ୍ ହେଉଥିଲା । ସେ ରକ୍ତ ଶାନ୍ତ ସ୍ରୋତସ୍ୱିନୀ ଭଳି ନିଶାନ୍ତଙ୍କ ଶିରା ପ୍ରଶିରାରେ ଖେଳି ବୁଲୁଥିଲା ।

 

କ୍ୟାବିନରେ ଅଖଣ୍ଡ ନୀରବତା ।

 

ଭୂମିକା ହାତରୁ ଟୁଟୁ ନିଡ଼ିଲ କାଢ଼ିଆଣିଲା । ନିଶାନ୍ତଙ୍କ ହୋସ ଆସିବା ପାଇଁ ଯେତିକି ରକ୍ତର ଆବଶ୍ୟକତା ଥିଲା ଅପା ଦେହରୁ ସେତିକି ରକ୍ତ ଦିଆହୋଇଛି । ବେଶି ରକ୍ତକ୍ଷୟ ହେଲେ ଅପାର ଜୀବନ ଉପରେ ବାଧା ଆସିପାରେ ।

 

ଟୁଟୁ ନିଡିଲ କାଢ଼ିନେବା ପରେ ଭୂମିକା ବେଡରୁ ଉଠି ପଡ଼ୁଥିବାର ଦେଖି ପ୍ରଫେସର ବାଧାଦେଇ କହିଲେ—ନା, ନା...ଏତେଶୀଘ୍ର ନୁହେଁ । ବ୍ଲଡ୍‍ ଦେଇସାରିବା ପରେ ବିଶ୍ରାମ ନେବା ଉଚିତ । ଅନ୍ତତଃ କିଛି ସମୟ ବେଡ଼ରେ ଶୋଇରହିବ । ତା’ପରେ ତମେ ଘରକୁ ଯାଇପାର । ବ୍ୟସ୍ତ ହୁଅନି । ମୁଁ ତମର ସବୁ ବ୍ୟବସ୍ଥା କରିଦେବି । ତା’ଛଡ଼ା ତମ ଭାଇ ପାଖରେ ଅଛନ୍ତି ।

 

ବେଡ଼ରେ ଶୋଇ ରହିବାକୁ କହି ପ୍ରଫେସର ଭୂମିକା ନିକଟରୁ ଫେରିଆସିଲେ ।

 

ସମସ୍ତଙ୍କ ଦୃଷ୍ଟି ନିଶାନ୍ତଙ୍କ ଉପରେ ନିବଦ୍ଧ—ବୋଧହୁଏ ସେମାନେ କିଛି ଆଶା କରୁଥିଲେ । ବେଡ଼ରେ ଶୋଇ ରହି ଭୂମିକା ନିଶାନ୍ତଙ୍କ ମୁହଁକୁ ଚାହିଁଲା । ନିଶାନ୍ତଙ୍କ ଆଖିପତା ଦୁଇଟି ରହି ରହି ଥରି ଉଠୁଛି । ଅଳ୍ପ ସମୟ ଭିତରେ ଚେତା ଆସିଯିବ ବୋଧେ ।

 

ଭୂମିକା ଆନନ୍ଦରେ ଆଖି ବୁଜିଲା ।

 

ତା’ ଓଠ ଉପକୂଳରେ ହସର ଲହରୀ ମଥା ପିଟୁଥିଲା ।

 

ନିଶାନ୍ତଙ୍କର ପ୍ରତିଭା ଥିଲା, ଉଚ୍ଚ ଆଶା ଥିଲା । ତାଙ୍କ ଭବିଷ୍ୟତର ଉନ୍ନତି କାମନା କରି ମୁଁ ସାହାଯ୍ୟ କରିଥିଲି । ଅବଶ୍ୟ ବିବାହ କରିବାରେ କୌଣସି ଆପତ୍ତି ନଥିଲା । କିନ୍ତୁ ଜାଣି ଜାଣି ଗୋଟିଏ ଅନ୍ଧକୁ ବିବାହ କରିବି କିପରି ? ନିଜର ସୁଖକୁ ଜାଳିପୋଡ଼ି ପାଉଁଶ କରିବି କିପରି ?

 

ଅନ୍ଧ ହେଲେ ବି ନିଶାନ୍ତ ଜଣେ ଡାକ୍ତର । ତାଙ୍କର ପ୍ରତିଭା ଏବେ ମଧ୍ୟ ପ୍ରଜ୍ଜ୍ୱଳିତ । ତମର ସାହାଯ୍ୟ ପାଇଲେ ଉଚ୍ଚ ଆଶା ତାଙ୍କର ଫଳବତୀ ହେବ ।

 

ରୁମାଲରେ ମୁହଁ ପୋଛୁ ପୋଛୁ ମିତା କହିଲା—ମୁଁ ତାଙ୍କୁ ସାହାଯ୍ୟ କରିବି । ଭିଖାରିର ଥାଳ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମୁଁ ଭିକ୍ଷାଦେବି । କିନ୍ତୁ ନିଶାନ୍ତଙ୍କୁ ଜୀବନର ସାଥୀଭାବେ ଗ୍ରହଣ କରି ମୁଁ ସଂସାର ଗଢ଼ିପାରିବି ନାହିଁ ।

 

ଆଶ୍ଚର୍ଯ୍ୟ ହେଲା ଭୂମିକା । କିନ୍ତୁ ବିଚଳିତ ହେବାର କୌଣସି ଚିହ୍ନ ଦୃଷ୍ଟିଗୋଚର ହେଉ ନଥିଲା । ବୁଝାଇବା ଭଙ୍ଗୀରେ କହିଲା—ନିଶାନ୍ତବାବୁଙ୍କ ଆଖିର ଜ୍ୟୋତି ଲିଭିଯାଇଛି । ସେ ଜ୍ୟୋତି ଆଉ ଥରେ ଫେରିଆସି ପାରିବନାହିଁ, ଏ କଥା ମୁଁ ଜାଣେ । ଆଉ ମଧ୍ୟ ଜାଣେ ଯେ ଦିନର ସୂର୍ଯ୍ୟ, ରାତ୍ରିର ଚନ୍ଦ୍ର, ତାରା ଦେଖିବାକୁ ସେ ଅକ୍ଷମ । କିନ୍ତୁ ମନରୁ ତାଙ୍କର ଆଶା ଲିଭିନି । ଇନ୍ଦ୍ରଧନୁର ରଙ୍ଗିମା ନେଇ ତାଙ୍କର ଆଶା ଏବେ ବି ଚିତ୍ରବିଚିତ୍ର, ଜୀବନ୍ତ । ଏବେ ମଧ୍ୟ ସେ ତମ ପଥକୁ ଚାହିଁ ବସିଛନ୍ତି । ତୁମକୁ ଏକାନ୍ତ ଭାବେ କାମନା କରୁଛନ୍ତି । ତମେ ନାହିଁ କରନି ମିତା, ତାଙ୍କୁ ନିରାଶ କରନା । ତାଙ୍କ ମନରେ ଅନେକ ଆଶା—ସେ ଆଶାରେ ଅନେକ ରଙ୍ଗ—ତମ ପାଇଁ ସେ ରଙ୍ଗରେ ଅନେକ ଚିତ୍ର ।

 

ଭୂମିକା ଦେଖିଲା, ମନ୍ତ୍ରମୁଗ୍‌ଧ ଭଳି ମିତା ବସିରହିଛି । କିନ୍ତୁ ତା’ର ଗୋରା ମୁହଁଟି ଲାଲ୍‌ ପଡ଼ିଯାଇଛି । ଫୁଲି ଉଠୁଛି ନାକ ପୁଡ଼ା ଦୁଇଟି ।

 

ମିତା ମନରେ ତୋଫାନ ଉଠିଛି । ସେ ତୋଫାନ ଭିତରେ ଭୂମିକାର ଅନୁରୋଧ, ଆଶା, ଆକାଂକ୍ଷା କୁଟାକାଠି ଭଳି ଉଡ଼ିଯାଉଛି ।

 

ସତକୁ ସତ ମିତା ରାଗି ଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ହେଉଥିଲା କ୍ଷିପ୍ରତର; ମିତା ଏକରକମ ଚିତ୍କାର କରି କହିଲା—ମୋର ଘରୋଇ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ତମର ନାହିଁ । ମୋର ଟଙ୍କା ଅଛି । ମୁଁ ଯାହାକୁ ସାହାଯ୍ୟ କରିବି ସେ ମୋର ଆନୁଗତ୍ୟ ସ୍ୱୀକାର କରିବ । କିନ୍ତୁ ତା’ର ଅର୍ଥ ନୁହେଁ ଯେ ମୁଁ ତାକୁ ବିବାହ କରିବି ! ନିଶାନ୍ତଙ୍କ ଭଳି ଏକ ଅନ୍ଧ ପୁରୁଷକୁ ମୁଁ ବିବାହ କରିବାକୁ ଚାହେଁନା—ଏହା ମୋର ଶେଷ ନିଷ୍ପତ୍ତି । ତମେ ଏଥର ଯାଇପାର ।

 

ଭୂମିକାର ଇଚ୍ଛା ହେଉଥିଲା ଅନେକ କିଛି କହିବାକୁ । କିନ୍ତୁ ସେ କହିପାରିଲାନି । ଢମଣାସାପ ପଦ୍ମତୋଳା ଶୁଣିବନି । ମିତାକୁ ବୁଝାଇ ଲାଭ ନାହିଁ ।

 

କିନ୍ତୁ ନିଶାନ୍ତ ? ସେ କ’ଣ ବିଶ୍ଵାସ କରିପାରିବେ ଯେ ତାଙ୍କର ଆଦରର ମିତା ତାଙ୍କୁ ବିବାହ ନ କରିବାକୁ ମନସ୍ଥ କରିଛି ବୋଲି !

 

ନିଶାନ୍ତଙ୍କ କଥା ମନେପଡ଼ି ଭୂମିକାର ଦେହ ଝାଳେଇ ଉଠିଲା । କେତେ ଆଶାକରି ସେ ଭୂମିକାର ଫେରିବା ବାଟକୁ ଚାହିଁ ବସିଥିବେ । ମନରେ କେତେ ସ୍ଵପ୍ନକୁ ବାନ୍ଧିରଖିବାର ଚେଷ୍ଟା କରୁଥିବେ । କିନ୍ତୁ ମିତା ଭଲପାଇବାର ପ୍ରତିଦାନ କ’ଣ ଦେଲା ନିଶାନ୍ତଙ୍କୁ !

 

ଭୂମିକାର ନିଶ୍ଵାସ ଅଟକିଲା ଭଳି ଜଣାପଡ଼ୁଥିଲା । ମିତାକୁ ସେ ବୁଝାଇ ସାଥୀରେ ନେଇଯାଇ ପାରିଲା ନାହିଁ । ମିତା ବୁଝିବାକୁ ମଧ୍ୟ ରାଜି ନୁହେଁ । ସମସ୍ତେ ସୁଖର ସାଥୀ । ଦୁଃଖବେଳେ ଆପଣାର ମଣିଷ ବି ପର ହୋଇଯାଏ । ମିତା ଅର୍ଥ ସାହାଯ୍ୟ ଦେଇ ନିଶାନ୍ତଙ୍କୁ ପ୍ରେମ କରୁଥିଲା । ଆଜି ନିଶାନ୍ତ ଅନ୍ଧ ହୋଇଗଲା ପରେ ମିତା ପାଇଁ ଏକ ଅଦରକାରୀ ଜୀବ ହୋଇଛନ୍ତି-। ଅଥଚ ମନରେ ଆଶାର ମୀନାର ବାନ୍ଧି ନିଶାନ୍ତ ଭୂମିକାକୁ ପଠାଇଥିଲେ ମିତା ପାଖକୁ-। କହିଥିଲେ, ତମେ ମିତାକୁ କହିବ, “କେବଳ ତାରି ପାଇଁ ମୁଁ ଆଜି ଅନ୍ଧ ହୋଇଛି, ହରାଇଛି ଦୃଷ୍ଟି ଶକ୍ତି । ତା’ର ଭରା ଯୌବନ, ଢଳଢଳ ନୟନକୁ ଆଖି ପୂରାଇ ଦେଖିବାକୁ ମୁଁ ଅକ୍ଷମ । କିନ୍ତୁ ମନରେ ମୋର ଆଲୋକର ଜୁଆର । ଦେଖି ନପାରିଲେ ମଧ୍ୟ ମୁଁ ତାକୁ ଉପଭୋଗ କରିପାରିବି, ତାରି ମନ କଥା ବୁଝିପାରିବି—ତାକୁ ଧରି ରଖିବି ।” ତମେ ଯାଅ ଭୂମିକା ! ତାକୁ ବୁଝାଇବ—ସାନ୍ତ୍ଵନା ଦେବ । ମିତା ମୋର କାନ୍ଦିକାନ୍ଦି ଅଶ୍ରୁର ନଦୀ ସୃଷ୍ଟି କରୁଥିବ ।

 

ନିଶାନ୍ତଙ୍କୁ ବୁଝାଇବା ପାଇଁ ଭାଷା ଖୋଜି ପାଇନଥିଲା ଭୂମିକା । କ’ଣ ବା ବୁଝାଇବ ଏଇ ପାଗଳ ପ୍ରେମିକକୁ ! ପୁରୁଷ ଜୀବନରେ ସ୍ତ୍ରୀର ଆବଶ୍ୟକତା ଅଛି । ନିଶାନ୍ତଙ୍କ ପୁରୁଷ ଜୀବନ ମିତାକୁ ଧରି ରଖିବାକୁ ଚାହୁଁଛି । ପ୍ରେମିକାକୁ ସ୍ତ୍ରୀରୂପେ ପାଇବାର ଉପକ୍ରମ କରୁଛି ।

 

କିନ୍ତୁ ସବୁ ପ୍ରେମିକା କ’ଣ ସ୍ତ୍ରୀ ହୋଇ ପାରନ୍ତି ? ନିଜକୁ ପ୍ରଶ୍ନ କରୁଥିଲା ଭୂମିକା । ତା’ ମୁଖମଣ୍ଡଳରେ ଘେରି ରହିଥିଲା ଉଦାସ ଗୋଧୂଳିର ଛାୟା ।

 

ମିତା ନିଶାନ୍ତଙ୍କୁ ପ୍ରତ୍ୟାଖ୍ୟାନ କରିଛି । ଅଥଚ ନିଶାନ୍ତ ମିତାର ଆଗମନକୁ ଚାହିଁ ବସିଛନ୍ତି । ସେ ଚାହିଁବାରେ ଭରି ରହିଛି ନିଜ ମନର ଆକୁଳତା । ସେ ମନରେ ଅଛି ପାଇବାର ବ୍ୟାକୁଳତା । ଆଖିର ଜ୍ୟୋତି ନିଷ୍ପ୍ରଭ ହୋଇଛି । କିନ୍ତୁ ପ୍ରେମିକ ହୃଦୟର କାମନା ଅନ୍ଧକାରରେ ହଜିଯାଇନି । ବରଂ ଆଶାର ଆଲୋକରେ ସେହିପରି ଉଜ୍ଜ୍ୱଳ ହୋଇ ରହିଛି । ସେ ଆଲୋକ ନିଷ୍ପ୍ରଭ ହେବାର ନୁହେଁ—ସେ ଆଶା ମରିବାର ନୁହେଁ ।

 

ହସ୍‌ପିଟାଲରେ ନିଶାନ୍ତଙ୍କୁ ରକ୍ତ ଦେବା ପରେ ତାଙ୍କର ଜ୍ଞାନ ଫେରିଆସିଥିଲା । ମୃତ୍ୟୁ ପଥରୁ ଫେରିଆସିଥିଲେ ସେ । କିନ୍ତୁ ଛାଡ଼ିଦେଇ ଆସିଥିଲେ ଆଖିର ଜ୍ୟୋତି । ବିଷାକ୍ତ ଗ୍ୟାସ୍‌ର ସଂସ୍ପର୍ଶରେ ତାଙ୍କର ଦୃଷ୍ଟିଶକ୍ତି ଲିଭି ଯାଇଥିଲା—ହଜି ଯାଇଥିଲା ଚିରଦିନ ପାଇଁ । ସେଦିନ ଡାକ୍ତରଙ୍କ ମନ୍ତବ୍ୟ ନିଷ୍ଠୁର ମନେହେଲେବି ତାହାଥିଲା ବାସ୍ତବ, ନିରାଟ ସତ୍ୟ । ରକ୍ତଦେଇ ଗୋଟିଏ ଜୀବନକୁ ରକ୍ଷା କରିପାରିଥିଲେ ମଧ୍ୟ ନିଜର ଦୃଷ୍ଟିଶକ୍ତି ଦେଇ ନିଶାନ୍ତଙ୍କୁ ଆଲୋକ ଦେଖାଇବାର ସାହସ ତା’ର ନଥିଲା । ସେଦିନ କାନ୍ଦିପାରିନଥିଲା ଭୂମିକା । କାନ୍ଦିବାକୁ ପ୍ରବଳ ଇଚ୍ଛା ହେଉଥିଲେ ମଧ୍ୟ ଆଖିରେ ତା’ର ନଥିଲା ଲୁହ । ସତେ ଅବା ତା’ର ଲୋତକ ଗ୍ରନ୍ଥିରୁ ସବୁଦିନ ପାଇଁ ଲୁହ ଶୁଖିଯାଇଥିଲା ।

 

ଦୁଃଖରେ ମଣିଷ ଆଖିରୁ ଲୁହଝରେ । ସେଇ ଲୁହ ଭିତରେ ଦୁଃଖର ମାତ୍ରା ଲାଘବ ହୁଏ-। କିନ୍ତୁ ଅତି ଦୁଃଖରେ ମଣିଷ କାନ୍ଦିପାରେନି । ହୃଦୟରେ ଯନ୍ତ୍ରଣାର ବରଫ ଜମାଟ ବାନ୍ଧେ-। ଜୀବନ ହୁଏ ଅସହ୍ୟ, ଦୁର୍ବିସହ । ଭୂମିକାର ଅବସ୍ଥା ସେହିପରି ହୋଇଥିଲା । ସେ ନା କାନ୍ଦିପାରିଥିଲା ନା ନିଜର ଦୁଃଖକୁ ପ୍ରକାଶ କରିଥିଲା । ବ୍ୟର୍ଥତାର ମରୁଭୂମିରେ ଆଶାର ଓଏସିସ ଖୋଜି ବୁଲୁଥିଲା । ନିଶାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ପୂର୍ବପରି ଖିଆପିଆ, ଚଲାବୁଲା କଲେ । ପ୍ରଥମେ ପ୍ରଥମେ ଦୁଃଖ କରୁଥିଲେ । ନିଜର ଅସାବଧାନତା ପାଇଁ ଅନୁଶୋଚନା କରୁଥିଲେ । ମାତ୍ର ଭୂମିକାର ସେବାଯତ୍ନ ତାଙ୍କୁ ଭୁଲାଇ ରଖିଲା । ସେ ଯେ ଏକ ଅନ୍ଧ, ଏକଥା ଭୁଲିଗଲେ ।

 

ଖୁସି ହେଲେ ନିଶାନ୍ତଙ୍କ ବାପାବୋଉ । ଆଖିରେ ଜ୍ୟୋତି ନଥାଉ ପଛେ, ମୃତ୍ୟୁଗାମୀ ସନ୍ତାନକୁ ଫେରି ପାଇଛନ୍ତି, ଏହା କ’ଣ କମ୍ ଆନନ୍ଦର କଥା ! ସେଦିନ ନିଶାନ୍ତଙ୍କ ବୋଉ ଭୂମିକାକୁ କହିଥିଲେ ମା’, ତୁ ପର ଝିଅଟେ ହୋଇ ନିଜ ଦେହରୁ ରକ୍ତ ଦେଇ ମୋ ପୁଅର ଜୀବନକୁ ରକ୍ଷାକରିଛୁ । ତୋ’ପାଇଁ ମୋର କ’ଣ କିଛି କର୍ତ୍ତବ୍ୟ ନାହିଁ ? ଗୋଟେ କଥା କହିବି, ରଖିବୁ ମା’ ?

 

କ’ଣ କୁହ ? ଭୂମିକା ପଚାରିଲା ।

 

ତତେ ମୁଁ ବୋହୂ କରିବାକୁ ଠିକ୍ କରିଛି । କହ ମା’, ମୋ କଥାରେ ନାରାଜ ହେବୁନି ତ-?

 

ଚମକି ଉଠିଲା ଭୂମିକା । କାହିଁ, ଦିନେ ତ ସେ ଏ କଥା ଭାବିନି ? ନିଶାନ୍ତଙ୍କ ନିକଟରେ କେବେ ତ ନିଜକୁ ଦୁର୍ବଳ ମନେକରିନି ? ମଧୁମୟଙ୍କୁ ହରାଇବା ପରଠାରୁ ସେ ତ କେବେ ବିବାହର ମଧୁର ସ୍ଵପ୍ନ ଦେଖିନି ?

 

ଭୂମିକା ହୃଦୟରେ ଉଦବେଳନ । ମନଭିତରେ ଅନେକ ପ୍ରଶ୍ନ । କହିଲା, ତମେ ବୋଧେ ଜାଣିନ ମାଉସୀ ! ନିଶାନ୍ତବାବୁ ତମପାଇଁ ବୋହୂ ପସନ୍ଦ କରିସାରିଛନ୍ତି । ଦେଖିଲେ ଦଣ୍ଡେ ନ ଚାହିଁ ରହିପାରିବ ନାହିଁ । ଭାରି ଭଲ ଝିଅଟିଏ !

 

ନିଶାନ୍ତଙ୍କ ବୋଉ କିଛି କହିପାରିଲେ ନାହିଁ । ବୋକାଙ୍କ ଭଳି ଚାହିଁ ରହିଥିଲେ ।

 

ଆରେ...ତମେ ଏପର୍ଯ୍ୟନ୍ତ ଯାଇନାହଁ ?

 

ଭୂମିକାର ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ବାସ୍ତବ ଜଗତକୁ ଫେରିଆସି ଦେଖିଲା ସାମ୍ନାରେ ମିତା ଛିଡ଼ା ହୋଇଛି । ଘରୁ ଚାଲିଯିବାକୁ କହୁଛି ।

 

ଅବଶ ପାଦକୁ ଘୋଷାରି ଘୋଷାରି ଫେରିଆସିଲା ଭୂମିକା ।

 

ଶେଷ ଗୋଧୂଳିର ରକ୍ତାଭ ରଙ୍ଗ ପଶ୍ଚିମ ଆକାଶରୁ ଲିଭି ଲିଭି ଯାଉଥିଲା । ଆକାଶର ସୁନୀଳ ବକ୍ଷ ଉପରକୁ ନଇଁ ଆସୁଥିଲା ମାୟାବିନୀ ରାତ୍ରୀ । ଭାରାକ୍ରାନ୍ତ ମନ ନେଇ କରବୀର ଗଛ ତଳେ ବସିଥିଲା ଭୂମିକା । ମିତାର ନିଷ୍ପତ୍ତି ତା’ ମନରେ ଝଡ଼ ବୁହାଇଛି । ସୀମାୟିତ ଦୃଷ୍ଟିପଥକୁ ଆସୁଛନ୍ତି ନିଶାନ୍ତ । ମୁହଁରେ ନାହିଁ ପୂର୍ବର ପ୍ରସନ୍ନତା । ଉଦାସ କଣ୍ଠରେ କହୁଛନ୍ତି—ଗୋଟିଏ ଅନ୍ଧକୁ ବିବାହ କରିବାକୁ କୌଣସି ନାରୀ ରାଜି ହେବେନି । ତମେ ମତେ ପୁର୍ନଜୀବନ ଦେଇ ଭୁଲ୍‍ କରିଛ ଭୂମିକା ।

 

କଣ୍ଠରେ ତାଙ୍କର ଅଭିମାନର ଛାପ । ଆଖିରେ ଅଭିମାନର ଲୁହ । ଭୂମିକାର ମନ ଅଥୟ ହେଲା । ସେ ଭୁଲ୍‍ କରିଛି । ନିଶାନ୍ତଙ୍କୁ ବଞ୍ଚାଇ ରଖି ତାଙ୍କ ଜୀବନକୁ କରିଛି ହା-ହୁତାଶମୟ-। ଯେଉଁ ଆଶାନେଇ ନିଶାନ୍ତ ବଞ୍ଚି ରହିଥିଲେ ତାଙ୍କର ସେ ଆଶା ହତାଶାର କାରୁଣ୍ୟରେ ଭରି ଯାଇଛି ।

 

ମିତା ସ୍ଵାର୍ଥପର ହୋଇଛି । ନିଜକୁ ନେଇ ସ୍ଵପ୍ନ ଦେଖିବାରେ ଦିନ କଟାଉଛି । ନିଶାନ୍ତଙ୍କ କଥା ଭାବିବାକୁ ହୁଏତ ତା’ର ସମୟ ନାହିଁ । ଶେଷ ହୋଇ ଆସୁଥିବା ଜୀବନ ଉପରେ ଦୃଷ୍ଟି ଫେରାଇବାକୁ ତା’ର ମନେହେଉନି ।

 

ନିଶାନ୍ତଙ୍କ ଜୀବନଦୀପ ଲିଭି ଲିଭି ଆସୁଛି ।

 

ମାନସିକ ଯନ୍ତ୍ରଣାରେ ଛଟ ପଟ ହୋଇ ସେ ଆଜି ଶଯ୍ୟାଶାୟୀ । ମିତା ଛାଡ଼ିଯାଇଥିବା ସ୍ଥାନ ପୂରଣ ନ ହେଲେ ବଞ୍ଚିବା କଷ୍ଟକର । କିନ୍ତୁ ମିତାର ସ୍ଥାନ ପୂରଣ କରିବ କିଏ ?

 

ନିଜକୁ ଚାହିଁଲା ଭୂମିକା । ତା’ ଅନ୍ତରର ନିଭୃତ କନ୍ଦରରେ ପ୍ରେମର ସ୍ୱଚ୍ଛଧାରା ପ୍ରବାହିତ ହେଉଛି । ସୁଶୀତଳ ପ୍ରେମଜଳକୁ ଦାନକରି ସେ ନିଶାନ୍ତଙ୍କ ତୃଷା ମେଣ୍ଟାଇବ । ଦ୍ଵିତୀୟଥର ମୃତ୍ୟୁ ପଥରୁ ତାଙ୍କୁ ଫେରାଇ ଆଣିବ । ସେ ଏତେ ସ୍ଵାର୍ଥପର ହୋଇପାରିବ ନାହିଁ । ହଁ, ହଁ; ସେ ନିଶାନ୍ତଙ୍କ ଜୀବନ ପରିଧି ଭିତରେ ଘୂରିବୁଲିବ । ତାଙ୍କୁ ପ୍ରେମ ଦେଇ ଜୀବନ ଦେବ । ସେ ନାରୀ—ଅବଳା । ବାହାରେ ନିଜକୁ ଶକ୍ତିଶାଳୀ ବୋଲି ପରିଚୟ ଦେଲେ ମଧ୍ୟ ଭିତରେ ସେ ଦୁର୍ବଳା । ଦୁର୍ବଳ ମନ ନେଇ ସଂସାରର ଜଟିଳ ପଥରେ ଚାଲିବା କଷ୍ଟକର । ସେଥିପାଇଁ ତା’ର ଲୋଡ଼ା ଆଶ୍ରୟ ।

 

ଭୂମିକାର ବ୍ୟଥିତ ମନ ଦୂରନ୍ତ ଭାବନାରେ ଆଶାୟୀ ହୋଇ ଉଠିଲା । ଯେଉଁ ଏକ ଖିଆଲୀ ମନ ନେଇ ସେ ଏତେ ଦିନ ପର୍ଯ୍ୟନ୍ତ ଧାଇଁଥିଲା, ସେ ଖିଆଲ ଦୂରେଇ ଯାଇଛି । ଆଗରେ ବାସ୍ତବତାର ଦୁନିଆ । ସେ ବାସ୍ତବତାରେ ତା’ର ନାରୀ ଜୀବନର ସ୍ଥାନ ଅଛି । ସେ ଦୁନିଆଁରେ ସ୍ଵାମୀ-ସନ୍ତାନ ନେଇ ସଂସାର ପାତିବାର ଅଧିକାର ଅଛି । ତିରିଶ ବର୍ଷର ଜୀବନ । କେତେ ସୁଖ, ଦୁଃଖ, ଆଲୋକ, ଅନ୍ଧାରର ଲୁଚକାଳି ଖେଳ ଭିତରେ, ଝଡ଼ ଝଞ୍ଜା ଭିତରେ ଗତିକରି ଆସିଛି । ଜିତିଛି କି ହାରିଛି ସେ ଜାଣେନା । ସେ ବଞ୍ଚିଛି ଏତିକି ମାତ୍ର ଜାଣେ । ଆଜି ବି ବଞ୍ଚିବ । ବଞ୍ଚିବ ଏଇ ସମାଜର ସ୍ଵୀକୃତ ପାଇ । ନିଜେ ହସି ଅନ୍ୟକୁ ହସାଇବ । ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବ । ସେ ହେବ ଜାୟା, ଜନନୀ । ଏଇ ତା’ର ଧର୍ମ, ଏଇ ତା’ର ସୁଖ—ଏଇ ତା’ର ନାରୀ ଜୀବନର ବିଶେଷତ୍ଵ-

 

ଭୂମିକା ଫେରିଆସିଲା ନିଶାନ୍ତଙ୍କ ନିକଟକୁ ।

 

କିଏ ? ଭୂମିକା ?

 

ହଁ ।

 

ଏତେବେଳେ ଯାଏ କୁଆଡ଼େ ଯାଇଥିଲ ? ମତେ ଭାରି ଏକା ଏକା ଲାଗୁଥିଲା ।

 

ନିଶାନ୍ତଙ୍କ ଶଯ୍ୟାଧାରରେ ଭୂମିକା ବସିଲା । ତାଙ୍କ ମନର ଗଭୀରତା ମାପିବାକୁ ଚେଷ୍ଟା କରୁଥିଲା । ଭୂମିକାର ପାପୁଲିକୁ ନିଜହାତରେ ଚାପିଧରି ନିଶାନ୍ତ କହୁଥିଲେ—ତମେ ଆଉ ମୋ ପାଖରୁ ଦୂରେଇ ଯାଅନା ଭୂମିକା । ମିତା ସିନା ଚାଲିଗଲା । ଟଙ୍କା ଦେଇ ସେ ମୋତେ ପ୍ରେମ କରୁଥିଲା । ତମେ କ’ଣ ଚାଲିଯିବ ? ତମକୁ ଛାଡ଼ି ମୁଁ ଦଣ୍ଡେହେଲେ ବି ବଞ୍ଚି ପାରିବିନି ।

 

ତାଙ୍କ କଥାରେ ଭରି ରହିଥିଲା ଆକୁଳତା । ସେଇ ଆକୁଳତା ଭୂମିକାର ମନବୀଣାରେ ଆଘାତ କଲା ।

 

ତମେ ବ୍ୟସ୍ତ ହୁଅନି । ମୁଁ ଆଉ କୁଆଡ଼େ ଯିବିନି ।

 

ଭୂମି !

 

ବହୁତ ଦିନରୁ ହଜେଇ ଦେଇଥିବା ସେଇ ଡାକକୁ ନିଶାନ୍ତଙ୍କ ମୁହଁରେ ନୂଆକରି ଶୁଣିଲା ଭୂମିକା । ସେଥିରେ ଥିଲା ଆନ୍ତରିକତାର ମିଠା ମିଠା ପରଶ । ନିଶାନ୍ତଙ୍କ ଲୋମଶ ବକ୍ଷ ଉପରେ ଲୋଟି ଯାଇ କହିଲା—ସତ କହୁଚି ନିଶାନ୍ତ, ତମକୁ ଛାଡ଼ି ମୁଁ ଆଉ କୁଆଡ଼େ ଯିବିନି । ସବୁଦିନ ପାଇଁ ଏଇଠି, ଏମିତି ରହିଯିବି । ତମେ ମତେ ଦୂରେଇ ଦେବନି ତ ?

 

ନିଶାନ୍ତଙ୍କ ମୁହଁରେ ଭରା ପୁଲକର ଜୁଆର । ତାଙ୍କର ବାହୁ ବେଷ୍ଟନୀ ଭିତରେ ରହି ଭୂମିକା ହଜି ହଜି ଯାଉଥିଲା ପ୍ରଦୋଷର ଉଷସୀ ଭଳି...

Image